ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖିଛି ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି)।
ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍‌ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍‌ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା ଦେଉଥିବା ୧୩,୦୦୦ ଗଛ ନଷ୍ଟ ହେବାର ପ୍ରଭାବ ନେଇ ଚିନ୍ତା ପ୍ରକଟ ଚରିଛି ଏଏଫ୍‌ସି।
ଏଭଳି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା ଏଫଏସି ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ମାମଲାକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଇବା ପାଇଁ ଅନୁରୋଧ କରାଯାଇଛି।
ପୁରୀ ଉପକୂଳରେ ଅଲିଭ୍‌ ରିଡଲେ କଇଁଛ, ଇରାୱାଡ୍ଡି ଡଲଫିନ୍‌ ଏବଂ ଚିଲ୍କା ହ୍ରଦକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ପ୍ରବାସ ପଥ, ବିପଦ ଏବଂ ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ଉଠାଯାଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି, ରାଜ୍ୟ ଏହି ବିଷୟ ଉପରେ ଡବ୍ଲୁଆଇଆଇର ମତାମତ ଏବଂ ସୁପାରିଶ ଲୋଡିବା ଆବଶ୍ୟକ ବୋଲି ଏଫଏସି କହିଛି।
ପ୍ରକାଶ ଥାଉ କି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ୫ ମେ’ରେ ମଞ୍ଜୁରୀ ଦେଇଥିଲେ। ପୁରୀ ଜିଲ୍ଲାର ସିପସରୁବାଲିରେ ପ୍ରାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫,୬୩୧ କୋଟି ହେବ ବୋଲି ଆକଳନ କରାଯାଇଛି।
ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା ଯେ, ଏଥିରେ କୁହାଯାଇଥିଲା ଓଡ଼ିଶା ବିଶେଷ ଭାବରେ ଏକ  ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟ। ୧୩,୦୦୦ ଝାଉଁ, କାଜୁ, ଆକାଶିଆ ଆଦି ଗଛ କଟାଯିବ। ଏହି ଗଛ ପୁରୀରେ ଘୂର୍ଣ୍ଣିଝଡ଼ ପ୍ରତିରୋଧୀ ଏକ ପ୍ରାକୃତିକ ଢାଲ ଭଳି କାର୍ଯ୍ୟ କରିଥାଏ। ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ହେଲେ ଏହି ଢାଲ ହଟିଯିବ ବୋଲି ଉଲ୍ଲେଖ ରହିଛି।
ଆଞ୍ଚଳିକ କାର୍ଯ୍ୟାଳୟ ପ୍ରକଳ୍ପ ସ୍ଥଳକୁ ଲାଗି ରହିଥିବା ବ୍ରହ୍ମଗିରି ବନ ଡିଭିଜନରେ କେବଳ କଇଁଛ ବସା ପାଇଁ ବିପଦ ଉଠାଇବା ସହିତ ଚିଲିକା ନଦୀ ମୁହାଣ ହ୍ରଦକୁ ଆସୁଥିବା ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀଙ୍କ ଲାଗି ମଧ୍ୟ ସମ୍ଭାବ୍ୟ ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ବିମାନରେ ପକ୍ଷୀ ଆଘାତର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ବିମାନବନ୍ଦର ନିକଟରେ ବିସ୍ଫୋରକ ଲୁଚାଇ ରଖାଯାଇଛି। ତୁରନ୍ତ ବିମାନବନ୍ଦର ଖାଲି କରନ୍ତୁ। ଏଭଳି ଏକ ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ଉତ୍ତରପ୍ରଦେଶ ପୁଲିସର ନିଦ ହଜି ଯାଇଛି।
ଏ ନେଇ ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଶାହଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।  ଭାରତର ଅନ୍ୟ ବିମାନବନ୍ଦରଗୁଡିକୁ ମଧ୍ୟ ଏଭଳି ମେଲ୍‌ ପଠାଯାଇଛି। ଆଗ୍ରା ପୁଲିସ ଷ୍ଟେସନ ଶାହଗଞ୍ଜ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। “ରୋଡକିଲ୍‌ ଏବଂ କ୍ୟୋ’ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇଥିବା ମେଲରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଆଗ୍ରା ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତ୍ତି ନିଗମ ଅଭିଯୋଗରେ କହିଛନ୍ତି, ‘ଆମକୁ ମିଳିଥିବା ଧମକରେ କୁହାଯାଇଛି ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ ଲୁଚାଇ ରଖାଯାଇଛି। ଆପଣଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ହେବ। ନଚେତ ଅନେକ ଯାତ୍ରୀଙ୍କ ଜୀବନ ଜୀବନ ଚାଲିଯିବ ବୋଲି ଉଲ୍ଳେଖ କରାଯାଇଛି।
ଏହି ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ଡିସିପି  ସୋନମ କୁମାର କହିଛନ୍ତି ଯେ ରବିବାର ମୁଖ୍ୟ ସୁରକ୍ଷା ଅଧିକାରୀ ଏକ ଅଭିଯୋଗ କରିଥିଲେ। ଯେଉଁଥିରେ ଆଗ୍ରା ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ୍‌ ମିଳିଥିବାର ସୂଚନା ଦେଇଥିଲେ। ଯେଉଁ ଇମେଲ୍‌ ଠିକଣାରୁ ଏହି ମେଲ୍‌ ପଠାଯାଇଛି ତାହା ଠାବ କରାଯାଉଛି, ଖୁବ୍‌ ଶୀଘ୍ର ଅପରାଧୀମାନଙ୍କୁ ପୁଲିସ କାବୁ କରିବ।
ଅପରପକ୍ଷେ ତାଜମହଲର ପାର୍କିଂ ନିକଟରେ ମଧ୍ୟ ଗୁଳିବିନିମୟ ହୋଇଛି। ଗୁଳି ଫୁଟିବା ଶବ୍ଦ ଶୁଣି ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ତାଜମହଲର ପାର୍କିଂ ନିକଟରେ ଏକ କାରରେ ଥିବା ଦୁଇଜଣ ଯୁବକ ଏହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।  ଗୁଳି ଚଳାଇବା ପରେ ଉଭୟ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରୁଥିବା ଜଣାପଡ଼ିଛି।

