ଏବେ ବିପଦ ପାଲଟିଛି ବିଜୁଳି ଘଡ଼ଘଡ଼ି। ଗୋଟିଏ ଦିନରେ ବିହାର ଓ ଉତ୍ତର ପ୍ରଦେଶ ଦୁଇଟି ରାଜ୍ୟରେ ବିଜୁଳି ମାରି ୮୧ ଜଣଙ୍କ ପ୍ରାଣ ଯାଇଛି।
ବିହାରରେ ପ୍ରବଳ ଝଡ ବର୍ଷା ଓ ବିଜୁଳି ମାରିବା ଯୋଗୁଁ ଦିନକରେ ୫୮ ଜଣଙ୍କ ମୃତ୍ୟୁ ହୋଇଛି। ବିଜୁଳି ମାରିବା ଯୋଗୁ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଗଛ ପଡିବା ଓ କାନ୍ଥ ଭୁଶୁଡିବା ଭଳି ଦୁର୍ଘଟଣାରେ ଆଉ ୩୫ ଜଣ ଜୀବନ ହରାଇଛନ୍ତି।
ପ୍ରବଳ ବର୍ଷା ଓ ବିଜୁଳି ମାଡ଼ ଯୋଗୁ ନାଳନ୍ଦାରେ ୨୨ ଜଣ ଲୋକ ଜୀବନ ହରାଇଛନ୍ତି। ଏହାବାଦ ଭୋଜପୁରରେ ୫ ଜଣ, ଗୟାରେ ୩ ଜଣ, ଗୋପାଲଗଞ୍ଜ, ଜେହାନାବାଦ, ପାଟନା, ଅରୱଲ ଓ ମୁଜାଫରପୁରରେ ମଧ୍ୟ ଜଣେ ଲେଖାଏ ଲୋକଙ୍କ ଜୀବନ ପ୍ରବଳ ଝଡ ତୋଫାନ ଯୋଗୁ ହୋଇଛି। କେବଳ ବିଜୁଳି ମାରିବା ଯୋଗୁଁ ସିୱାନରେ ୪ ଜଣ, ଜାମୁଇରେ ୩ ଜଣ, ସହାର୍ସା, ଅରାରିଆ ଓ ସାରନରେ ୨ ଜଣଙ୍କ ଜୀବନ ଯାଇଛି।
ପାଟନା, ଜେହାନାବାଦ, ଭୋଜପୁର, ଦରଭଙ୍ଗା, ଅରୱାଲ, ଗୋପାଲଗଞ୍ଜ, ମୁଜାଫରପୁର, ମୁଙ୍ଗେର, କତିହାର ଓ ଭାଗଲପୁରରେ ମଧ୍ୟ ବିଜୁଳି ଜଣେ ଲେଖାଏ ଲୋକଙ୍କ ଜୀବନ ନେଇଛି। ଦିନକ ପୂର୍ବରୁ ବିହାରର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ ୨୫ ଜଣଙ୍କ ଜୀବନ ଯାଇଥିଲା।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜୁଳି ପାଇଁ ଜାରି କରୁଥିବା ସତର୍କ ସୂଚନାକୁ ସମସ୍ତେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ହେଲା ବିହାରର ବିଭିନ୍ନ ଜିଲ୍ଲାରେ ଝଡ ବର୍ଷା ହେଉଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି।
ସେହିଭଳି ବର୍ଷା ଜନିତ ଅଘଟଣ ଯୋଗୁଁ ଉତ୍ତର ପ୍ରଦେଶର ୧୫ଟି ଜିଲ୍ଲାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଫତେପୁର ଓ ଆଜମଗଡରେ ୩ ଜଣ ଲେଖାଏ ଜୀବନ ହରାଇଥିବା ବେଳେ ଫିରୋଜାବାଦ, କାନପୁର ଦେହାତ ଓ ସୀତାପୁରରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି।
ଗାଜିପୁର, ଗୋଣ୍ଡା, ଆମେଠି, ସନ୍ଥ କବିର ନଗର, ସିଦ୍ଧାର୍ଥ ନଗର, ବଲ୍ଲିଆ, କନୌଜ, ବାରବାଙ୍କୀ, ଜୌନପୁର ଓ ଉନ୍ନାଓରେ ଜଣେ ଲେଖାଏ ବର୍ଷା ଜନିତ ଅଘଟଣରେ ଜୀବନ ହରାଇଛନ୍ତି। ଝାରଖଣ୍ଡରେ ଘନଘନ ବିଜୁଳି ମାରିବାରୁ ୪ ଜଣ ଆହତ ହୋଇଛନ୍ତି।


