ଦେଶରେ ମେଦ ବହୁଳତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପ୍ରତି ୮ ଜଣରେ ଜଣେ ମେଦ ବହୁଳତା ଶିକାର ହୋଇଛନ୍ତି। ସେହିଭଳି ଶିଶୁଙ୍କ କ୍ଷେତ୍ରରେ ଏହା ୪ ଗୁଣା ବୃଦ୍ଧି ପାଇଛି। ଏପରିକ୍ଷେତ୍ରରେ ୧୦ ପ୍ରତିଶତ କମ୍ ତେଲ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୧୯ ତମ ମନ୍ କୀ ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେଦ ବହୁଳତାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛି।
ସେ ଏହି କ୍ରମରେ ନାରୀଶକ୍ତିକୁ ଗୁରୁତ୍ଵ ଦେବା ସହ ତାହା ଦେଶ ପାଇଁ ଏକ ବଡ଼ ସମ୍ପଦ ବୋଲି କହିଛନ୍ତି। ସେହିଭଳି ଶହେ ତମ ରାକେଟ ଉତକ୍ଷେପଣରେ ଇସ୍ରୋର ସଫଳତାକୁ ଦୋହରାଇ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଗତ ୧୦ ବର୍ଷରେ ଭାରତ ୪ ଶହରୁ ଅଧିକ ସ୍ୟାଟେଲାଇଟ ଲାଞ୍ଚ କରିଛି। ଏଆଇ କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗରେ ରହିଥିବା ବେଳେ ବୈଷୟିକ ଜ୍ଞାନ କୌଶଳରେ ଭାରତ ପଛଘୁଞ୍ଚା ଦେଉନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସକାରାତ୍ମକ ଚିନ୍ତା ନେଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

କୁହାଯାଏ ସମୟ ବଡ଼ ବଳବାନ୍‌। କେତେବଳେ କାହାକୁ କେଉଁଠି ନେଇ ଠିଆ କରିଦେବ କହିହେବ ନାହିଁ। ସେମିତି ଏକ ସମୟ ଭିତରେ ଆଜି ଦିଲ୍ଲୀ ବିଧାନସଭାରେ ମନୋନିତ ବାଚସ୍ପତିଙ୍କ କ୍ଷେତ୍ରରେ ଘଟିଛି।
ଆଜକୁ ଠିକ୍‌ ୧୦ ବର୍ଷ ତଳେ ଏକଦା ତକ୍ରାଳୀନ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବାହାର କରି ଦିଆଯାଇଥିଲା।ବିଧାନସଭାର ସୁରକ୍ଷାକର୍ମୀ ତାଙ୍କୁ ଗୃହରୁ ଏକ ପ୍ରକାରର ଟେକି ନେଇ ବାହାରେ ଛାଡ଼ି ଦେଇ ଆସିଥିଲେ। ଗୃହରୁ ତାଙ୍କୁ ଟେକି ନେଇ ଯିବାର ଭିଡିଓ ସେତେବେଳେ ବେଶ ଭାଇରାଲ ହୋଇଥିଲା। କିନ୍ତୁ ସମୟ ବଦଳିବା ସହ ତାଙ୍କର ସ୍ଥିତି ବି ବଦଳିଛି। ଯାହାକୁ ଦିନେ ବିଧାନସଭାରୁ ବାହାର କରାଯାଇଥିଲା ସେ ଏବେ ସେହି ଗୃହର ସର୍ବମୟ କର୍ତ୍ତା ଆସନରେ ବସିବାକୁ ଯାଉଛନ୍ତି। ଏବେ ସେ ନିଜେ ସେହି ବାଚସ୍ପତି ଆସନ୍‌ରେ ବସିବାକୁ ଯାଉଛନ୍ତି। ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି ନବ ନିର୍ବାଚିତ ବାଚସ୍ପତି ବିଜେନ୍ଦର ଗୁପ୍ତା।
ପ୍ରକାଶ ଥାଉ କି ଗତ ଦୁଇ ଦୁଇ ଥର ନିର୍ବାଚନରେ ଦିଲ୍ଲୀରେ ଆପ୍‌ ସରକାର ଗଠନ କରିଥିଲା। ଏସବୁ ଭିତରେ ବିଜେନ୍ଦର  ରୋହିନୀ ବିଧାନସଭା ଆସନରୁ ଜିତିଥିଲେ। ୨୦୨୫ରେ ମଧ୍ୟ ସେ ବିଜେପି ଟିକେଟରୁ ଉକ୍ତ ଆସନରେ ଜିତିଛନ୍ତି। ବିଜେନ୍ଦର ଜିତିଥିବା ବେଳେ ବିଜେପି ବିଧାୟକ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ବଣିଆ ସଂପ୍ରଦାୟରୁ ଆସିଥିବା ଗୁପ୍ତା ଏଥର  ନିର୍ବାଚନରେ ଆପ୍‌ ପ୍ରଦୀପ ମିତ୍ତଲଙ୍କୁ ୩୭ ହଜାରରୁ ଅଧିକ ଭୋଟରେ ପରାଚିତ କରିଛନ୍ତି। ଗତ ଦିଲ୍ଲୀ ବିଧାନସଭାରେ ଶ୍ରୀ ଗୁପ୍ତା ବିରୋଧୀ ଦଳର ନେତା ଭାବେ କାମ କରିଥିଲେ।

