ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ମନମୋହନ ସାମଲ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ ବୋଲି ଜଣାପଡ଼ିଛି।
୧୯୭୮ରେ ୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ ସାମଲ। ପରବର୍ତ୍ତୀ ସମୟରେ ୧୯୭୯ରୁ ୮୧ ମସିହା ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ ଭାବେ ଓ ୧୯୮୧-୮୨ ପର୍ଯ୍ୟନ୍‌ି ଏବିଭିପିର ରାଜ୍ୟ ଉପସଭାପତି ଦାୟିତ୍ୱ ତୁଲାଇଥିଲେ ଶ୍ରୀ ସାମିଲ। ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ୧୯୮୪ ମସିହାରେ ବିଜେପିର ବାଲେଶ୍ୱର ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇଥିବା ବେଳେ ୧୯୯୦ରୁ ୯୨ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସମ୍ପାଦକ ଭାବେ ରହିଥିଲେ ମନମୋହନ।
ସେହିଭଳି ୧୯୯୨ରୁ ୯୯ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ,ବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ। ୨୦୦୦ ମସିହାରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଧାମନଗର ବିଧାୟକ ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରହିଥିବା ବେଳେ ୨୦୨୩ରେ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ।
ଶ୍ର୍ରୀ ସାମଲ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଦୀର୍ଘ ୮ ବର୍ଷ କାମ କରିବାର ତାଙ୍କର ଅଭିଜ୍ଞତା ରହିଛି। ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିଧାନସଭା ନିର୍ବାଚନ-୨୦୦୪ରେ ସେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ମନମୋହନ ସାମଲ ୧୯୫୯ ମସିହାର ଏପ୍ରିଲ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କମ୍ଭୁପାଣି ସାମଲ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ। ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ଓଡ଼ିଆ ଅସ୍ମିତାକୁ ନେଇ ଏବେ ବିଭିନ୍ନ ରାଜନୈତିକ ଦଳ ଚର୍ଚ୍ଚା ଆଲୋଚନା କରୁଛନ୍ତି। ତେବେ ଅତୀତକୁ ଅନୁଧ୍ୟାନ କଲେ ବିଭିନ୍ନ ରାଜନୈତିକ ଦଳ କିଭଳି ଓଡ଼ିଶାରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ପଠାଇ ଓଡ଼ିଆ ଅସ୍ମିତାକୁ ବିଦାରି ଦେଇଥିଲେ ତାହା ଆସନ୍ତୁ ଜାଣିବା।
ନିଜକୁ ଆଦର୍ଶର ଦଳ କହୁଥିବା ଭାରତୀୟ ଜନତା ପାର୍ଟି ୨୦୦୪ ମସିହାରେ ଛାତ୍ରପାଳ ସିଂ ଲୋଧା ଓ ୨୦୦୮ ମସିହାରେ ବଲବିର ପୁଞ୍ଜଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା।
ପରବର୍ତ୍ତୀ ସମୟରେ ଛାତ୍ରପାଳ ସିଂ ଲୋଧା ଲଜ୍ଜାଜନକ ଭାବେ ନିଜର ସଭ୍ୟପଦ ହରାଇବା ପରେ ଲଜ୍ଜାଜନକ ଭାବେ ଓଡ଼ିଶା ଭାଜପାର ମୁଣ୍ଡ ତଳକୁ ନାଇଁ ଯାଇଥିଲା।
ପରବର୍ତ୍ତୀ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ କରି ଏହାର ଭରଣା କରାଯିବାକୁ ଚେଷ୍ଟା କରା ଯାଇଥିଲା।
କେବଳ ଭାଜପା ନୁହେଁ ୧୯୯୨ ମସିହାରେ ଜନତା ଦଳ ପକ୍ଷରୁ ଏସଆର୍ ବୋମାଇଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ୨୯୮୪ ମସିହାରେ କଂଗ୍ରେସ କେରଳର କେ ବାସୁଦେବ ପାନିକରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରେରଣ କରି ରାଜନୀତିରେ ଓଡ଼ିଶା ରାଜନୀତି ଅସ୍ମିତାରେ ଦାଗ ଲଗାଇ ଯାଇଛନ୍ତି।

