ପୂର୍ବରୁ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳୁଥିବା ଚେଲିପୋଗନ ଆର୍କ୍ଟିର୍ସେପ୍ସ ନାମକ ଉଡ଼ନ୍ତା ମାଛକୁ ଭାରତ ଉପକୂଳବର୍ତ୍ତୀ ସମୁଦ୍ରରେ ଚିହ୍ନଟ କରିଛନ୍ତି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ।

ଏହି ପ୍ରଜାତିର ମାଛଟି ୨୦୨୧ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ଏହାର ଡେଣାଗୁଡ଼ିକ ଲମ୍ୱା ଏବଂ ଓସାର ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ରୁ ୧୫ମିଟର ପର୍ଯ୍ୟନ୍ତ ଲମ୍ୱରେ ଉଡ଼ି ପାରୁଛନ୍ତି। ଏହାର ପିଠି ଭାଗ ରଙ୍ଗ ଈଷତ ନୀଳ ହୋଇଥିବା ବେଳେ ପେଟ ଭାଗଟି ରୁପା ଭଳି ଧଳା। ୧୫ ରୁ ୧୭ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ମାଛର ଡେଣାରେ କିଛି କଳା ଦାଗ ରହିଥାଏ।

ବିଶେଷଜ୍ଞଙ୍କ କହିବାନୁଯାୟୀ ପୂର୍ବରୁ ଏହି ମାଛ ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମା, ଜାପାନ, ଥାଇଲାଣ୍ଡରେ ଦେଖିବାକୁ ମିଳିଥିଲା। ଏହି ମାଛ ମଧୁର ଜଳରେ ହିଁ ବଂଶ ବିସ୍ତାର କରି ପାରନ୍ତି, ଯାହା ବିଷାକ୍ତ ନୁହନ୍ତି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ସମୁଦାୟ ଏହି ଭଳି ୮୦ଟି ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ ହୋଇଥିବା ବେଳେ ୨୪ଟି ପ୍ରଜାତିର ମାଛ ଭାରତ ଉପକୂଳରେ ଦେଖା ଯାଇଥାନ୍ତି। ଏହି ମାଛଟିକୁ ଗୋପାଳପୁର ଜେଡ୍‌ଏସଆଇର ବୈଜ୍ଞାନିକମାନେ ଏହି ମାଛର ପରୀକ୍ଷା ନିରୀକ୍ଷା କରି ସମ୍ପୂର୍ଣ୍ଣ ତଥ୍ୟକୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା ‘ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ’କୁ ପ୍ରଦାନ କରିଥିଲେ। ଏହି ମାଛଟି ପ୍ରଥମ ଥର ଏହି ପ୍ରଜାତିର ମାଛ ଭାରତ ଉପକୂଳରୁ ମିଳି ଥିବାରୁ ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”ରେ ପ୍ରକାଶ ପାଇଥିବା ଏବଂ ଏହି ମାଛକୁ ସଂରକ୍ଷଣ କରାଯାଇ ଅଧିକରୁ ଅଧିକ ଗବେଷଣା କରାଯିବ ବୋଲି ଗୋପାଳପୁର ଜେଡଏସଆଇର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବାକୁ କୁଆଖାଇକୁ ଆସିଥିବା ଦୁଇଜଣଙ୍କ ଛାତ୍ର ବୁଧବାର ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ମୃତକମାନେ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫)। ସିକୁନ ୬ ନମ୍ବର ବୟଜ୍‌ ହାଇସ୍କୁଲରେ ପଢ଼ୁଥିବା ବେଳେ ଓ ଦିବ୍ୟଜ୍ୟୋତି କ୍ୟାପିଟାଲ ହାଇସ୍କୁଲରେ ପଢ଼ୁଥିଲେ। ଉଭୟ ପିଚୁ ପଡିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରେ ଟିଉସନ୍‌ ହେଉଥିଲେ। ସେମାନେ ଅନ୍ୟ ୪ ଜଣ ଛାତ୍ରଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିଲେ।
ମୂର୍ତ୍ତି ବିସର୍ଜନ ସମୟରେ କୋଚିଂ ସେଣ୍ଟର ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ମୂର୍ତ୍ତି ବିସର୍ଜନ ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ଗଭୀର ନଦୀ ଭିତରକୁ ଚାଲି ଯାଇଥିଲେ। ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଊଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇ ନ ଥିଲା। ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଆସି ଉଭୟଙ୍କୁ ଊଦ୍ଧାର କରିଥିଲେ। ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇଁ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଆଉ ୪ ଦିନ ପରେ ଭାରତ – ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଆଜିଠାରୁ ଟିକେଟ ପାଇଁ କାଉଣ୍ଟର ଆଗରେ ଠେଲାପେଲା ଦେଖିବାକୁ ମିଳିଛି।

ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍। ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ପକ୍ଷରୁ ଅଫଲାଇନରେ ଟିକେଟ ବିକ୍ରି ଜାରି ରହିଥିବା ବେଳେ ବୁଧବାର ଟିକେଟ ପାଇଁ ଷ୍ଟାଡିୟମ୍ ଆଗରେ ଥିବା କାଉଣ୍ଟରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗତକାଲି ରାତିରୁ ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ମଧ୍ୟାହ୍ନ ବେଳକୁ ଭିଡ ଆହୁରି ବଢି ଯାଇଥିଲା। ଗୁଳୁଗୁଳି ସାଙ୍ଗକୁ ଭିଡ଼ରେ ଫସି ଯାଇଥିଲେ କ୍ରିକେଟ ପ୍ରେମୀ। ପରିସ୍ଥିତି ଏଭଳି ହୋଇଥିଲା ଯେ ଲୋକେ ଠେଲାପେଲା କରିବା ଆରମ୍ଭ କରିଥିଲେ। ଦଳାଚକଟା ଯୋଗୁଁ ଅନେକ ଗୁରୁତର ଆହତ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏଣେ ଟିକେଟ କିଣୁଥିବା ଲୋକଙ୍କ ପାଇଁ ଓସିଏ ପକ୍ଷରୁ ପିଇବା ପାଣି ଭଳି ସର୍ବନିମ୍ନ ବ୍ୟବସ୍ଥା କରାଯାଇ ନ ଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ସରିଯାଇଛି। ଏମାନଙ୍କ ଲାଗି ପାଖାପାଖି ୯ ହଜାର ଟିକେଟ ବିକ୍ରି ପାଇଁ ରହିଥିଲା। ୨ ତାରିଖରେ ଅନ୍‌ଲାଇନରେ ୪ ହଜାର ଟିକେଟ ବିକ୍ରି‌ ହୋଇଥିଲା। ବୁଧଠାରୁ ଦୁଇଦିନ ଧରି ଷ୍ଟାଡିୟମ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯାଉଛି। ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା‌ ୪୪୫୭୪ ରହିଥିବା ବେଳେ ସେଥିମଧ୍ୟରୁ ୨୪୬୯୨ ଟିକେଟ ବିକ୍ରି ପାଇଁ ରହିଥିଲା।

ଦୁଇ ମେସିନରେ ଚାଲିଛି ଟଙ୍କା ଗଣତି, କେଜିଏ ସୁନା ଜବତ କଲେ ଭିଜିଲାନ୍ସ ଟିମ୍।

ମାଲକାନଗିରି ଜଳଛାୟା ପ୍ରକଳ୍ପର ଉପ-ନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନ ସମେତ ୭ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ପ୍ରାଥମିକ ପର୍ଯ୍ୟାୟ ରିପୋର୍ଟ୍ ଅନୁଯାୟୀ ପ୍ରାୟ ଦେଢ଼ କୋଟି ଟଙ୍କା ସହ ଏକ କେଜି ସୁନା ଠାବ କରାଯାଇଛି।

ଦୁଇଜଣ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, ୨୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏହି ଚଢ଼ଉ ଟିମରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଟିମ ମାଲକାନଗିରି ସମେତ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଏହି କ୍ରମରେ ଜୟପୁରରେ ଏକ ତିନିତଳ ବିଶିଷ୍ଟ କୋଠା ଘର ସମେତ ଭିମଟାଙ୍ଗି ହଉସିଂ ବୋର୍ଡରେ ଥିବା ତାଙ୍କର ସମ୍ପର୍କୀୟଙ୍କ ଘରେ, କଟକ ନୂଆପଡ଼ା ବାଲିସାହିସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି ଭିଜିଲାନ୍ସର ଭିନ୍ନ ଭିନ୍ନ ଟିମ୍। ସେହିଭଳି ମାଲକାନଗିରିରେ ରହୁଥିବା ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳଙ୍କ ବାସଭବନ, ଜଳଛାୟା ପ୍ରକଳ୍ପର ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ୍ ମଣ୍ଡଳ, ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଅମୀୟକାନ୍ତ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରୀ ରହିଛି।

