ଜୀବନରେ କେବେକେବେ ଏପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ଆସେ ଯେତେବେଳେ ଲାଗେ ଜୀବନ ସେଇଠୁ ସରିଗଲା । ଆଗକୁ ଆଉ ରାସ୍ତା ନାହିଁ । ହେଲେ ଯିଏ ସେଇଠି ଅଟକି ନ ଯାଇ ପୁଣିଥରେ ନିଜର ରାସ୍ତା ତିଆରିକରେ ସେହି ବିଜୟସ୍ଥଳ ନିକଟକୁ ଯାଇପାରେ।

ସାର ଆଇଜାକ୍ ନ୍ୟୁଟନ ସେତେବେଳେ ‘କର୍ପସ୍କୁ୍ୟଲାର ଥିଓରୀ ଅଫ୍ ଲାଇଟ୍’କୁ ଥେସିସ୍ ପ୍ରସ୍ତୁତ କରୁଥାନ୍ତି। ଥେସିସ୍ ଲେଖିବା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଥାଏ । ଟେବୁଲ ଉପରେ ଥେସିସର କାଗଜ ସବୁ ରହିଥାଏ। ପାଖରେ ଲ୍ୟାମ୍ପଟିଏ ମଧ୍ୟ ଥାଏ। ଘର ଭିତରେ ଶୋଇଥାଏ ତାଙ୍କର ପିୟ କୁକୁର ଡାଏମଣ୍ଡ। ନ୍ୟୁଟନ୍ ସାମୟିକ ବିରତି ନେଇ ବାହାରକୁ ବୁଲିବା ଲାଗି ଚାଲିଗଲେ। ଏତିକି ବେଳେ କୁକୁର ଡାଏମଣ୍ଡ କୁଦାମାରି ଟେବୁଲ ଉପରକୁ ଚଢ଼ିଗଲା। ଡାଏମଣ୍ଡର ଗୋଡ଼ ବାଜି ଲାମ୍ପଟି ଗଡ଼ିପଡ଼ିଲା ଆଉ ନ୍ୟୁଟନ ରଖିଥିବା କାଗଜପତ୍ରରେ ନିଆଁ ଲାଗି ଯାଇଥିଲା। ନ୍ୟୁଟନ ଫେରିବା ବେଳକୁ ସବୁକିଛି ଜଳି ପାଉଁଶ ହୋଇସାରିଲାଣି। ନ୍ୟୁଟନଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା। ସେ ଭାବିଲେ, ଏଇକ୍ଷଣୀ ଡାଏମଣ୍ଡକୁ ଗୁଳି କରି ମାରିଦେବେ। ପରମୁହୂର୍ତ୍ତରେ ସେ ନିଜକୁ ଶାନ୍ତକଲେ ଆଉ ଡାଏମଣ୍ଡକୁ ପାଖକୁ ଡାକି କହିଲେ, ତୁ କ’ଣ ଜାଣିଛୁ ତୁ ମୋର କେତେବଡ଼ କ୍ଷତି କରିଛୁ ? ହେଲେ ମୁଁ ଏଇଠି ଅଟକିବିନି। ଆଗକୁ ଯିବି। କହିବା ବାହୁଲ୍ୟ, ନ୍ୟୁଟନ ପୁଣିଥରେ ଥେସିସ୍ ପ୍ରସ୍ତୁତ କଲେ ଆଉ ତାହା ହିଁ ତାଙ୍କୁ ବିଶ୍ୱରେ ପ୍ରସିଦ୍ଧି ଆଣିଦେଲା।

-ରାଜେନ୍ଦ୍ର

ପୁଅ ବାବୁଶାନଙ୍କ ଫିଲ୍ମ ବ୍ୟନରରେ ଚାଲିଥିଲା ନୂଆ ଫିଲ୍ମର ସୁଟିଂ। ସେଠାରେ ଅସୁସ୍ଥ ହୋଇ ପଡିଲେ ବାବୁଶାନଙ୍କ ବାପା ତଥା ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁଟିଂ ସେଟରୁ ଆଣି ହସ୍ପିଟାଲରେ ଚିକିତ୍ସା କରା ଯାଉଛି।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ସେ ଏବେ ହସ୍ପିଟାଲର ଆଇସିୟୁରେ ଥିବା କୁହାଯାଉଛି। ତେବେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ପାରି ନ ଥିବାରୁ ସବିଶେଷ ସୂଚନା ମିଳି ପାରିନାହିଁ।

