ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହା କୁମ୍ଭରେ ପୁଣି ଅଘଟଣ। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି।

ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି। କିଭଳି ନିଆଁ ଲାଗିଲା ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରୋଷେଇରୁ ଏହି ଅଗ୍ନିକାଣ୍ଡ ଘଟିଥାଏ ବୋଲି ଅନୁମାନ କରାଯାଉଛି। ପ୍ରକାଶ ଥାଉ କି ମେଳା ଆରମ୍ଭରୁ ବାରମ୍ବାର ବିଭିନ୍ନ ଷ୍ଟଲରେ ନିଆଁ ଲାଗିଛି। ତୃତୀୟ ଥର ପାଇଁ ଏଭଳି ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ସେହିଭଳି ଗତ ମୌନୀ ଅମାବାସ୍ୟା ସ୍ନାନ ପାଇଁ ଭିଡ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ଦୀର୍ଘ ୫ ବର୍ଷ ପରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ ୬.୫ ପ୍ରତିଶତ ଥିବା ବେଳେ ୦.୨୫ ହ୍ରାସ ପାଇ ଏବେ ୬.୨୫ ପ୍ରତିଶତରେ ପହଞ୍ଚିଛି। ଶୁକ୍ରବାର ଅନୁଷ୍ଠିତ ଏମପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲାହୋତ୍ରା। ଏହାଦ୍ବାରା ବ୍ୟାଙ୍କଗୁଡିକୁ ଇଏମଆଇ ହ୍ରାସ କରିପାରେ।
ପ୍ରକାଶ ଥାଉ କି ଶେଷ ଥର ପାଇଁ ୨୦୨୦ ମେ ମାସରେ କୋଭିଡ୍ ମହାମାରୀ ସମୟରେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ହ୍ରାସ କରାଯାଇଥିଲା। ପୂର୍ବରୁ ଥିବା ରେପୋ ରେଟ ୪.୪୦ ରୁ ହ୍ରାସ କରାଯାଇ ୪ ପ୍ରତିଶତ କରାଯାଇଥିଲା।
ଅର୍ଥନୀତିଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ ବଜାରର ମାନ୍ଦାବସ୍ଥା ସୁଧାରିବା ପାଇଁ ତଥା ମନ୍ଥର ପଡ଼ିଥିବା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସୁଧ ହାର ହ୍ରାସ ପଦକ୍ଷେପ ନିଆଯାଇ ଥାଇ ପାରେ। କିନ୍ତୁ ଡ଼ଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଏବେ ଚିନ୍ତାଜନକ ହୋଇ ପଡ଼ିଛି। ଯଦି କିଛି ବୈଶ୍ଵିକ କାରଣ ଯୋଗୁଁ ଆମରିକୀୟ ଡ଼ଲାର ତୁଳନାରେ ତାଙ୍କର ମୂଲ୍ୟ ହ୍ରାସ ଜାରି ରହେ ତେବେ ଏ ଅବସ୍ଥା ଏପ୍ରିଲ ଯାଏଁ ରହିପାରେ।

