ଆମେ ଅନେକ ସମୟରେ ସବୁଠାରୁ ଦାମୀ ଉପହାର ଦେଇ ପ୍ରିୟଜନଙ୍କୁ ଆପ୍ୟାୟିତ କରିବାକୁ ଚିନ୍ତା କରୁ। କିନ୍ତୁ ପ୍ରକୃତରେ ପ୍ରୀୟଜନଙ୍କ ପାଇଁ କ’ଣ ହୋଇପାରେ ଦାମୀ ଉପହାର
ଥରେ ତଥାଗତ ବୁଦ୍ଧ ଗୋଟିଏ ରାଜ୍ୟର ସୀମାନ୍ତରେ ନିଜର ଶିଷ୍ୟଗଣଙ୍କ ସହିତ ପ୍ରବେଶ କଲେ। ସୀମାନ୍ତରେ ନଦୀଟିଏ ବୋହି ଯାଉଥିଲା । ତା’ ପାଖରେ ଏକ ଆମ୍ବ ବଗିଚା ରହିଥିଲା। ଭଗବାନ ବୁଦ୍ଧ ଶିଷ୍ୟମାନଙ୍କୁ ସେଇଠି ଛାଉଣୀ ପକେଇବାକୁ କହିଲେ। ବୁଦ୍ଧ ଆସିଥିବା ଶୁଣି ସେହି ରାଜ୍ୟର ରାଜାଙ୍କ ଖୁସିର ସୀମା ରହିଲାନାହିଁ। ସେ ନିଜର ଦଳବଳ ସହିତ ଅମାପ ଧନ ରତ୍ନ ଧରି ବୁଦ୍ଧଙ୍କୁ ଭେଟିବାକୁ ଆସିଲେ । ମଞ୍ଚ ଉପରକୁ ଯାଇ ବୁଦ୍ଧଙ୍କୁ ଉପହାର ଦେବା ସହିତ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ। ବୁଦ୍ଧ ସାମାନ୍ୟ ହସିଦେଇ ତାଙ୍କୁ କେବଳ ଆଶୀର୍ବାଦ କଲେ । ମାତ୍ର ପଦୁଟିଏ ବି କହିଲେ ନାହିଁ। ଏଥିରେ ରାଜା କ୍ଷୁବ୍ଧ ହେଲେ । କାରଣ ସେ ରାଜା। ତାଙ୍କୁ ବୁଦ୍ଧ ଅନ୍ତତଃ ଆସନ ଛାଡ଼ି ଉଠିଆସିବା କଥା। ଯା’ହେଉ ରାଜା ତଳେ ପଡ଼ିଥିବା ଆସନରେ ବସିଲେ। ଏତିକିବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବୃଦ୍ଧା। ସେ ତଳେ ଠିଆ ହୋଇ କାନ୍ଦିକାନ୍ଦି କହିଲା: ଭଗବାନ! ମୋ ପାଖରେ ଆପଣଙ୍କୁ ଦେବା ଲାଗି କିଛି ନାହିଁ। କେବଳ ଗୋଟିଏ ପାଚିଲା ଆମ୍ବ ଅଛି ଯାହାକୁ ମୁଁ ଅଇଣ୍ଠା କରି ସାରିଛି। କରୁଣାମୟ ପ୍ରଭୁ କ’ଣ ମୋର ଏ ତୁଚ୍ଛ ଭେଟି ସ୍ୱୀକାର କରିବେ।
ଏତିକି ଶୁଣୁଶୁଣୁ ବୁଦ୍ଧ ଆସନ ଛାଡ଼ି ତଳକୁ ଓହ୍ଲେଇ ଆସିଲେ ଓ ଅତି ଆଗ୍ରହର ସହିତ ହାତ ବଢ଼େଇ ବୃଦ୍ଧାଙ୍କ ହାତରୁ ଫଳଟିକୁ ନେଇଗଲେ । ତଳେ ବସିଥିବା ରାଜା ଏଥର ସହଜରେ ବୁଝିଗଲେ ଯେ, ଦାତାର ଅହଂକାର ନୁହେଁ; ଭକ୍ତର ସମର୍ପଣ ହିଁ ଭଗବାନଙ୍କ ସବୁଠୁ ବଡ଼ ସମ୍ପତ୍ତି।