ପ୍ରକାଶ ଥାଉ କି, ବୁଧବାର ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଉତ୍ତମ। ତିନିଦିନ ହେଲା ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଡାକ୍ତରଖାନାରେ ଭେଣ୍ଟିଲେଣ୍ଟରେ ରହିଛନ୍ତି |
ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନ ଅଭିନୟ କରିଛନ୍ତି। ଏଥିରେ ବାବୁଶାନଙ୍କ ବିପକ୍ଷରେ ଅର୍ଚ୍ଚିତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଊତ୍ତମ୍ ୧୫୦ରୁ ଅଧିକ ସିନେମାରେ ଅଭିନୟ କରିଥିବା ବେଳେ ୧୩୦ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ଓ ୩୦ ରୁ ଅଧିକ ବଙ୍ଗାଳୀ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ଆଜି ଥିଲା ଦେଶର ସମ୍ମାନଜନକ ଦିଲ୍ଲୀ ବିଧନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ ଗଣତି। ଏଥିରେ ସାଢ଼େ ୧୨ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାଜିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପରଭେଜ୍ ବର୍ମାଙ୍କ ଠାରୁ ୪୦୨୫ ଭୋଟ ବ୍ୟବଧାନରେ ପରାଜୟବରଣ କରିଛନ୍ତି। ଅପରପକ୍ଷେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର କରିବାକୁ ଯାଉଛି।

ସେହିଭଳି ଦିଲ୍ଲୀ ବିଧାନସଭାର ୭୦ ଆସନ ମଧ୍ୟରୁ ବିଜେପି ୪୬ ଆସନରେ ଆଗୁଆ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟି ୨୪ ଆସନରେ ଆଗୁଆ ଅଛି। ତେବେ କଂଗ୍ରେସ କୌଣସି ଆଗୁଆ ନାହିଁ। ବିଜେପି ଆଗୁଆ ଥିବା ୪୬ ଆସନ ମଧ୍ୟରୁ ୩୬ ଆସନରେ ବିଜୟ ଲାଭ କରି ସାରିଛି। ତେଣୁ ଏଥର ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି। ଦୀର୍ଘ ୨୭ ବର୍ଷ ପରେ ବିଜେପି ହାତକୁ ଯିବ ଦିଲ୍ଲୀ ଦରବାର। ସେହିଭଳି ମୁଖ୍ୟମନ୍ତ୍ରୀ ଅତିଶି ମାର୍ଲିନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରମେଶ ବିଧୁରୀଙ୍କୁ ୩ ହଜାର ଭୋଟ ବ୍ୟବଧାନରେ ହରାଇ ବିଜୟ ଲାଭ କରିଛନ୍ତି।

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଆଦାନିଙ୍କ ସାନ ପୁଅ ଜିତଙ୍କ ବିବାହରେ ଅତିଥି ଭାବେ ଏଲୋନ ମସ୍କଙ୍କଠାରୁ ଆରମ୍ଭ କରି ବିଲ ଗେଟ୍ସଙ୍କ ପରି କଳାକାର ସାମିଲ ହୋଇପାରନ୍ତି। କିନ୍ତୁ ନିରାଡମ୍ବର ଭାବେ ହେଲା ଆଦାନୀଙ୍କ ସାନ ପୁଅ ବାହାଘର।

କୋଟିପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଶୁକ୍ରବାର ମଙ୍ଗେତର ଦିବା ଶାହଙ୍କୁ ବିବାହ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜିତଙ୍କ ବିବାହ ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି ପିତା ଗୌତମ ଆଦାନୀ।
ଶାନ୍ତିଗ୍ରାମରେ ଜୈନ ପରମ୍ପରା ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ଉତ୍ସବରେ ବହୁତ କମ୍ ସଂଖ୍ୟକ ପରିବାର ଏବଂ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। କୌଣସି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ବିବାହ ଉତ୍ସବରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପତ୍ନୀ ପ୍ରିତି ଆଦାନୀ ଉପସ୍ଥିତ ଥିଲେ।