ଦିଲ୍ଲୀରେ ନୂଆ ସରକାର। ରେଖା ଗୁପ୍ତାଙ୍କ ନେତୃତ୍ବରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପିର ୬ ବିଧାୟକ। ସେମାନଙ୍କ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି, ପରବେଶ ବର୍ମା, ଆଶିଷ ସୁଦ୍, ରବୀନ୍ଦ୍ର ଇନ୍ଦ୍ରାଜ୍ ସିଂ କପିଲ ମିଶ୍ର, ମଜିନ୍ଦର୍ ସିଂ ସିର୍ଶା, ପଙ୍କଜ କୁମାର ସିଂ। ପରବେଶ ଓ ଆଶିଷ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇଛନ୍ତି ରେଖା।
ଗୁରୁବାର ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ଉପ ରାଜ୍ୟପାଳ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ। ଶପଥ ଗ୍ରହଣ ଅବସରରେ ମହିଳା ସମୃଦ୍ଧି ଯୋଜନାରେ ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ଅଢେଇ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଘୋଷଣା କରିଛନ୍ତି।
ଅପରପକ୍ଷେ ନିର୍ବାଚନ ପରେ ଦିଲ୍ଲୀରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି।

ଦିଲ୍ଲୀ ସିଂହାସନରେ ବସିଲେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ। ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା। ଏଥିପାଇଁ ରାମଲୀଳା ମଇଦାନରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।
ରେଖା ହେଉଛନ୍ତି ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ଦୀର୍ଘ ୨୭ ବର୍ଷ ତଳେ ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ସୁଷମା ସ୍ୱରାଜ। ତେବେ ସୁଷମା ସ୍ୱରାଜ ମାତ୍ର ୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ୧୯୯୮ ମସିହା ଅକ୍ଟୋବର ୧୨ ରୁ ୩ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ସୁଷମା।  ସୁଷମାଙ୍କ ପରେ ଶିଲା ଦୀକ୍ଷିତ ୧୫ ବର୍ଷ ୨୫ ଦିନ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ପରବର୍ତ୍ତୀ ସମୟରେ ଆପ୍‌ ନେତା ଅରବିନ୍ଦ କେଜ୍ରିିୱାଲ ମୁଖ୍ୟମନ୍ତ୍ରୀ ରହିଥିଲେ। ଦୀର୍ଘ ୧୨ ବର୍ଷ କାଳ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବା ପରେ ଅତିଶୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଆତିଶୀ ମାର୍ଲନା୧୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗତ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଛି। ବିଜେପି ଦ୍ୱିତୀୟ ଥର ପାଇଁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଅପରପକ୍ଷେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କୁ ଦଳୀୟ ବିଧାୟକମାନେ ଚୟନ କରିଛନ୍ତି। ପରବେଶ ବର୍ମା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହରାଇଥିବାରୁ ତାଙ୍କୁ ପୁରସ୍କାର ସ୍ୱରୂପ ଏହି ଆସନ ଦିଆଯାଇଛି।