ଗୁଜରାଟର ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଉପରୁ ଯାତ୍ରୀଙ୍କ ଆସ୍ଥା ତୁଟିଯାଇଛି। ଏହି ଦୁର୍ଘଟଣା ପରଠାରୁ ଏୟାର ଇଣ୍ଡିଆର ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବୁକିଂରେ ୨୦% ହ୍ରାସ ପାଇଛି। ଏ ନେଇ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ (ଆଇଏଟିଓ) ପକ୍ଷରୁ ସୂଚନା ଦିଆଯାଇଛି।

ଏମିତିକି ବିମାନ ଦୁର୍ଘଟଣା ପରେ ଅନ୍ତର୍ଜାତୀୟ ରୁଟରେ ୧୮ରୁ ୨୨ ପ୍ରତିଶତ ଓ ଘରୋଇ ମାର୍ଗରେ ୧୦ରୁ ୧୨ପ୍ରତିଶତ କମ୍ପାନୀର ବୁକିଂ ହ୍ରାସ ପାଇଛି। ଏହି ହ୍ରାସ ସ୍ବଳ୍ପକାଳୀନ ଓ ମନୋବୈଜ୍ଞାନିକ କାରଣରୁ ବୋଲି ଅନୁମାନ କରାଯାଉଛି। ତେବେ ଏହାର ପ୍ରଭାବ ଏୟାରଲାଇନ୍ସର ଛବି ଓ ରାଜସ୍ବ ଉପରେ ପଡୁଛି।

