ରାତି ପ୍ରାୟ ଗୋଟାଏ ବେଳକୁ ଫେରୁଥାଏ। ପାତ୍ରପଡ଼ା ଫ୍ଲାଏ ଓଭର ତଳେ ଜଣେ କିନ୍ନର ଲିଫ୍ଟ ମାଗିଲା। ଭାବିଲି ଏତେ ରାତିରେ ନେବି ନା ନାହିଁ। ସେଦିନ ତା ନିରୀହ ଓ ଅସହାୟ ମୁହଁ ମୋତେ ରହିବା ପାଇଁ ବାଧ୍ୟ କଲା। ଗାଡ଼ି ଆଗରେ ବସିଲା।
ଭାବିଲି କିଛି କଥା ହେବା। ପଚାରିଲି ତୁମେ ଏମିତି ରାତିରେ ବୁଳୁଛ କାହିଁକି।
– ଆଉ କଣ କରିବୁ ସାର୍ ?
– କାହା ଘରେ କାମ କରିପାରିବ !
– ଆମକୁ ଲୋକେ ମାଇଚିଆ ବୋଲି କୁହନ୍ତି। ଆମକୁ କିଏ କି କାମ ଦେବ !
– ଆଛା ତୁମ ଘର ଲୋକେ ?
– ଟିକେ ମନ ଶୁଖେଇ କହିଲା, ଘର ଲୋକଙ୍କ ପାଇଁ ମୁଁ ମରିଯାଇଛି।
କିଛି ସମୟ ଚୁପ୍ ରହିବା ପରେ ପଚାରିଲି, କାହିଁ ସେମାନେ କଣ ତୁମକୁ ଘରେ ପୁରାଉ ନାହାନ୍ତି।
– ନା ସେୟା ନ ହେଲେ ମଧ୍ୟ ଆଉ ଘରେ ରହି ହେବନି। ଏ ବେଶରେ ଆମକୁ କିଏ ଘରେ ରଖିବ !
– ବେଶ ବଦଳେଇ ଦେଉ ନାହିଁ।
– ନା ଯାହା ହେଲେବି ଲୋକେ ମାଇଚିଆ ବୋଲି ଡାକିବେ।
– ତୁମେ ମାଇଚିଆ ଭଳି ହେଲେ ମାଇଚିଆ ଡାକିବେନି ? ମୁଁ ପାଲଟା ପ୍ରଶ୍ନ କଲି।
– ଆମେ କ’ଣ ଜାଣିକି ମାଇଚିଆ ଭଳି ହେଉଛୁ ! ପିଲାବେଳୁ ସେଇ ଗୁଣ ପାଇଁ ମୁଁ ବହୁତ ହଇରାଣ ହେଲିଣି। ସ୍କୁଲରେ ପଢ଼ିବା ବେଳୁ ମୋତେ ମୋ ସାଙ୍ଗ ପିଲା ମାଇଚିଆ ଡାକିଲେ। ବଡ ହେଲା ପରେ ଗାଁ ଲୋକେ ମୋତେ ମାଇଚିଆ ଡାକିଲେ। ଏମିତି ହେଲା ଯେ ଘର ଲୋକେ ମୋତେ ଘରେ ପୂରେଇ ମାଡ ମାରିଲେ। ହେଲେ ମୋ ମାଇଚିଆ ଗୁଣ ଗଲାନି।
ମୁଁ କଥା ବଦଳେଇଲି।
ପଚାରିଲି, ଏବେ କୋଉଠି ରହୁଛି ?
– ଭରତପୁର ବସ୍ତିରେ। ଅନ୍ୟ କିନ୍ନରଙ୍କ ସହ
– ଘର କଥା, ଗାଁ କଥା… ମନେ ପଡୁନି ?
– ହିଁ ମନେ ପଡ଼େ। ପଡିଲେ କ’ଣ ହେବ…?
ତପୋବନ ଛକ ହୋଇଗଲା। ଏଇଠି ଓହ୍ଲେଇ ଦିଅ। ମୁଁ ପଳେଇବି।
– ଏଠୁ କେମିତି ଯିବ ?
– କିଏ ଦେଖା ହେବ। ନ ହେଲେ ଚାଲିକି ପଳେଇବି।
– ମୁଁ ଛାଡ଼ିଦେବି କି ?
– ନା ସାର୍। ଆପଣ ଭଲ ଲୋକ ବୋଲି ମୋତେ ଭଲରେ ଆଣିଲେ। ଅନ୍ୟମାନେ ବହୁତ୍ ହଇରାଣ କରନ୍ତି।
– ମୁଁ ତୁମକୁ ଏତେ କଥା ପଚାରିଲି କିଛି ଖରାପ ଭାବିଲ କି ?
– ନା (ଟିକେ ହସିଦେଇ) ବରଂ ଭଲ ଲାଗିଲା। ମନ ହାଲୁକା ହୋଇଗଲା। ମୁଁ ଆସୁଛି ସାର୍।ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ଦଣ୍ଡ କୋହଳ କଲେ ଅଦାଲତ



