ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଗତ କିଛିଦିନ ଧରି ଲାଗି ଝାଡାବାନ୍ତି ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।
ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସମେତ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସମେତ ପଞ୍ଚାୟତରାଜ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡିଛି। ଏଥିସହିତ ଆସନ୍ତା ୨୪ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି। ପ୍ରକାଶ ଥାଉ କି କଣାସ ଅଞ୍ଚଳର ୪ ପରିବାର ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାକୁ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ସମର୍ଥନ କରିଥିଲେ।
ସୂଚାଇ ଦିଆଯାଇ ପାରେ ଯେ, ଗତ କିଛି ସପ୍ତାହ ଧରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବା ବେଳେ ସରକାରୀ ଭାବେ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ତେବେ ଦୟାନଦୀ ପ୍ରଦ୍ୟୁଷଣ କାରଣରୁ ଲୋକେ ଏହାକୁ ବ୍ୟବହାର କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା କୁହା ଯାଉଛି।