ତାଙ୍କ ନିକଟତମ ସୂତ୍ର କହିଛନ୍ତି ଯେ ସେ ଯେଉଁ ୧୦,୦୦୦ କୋଟି ଟଙ୍କା ପ୍ରତିଶ୍ରୁତି ଦେଇଥିଲେ ତାହା ସୁଲଭ ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ମେଡିକାଲ କଲେଜ, ସୁଲଭ ଉଚ୍ଚସ୍ତରୀୟ କେ-୧୨ ସ୍କୁଲ ଏବଂ ନିଶ୍ଚିତ ନିଯୁକ୍ତି ସୁଯୋଗ ସହିତ ଉନ୍ନତ ବିଶ୍ୱସ୍ତରୀୟ ଦକ୍ଷତା ଶିକ୍ଷାନୁଷ୍ଠାନର ଏକ ନେଟୱାର୍କ ସୃଷ୍ଟି କରିବାରେ ବ୍ୟବହାର କରାଯିବ।

ଏସିଆର ଦ୍ୱିତୀୟ ସବୁଠାରୁ ଧନୀ ଆଦାନୀଙ୍କ ଦୁଇଟି ପୁଅ ହେଉଛନ୍ତି କରଣ ଓ ଜିତ। କରଣ ଓକିଲ ପରିଧିଙ୍କୁ ବିବାହ କରିଛନ୍ତି। ସେହିଭଳି ଆଦାନୀଙ୍କ ଦ୍ଵିତୀୟ ପୁଅ ଜିତ୍ ଜଣେ ହୀରା ବ୍ୟବସାୟୀଙ୍କ ଝିଅକୁ ବିବାହ କରିଛନ୍ତି। ଜିତଙ୍କ ପତ୍ନୀ ଦିବା ଜୈମିନ ଶାହ ହେଉଛନ୍ତି ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ, ଯିଏ ସି ଦିନେଶ ଆଣ୍ଡ କୋ ପ୍ରାଇଭେଟ ଲିମିଟେଡର ସହ-ମାଲିକ ମଧ୍ୟ ଅଟନ୍ତି। ତାଙ୍କର ହୀରା ଉତ୍ପାଦନ ଫାର୍ମର ମୁମ୍ବାଇ ଏବଂ ସୁରଟରେ ବ୍ୟବସାୟ ଅଛି।

ବାଦଶାହ ଆଳେ କାହିଁକି ବରଙ୍କ ଶାସନ ସମୟର କଥା। ଦିନେ ରାତିରେ ଚୋରି କରୁଥିବା ବେଳେ ଦଳେ ଚୋର ସିପାହୀ ହାତରେ ଧରାପଡ଼ିଗଲେ। ସେମାନଙ୍କୁ ଜଣଜଣ କରି ଆକବରଙ୍କ ଦରବାରରେ ହାଜର କରାଗଲା। ପ୍ରଥମ ବ୍ୟକ୍ତିକୁ ଦେଖି ଆକବର ହସିଦେଲେ ଆଉ କହିଲେ, କ’ଣ ଭାଇ, ଶେଷରେ ତମେ ଏଇ କାମକଲ। ହଉ, ଯାଅ। ମୁଁ ତମକୁ କ୍ଷମା କରିଦେଲି। ଲୋକଟି ଚାଲିଗଲା।

ଏଥର କଟୁଆଳ ଦ୍ୱିତୀୟ ଚୋରକୁ ଦରବାରରେ ହାଜର କଲା। ଆକବର ତାକୁ ଦେଖି କ୍ରୋଧରେ କମ୍ପିଉଠିଲେ। ସିପାହୀଙ୍କୁ ତା’ ପିଠିରେ ଗଣିଗଣି ଦଶ ଚାବୁକ ଲଗେଇବାକୁ କହିଲେ। ବାଦଶାହଙ୍କ ଆଦେଶ ପାଳିତ ହେଲା। ଲୋକଟି ଚାବୁକ ମାଡ଼ ଖାଇ କାନ୍ଦିକାନ୍ଦି ଘରକୁ ଗଲା। ଏଥର ପଡ଼ିଲା ତୃତୀୟ ଜଣକର ପାଳି। ଆକବର ତାକୁ ଦେଖି ହସିଦେଲେ ଆଉ ଖୁବ୍ ହାଲୁକା ଭାବନେଇ କହିଲେ, ଏଇଟାକୁ ଲଣ୍ଡା କରିଦିଅ। ମୁହଁରେ ଚୂନକାଳି ବୋଳି ଗାଁଦାଣ୍ଡରେ ବୁଲାଅ।