ଆମେରିକାରେ ବସବାସ କରୁଥିବା ୧୦୪ ଜଣ ଭାରତୀୟ ପ୍ରବାସୀଙ୍କୁ ବିଦା କରିଥିବା ନେଇ ରାଜ୍ୟସଭାରେ ଆଲୋଚନା ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଗତ ୧୫ ବର୍ଷ ମଧ୍ୟରେ ଆମେରିକା ୧୫, ହଜାର ୭୫୬ ଭାରତୀୟଙ୍କୁ ବିଦା କରିଛି। ମିଳିଥିବା ରିପୋର୍ଟ୍ ଅନୁଯାୟୀ ୨୦୦୯ ମସିହାରୁ ଏପର୍ଯ୍ୟନ୍ତ ଆମେରିକାରୁ ମୋଟ ଏହି ଅବୈଧ ଭାରତୀୟ ପ୍ରବାସୀଙ୍କୁ ନିର୍ବାସନ କରାଯାଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେରିକା ଦ୍ୱାରା ନିର୍ବାସନ ପ୍ରକ୍ରିୟା ନୂଆ ନୁହେଁ। ଏହା ବର୍ଷ ବର୍ଷ ଧରି ଚାଲିଆସିଛି। ଟେବେ ନିର୍ବାସନକାରୀଙ୍କ ସହ ଦୁର୍ବ୍ୟବହାର ନ ହେବା ନିଶ୍ଚିତ କରିବା ପାଇଁ ଆମେ ଆମେରିକା ସହିତ ଯୋଗାଯୋଗ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ଜୟଶଙ୍କରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁସାରେ, ୨୦୧୯ରେ ଆମେରିକା ଦ୍ୱାରା ସର୍ବାଧିକ ସଂଖ୍ୟକ ଭାରତୀୟଙ୍କୁ ନିର୍ବାସିତ କରାଯାଇଥିଲା। ଏହି ବର୍ଷ ୨,୦୪୨ ଜଣ ଭାରତୀୟଙ୍କୁ ବିଦା କରା ଯାଇଥିଲା। ସେହିଭଳି ୨୦୨୦ରେ ୧,୮୮୯ ଭାରତୀୟଙ୍କୁ ନିର୍ବାସିତ କରାଯାଇଥିଲା, ଯେଉଁ ବର୍ଷ କୋଭିଡ-୧୯ ମହାମାରୀ ବିଶ୍ୱରେ ଆସିଥିଲା।
ସେହିଭଳି ୨୦୦୯ରେ ୭୩୪ ଜଣ, ୨୦୧୦ରେ ୭୯୯ ଜଣ, ୨୦୧୧ରେ ୫୯୭ ଜଣ, ୨୦୧୨ରେ ୫୩୦ ଜଣ, ୨୦୧୩ରେ ୫୧୫ ଜଣ, ୨୦୧୪ରେ ୫୯୧ ଜଣ, ୨୦୧୫ରେ ୭୦୮ ଜଣ, ୨୦୧୬ରେ ୧,୩୦୩ ଜଣ, ୨୦୧୭ରେ ୧,୦୨୪ ଜଣ, ୨୦୧୮ରେ ୧,୧୮୦ ଜଣ, ୨୦୧୯ରେ ୨,୦୪୨ ଜଣ, ୨୦୨୦ରେ ୧,୮୮୯ ଜଣ, ୨୦୨୧ରେ ୮୦୫ ଜଣ, ୨୦୨୨ରେ ୮୬୨ ଜଣ, ୨୦୨୩ରେ ୬୧୭ ଜଣ, ୨୦୨୪ରେ ୧,୩୬୮ ଜଣ ଓ ୨୦୨୫ ଫେବୃଆରୀ ୫ ପର୍ଯ୍ୟନ୍ତ ସୁଦ୍ଧା ୧୦୪ ଜଣ ଭାରତୀୟଙ୍କୁ ନିର୍ବାସିତ କରିଛି ଆମେରିକା।

ଦିନେ ଟଲଷ୍ଟୟଙ୍କୁ ତାଙ୍କର ଜଣେ ଜିଜ୍ଞାସୁ ଛାତ୍ର ପଚାରିଲେ ଗୁରୁଜୀ ! ବାସ୍ତବରେ ଏ ଜୀବନ କ’ଣ ? ଏ ସଂସାର କ’ଣ ? ଏ ଜୀବନ ଆଉ ସଂସାରରେ ମଣିଷମାନଙ୍କର ସ୍ଥିତି କିପରି ? ମୁଁ ଏହାର ରହସ୍ୟ କିଛି ବୁଝିପାରୁନାହିଁ। ଟଲଷ୍ଟୟ ସେତେବେଳେ ତାଙ୍କ ଶସ୍ୟକ୍ଷେତରେ ବୁଲୁଥିଲେ। ବୁଲୁବୁଲି ସେ ଶିଷ୍ୟକୁ ଗପଟିଏ କହିବାରେ ଲାଗିଲେ।

ଥରେ ଜଣେ ଯାତ୍ରୀ ଜଙ୍ଗଲ ରାସ୍ତାଦେଇ ଯାତ୍ରା କରୁଥିଲା । ହଠାତ କଳା ମଚମଚ ଦନ୍ତାହାତୀ ଗର୍ଜନ କରି ତା’ ଆଡ଼କୁ ମାଡ଼ି ଆସିଲା। ଲୋକଟି ଡରିଗଲା ଆଉ କିଛି ଉପାୟ ନ ପାଇ ପାଖରେ ଥିବା ଏକ ଭଙ୍ଗା କୁଅ ଭିତରକୁ ଡେଇଁ ପଡ଼ିଲା। ଆଉ କୂଅ ଭିତରେ ବଢ଼ିଥିବା ଗୋଟେ ଗଛକୁ ଧରି ଝୁଲି ରହିଲା। କିଛି ସମୟ ପରେ ଦେଖିଲା ସେହି କୂଅ ଭିତରେ ରହିଛି ଗୋଟେ ଭୟଙ୍କର କୁମ୍ଭୀର । ତାକୁ ଲାଗିଲା, ସେଇଟା କୁମ୍ଭୀର ନୁହେଁ; ସାକ୍ଷାତ ତା’ର ମୃତ୍ୟୁ। ସେତିକିବେଳେ ଲୋକଟି ଦେଖିଲା, ଗଛର ଫଳ ସବୁ ପାଚି ଖୁବ୍ ସୁନ୍ଦର ବାସୁଛି। ଏହା ଦେଖି ଲୋକଟି ତା’ର ଲୋଭ ସମ୍ଭାଳି ପାରିଲାନି। ଗୋଟିଏ ପରେ ଗୋଟିଏ ସୁସ୍ୱାଦୁ ଫଳ ଆଣି ଖାଇବାରେ ଲାଗିଲା।
ଏତିକି କହି ଟଲଷ୍ଟୟ କହିଲେ, ଏ ସଂସାର ଆଉ ଆମ ଜୀବନ ଠିକ୍ ଏଇପରି। ହାତୀ ପରି କାଳ ଆମକୁ ଗୋଡ଼େଇ ଚାଲିଛି । ମଗର ପରି ମୃତ୍ୟୁ ଆମକୁ ଜଗି ରହିଛି। ତଥାପି ଆମେ ଆମର ଜୀବନକୁ ଗଛର ସୁଆଦିଆ ଫଳ କରି ଉପଭୋଗ କରିଚାଲିଛେ।

-ରାଜେନ୍ଦ୍ର

ଶୀତ ଯିବା ପରଠାରୁ କୁହୁଡ଼ିର ଭୟ କିନ୍ତୁ ଛାଡ଼ିନି। ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆଉ ତିନିଦିନ ପାଇଁ ଘନ କୁହୁଡ଼ି ନେଇ ସତର୍କ କରିଛି ପାଣିପାଗ ବିଭାଗ।
ଆସନ୍ତା କାଲି ପାଇଁ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଆଜି ଜିଲ୍ଲାରେ ରବିବାର ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ନେଇ ସତର୍କ କରିଛି ଭୁବନେଶ୍ୱର ପାଣିପାଗ ସୂଚନା କେନ୍ଦ୍ର। ଏହି ସମୟ ଭିତରେ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଘଟିବା ସହ କୁହୁଡ଼ି ଅନୁଭୂତ ହେବ। ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ୮ ତାରିଖରେ ରାଜ୍ୟରେ ୮ ଜିଲ୍ଲାକୁ ଘନ କୁହୁଡ଼ି ସତର୍କକତା ଜାରି କରାଯାଇଥିବା ବେଳେ ୯ ତାରିଖରେ ୬ ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନା ଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି।
ବୁଧବାର ମିଳିଥିବା ରିପୋର୍ଟ ମୁତାବକ ଭୁବନେଶ୍ୱରରେ ୨୪ କ୍ୟାରେଟର ୧୦ ଗ୍ରାମ୍‌ ସୁନା ପିଛା ଦାମ୍‌ ୮୬ ହଜାର ୨୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ରହିଛି ୭୯,୦୫୦ ଟଙ୍କା। ଗତ ୧୦ ଦିନର ଦରକୁ ଦେଖିଲେ ୨୨ କ୍ୟାରେଟ୍‌ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ପ୍ରକାଶ ଥାଉ କି ଜାନୁଆରି ୨୭ ତାରିଖରେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୭୫ ହଜାର ୪ ଶହ ଟଙ୍କା ରହିଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍‌ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୁବନେଶ୍ୱରରେ ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି। ଗତ ୧୦ ଦିନରେ ରୁପା ଦାମ୍‌ ୩ ହଜାର ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ। ଗୁରୁବାର ଘଟିଥିବା ଦୁର୍ଘଟଣାରେରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଦ୍ୱି-ସିଟ୍‌ ଯୁକ୍ତ ଲଢୁଆ ବିମାନଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁଯାୟୀ ମିରାଜ ୨୦୦୦ ଲଢୁଆ ବିମାନଟି ମଧ୍ୟପ୍ରଦେଶର ଶିବପୁରୀର କରିରା ତହସିଲ ଅନ୍ତର୍ଗତ ସୁନାରୀ ଥାନା ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ କରୁଥିଲା। ପ୍ରାୟ ସାଢେ଼ ୨ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପଡ଼ିଥିବା ବିମାନରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳକୁ ଯାଇଥିଲେ। ଜିଲ୍ଲା ପ୍ରଶାସନ ସମେତ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ଆହତ ପାଇଲଟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍‌ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଆହତ ପାଇଲଟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକାଂଶ ଭାରତୀୟ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ବିଦେଶ ମୁହାଁ ହୋଇଛନ୍ତି। ପରବର୍ତ୍ତୀ ସମୟରେ ବିଦେଶ ମୋହରେ ପଡ଼ି ସେଠାରୁ ଫେରି ପାରୁନାହାନ୍ତି ଏଵଂ ନିର୍ଯାତିତ ହେଉଛନ୍ତି। ଏପରିସ୍ଥଳେ ଭାରତରେ ଯଦି ସେହି ମାନର ଶିକ୍ଷା ଓ ନିଯୁକ୍ତି ଦିଆଯାଇ ପାରିବ ତେବେ ଆଉ ବିଦେଶ ଯିବାକୁ ପଡ଼ିବନି।

ନିକଟରେ ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ବିଦା କରିବା ଆରମ୍ଭ କରିଛି ଆମେରିକା ସରକାର। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୮ ହଜାରରୁ ଅଧିକ ଭାରତୀୟଙ୍କୁ ବିଦା କରିବା ପାଇଁ ଆମେରିକା ସରକାର ଯୋଜନା କରିଥିବା ବେଳେ ନିକଟରେ ୧୦୪ ଜଣଙ୍କୁ ଭାରତ ପଠାଇ ଦେଇଛି। ସବୁଠାରୁ ପରିତାପର ବିଷୟ ହେଉଛି, ଆମେରିକାକୁ ସର୍ବଦା ସମ୍ମାନ ଦେଇ ଆସୁଥିବା ଭାରତୀୟଙ୍କୁ ଯେଉଁଭଳି ଭାବେ ବିଦା କରାଯାଇଛି ତାହା ଜାଣିଲେ ଅନେକ ଭାରତୀୟ ଲଜ୍ଜା ଅନୁଭବ କରିବେ। ବିମାନରେ ଅମୃତସରରେ ପହଞ୍ଚିଥିବା ଭାରତୀୟମାନେ କହିଛନ୍ତି ଯେ, ସାମରିକ ବିମାନରେ ସେମାନଙ୍କ ହାତ ଗୋଡ ବାନ୍ଧି ପଠା ଯାଇଛି। ପ୍ରଧାନମନ୍ତ୍ରୀ ମିତ୍ର ରାଷ୍ଟ୍ର ବୋଲି ସମ୍ବୋଧନ କରୁଥିବା ଆମେରିକାର ଏହି ବର୍ବରତା ଆଗକୁ ବଢ଼ିବ ନା କମିବ ତାହା ପର କଥା। ଅନ୍ତତଃପକ୍ଷେ ସମ୍ମାନର ସହ ପ୍ରତିଟି ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଆଣିବା ଉଚିତ୍ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଭାରତର ବହୁ ହିନ୍ଦୁ ସଙ୍ଗଠନ ଗୋମାତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିବାଦ କରି ଆସୁଛନ୍ତି। ବିଶେଷକରି ଗୋମାତାଙ୍କୁ ଗାଡ଼ିରେ ବାନ୍ଧି ନେଉଥିବା ଘଟଣାକୁ ବିରୋଧ କରି ଆସୁଛନ୍ତି। କିନ୍ତୁ ହିନ୍ଦୁତ୍ୱର ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଆମେରିକାର ଏଭଳି ବର୍ବରତାର କି ଜବାବ ଦେଉଛି ତାହା ଦେଖିବାର କଥା।

ଶେଷ କଥାକୁ ଯିବା। ଯେଉଁମାନେ ଭାରତରୁ ପଡୋଶୀ ଲୋକଙ୍କୁ ବିଦା କରିବା ପାଇଁ ସ୍ଲୋଗାନ ଦେଉଛନ୍ତି ବା ଭିତିରି ସ୍ରୋତ ସୃଷ୍ଟି କରୁଛନ୍ତି ତାହା ଯେତିକି ସ୍ବାଗତଯୋଗ୍ୟ ବିଦେଶରେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବା ସେତିକି ଆହ୍ବାନପୂର୍ଣ୍ଣ।

ସେହିଭଳି ଭାରତୀୟ ଯୁବଗୋଷ୍ଠୀ କିଭଳି ବିଦେଶ ନ ଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଥିପାଇଁ କେବଳ, ହିନ୍ଦୀ, ହିନ୍ଦୁ, ହିନ୍ଦୁସ୍ଥାନର ନାରା ଦେଲେ ଚଳିବ ନାହିଁ, ବରଂ ଯେଉଁଥିପାଇଁ ଆମେରିକା, ଇଂଲଣ୍ଡ, ଋଷିଆ ଭଳି ଦେଶକୁ ଭାରତୀୟମାନେ ଯାଉଛନ୍ତି ସରକାର ତାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ବିଶେଷକରି ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ଵ ଦେଲେ ଏ ଦିଗରେ ସୁଧାର ଆସି ପାରିବ ବୋଲି ମନେ ହେଉଛି।

ହାତ ଗୋଡ଼ ବାନ୍ଧି ଆମେରିକା ସରକାର ବିଦା କରିବା ପରେ ତୁଟିଗଲା ବିଦେଶ ଯିବାର ମୋହ। ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କୁ ଅତି ବର୍ବରତାର ସହ ବିଦା କରିଛି ଆମେରିକା।

ବେଆଇନ ଭାବେ ଆମେରିକାରେ ରହି ଆସୁଥିବା ୨୦୪ ଜଣ ଭାରତୀୟଙ୍କ ହାତ, ଗୋଡ ବାନ୍ଧି ସାମରିକ ବିମାନ ସି ୧୭ ରେ ପଞ୍ଜାବର ଅମୃତସରରେ ଛାଡ଼ିଛି ଆମେରିକା। ଏହି ଅଭିଯୋଗ କରିଛନ୍ତି ଆମେରିକାରୁ ଫେରିଥିବା ଭାରତୀୟ। ଫେରି ଆସିଥିବା ଭାରତୀୟଙ୍କ ହାତରେ ହ୍ୟାଣ୍ଡ୍‌ପକ୍‌ ଓ ଗୋଡ଼ରେ ଚେନ ପକା ଯାଇଥିଲା ବୋଲି ନିର୍ବାସିତ ଭାରତୀୟମାନେ ଅଭିଯୋଗ ଆଣିଛନ୍ତି। ଗତକାଲି ଫେରିଥିବା ଜଣେ ଭାରତୀୟ କହିଛନ୍ତି ଯେ, ଅମୃତସରରେ ଅବତରଣ କରିବା ପରେ ହିଁ ତାଙ୍କର ହାତ ଓ ଗୋଡ଼ ଖୋଲ ଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଫେରିଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ୨୫ ଜଣ ମହିଳା ଓ ୧୯ ଜଣ ନାବାଳକ ରହିଛନ୍ତି। ଫେରିଥିବା ଭାରତୀୟଙ୍କ ମଧ୍ୟରେ ହରିଆଣା, ପଞ୍ଜାବ ଓ ଗୁଜରାଟରୁ ୩୦ ଜଣ ଲେଖାଏଁ ରହିଥିବା ବେଳେ ମହାରାଷ୍ଟ୍ରରୁ ୩ ଜଣ, ଉତ୍ତର ପ୍ରଦେଶ ଓ ଛତିଶଗଡରୁ ୨ ଜଣ ରହିଛନ୍ତି।

ପ୍ରକାଶ ଥାଉ କି ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ। ଦ୍ଵିତୀୟ ଥର ପାଇଁ ଡୋନାଲ୍ଡ ତ୍ରମ୍ପ ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛନ୍ତି। ତେବେ ଫେରି ଆସିଥିବା ଭାରତୀୟଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ, ସେମାନେ ଅସ୍ଥାୟୀ ଭିସା ବା ଟୁରିଷ୍ଟ ଭିସାରେ ଆମେରିକା ଯାଇଥିଲେ। କିନ୍ତୁ ଫେରିବାକୁ ଚାହିଁଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଫେରିପାରୁ ନ ଥିଲେ।