ତେବେ ଏବେ କ୍ଷମତାସୀନ ବିଜେପି ସରକାର ବିଜେଡି ସହଯୋଗରେ ରାଜସ୍ଥାନର ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଯଦିବା ଏହା ପଛରେ ଓଡ଼ିଶାର ସ୍ବାର୍ଥ ନିହିତ ଥିବା ବିଜେଡି ବିଭିନ୍ନ ସମୟରେ ସଫେଇ ଦେଇଛି ତେବେ ଏହା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ କି? ବାସ୍ତବିକ୍ ଏହା ଅସ୍ମିତାକୁ ନେଇ ରାଜନୀତି କରିବାର ଅଧିକାର ଦଳଗୁଡ଼ିକଠାରୁ ଛଡ଼ାଇ ନେଇଛି ବୋଲି କୁହାଯାଇ ପାରେ। (ଅବସିଷ୍ଟାଂଶ ଆର ଥରକୁ…)

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ

 

ଦିଲ୍ଲୀ ଦଖଲ ପରେ ଏବେ ବିହାର ଉପରେ ନଜର ପକାଇଲାଣି ବିଜେପି। ଏଥିପାଇଁ ଖସଡ଼ା ପ୍ରସ୍ତୁତ ଆରମ୍ଭ କରିଛି ବିଜେପି। ଦଳୀୟ ଅଧ୍ୟକ୍ଷ ଜେ.ପି. ନଡ଼ା ବିହାର ଗ୍ରସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି
ଯଦିବା ଗତ ୨ ମାସ ହେଲାଣି ଚର୍ଚ୍ଚା ହେଉଛି କି, ନିତିଶ କୁମାର ଏନଡିଏ ମେଣ୍ଟ ଛାଡି ଇଣ୍ଡିଆ ମେଣ୍ଟରେ ଯୋଗ ଦେବେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କ କଥା ହୋଇନଥିଲେ। ଅପରପକ୍ଷେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ବରେ ସେ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ଏପରିସ୍ଥଳେ ହଠାତ୍‌ ନଡ଼ା ଆସି ନିତିଶଙ୍କ ସହ ଆଲୋଚନା କରିବା ଭିନ୍ନ କଥା ସୂଚୀତ କରୁଛି। କେବଳ ସେତିକି ନୁହେଁ ସୋମବାର ପ୍ରଧାନମନ୍ତ୍ରୀ ବିହାର ଯାଇ ସେଠାରୁ ପିଏମ୍‌ କିଷାନ ନିଧି ଯୋଜନାରେ ଟଙ୍କା ପଠାଇବା ଘଟଣା ଆଲୋଚନାକୁ ଜୋର୍‌ କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର ଫୋକସରେ ଏବେ ବିହାର ରହିଛି। ଏବେ କେତେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିହାର ଗସ୍ତରେ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅଧ୍ୟକ୍ଷ ଜେପି ନଡ଼ା ନିତିଶଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ଆଗୁଆ ନିର୍ବାଚନ ହେବା ପାଇଁ ନିତିଶ ସରକାର ପ୍ରସ୍ତୁତ ହେଉଛନ୍ତି। କାରଣ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ ହୋଇଥିବା ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ସହିତ ବଜେଟରେ ବିହାରକୁ ଫୋକସରେ ରଖିଥିଲେ କେନ୍ଦ୍ର ସରକାର। ଖାଲି ଏତିକି ନୁହେଁ ବିହାର ପାଇଁ ଅନେକ ଯୋଜନା ମଧ୍ୟ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

ଭାରତୀୟ ଜନତା ପାର୍ଟି (ବିଜେପି) ପୂର୍ବରୁ କିଛି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ରବିବାର ଅବଶିଷ୍ଟ ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ଆଗକୁ ଦଳ କେବେ ରାଜ୍ୟ ସଭାପତି ପଦରେ କାହାଠି ମୋହର ମାରୁଛି ତାହା ଦେଖିବାକୁ ବାକି ରହିଲା

