ଭୁବନେଶ୍ୱରରୁ ନନ୍ଦନକାନନ ଯିବା ରାସ୍ତାରେ ଏକ ଛୋଟ ଝିଅ ଉପରେ ଚଢ଼ିଯାଇଛି ମୋ ବସ୍। ଫଳରେ ଘଟଣାସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଛି।
ମୃତ ଝିଅଟିର ବୟସ ୧୨ ବର୍ଷ। ସେ ସ୍ଥାନୀୟ ଅଞ୍ଚଳର ରାମ ତିଆଡିଙ୍କ ଝିଅ ବୋଲି ଜଣାପଡିଛି। ରଘୁନାଥପୁର ନିକଟରେ ଝିଅଟି ସାଇକେଲରେ ଯାଉଥିବା ବେଳେ ଭୁବନେଶ୍ୱର ପଟୁ ଯାଉଥିବା ବସଟି ତାକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଡ୍ରାଇଭର ବସ୍ଘ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ରାସ୍ତାରେ ବାଉଁଶ ବାନ୍ଧି ଅବରୋଧ କରିଛନ୍ତି। ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ଅନ୍ୟ ୩ ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ଖବରପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
ପ୍ରକାଶ ଥାଉ କି ଗତ କିଛିଦିନ ତଳେ ଡମଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କ ଗୋଡ଼ରେ ମୋ ବସ୍ ଚଢ଼ିଯିବାରୁ ଗୋଡ ନଷ୍ଟ ହୋଇ ଯାଇଥିଲା। ଯାହାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।


