ଗୋଟିଏ ଅଜଗତ ସାପ ମଣିଷକୁ ଜୀବନ୍ତ ଗିଳିବା ଘଟଣା ବିରଳ ହେଲେ ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ଯାହା ବିଷୟରେ ଜାଣିଲେ ଯେକୌଣସି ବ୍ୟକ୍ତିଙ୍କ ଛାତି ଥରି ଉଠିବ। ଏକ ୮ ମିଟର ଲମ୍ବା (ପ୍ରାୟ ୨୬ ଫୁଟ) ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ପକାଇଥିବାର ସୂଚନା ମିଳିଛି।
ଏହି ଘଟଣାଟି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପର। ଜଣେ ଚାଷୀ ଯିଏ ସବୁଦିନ ପରି ତାଙ୍କ ବଗିଚା ଜଗିବାକୁ କ୍ଷେତକୁ ଯାଇଥିଲେ ସନ୍ଧ୍ୟାରେ ନ ଫେରିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ। ପରିବାର ଏବଂ ଗାଁ ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇ ନ ଥିଲେ।
ଏକ ଅଜଗରଟି ଧୀରେ ଧୀରେ ଯାଉଥିବା ଲୋକଙ୍କ ନଜର ପଡ଼ିଲା। ଯାହାର ପେଟ ଅସ୍ୱାଭାବିକ ଭାବରେ ଫୁଲି ଯାଇଥିଲା। ଏହା ପରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନ ଅଜଗରର ପେଟ କାଟିବାକୁ ନିଷ୍ପତ୍ତି ନେଲେ। ପେଟ ଭିତରକୁ ଦେଖି ସେମାନଙ୍କ ହୋସ ଉଡ଼ିଯାଇଥିଲା। ପେଟଭିତରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏହା ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ, କାରଣ ମୃତଦେହଟି ସଂପୂର୍ଣ୍ଣ ଅକ୍ଷତ ଥିଲା। ତେବେ ଜୈବ ବିଶେଷଜ୍ଞଙ୍କ ଅନୁସାରେ ଏପରି ଘଟଣା ବେଶ ବିରଳ। କିନ୍ତୁ ଏହା ଆୌ ଅସମ୍ଭବ ନୁହେଁ।
ହାତୀ ଧାନ, ମୁଗ, ବିରି ଆଦି ଫସଲ ଖାଉଥିବା ଆପଣ ଜାଣିଥିବେ। ହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟହେବେ ହାତୀ ୮୦ ହଜାର ଟଙ୍କା ଖାଇ ଦେଇଛନ୍ତି। ଏକଥା ଅବିଶ୍ୱାସ ହେଲେ ବି ସତ୍ୟ।। ଘଟଣାଟିଘଟିଛି ରାୟଜଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳରେ।
ସପ୍ତାହବ୍ୟାପୀ ବିଷମକଟକ ବ୍ଲକ ଅନ୍ତର୍ଗତ ଭାପତପୁର ପଞ୍ଚାୟତର କୁମ୍ଭାରବାଡି ଗାଁରେ କିଛି ଦୂର କଟରିଗୁଡା ଗାଁ ଦୁଇ ଦିନରେ ଦୁଇ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛନ୍ତି ହାତୀ ପଲ। ଶୁକ୍ରବାର ରାତିରେ ନାରାୟଣ ହୁଇକାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡି ଅନ୍ୟତ୍ର ଲୁଚି ଯାଇଥିଲେ। ହାତୀପଲ ଘରମୁହାଁ ହୋଇ ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ। କେବଳ ସେତିକି ନୁହେଁ, ମାଣ୍ଡିଆ ବସ୍ତା ଭିତରେ ରଖିଥିବା ୮୦ହଜାର ଟଙ୍କାକୁ ମଧ୍ୟ ହାତୀପଲ ଖାଇଦେଇଥିବା ନାରାୟଣ କହିଛନ୍ତି।
ହାତୀ ପଲ ଘର ଭାଙ୍ଗିବା ପରେ ବଗିଚାରେ କଦଳୀ, ପଣସ ଏବଂ ଆମ୍ବ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀପଲ୍‌ ଦିନ ତମାମ ସେହି ସ୍ଥାନରେ ରହି ପୁଣି କାଲି ରାତିରେ ଲକି ପ୍ରସ୍କାଙ୍କ ଘର ଭାଙ୍ଗିଦେଇ ଘୋରେ ସଞ୍ଚିତ ଖାଦ୍ୟ ସାମଗ୍ରୀ ଖାଇଛନ୍ତି। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତି ପାଦ ଚିହ୍ନକୁ ଚିହ୍ନଟ କରି ୨୪ରୁ ଊର୍ଦ୍ଧ୍ୱ ହାତୀପଲ ରହିଥିବାର ଜାଣିବାକୁ ପାଇଥିଲେ। ହାତୀମାନେ ଏବେ ବି ନିକଟସ୍ଥ ଜଙ୍ଗଲରେ ରହିଥିବା କହିଛି ବନ ବିଭାଗ।
ହାତୀର ଗତବିଧି ଉପରେ ବନ ବିଭାଗ ନଜର ରଖିଥିବାବେଳେ ରାତ୍ରି ସମୟରେ ହାତୀ ଚଳପ୍ରଚଳ ଆରମ୍ଭ କରିବ ବୋଲି ସୂଚନା ରହିଛି। ତେବେ ସେହି ଜଙ୍ଗଲ ଦେଇ ଟ୍ରେନ୍‌ ଲାଇନ୍‌ ରହିଥିବା ବେଳେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳର ଗତି କମେଇ ଦିଆଯାଇଛି। ହାତୀମାନେ କଲ୍ୟାଣସିଂହପୁରସ୍ଥ ନିୟମିଗିରି ଜଙ୍ଗଲରୁ ଓହ୍ଲାଇ ଆସିଥିବା ବନ ବିଭାଗ ସୂଚନା ଦେଉଛି। ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବାରୁ କୁମ୍ଭାରବାଡି ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ନୂଆଗାଁ ଅଞ୍ଚଳରେ ଗାଡ଼ଭାଲୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବନମାଳୀ ମହାନ୍ତି (୫୫), ତାଙ୍କ ପୁଅ ବିରଞ୍ଚି ମହାନ୍ତି (୨୯) ଏବଂ ସ୍ଥାନୟ କାଜୁ ଜଙ୍ଗଲର ଜଗୁଆଳି ଗୟାଧର ପ୍ରଧାନ(୫୮)।

ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ବିରଞ୍ଚି ସକାଳୁ ଶୌଚ ପାଇଁ  ଯାଉଥିବା ସମୟରେ କାଜୁ ବଗିଚା ନିକଟରେ ଭାଲୁଟି ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା। ବିରଞ୍ଚିଙ୍କ ପାଟି ଶୁଣି ବାପା ବନମାଳୀ ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ କାମୁଡ଼ି କ୍ଷତାକ୍ତ କରିଥିଲା। ପରେ ସାଇଁକୁଳ ଗାଁର ଗୟାଧର ପ୍ରଧାନଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ କାମୁଡିଥିଲା ଭାଲୁ।
ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ ଏକ ଟିମ୍‌ ଗାଡ଼ଭାଲୁକୁ ଜାଲ ପକାଇ କାବୁ କରି ଆନନ୍ଦପୁର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ପରେ ଭାଲୁଟିକୁ ସ୍ଥାନୀୟ ପଟିଲୋ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଏବେ ବି ଗାଁରେ ଅନ୍ୟ ଭାଲୁ ଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି। ତେଣୁ ଆତଙ୍କିତ ରହିଛନ୍ତି।

ମାଟିତଳୁ ମୃତଦେହ ନେଉଛି କିଏ

କମିବାରେ ଲାଗିଛି ଜଙ୍ଗଲ। ବୃଦ୍ଧି ପାଇବାରେ ଲାଗିଛି ଜନବସତି ଅଞ୍ଚଳ। ଏହାର ପ୍ରଭାବରେ ଜଂଗଲୀ ଜନ୍ତୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଭୁବନେଶ୍ୱର ଏମ୍ସ ନିକଟରେ ଏବେ ଜଙ୍ଗଲୀ ହାତୀଙ୍କୁ ଦେଖିବାକୁ ମିଳୁଛି।