ସୋମବାର ସକାଳେ ଦିଲ୍ଲୀ ଓ ପରେ ପରେ ବିହାରରେ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ହୋଇ ନ ଥିବା ଜଣାପଡ଼ିଛି
ସୋମବାର ସକାଳେ ଦିଲ୍ଲୀ ଓ ଏହାର ସଂଲଗ୍ନ ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୦ ରହିଥିବା ବେଳେ ଗଭୀରତା ୫ କିଲୋମିଟର ଥିଲା। ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସତର୍କତା ପାଳନ କରିବାକୁ ଅନୁରୋଧ କରିଛନ୍ତି। ଭୂମିକମ୍ପ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧନମନ୍ତ୍ରୀ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଦିଲ୍ଲୀ ପୋଲିସ ନାଗରିକମାନଙ୍କୁ ସାହାଯ୍ୟ ପାଇଁ ଜରୁରିକାଳୀନ ୧୧୨ ହେଲ୍ପଲାଇନ୍‌କୁ କଲ୍ କରିବାକୁ ଅନୁରୋଧ କରିଛି।
ଦିଲ୍ଲୀ ପରେ ସକାଳ ୮ଟା ୨ ମିନିଟରେ ବିହାରରେ ମଧ୍ୟ ଆଜି ସକାଳେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ୪.୦ ରହିଥିବା ବେଳେ ଏହାର ଗଭୀରତା ଥିଲା ୧୦ କିଲୋମିଟର।

ଆଉ ଦୁଇଦିନ ପରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରଚାର ସରି ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୋମବାର ପ୍ରଚାର ଜୋର୍‌ଦାର୍‌ କରାଯାଇଥିଲା। ପ୍ରମୁଖ ତିନି ଦଳ କଂଗ୍ରେସ, ବିଜେପି, ଆପ୍‌ର ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।
ଦିଲ୍ଲୀରେ ଶେଷ ଦିନର ପ୍ରଚାରରେ ମୋଦୀ, ଶାହା ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ମୋଦୀ ଏକ ଜନସଭାରେ ଯୋଗଦେଇ ଆମ୍‌ ଆଦମୀ ପାର୍ଟିକୁ ଟାର୍ଗେଟ କରି ଆପର ବିଭିନ୍ନ ଯୋଜନାକୁ ସମାଲୋଚନା କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିକୁ ଦେଇଥିବା ୧୧ ବର୍ଷ ବର୍ବାଦ ହୋଇଛି ବୋଲି କହିଥିବା ବେଳେ ଏଥର ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ସେପଟେ କେଜ୍ରିୱାଲ୍‌ ନିର୍ବାଚନୀ ପ୍ରଚାରରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ କହିଛନ୍ତି। ଦିଲ୍ଲୀ ସରକାର ଆମ୍‌ ଜନତାଙ୍କ ପାଇଁ କାମ କରିଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ୍‌। ସେ କହିଛନ୍ତି ଯେ, ସାଧାରଣ ଓ ମଧ୍ୟବିତଙ୍କ ସରକାର ଆପ୍‌ ସରକାର। ଯେଉଁ ସରକାର ମଧ୍ୟବିତଙ୍କୁ ମାଗଣାରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଇ ଦେବା ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ବିପ୍ଲପ ଆସିଛି ତାହା ଆପ୍‌ ସରକାର ହିଁ କରିଛି ବୋଲି କହିଛନ୍ତି ସେ। ମହଲା କ୍ଲିନିକ୍‌ରେ ଲୋକେ ସ୍ୱାସ୍ଥ୍ୟ ସୁବିଧା ନେଉଥିବା ବେଳେ ବିଦ୍ୟାଳୟରେ ସବୁ ପିଲାଙ୍କ ପାଇଁ ସରକାର ଭାବେ ମାଗଣା ଓ ଉଚ୍ଚମାନର ଶିକ୍ଷା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲା। ଏଥି ସହିତ ଦିଲ୍ଲୀ ପୋଲିସକୁ ଟାର୍ଗେଟ୍‌ କରିଛନ୍ତି ତାସହ ଇସିଙ୍କୁ ମଧ୍ୟ ନିଶାନା ଲଗାଇଛନ୍ତି। ଇସି ବିଜେପି ପାଖରେ ଆତ୍ମସମର୍ପଣ କରିଦେଇଛି ଆଉ ଆପ୍‌ କର୍ମୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଥିଲେ ବି ପୋଲିସ ଆଖି ବୁଜି ଦେଇଛି ବୋଲି କେଜ୍ରିୱାଲ୍‌ ଟାର୍ଗେଟ୍‌ କରିଛନ୍ତି।