ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବାକୁ କୁଆଖାଇକୁ ଆସିଥିବା ଦୁଇଜଣଙ୍କ ଛାତ୍ର ବୁଧବାର ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ମୃତକମାନେ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫)। ସିକୁନ ୬ ନମ୍ବର ବୟଜ୍ ହାଇସ୍କୁଲରେ ପଢ଼ୁଥିବା ବେଳେ ଓ ଦିବ୍ୟଜ୍ୟୋତି କ୍ୟାପିଟାଲ ହାଇସ୍କୁଲରେ ପଢ଼ୁଥିଲେ। ଉଭୟ ପିଚୁ ପଡିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରେ ଟିଉସନ୍ ହେଉଥିଲେ। ସେମାନେ ଅନ୍ୟ ୪ ଜଣ ଛାତ୍ରଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିଲେ।
ମୂର୍ତ୍ତି ବିସର୍ଜନ ସମୟରେ କୋଚିଂ ସେଣ୍ଟର ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ମୂର୍ତ୍ତି ବିସର୍ଜନ ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ଗଭୀର ନଦୀ ଭିତରକୁ ଚାଲି ଯାଇଥିଲେ। ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଊଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇ ନ ଥିଲା। ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଆସି ଉଭୟଙ୍କୁ ଊଦ୍ଧାର କରିଥିଲେ। ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇଁ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।