ଦରବାରରେ ଥିଲେ ବୁଦ୍ଧିମାନ ବୀରବଲ। ସେ ଆକବରଙ୍କ ଏଭଳି ନ୍ୟାୟକୁ ବୁଝିପାରିଲେନି। ଗୋଟିଏ ଚୋରି। ହେଲେ ଦଣ୍ଡ ତିନିଟା। ଆକବର କହିଲେ, ବୀରବଲ! ମୁଁ କ’ଣ ପାଇଁ ଏଭଳି ଦଣ୍ଡ ଦେଲି ଭାବୁଛ ତ ? ଯାଅ, ନିଜେ ଯାଇ ଦେଖିଆସ। ବୀରବଲ ଆଉ ଡେରି ନ କରି ଆକବରଙ୍କ ଦଣ୍ଡର ଅର୍ଥ ପରୀକ୍ଷା କରିବାକୁ ଚାଲିଲେ। ଦେଖିଲେ, ପ୍ରଥମ ବ୍ୟକ୍ତି ଯାହାଙ୍କୁ ଆକବର କ୍ଷମା କରିଦେଇଥିଲେ ସେ ଗ୍ଳାନିରେ ଆତ୍ମହତ୍ୟା କରିଛି। ଦ୍ୱିତୀୟ ଜଣକ ଦରବାରରେ ମାଡ଼ ଖାଇ ଏପରି ଭାଙ୍ଗିପଡ଼ିଛି ସେ ଦୁଇଦିନ ହେବ ଘରେ କବାଟ କିଳି ଶୋଇଛି।

ହେଲେ ତୃତୀୟ ବ୍ୟକ୍ତି ଯାହାକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲୁଥିଲା ସେ ଆରାମରେ ପାନ ଖାଇ ବୁଲୁଛି ଆଉ ପୁଣଥରେ କେଉଁଘରୁ ଚୋରି କରିବ ବୋଲି ଯୋଜନା କରୁଛି। ବୀରବଲ ବୁଝିଲେ, ସମସ୍ତଙ୍କ ପାଇଁ ଦଣ୍ଡ ସମାନ; ମାତ୍ର ଲାଠି ବା ବାଡ଼ି ସମାନ ନୁହେଁ!

-ରାଜେନ୍ଦ୍ର

ଆଉ ଦିନକ ପରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ତେବେ ମଇଦାନରେ ଦୁଇ ଦେଶର ଖେଳାଳି ମୁକାବିଲା ପୂର୍ବରୁ ଖେଳ ଟିକେଟ୍‌ କଳା ବଜାରୀ ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। 
ସେମାନଙ୍କଠାରୁ ୨୫ଟି ଟିକଟ ଜବତ କରାଯାଇଥିବା ବେଳେ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏ ନେଇ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କମିଶନରେଟ୍‌ ପୁଲିସର କହିବାନୁଯାୟୀ ଗିରଫ ୭ ଜଣଙ୍କ ମଧ୍ୟରୁ କ୍ୟାଣ୍ଟିନ୍‌ମେଣ୍ଟ ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦରଘାବଜାର ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ୟାଣ୍ଟିନ୍‌ମେଣ୍ଟ ଥାନା ପୁଲିସ ୩ଟି ମାମଲା ରୁଜୁ କରିଥିବା ବେଳେ ଦରଘାବଜାର ଥାନା ପୁଲିସ ଗୋଟିଏ ମାମଲା ରୁଜୁ କରିଛି।
ପ୍ରକାଶ ଥାଉ କି ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ପାଇଁ ଫେବୃଆରୀ ୫ ତାରିଖ ଓ ୬ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪ ତାରିଖ ରାତିରୁ ଟିକେଟ୍‌ କିଣିବା ପାଇଁ ଷ୍ଟାଡିୟମ୍‌ ଆଗରେ ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟିକେଟ୍‌ କାଉଣ୍ଟର ନିକଟରେ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇ ନ ଥିଲା। ଏମିତି କି ପାନୀୟ ଜଳର ବ୍ୟବସ୍ଥା କରାଯାଇ ନ ଥିଲା। ଯେଉଁଥିପାଇଁ ଠେଲାପେଲାରେ ଅନେକ କ୍ରିକେଟ୍‌ ପ୍ରେମୀ ଟିକେଟ୍‌ ପାଇଁ ଆସି ଅଚେତ ହୋଇ ପଡ଼ିଥିଲେ। ଟିକେଟ୍‌ ବିକ୍ରି ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନ ଅଧାରେ ହିଁ ଟିକେଟ୍‌ ସରି ଯାଇଥିଲା। ତେଣୁ ପୂର୍ବ ରାତିରୁ ଧାଡ଼ିରେ ଠିଆ ହୋଇଥିବା କ୍ରିକେଟ୍‌ ପ୍ରେମୀ ନିରାଶ ହୋଇ ଫେରିଥିଲେ।