ଟିକଟ ବୁକିଂରେ ଏପରି ହ୍ରାସ ଦେଖ୍ ଏୟାର ଇଣ୍ଡିଆ ଏହାର ମୁଖ୍ୟ ରୁଟ୍‌ଗୁଡିକରେ ଭଡ଼ା ହ୍ରାସ କରିଛି। ଆଇଏଟିଓ ଅନୁସାରେ ଘରୋଇ ରୁଟ୍‌ରେ ହାରାହାରି ୮ରୁ ୧୨ପ୍ରତିଶତ ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ଅନ୍ତର୍ଜାତୀୟ ରୁଟ୍ ନିମନ୍ତେ ୧୦ରୁ ୧୫ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ହ୍ରାସ କରାଯାଇଛି।

ଘରୋଇ କ୍ଷେତ୍ରରେ ଏୟାର ଇଣ୍ଡିଆର ବ୍ୟବସାୟିକ ପ୍ରତିଯୋଗିତା ଇଣ୍ଡିଗୋ ଓ ଆକାସା ଏୟାର ଲାଇନ୍ସ ଭଳି ଶସ୍ତା ବିମାନ କମ୍ପାନୀଙ୍କ ସହ ରହିଛି। ଏଣୁ ଭଡ଼ା ହ୍ରାସକୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ବୋଲି ଅନୁମାନ କରା‌ଯାଉଛି।

ତେବେ ଏୟାର ଇଣ୍ଡିଆର କେବଳ ଟିକେଟ ବୁଙ୍କି ହ୍ରାସ ହୋଇ ନାହିଁ, ଟିକେଟ୍ ନେବା ପରେ ଲୋକେ ରଦ୍ଦ କରିବା ମଧ୍ୟ ବଢାଇ ଦେଇଛନ୍ତି। ବିଶେଷ କରି କର୍ପୋରେଟ ଯାତ୍ରୀ ଓ ପ୍ରିମିୟମ ସେଗମେଣ୍ଟ ଯାତ୍ରୀ ବିକଳ୍ପ ଏୟାରଲାଇନ ବାଛୁଛନ୍ତି। ଆଇଏଟିଓ ଅନୁସାରେ ଅନ୍ତର୍ଜାତୀୟ ଟିକେଟ୍‌ ରଦ୍ଦ ହେବା ମାମଲା ୧୫ରୁ ୧୮ପ୍ରତିଶତ ବୃଦ୍ଧି ହୋଇଛି।