ଅନୁଗୁଳ ପାଇଁ ବିଜେପି ସଭାପତି ଭାବେ ଯଯାତି କେଶରୀ ପଟ୍ଟନାୟକଙ୍କ ନାଁ ଘୋଷଣା ହୋଇଥିବା ବେଳେ ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ଦଳ ପକ୍ଷରୁ ଗଜପତି ଜିଲ୍ଲା ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ଚୟନ କରାଯାଇଛି।
ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା ନାଁରେ ଜିଲ୍ଲା ସଭାପତି ମୋହର ଲାଗିଥିବା ବେଳେ କୋରାପୁଟ ପାଇଁ ଶିବ ମୁଦୁଲି ଏଵଂ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି।
ପ୍ରକାଶ ଥାଉ କି ବିଜେପି ପୂର୍ବରୁ ଗଞ୍ଜାମରେ ସରୋଜ ସାବତ, ବାଲାଙ୍ଗୀରରେ ଶ୍ରୀବତ୍ସ ବେହେରା, ପୁରୀରେ ଦେବେନ୍ଦ୍ର ତରାଇ, ସୁନ୍ଦରଗଡ଼ରେ ଗିରିଶ ସାହୁ, ଢେଙ୍କାନାଳର‌େ ରାହାସ ବିହାରୀ ବେହେରା, କେନ୍ଦ୍ରାପଡ଼ାରେ ଶଶାଙ୍କ ଶେଖର ସେଠୀ, ବାଲେଶ୍ୱରରେ ଈଶ୍ୱର ଚନ୍ଦ୍ର ବେହେରା, କଟକ ନଗରରେ ସୁକାନ୍ତ ବିଶ୍ୱାଳ, କଳାହାଣ୍ଡିରେ ଯୁଗଳ ପୋଢ଼, ମୟୂରଭଞ୍ଜରେ ଜୁରିଲାଲ ମହନ୍ତ ଓ ଦେବଗଡ଼ରେ ଅରୁଣ କୁମାର ସାହୁଙ୍କୁ ଜିଲ୍ଲା ସଭାପତି କରିଥିଲା।

ବାରବାଟୀ ଫ୍ଲଡ ଲାଇଟ୍ ଖରାପ ଘଟଣାକୁ ନେଇ ସରକାରଙ୍କ ଉପରେ ବିଜେଡି ଘେରିବା ବେଳେ ଏକ ଅଜବ ସଫେଇ ଦେଇଛନ୍ତି ଓସିଏ ସମ୍ପାଦକ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚ୍ ଆଧାରେ ଫ୍ଲଡ ଲାଇଟ୍ ଖରାପ ଖୋଇଯିବା ପ୍ରସଙ୍ଗକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଆଦୌ ସାଧାରଣ ଘଟଣା ନୁହେଁ, ବରଂ ଓଡ଼ିଆ ଅସ୍ମିତା ପ୍ରତି ଘୋର ଆଘାତ ବୋଲି ସେ କହିଛନ୍ତି। ଗର୍ବିତ କଟକିଆଙ୍କୁ ଆଘାତ ଲାଗିଛି। ଆଗାମୀ ଦିନରେ ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ନେଇ ମଧ୍ୟ ଶ୍ରୀ ଜେନା ସନ୍ଦେହ ପ୍ରକଟ କରିଛନ୍ତି।
ଅପରପକ୍ଷେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ କହିଛନ୍ତି ଯେ, ଫ୍ଲଡ ଲାଇଟ୍ ଖରାପ ହେବା ଘଟଣା ବିଚାରକୁ ନିଆଯିବ। ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସବୁଠାରୁ ଦୁଃଖଦ ଘଟଣା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସଫେଇ। ସେ କହିଛନ୍ତି ଯେ, ବାଟରେ ବସ୍ ରହି ଯାଇଥିବାରୁ ଜେନେରେଟର ଠିକ୍ ସମୟରେ ଷ୍ଟାଡିୟମକୁ ଆସି ପାରି ନ ଥିଲା। ଯେଉଁଥିପାଇଁ ଲାଇଟ୍ ଜଳିବାରେ ବିଳମ୍ବ ହେଲା। ତେବେ ଲାଇଟ୍ ଆସିବା ପରେ ମ୍ୟାଚ୍ ଚାଲିଲା ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ସଫେଇ ଦେଇଛନ୍ତି।