ଭୁବନେଶ୍ବରରେ ଉତ୍ପାତ କଲେଣି ଲୁଟେରା। ଶୁକ୍ରବାର ଦିନ ଦ୍ଵି ପ୍ରହରରେ ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ଦୁଇ ଲକ୍ଷ ୫୫ ହଜାର ଟଙ୍କା। କିଛି ଭାବିବା ଆଗରୁ ହାତରୁ ଚାଲିଗଲା ଝାଳବୁହା ରୋଜଗାର। ଏଭଳି ଦେଖିବାକୁ ମିଳିଛି ଇନ୍ଫୋସିଟି ଅଞ୍ଚଳରେ। ଇନ୍ଫୋସିଟି ଥାନା ଅନ୍ତର୍ଗତ ଖୋଦ୍ ଇନ୍ଫୋସିସ୍ କ୍ୟାମ୍ପସ ଭିତରୁ ଲୁଟେରାମାନେ ଏଭଳି ଲୁଟ କରିଛନ୍ତି।

ଖବର ନେବାରୁ ଜଣାପଡ଼ିଛି ଯେ ଏକ ସିକ୍ୟୁରିଟ ସଂସ୍ଥାର ମୁଖ୍ୟ ଶିଶିର କୁମାର ମହାପାତ୍ର ପୁଅର ନାମ ଲେଖା ଓ ଘର କାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଅଫିସକୁ ଆଣୁଥିବା ସମୟରେ ଦୁଇ ଜଣ ଯୁବକ ଏକ କଳା ପଲ୍ସରରେ ତାଙ୍କୁ ପିଛା କରୁଥିଲେ। ସେ କ୍ୟାମ୍ପସ ଭିତରେ ବାଇକ୍ ରଖି ଅଫିସ ଭିତରକୁ ଯିବା ପୂର୍ବରୁ ଲୁଟେରାମାନେ ତାଙ୍କ ହାତରୁ ବ୍ୟାଗ୍ ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ଲୁଟର ଶିକାର ହୋଇଥିବା ଶିଶିର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଲୁଟରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରିନାହିଁ।
ପ୍ରକାଶ ଥାଉ କି ଗତ କିଛି ଦିନ ଭିତରେ ସୁରକ୍ଷା ବଳୟରେ ଥିବା ଭୁବନେଶ୍ବରରୁ ଲୁଟେରାମାନେ ଗୋଟାକ ପରେ ଗୋଟାଏ ଲୁଟପାଟ କରି ଚାଲିଛନ୍ତି। କିଛି ଦିନ ଭିତରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ଗହଣା ଓ ଟଙ୍କା ଲୁଟି ନେଇଥିବା ବେଳେ ଦ୍ଵିତୀୟ ଥର ତାଙ୍କ ଘରେ ପଶିବାକୁ ଉଦ୍ୟମ ମାରିଥିଲେ। ସେହିଭଳି କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ମଧ୍ୟ ଟଙ୍କା ଦାବି କରି ହତ୍ୟା ଧମକ ଦେଇଛନ୍ତି ଲୁଟେରା।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଏଥି ସହିତ ମାଲକାନଗିରି ଜଳଛାୟା ପ୍ରକଳ୍ପର ସହକାରୀ କୃଷିଯନ୍ତ୍ରୀ ମୋହନ ମଣ୍ଡଳ, ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ୍ ମଣ୍ଡଳ, ଯୁକ୍ତିଭିତ୍ତିକ କର୍ମଚାରୀ ଅମିୟ କାନ୍ତ ସାହୁଙ୍କ ସମେତ ଅଲେଖ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

