TT Ads

ଜୀବନରେ ଆପଣ ଯାହା ବି କର୍ମ କରନ୍ତୁ ସେଥିରେ ଅନ୍ୟର ସ୍ବାର୍ଥ ଓ ଭାବପ୍ରବଣତା ନିହାତି ଜଡ଼ିତ ରହିବା ଆବଶ୍ୟକ

କାହାଣୀଟି ପ୍ରସିଦ୍ଧ ରସାୟନଶାସ୍ତ୍ରୀ ଆଚାର୍ଯ୍ୟ ନାଗାର୍ଜୁନଙ୍କର। ତାଙ୍କର ଏମିତି ଜଣେ ସହାୟକ ଦରକାର ହେଲା ଯିଏ ତାଙ୍କ ସହ ମିଶି ରସାୟନ ପ୍ରସ୍ତୁତ କରିପାରିବ, ଫଳରେ ତାଙ୍କର କାମ ସହଜ ହୋଇଯିବ। ସେ ବିଜ୍ଞାପନ ଦେଲେ । ଦୁଇଜଣ ଯୁବକ ଦରଖାସ୍ତ କଲେ ଆଚାର୍ଯ୍ୟ ନାଗାର୍ଜୁନଙ୍କ ସହ କାର୍ଯ୍ୟ କରିବା ପାଇଁ। ଆଚାର୍ଯ୍ୟ ସେମାନଙ୍କୁ କିଛି ଆବଶ୍ୟକ ସାମଗ୍ରୀ ଦେଇ ଦୁଇଦିନ ମଧ୍ୟରେ ରସାୟନ ପ୍ରସ୍ତୁତ କରିଆଣିବାକୁ କହିଲେ। ଦୁଇଦିନ ପରେ ଜଣେ ଯୁବକ ରସାୟନ ଧରି ଆସିଲା। ଶାସ୍ତ୍ରୀ ପଚାରିଲେ, ରସାୟନ ପ୍ରସ୍ତୁତ କରିବାବେଳେ ତମର କିଛି ଅସୁବିଧା ହୋଇନି ତ? ଯୁବକଟି କହିଲା: ଅନେକ ଘଟଣା ଘଟିଛି। ସାନଭାଇର ଗୋଡ଼ ଭାଙ୍ଗି ଯାଇଛି। ବାପାଙ୍କର ପେଟ ଦରଜ। ମା’ ଘରୁ ଉଠିପାରୁନି। ତଥାପି ସେସବୁକୁ ଛାଡ଼ି ମୁଁ ରସାୟନ ଆଣିଦେଇଛି । ଏତିକିବେଳେ ଦ୍ୱିତୀୟ ଯୁବକଟି ଆସି କହିଲା- ମୁଁ କ୍ଷମା ଚାହୁଁଛି ଶାସ୍ତ୍ରିଜୀ ଯେ, ମୁଁ ରସାୟନ ପ୍ରସ୍ତୁତ କରିପାରିନାହିଁ। ସେଦିନ ଏଠାରୁ ଯିବା ବେଳେ ରାସ୍ତାରେ ଗୋଟିଏ ଗରିବ ବୃଦ୍ଧ ରୋଗୀକୁ ଦେଖିଲି। ସେ ଏତେ ଯନ୍ତ୍ରଣା ପାଉଥିଲା ଯେ ମୁଁ ସହି ପାରିଲିନି। ତାକୁ ଘରକୁ ନେଇ ତା’ର ସେବାକଲି।  ଆପଣଙ୍କ ରସାୟନ କରିବାକୁ ମୁଁ ସମୟ ପାଇଲିନି।

ଏହାଶୁଣି ଶାସ୍ତ୍ରୀ ତ କିଛି କହିଲେନି; ଓଲଟି ପ୍ରଥମ ଯୁବକଟି ଖୁସିରେ ଗଦଗଦ୍ ହୋଇଗଲା। କାରଣ ତା’ର ଚାକିରି ତ ଥୟ। ହେଲେ ଶାସ୍ତ୍ରିଜୀ ଦ୍ୱିତୀୟ ଯୁବକକୁ କହିଲେ, ତୁମେ କାଲିଠୁ ଆସି ମୋ ସହ କାମ କର। ପ୍ରଥମ ଯୁବକକୁ ବୁଝାଇ କହିଲେ, ଯିଏ ନିଜର କାମ କରିବା ବେଳେ ଅନ୍ୟର କଷ୍ଟ ଦେଖିପାରେନା ସେ ଜଗତର ସେବା କରିବ କିପରି ? ମୋ ରସାୟନ ତ ଜଗତର ମଙ୍ଗଳ ପାଇଁ।

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *