ପୂର୍ବରୁ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳୁଥିବା ଚେଲିପୋଗନ ଆର୍କ୍ଟିର୍ସେପ୍ସ ନାମକ ଉଡ଼ନ୍ତା ମାଛକୁ ଭାରତ ଉପକୂଳବର୍ତ୍ତୀ ସମୁଦ୍ରରେ ଚିହ୍ନଟ କରିଛନ୍ତି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ।
ଏହି ପ୍ରଜାତିର ମାଛଟି ୨୦୨୧ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ଏହାର ଡେଣାଗୁଡ଼ିକ ଲମ୍ୱା ଏବଂ ଓସାର ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ରୁ ୧୫ମିଟର ପର୍ଯ୍ୟନ୍ତ ଲମ୍ୱରେ ଉଡ଼ି ପାରୁଛନ୍ତି। ଏହାର ପିଠି ଭାଗ ରଙ୍ଗ ଈଷତ ନୀଳ ହୋଇଥିବା ବେଳେ ପେଟ ଭାଗଟି ରୁପା ଭଳି ଧଳା। ୧୫ ରୁ ୧୭ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ମାଛର ଡେଣାରେ କିଛି କଳା ଦାଗ ରହିଥାଏ।
ବିଶେଷଜ୍ଞଙ୍କ କହିବାନୁଯାୟୀ ପୂର୍ବରୁ ଏହି ମାଛ ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମା, ଜାପାନ, ଥାଇଲାଣ୍ଡରେ ଦେଖିବାକୁ ମିଳିଥିଲା। ଏହି ମାଛ ମଧୁର ଜଳରେ ହିଁ ବଂଶ ବିସ୍ତାର କରି ପାରନ୍ତି, ଯାହା ବିଷାକ୍ତ ନୁହନ୍ତି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ସମୁଦାୟ ଏହି ଭଳି ୮୦ଟି ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ ହୋଇଥିବା ବେଳେ ୨୪ଟି ପ୍ରଜାତିର ମାଛ ଭାରତ ଉପକୂଳରେ ଦେଖା ଯାଇଥାନ୍ତି। ଏହି ମାଛଟିକୁ ଗୋପାଳପୁର ଜେଡ୍ଏସଆଇର ବୈଜ୍ଞାନିକମାନେ ଏହି ମାଛର ପରୀକ୍ଷା ନିରୀକ୍ଷା କରି ସମ୍ପୂର୍ଣ୍ଣ ତଥ୍ୟକୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା ‘ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ’କୁ ପ୍ରଦାନ କରିଥିଲେ। ଏହି ମାଛଟି ପ୍ରଥମ ଥର ଏହି ପ୍ରଜାତିର ମାଛ ଭାରତ ଉପକୂଳରୁ ମିଳି ଥିବାରୁ ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”ରେ ପ୍ରକାଶ ପାଇଥିବା ଏବଂ ଏହି ମାଛକୁ ସଂରକ୍ଷଣ କରାଯାଇ ଅଧିକରୁ ଅଧିକ ଗବେଷଣା କରାଯିବ ବୋଲି ଗୋପାଳପୁର ଜେଡଏସଆଇର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।


