TT Ads
ରାଜ୍ୟରେ ବଢ଼ିଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ଦେଶର ବୁଲକୁକୁରଙ୍କ ସଂଖ୍ୟାକୁ ତୁଳନା କଲେ ଓଡ଼ିଶାରେ ରହିଛନ୍ତି ସର୍ବାଧିକ ବୁଲକୁକୁର। ଗଣନା ମୁତାବକ ଏବେ ରାଜ୍ୟରେ ଅଛନ୍ତି ୧୮ ଲକ୍ଷ ବୁଳକୁକୁର।
ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆର ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଅଗଷ୍ଟ ୧୧ ତାରିଖରେ ରାୟ ଦେଇଥିଲେ ସୁପ୍ରିମ୍‌କୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହାକୁ ନେଇ ପଶୁପ୍ରେମୀଙ୍କ ପ୍ରବଳ ପ୍ରତିକ୍ରିୟା ପରେ ପୁନଃଶୁଣାଣି କରିଛନ୍ତି ତିନି ଜଣିଆ ବୃହତ ଖଣ୍ଡପୀଠ। ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍‌ଭି ଅଞ୍ଜରିୟାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି।
ଶୁଣାଣିବେଳେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ଅଧିକାଂଶ ଛୋଟ ପିଲାଙ୍କୁ ବୁଲା କୁକୁର ଆକ୍ରମଣ କରୁଛନ୍ତି। ଲୋକେ କୁକୁର କାମୁଡାରେ ଖଣ୍ଡିଆ ଖାବରା ହେବା ସହ ଜଳାତଙ୍କ ରୋଗରେ ପଡୁଛନ୍ତି। ଜଳାତଙ୍କ ରୋଗକୁ କୁକୁର ବନ୍ଧ୍ୟାକରଣ ରୋକି ପାରୁନାହିଁ ବୋଲି ଦର୍ଶାଇଛନ୍ତି।
ଅପରପକ୍ଷେ ପଶୁପ୍ରେମୀଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ବୁଲା କୁକୁରଙ୍କ ଆତଙ୍କ କମାଇବାକୁ ନିୟମ ଥିଲା, କେହି ପାଳନ କରିନାହାନ୍ତି। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହୋଇଛି। ସେହିଭଳି ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ମଧ୍ୟ ନାହିଁ। ତେବେ ବୁଲା କୁକୁରଙ୍କୁ ନିପାତ ନାଁରେ ମାରିବା ପାଇଁ ଛଡାଯାଇପାରିବ ନାହିଁ ବୋଲି ଯୁକ୍ତି କରିଛନ୍ତି।
ଦିଲ୍ଲୀ-ଏନ୍‌ସିଆରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଓଡିଶାରେ ବୁଲା କୁକୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରକାଶ ଥାଉ କି ଦେଶରେ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ଅଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ବିଂଶତମ ପଶୁଗଣନା କରିଥିବା ବେଳେ ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ୬୦ ହଜାର। ଅର୍ଥାତ୍‌ ଆମ ରାଜ୍ୟରେ ପ୍ରତି ହଜାରେ ଲୋକରେ ୪୦ ବୁଲା କୁକୁର ଅଛନ୍ତି।
ଏହାରି ଭିତରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି, ଗତ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ଲୋକଙ୍କୁ କାମୁଡିଛନ୍ତି ବୁଲା କୁକୁର। ଚଳିତବର୍ଷ ଜୁନ୍‌ ୩୦ ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ଆସିଲାଣି। ମାସକୁ ୨୦ରୁ ୩୦ ହଜାର କୁକୁର କାମୁଡା ମାମଲା ଆସୁଛି। କେବଳ ରାଜଧାନୀ ଭୁବନେଶ୍ୱରରେ ୮୫ ହଜାର ବୁଲା କୁକୁର ଅଛନ୍ତି। ବଲାଙ୍ଗୀରରେ କୁକୁର କାମୁଡାରେ ଦୁଇଟି ମୃତ୍ୟୁ ମାମଲା ଆସିଥିବାବେଳେ ଏହାର ଯାଞ୍ଚ ଚାଲିଛି।
OJ Ads

Leave a Reply

Your email address will not be published. Required fields are marked *