ଜୀବନରେ ଆପଣ ଯାହା ବି କର୍ମ କରନ୍ତୁ ସେଥିରେ ଅନ୍ୟର ସ୍ବାର୍ଥ ଓ ଭାବପ୍ରବଣତା ନିହାତି ଜଡ଼ିତ ରହିବା ଆବଶ୍ୟକ।

କାହାଣୀଟି ପ୍ରସିଦ୍ଧ ରସାୟନଶାସ୍ତ୍ରୀ ଆଚାର୍ଯ୍ୟ ନାଗାର୍ଜୁନଙ୍କର। ତାଙ୍କର ଏମିତି ଜଣେ ସହାୟକ ଦରକାର ହେଲା ଯିଏ ତାଙ୍କ ସହ ମିଶି ରସାୟନ ପ୍ରସ୍ତୁତ କରିପାରିବ, ଫଳରେ ତାଙ୍କର କାମ ସହଜ ହୋଇଯିବ। ସେ ବିଜ୍ଞାପନ ଦେଲେ । ଦୁଇଜଣ ଯୁବକ ଦରଖାସ୍ତ କଲେ ଆଚାର୍ଯ୍ୟ ନାଗାର୍ଜୁନଙ୍କ ସହ କାର୍ଯ୍ୟ କରିବା ପାଇଁ। ଆଚାର୍ଯ୍ୟ ସେମାନଙ୍କୁ କିଛି ଆବଶ୍ୟକ ସାମଗ୍ରୀ ଦେଇ ଦୁଇଦିନ ମଧ୍ୟରେ ରସାୟନ ପ୍ରସ୍ତୁତ କରିଆଣିବାକୁ କହିଲେ। ଦୁଇଦିନ ପରେ ଜଣେ ଯୁବକ ରସାୟନ ଧରି ଆସିଲା। ଶାସ୍ତ୍ରୀ ପଚାରିଲେ, ରସାୟନ ପ୍ରସ୍ତୁତ କରିବାବେଳେ ତମର କିଛି ଅସୁବିଧା ହୋଇନି ତ? ଯୁବକଟି କହିଲା: ଅନେକ ଘଟଣା ଘଟିଛି। ସାନଭାଇର ଗୋଡ଼ ଭାଙ୍ଗି ଯାଇଛି। ବାପାଙ୍କର ପେଟ ଦରଜ। ମା’ ଘରୁ ଉଠିପାରୁନି। ତଥାପି ସେସବୁକୁ ଛାଡ଼ି ମୁଁ ରସାୟନ ଆଣିଦେଇଛି । ଏତିକିବେଳେ ଦ୍ୱିତୀୟ ଯୁବକଟି ଆସି କହିଲା- ମୁଁ କ୍ଷମା ଚାହୁଁଛି ଶାସ୍ତ୍ରିଜୀ ଯେ, ମୁଁ ରସାୟନ ପ୍ରସ୍ତୁତ କରିପାରିନାହିଁ। ସେଦିନ ଏଠାରୁ ଯିବା ବେଳେ ରାସ୍ତାରେ ଗୋଟିଏ ଗରିବ ବୃଦ୍ଧ ରୋଗୀକୁ ଦେଖିଲି। ସେ ଏତେ ଯନ୍ତ୍ରଣା ପାଉଥିଲା ଯେ ମୁଁ ସହି ପାରିଲିନି। ତାକୁ ଘରକୁ ନେଇ ତା’ର ସେବାକଲି।  ଆପଣଙ୍କ ରସାୟନ କରିବାକୁ ମୁଁ ସମୟ ପାଇଲିନି।

ଏହାଶୁଣି ଶାସ୍ତ୍ରୀ ତ କିଛି କହିଲେନି; ଓଲଟି ପ୍ରଥମ ଯୁବକଟି ଖୁସିରେ ଗଦଗଦ୍ ହୋଇଗଲା। କାରଣ ତା’ର ଚାକିରି ତ ଥୟ। ହେଲେ ଶାସ୍ତ୍ରିଜୀ ଦ୍ୱିତୀୟ ଯୁବକକୁ କହିଲେ, ତୁମେ କାଲିଠୁ ଆସି ମୋ ସହ କାମ କର। ପ୍ରଥମ ଯୁବକକୁ ବୁଝାଇ କହିଲେ, ଯିଏ ନିଜର କାମ କରିବା ବେଳେ ଅନ୍ୟର କଷ୍ଟ ଦେଖିପାରେନା ସେ ଜଗତର ସେବା କରିବ କିପରି ? ମୋ ରସାୟନ ତ ଜଗତର ମଙ୍ଗଳ ପାଇଁ।