ପ୍ରକାଶ ଥାଉ କି ଭିଜିଲାନ୍ସ ପକ୍ଷରୁ ୭ ଟି ଟିମ୍ ମାଲକାନଗିରି, ଜୟପୁର, ଭୁବନେଶ୍ଵର ସମେତ ଶ୍ରୀ ମହାପାତ୍ରଙ୍କ କଟକ ସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶାନ୍ତନୁଙ୍କ ଘରୁ ନଗଦ ଦୁଇ କୋଟି ଟଙ୍କା ଠାବ କରିଥିଲା। ଏଥିସହିତ ଗୋଟିଏ ବହୁତଳ ବିଶିଷ୍ଟ କୋଠଘର, ୪ ଟି ମୂଲ୍ୟବାନ ଜାଗା, ୪୨୨ ଗ୍ରାମ ସୁନାଗହଣା ଓ ବ୍ୟାଙ୍କରେ ଥିବା ୯୧ ତାଙ୍କର ପାସବୁକ୍ ଜବତ କରିଥିଲା ଭିଜିଲାନ୍ସ।

Vigilance

ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁକୁ ନେଇ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୁଦ୍ଧରେ ମାଲକାନାଗିରି ଏସଡିଜେଏମ୍ କୋର୍ଟ ପକ୍ଷରୁ ଲାଗିଥିବା ଗିରଫ ବିହୀନ ପରୱାନା (ଏନବିଡବ୍ଲ୍ୟୁ) ଆଦେଶରେ କୋହଳ କରିଛନ୍ତି ହାଇକୋର୍ଟ।
ପ୍ରକାଶ ଥାଉ କି ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ୨୭ ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ତା ପରଦିନ ତାଙ୍କର ମୃତଦେହ ସତିଗୁଡ଼ା ଡ୍ୟାମରୁ ଉଦ୍ଧାର କରା ଯାଇଥିଲା।
ପରେ ଏ ନେଇ ତାଙ୍କ ପତ୍ନୀ ବନଜା ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ସହଯୋଗୀମାନେ ତାଙ୍କ ସ୍ବାମୀଙ୍କୁ ମାନସିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ପରେ ଆଇନର ଲଢେଇ ପରେ ମାଲକାନାଗିରି ଏସଡିଜେଏମ୍ ମନୀଷଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ହେଲେ ଏହାକୁ ନେଇ ଶ୍ରୀ ଅଗ୍ରୱାଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାକୁ ବିଚାର କରି ହାଇକୋର୍ଟ ଏନବିଡବ୍ଲ୍ୟୁରେ କୋହଳ କରିଥିବା ଜଣାପଡୁଛି।

ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟ ଗୁଲୁମୁଣ୍ଡାପାକା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ମୃତକଙ୍କ ଘର ଅମ୍ପରା ଗାଁରେ ବୋଲି ଜଣା ପଡ଼ିଛି। ଆହତଙ୍କୁ ଏବେ ଗୁଣୁପୁର ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ମୃତକମାନେ ସମସ୍ତେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ଏକ ନିର୍ମାଣାଧୀନ କାମ ପାଇଁ ଟ୍ରାକ୍ଟରଟି ଇଟା ବୋଝେଇ ହୋଇ ଆସୁଥିଲା। କିନ୍ତୁ ରାସ୍ତାରେ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଓଲଟି ପଡିଥିଲା। ଏଥିରେ ଥିବା ୩ ଜଣ ଶ୍ରମିକ ଓ ବାହାରେ କାମ କରୁଥିବା ୪ ଜଣ ଶ୍ରମିକଙ୍କ ଉପରେ ଇଟା ଗଦା ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବହିନୀଙ୍କୁ ଖବର ଦେବା ପରେ ଆଗ୍ନିକ ପହଞ୍ଚି ଆହତମାନଙ୍କୁ ପ୍ରଥମେ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନା ଓ ପରେ ଗୁଣୁପୁର ନେଇଥିଲେ। ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କୁ ଚିକିତ୍ସା କରୁଛନ୍ତି।