୯ ଦିନରେ ଏୟାର ଇଣ୍ଡିଆର ୮୪ ବିମାନ ବାତିଲ

ଗୁଜୁରାଟ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଗୋଟାକ ପରେ ଗୋଟାଏ ଏୟାର ଇଣ୍ଡିଆର ବିମାନ ବାତିଲ ହେବାରେ ଲାଗିଛି। ଗତ ୯ ଦିନ ଭିତରେ ମୋଟ ୮୪ଟି ବିମାନ ବାତିଲ ହୋଇଥିବା ନେଇ ସୂଚନା ରହିଛି। ଆଜି କେବଳ ଏୟାର ଇଣ୍ଡିଆର ୯ଟି ବିମାନ ଉଡ଼ାଣ ବିଭିନ୍ନ କାରଣ ପାଇଁ ବାତିଲ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ହଇରାଣ ହରକତ ହୋଇଛନ୍ତି।
ଏଥି ସହିତ ପକ୍ଷୀ ଧକ୍କା ଯୋଗୁଁ ପୁଣେ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଟକି ରହିଛି। ଏହି ଘଟଣା ପରେ ବିମାନଟିକୁ ନିରାପଦ ଅବତରଣ କରାଯାଇଥିଲେ ମଧ୍ୟ, ଏହାର ପରବର୍ତ୍ତୀ ଉଡ଼ାଣ ସ୍ଥଗିତ ରହିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନର ଯାଞ୍ଚ ଓ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।
ଅନ୍ୟପକ୍ଷରେ, ବାତିଲ ହୋଇଥିବା ଉଡ଼ାଣଗୁଡ଼ିକ ମଧ୍ୟରେ କେତେକ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଥିବା ବିମାନ ରହିଛି। ଏହା ଯାତ୍ରୀମାନଙ୍କୁ ବିଭିନ୍ନ ଗନ୍ତବ୍ୟସ୍ଥଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିକଳ୍ପ ଉଡ଼ାଣ କିମ୍ବା ରିଫଣ୍ଡ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି। ଏହି ଘଟଣା ଏୟାରଲାଇନ୍‌ର ସେବା ନୀତି ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ବାତିଲ ହୋଇଥିବା ୯ଟି ବିମାନ ମଧ୍ୟରୁ ପରିଚାଳନାଗତ କାରଣ ଦର୍ଶାଇ ୪ଟି ଅନ୍ତର୍ଜାତୀୟ ସେବା ସମେତ ୮ ଟି ଅନ୍ୟ ବିମାନ ବାତିଲ କରାଯାଇଛି। ସେଥି ମଧ୍ୟରେ ପୁଣେରୁ ଦିଲ୍ଲୀକୁ ଏଆଇ-୮୭୪, ଅହମ୍ମଦାବାଦରୁ ଦିଲ୍ଲୀକୁ ଏଆଇ-୪୫୬, ହାଇଦ୍ରାବାଦରୁ ମୁମ୍ବାଇକୁ ଏଆଇ-୨୮୭ ଏବଂ ଚେନ୍ନାଇରୁ ମୁମ୍ବାଇ ଏଆଇ-୫୭୧ ଚାରୋଟି ଘରୋଇ ବିମାନ ବାତିଲ କରାଯାଇଥିବା ଜଣାପଡ଼ିଛି।
ବାତିଲ ହେଇଥିବା ଆନ୍ତର୍ଜାତୀୟ ବିମାନ ହେଉଛି ଦୁବାଇରୁ ଚେନ୍ନାଇ ଏଆଇ-୯୦୬, ଦିଲ୍ଲୀରୁ ମେଲବର୍ଣ୍ଣ ଏଆଇ-୩୦୮, ମେଲବର୍ଣ୍ଣରୁ ଦିଲ୍ଲୀ ଏଆଇ-୩୦୯ ଏବଂ ଦୁବାଇରୁ ହାଇଦ୍ରାବାଦ ଏଆଇ-୨୨୦୪। କଟକଣା ଯୋଗୁଁ ପ୍ରଭାବିତ ଯାତ୍ରୀମାନଙ୍କ ନିକଟରେ ଏୟାର ଇଣ୍ଡିଆ କ୍ଷମା ପ୍ରାର୍ଥନା ମାଗିଛି।
କିନ୍ତୁ ବାରମ୍ବାର ବିମାନ ବାତିଲ ପରେ ଲୋକେ ଯେତିକି ହଇରାଣ ହେଉଛନ୍ତି ସେତିକି ମାତ୍ରାରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଅପରପକ୍ଷେ ବିମାନ ବାତିଲ ନେଇ ସାଧାରଣ ଲୋକଙ୍କ ମନରେ ଆଶଙ୍କା ଏବଂ ଆତଙ୍କ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଶନିବାର ପ୍ରତ୍ୟୁଷରେ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଯୋଗୁଁ ସୁରକ୍ଷା ପ୍ରସ୍ତୁତି ବୃଦ୍ଧିପାଇଛି। ଏଥି ପାଇଁ ଏକ ଯାତ୍ରୀ ପରାମର୍ଶ ଜାରି କରାଯାଇଛି।
ଏହାର ସଦ୍ୟତମ ଯାତ୍ରା ପରାମର୍ଶରେ ବିମାନବନ୍ଦର ପକ୍ଷରୁ କୁହାଯାଇଛି, ଦିଲ୍ଲୀ ବିମାନବନ୍ଦର କାର୍ଯ୍ୟ ବର୍ତ୍ତମାନ ସ୍ୱାଭାବିକ ଅଛି। ତଥାପି, ପରିବର୍ତ୍ତନଶୀଳ ଏୟାରସ୍ପେସ୍ ପରିସ୍ଥିତି ଏବଂ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, କିଛି ଉଡ଼ାଣ ସମୟସୀମା ପ୍ରଭାବିତ ହୋଇପାରେ। ସୁରକ୍ଷା ଚେକ୍‌ପଏଣ୍ଟ ପ୍ରକ୍ରିୟାକରଣ ସମୟ ଅଧିକ ହୋଇପାରେ।