-ରାଜେନ୍ଦ୍ର

ଛତିଶଗଡ଼ ବିଜାପୁର ଅଞ୍ଚଳରେ ହିଂସ୍ର ହୋଇ ପଡିଛନ୍ତି ମାଓବାଦୀ। ଗତ କିଛିଦିନ ଧରି ସୀମାନ୍ତରେ ପୁଲିସର ଅପରେସନରେ ଦୁଇ ଡଜନରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିବା ବେଳେ ପ୍ରତିଶୋଧ ପରାୟଣ ହୋଇଛନ୍ତି ମାଓବାଦୀ।

ପ୍ରତିବଦଳରେ ପୁଲିସ ଇନଫର୍ମର୍ ସନ୍ଦେହରେ ମଙ୍ଗଳବାର ଛତିଶଗଡ ବିଜାପୁର ଅଞ୍ଚଳର ଦୁଇଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ମୁନ୍ନା ମାଡଭି ଓ ରାଜୁ କରାମ୍। ଉଭୟଙ୍କ ଘର୍ ବିଜାପୁର ଜିଲ୍ଲାର ବସାଗୁଡ଼ା ଥାନା ବଡ଼ାଗାଚେରୁ ଗ୍ରାମରେ ବୋଲି ଜଣାପଡ଼ିଛି। ମାଓବାଦୀମାନେ ଉଭୟଙ୍କୁ ଡାକି ନିର୍ମମ ଭାବେ ହତ୍ୟା କରିବା ପରେ ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ପକାଇ ଯାଇଛନ୍ତି। ମୃତଦେହ ନିକଟରେ ଏକ ହାତଲେଖା ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ଯେଉଁଥିରେ ମୃତ୍ୟୁର କାରଣ ଉଲ୍ଲେଖ କରିଛନ୍ତି। ମାଓବାଦୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଉନଥିବାରୁ ତାଙ୍କୁ ହତ୍ୟା କରା ଯାଇଛି ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଖବର ପାଇ ଗାଁରେ ପୁଲିସ ପହଞ୍ଚିଛି।

ଭୁବନେଶ୍ୱରରୁ ନନ୍ଦନକାନନ ଯିବା ରାସ୍ତାରେ ଏକ ଛୋଟ ଝିଅ ଉପରେ ଚଢ଼ିଯାଇଛି ମୋ ବସ୍। ଫଳରେ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଛି।

ମୃତ ଝିଅଟିର ବୟସ ୧୨ ବର୍ଷ। ସେ ସ୍ଥାନୀୟ ଅଞ୍ଚଳର ରାମ ତିଆଡିଙ୍କ ଝିଅ ବୋଲି ଜଣାପଡିଛି। ରଘୁନାଥପୁର ନିକଟରେ ଝିଅଟି ସାଇକେଲରେ ଯାଉଥିବା ବେଳେ ଭୁବନେଶ୍ୱର ପଟୁ ଯାଉଥିବା ବସଟି ତାକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଡ୍ରାଇଭର ବସ୍ଘ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ରାସ୍ତାରେ ବାଉଁଶ ବାନ୍ଧି ଅବରୋଧ କରିଛନ୍ତି। ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ଅନ୍ୟ ୩ ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ଖବରପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
ପ୍ରକାଶ ଥାଉ କି ଗତ କିଛିଦିନ ତଳେ ଡମଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କ ଗୋଡ଼ରେ ମୋ ବସ୍ ଚଢ଼ିଯିବାରୁ ଗୋଡ ନଷ୍ଟ ହୋଇ ଯାଇଥିଲା। ଯାହାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଗତ କିଛିଦିନ ଧରି ଲାଗି ଝାଡାବାନ୍ତି ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।

ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସମେତ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସମେତ ପଞ୍ଚାୟତରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡିଛି। ଏଥିସହିତ ଆସନ୍ତା ୨୪ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି। ପ୍ରକାଶ ଥାଉ କି କଣାସ ଅଞ୍ଚଳର ୪ ପରିବାର ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାକୁ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ସମର୍ଥନ କରିଥିଲେ।
ସୂଚାଇ ଦିଆଯାଇ ପାରେ ଯେ, ଗତ କିଛି ସପ୍ତାହ ଧରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବା ବେଳେ ସରକାରୀ ଭାବେ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ତେବେ ଦୟାନଦୀ ପ୍ରଦ୍ୟୁଷଣ କାରଣରୁ ଲୋକେ ଏହାକୁ ବ୍ୟବହାର କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା କୁହା ଯାଉଛି।