କାହା ସହ ବୌଦ୍ଧିକ ସ୍ତରରେ ବିତର୍କ କରିବା ଆଗରୁ ମନରୁ ଅହଙ୍କାର ଦୂର କରି ନିଜର ବୁଦ୍ଧିକୁ ମାପିବା ଆବଶ୍ୟକ। ନଚେତ୍ ନିଜେ ନିଜ ନିକଟରେ ପରାସ୍ତ ହେବା ସୁନିଶ୍ଚିତ।

ବିଶ୍ୱ ସାହିତ୍ୟରେ ଯେଉଁମାନେ ରୁଚି ରଖନ୍ତି ସେମାନେ ରୁଡ୍ୟାର୍ଡ କିପଲିଙ୍ଗଙ୍କ ନାଁ ନିଶ୍ଚୟ ଶୁଣିଥିବେ । ଇଂରାଜୀ ଭାଷାର ପ୍ରଥମ ଲେଖକ ଭାବରେ ସେ ୧୯୦୭ ମସିହାରେ ନୋବେଲ ପୁରସ୍କାର ହାସଲ କରିଥିଲେ । କିପଲିଙ୍ଗଙ୍କର ଅନେକ ଶତ୍ରୁ ଥିଲେ । ସେମାନେ ତାଙ୍କ ବିଷୟରେ ନାନାଦି ଅପପ୍ରଚାର କରୁଥିଲେ । କିପଲିଙ୍ଗ କୁଆଡ଼େ ଜଣେ ଅର୍ଥଲୋଭୀ । ସେ ଅର୍ଥ ନ ପାଇଲେ ଶବ୍ଦଟିଏ ବି ଲେଖିବେ ନାହିଁ । ଏଭଳି ଅପପ୍ରଚାର କରି ତାଙ୍କୁ ଚାରିଆଡ଼େ ଅପଦସ୍ତ କରାଯାଉଥିଲା । ଥରେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଏଭଳି ବିରକ୍ତ କରିଦେଲେ ଯେ, କିପଲିଙ୍ଗ ରାଗିଗଲେ ଆଉ କହିଦେଲେ: ହଁ, ମୋର ଗୋଟିଏ ଶବ୍ଦର ମୂଲ୍ୟ ଶହେ ଡଲାର । ମୋ ଶବ୍ଦ ମୁଁ ବିକିବି । ମୋତେ କହିବାକୁ ତୁମେମାନେ କିଏ? ସାମ୍ବାଦିକ ଜଣକ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ଏକଶହ ଡଲାରର ନୋଟ୍ଟିଏ ବାହାରକରି କିପଲିଙ୍ଗଙ୍କୁ ଧରାଇଦେଲେ ଆଉ କହିଲେ: ମହାଶୟ! ମୁଁ ଆପଣଙ୍କଠୁ ଗୋଟିଏ ଏକଶହ ଡଲାରର ଶବ୍ଦ କିଣିବାକୁ ଚାହୁଁଛି । କିପଲିଙ୍ଗ ନୋଟକୁ ନେଇ ପକେଟରେ ରଖିଦେଲେ । ଆଉ କହିଲେ: ଧନ୍ୟବାଦ!

ସାମ୍ବାଦିକ କହିଲେ: ମୁଁ ଧନ୍ୟବାଦ ଚାହୁଁନି, ଚାହୁଁଛି ଏକଶହ ଡଲାରର ଗୋଟିଏ ଶବ୍ଦ । କିପଲିଙ୍ଗ ହସିଦେଇ କହିଲେ: ମୁଁ ବି ତୁମକୁ ଧନ୍ୟବାଦ ଦେଉନି । ତୁମେ ମୋତେ ଯେଉଁ ଏକଶହ ଡଲାର ଦେଲ ତା’ ପ୍ରତିବଦଳରେ ମୁଁ ତୁମକୁ ‘ଧନ୍ୟବାଦ’ ଶବ୍ଦଟିକୁ ବିକ୍ରି କରିଦେଉଛି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଲୋକମାନେ ତାଳିମାରି ହସିଉଠିଥିଲେ । ସାମ୍ବାଦିକଙ୍କର ମୁହଁଟି ମଉଳି ପଡ଼ିଥିଲା ।

-ରାଜେନ୍ଦ୍ର