ପୂର୍ବରୁ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷ ଉତ୍ତର ଏବଂ ପଶ୍ଚିମ ଭାରତର ୩୨ଟି ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ପାଇଁ ଅସ୍ଥାୟୀ ଭାବରେ ବନ୍ଦ ଘୋଷଣା କରି ଏୟାରମ୍ୟାନ୍ (NOTAMs)ଙ୍କୁ ନୋଟିସ୍ ଜାରି କରିଛନ୍ତି।
ଆଗକୁ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଆସନ୍ନ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ପରବର୍ତ୍ତୀ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆସିପାରେ।

ଯୁଦ୍ଧ ଆସନ୍ନ: ଦ୍ୱିତୀୟ ଦିନରେ ଭୁଶୁଡ଼ିଲା ଷ୍ଟକ୍‌ ବଜାର

ଭୁବନେଶ୍ୱର ବିମାନବନ୍ଦରକୁ ମିଳିବ ଖୁବ୍‌ଶୀଘ୍ର ଆଉ ଟର୍ମିନାଲ୍‌। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆଉଏକ ଟର୍ମିନାଲ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିବା ବେଳେ ଏବେ ତୃତୀୟ ଟର୍ମିନାଲ୍‌ ପାଇଁ ନିଷ୍ପତ୍ତି ହୋଇଛି।
ଆସନ୍ତା ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ୍‌ ନିର୍ମାଣ କାମ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଏହି ଟର୍ମିନାଲ୍‌ ନିର୍ମାଣ ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।
ପ୍ରକାଶ ଥାଉ କି ଗତ ଅକ୍ଟୋବର ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡ଼ୁ ଏ ନେଇ ସୂଚନା ଦେଇଥିଲେ। ଭୁବନେଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉଏକ ଟର୍ମିନାଲ୍‌ର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏ ନେଇ ବ୍ୟୟ ଆକଳନ କରାଯାଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ପ୍ରକାଶ ଥାଉ କି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶ ୨୦ଟି ସ୍ଥାନକୁ ସିଧାସଳଖ ବିମାନ ଚଳାଚଳ କରୁଥିବା ବେଳେ ଏଠାରୁ ବିଦେଶର ୪ଟି ସ୍ଥାନକୁ ବିମାନ ଚଳାଚଳ ବ୍ୟବସ୍ଥା ରହିଛି।
ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ। ଗୁରୁବାର ଘଟିଥିବା ଦୁର୍ଘଟଣାରେରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଦ୍ୱି-ସିଟ୍‌ ଯୁକ୍ତ ଲଢୁଆ ବିମାନଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁଯାୟୀ ମିରାଜ ୨୦୦୦ ଲଢୁଆ ବିମାନଟି ମଧ୍ୟପ୍ରଦେଶର ଶିବପୁରୀର କରିରା ତହସିଲ ଅନ୍ତର୍ଗତ ସୁନାରୀ ଥାନା ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ କରୁଥିଲା। ପ୍ରାୟ ସାଢେ଼ ୨ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପଡ଼ିଥିବା ବିମାନରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳକୁ ଯାଇଥିଲେ। ଜିଲ୍ଲା ପ୍ରଶାସନ ସମେତ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ଆହତ ପାଇଲଟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍‌ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଆହତ ପାଇଲଟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।