ଆମେ ଅନେକ ସମୟରେ ସବୁଠାରୁ ଦାମୀ ଉପହାର ଦେଇ ପ୍ରିୟଜନଙ୍କୁ ଆପ୍ୟାୟିତ କରିବାକୁ ଚିନ୍ତା କରୁ। କିନ୍ତୁ ପ୍ରକୃତରେ ପ୍ରୀୟଜନଙ୍କ ପାଇଁ କ’ଣ ହୋଇପାରେ ଦାମୀ ଉପହାର

ଥରେ ତଥାଗତ ବୁଦ୍ଧ ଗୋଟିଏ ରାଜ୍ୟର ସୀମାନ୍ତରେ ନିଜର ଶିଷ୍ୟଗଣଙ୍କ ସହିତ ପ୍ରବେଶ କଲେ। ସୀମାନ୍ତରେ ନଦୀଟିଏ ବୋହି ଯାଉଥିଲା । ତା’ ପାଖରେ ଏକ ଆମ୍ବ ବଗିଚା ରହିଥିଲା।  ଭଗବାନ ବୁଦ୍ଧ ଶିଷ୍ୟମାନଙ୍କୁ ସେଇଠି ଛାଉଣୀ ପକେଇବାକୁ କହିଲେ। ବୁଦ୍ଧ ଆସିଥିବା ଶୁଣି ସେହି ରାଜ୍ୟର ରାଜାଙ୍କ ଖୁସିର ସୀମା ରହିଲାନାହିଁ। ସେ ନିଜର ଦଳବଳ ସହିତ ଅମାପ ଧନ ରତ୍ନ ଧରି ବୁଦ୍ଧଙ୍କୁ ଭେଟିବାକୁ ଆସିଲେ । ମଞ୍ଚ ଉପରକୁ ଯାଇ ବୁଦ୍ଧଙ୍କୁ ଉପହାର ଦେବା ସହିତ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ। ବୁଦ୍ଧ ସାମାନ୍ୟ ହସିଦେଇ ତାଙ୍କୁ କେବଳ ଆଶୀର୍ବାଦ କଲେ । ମାତ୍ର ପଦୁଟିଏ ବି କହିଲେ ନାହିଁ। ଏଥିରେ ରାଜା କ୍ଷୁବ୍ଧ ହେଲେ । କାରଣ ସେ ରାଜା। ତାଙ୍କୁ ବୁଦ୍ଧ ଅନ୍ତତଃ ଆସନ ଛାଡ଼ି ଉଠିଆସିବା କଥା। ଯା’ହେଉ ରାଜା ତଳେ ପଡ଼ିଥିବା ଆସନରେ ବସିଲେ। ଏତିକିବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବୃଦ୍ଧା। ସେ ତଳେ ଠିଆ ହୋଇ କାନ୍ଦିକାନ୍ଦି କହିଲା: ଭଗବାନ! ମୋ ପାଖରେ ଆପଣଙ୍କୁ ଦେବା ଲାଗି କିଛି ନାହିଁ। କେବଳ ଗୋଟିଏ ପାଚିଲା ଆମ୍ବ ଅଛି ଯାହାକୁ ମୁଁ ଅଇଣ୍ଠା କରି ସାରିଛି। କରୁଣାମୟ ପ୍ରଭୁ କ’ଣ ମୋର ଏ ତୁଚ୍ଛ ଭେଟି ସ୍ୱୀକାର କରିବେ।

ଏତିକି ଶୁଣୁଶୁଣୁ ବୁଦ୍ଧ ଆସନ ଛାଡ଼ି ତଳକୁ ଓହ୍ଲେଇ ଆସିଲେ ଓ ଅତି ଆଗ୍ରହର ସହିତ ହାତ ବଢ଼େଇ ବୃଦ୍ଧାଙ୍କ ହାତରୁ ଫଳଟିକୁ ନେଇଗଲେ । ତଳେ ବସିଥିବା ରାଜା ଏଥର ସହଜରେ ବୁଝିଗଲେ ଯେ, ଦାତାର ଅହଂକାର ନୁହେଁ; ଭକ୍ତର ସମର୍ପଣ ହିଁ ଭଗବାନଙ୍କ ସବୁଠୁ ବଡ଼ ସମ୍ପତ୍ତି।