ଫଳରେ ଏହାର ଆଖପାଖ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ନିକଟ ଚନ୍ଦକା ଡମପଡା ଅଭୟାରଣ୍ୟରୁ କିଛି ହାତୀ ଖାଦ୍ୟ ଅନ୍ୱେଷଣରେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନେଇ ନିକଟ କାଜୁ ଜଙ୍ଗଲକୁ ଆସିଥିଲେ। କିନ୍ତୁ ସକାଳ ହୋଇଯିବାରୁ ଆଉ ଫେରି ପାରି ନାହାଁନ୍ତି। ଫଳରେ ହାତୀ ପଲ ନିକଟସ୍ଥ କାଜୁ ଜଙ୍ଗଲରେ ରହିଯାଇଛନ୍ତି। ସକାଳେ ଏମ୍ସ ହସପିଟାଲକୁ ଆସିଥିବା କିଛି ରୋଗୀଙ୍କ ସଂପର୍କୀୟ ଜଙ୍ଗଲି ହାତୀଙ୍କୁ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଙ୍କୁ ଘଉଡାଇବା କାର୍ଯ୍ୟରେ ଲାଗିଛନ୍ତି। ହାତୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ସିଯୁଆ, ପାତ୍ରପଡ଼ା ଅଶୀଙ୍ଗିନିଆ, ସରକନ୍ତରା, ଡୁମୁଡୁମା ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଅପରପକ୍ଷେ ଲୋକେ ସଜାଗ ରହିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ନନ୍ଦନକାନନର ବାଘୁଣୀ ଅଙ୍କିତା ଗର୍ଭରୁ ପୁଣି ଏକ ଛୁଆ ଜନ୍ମ ହୋଇଛି। ନବଜାତ ବାଘ ଛୁଆଟି ଏବେ ସୁସ୍ଥ ଥିବା ଜଣାପଡ଼ିଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ୧୩ ବର୍ଷୀୟା ଅଙ୍କିତା ଜନ୍ମ ଦେଇଥିବା ଛୁଆଟିର ଗତିବିଧି ଅନୁଧ୍ୟାନ ପାଇଁ ସିସିଟିଭି ଜରିଆରେ ନଜର ରଖାଯାଇଛି। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରେ ୧୬ଟି ଅଣ୍ଡିଆ ବାଘ ରହିଥିବା ବେଳେ ୧୧ଟି ମାଈ ବାଘ ରହିଛି। ତେବେ ନବଜାତକ ବାଘର ଲିଙ୍ଗ ଏପର୍ଯ୍ୟନ୍ତ ନିରୂପଣ କରାଯାଇପାରି ନାହିଁ। ପ୍ରକାଶ ଥାଉ କି ୨୦୧୨ ମସିହାରେ ବାଘୁଣୀ ସାରା ଓ ଅଣ୍ଡିରା ବାଘ ଋଷିର ଔରସରୁ ଅଙ୍କିତା ଜନ୍ମ ନେଇଥିଲା। ନନ୍ଦନକାନନରେ ଆଜି ଉତ୍ସାହର ମହୋଲ। ନବାଗତର ଆଗମନ ନେଇ କର୍ମଚାରୀମାନେ ଖୁସି ମନାଉଛନ୍ତି। କର୍ମଚାରୀ ମହଲରେ ମିଠା ବଣ୍ଟନ କରାଯାଉଛି।
ଅପରପକ୍ଷେ ଗତକାଲି ନନ୍ଦନକାନନରେ ବବୁନ୍‌ ମାଙ୍କଡ଼ ଜଗାର ମୃତ୍ୟୁ ହୋଇଛି। ବିଗତ ଦିନରେ ନନ୍ଦନକାନନରେ ଅନେକ ବାଘ ଶାବକ ଜନ୍ମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଥାଏ

ସାମୂହିକ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ କରାଯାଉଛି।
ବର୍ତ୍ତମାନ ଧୀରେ ଧୀରେ ଦକ୍ଷିଣା ପବନ ସାଙ୍ଗକୁ କଇଁଛଙ୍କ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଛି। ଯେଉଁଥିପାଇଁ ତିନି ଦିନରେ ୨ଲକ୍ଷ ୧୯ ହଜାର ସାମୂହିକ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗୋଟିଏ କଇଁଛ ୧୨୦ରୁ ୧୫୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ରକୁ ଚାଲି ଯାଇଥାଏ। ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଚାଲିଯାଆନ୍ତି।
ପ୍ରକାଶ ଥାଉ କି ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ୱର ମାସରେ ସୁଦୂର ଦେଶରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି। କିନ୍ତୁ ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନ ଥିଲା। କିନ୍ତୁ ଚଳିତ ବର୍ଷ ଗଣ ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ସାଧାରଣତଃ କଇଁଛମାନେ ରାତିରେ ଆସି ଅଣ୍ଡାଦାନ କରୁଥିବା ବେଳେ ମଙ୍ଗଳବାର ଦିନବେଳା ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି।

ମହୁ ଖାଇବାକୁ ଗଛରେ ଚଢ଼ିଥିବ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ପଡିଯିବାରୁ ଭାଲୁର ମୃତ୍ୟୁ ଘଟିଛି। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରରୁ ବାହାର କରିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ, ଗତକାଲି ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ବିଟ୍ ତଇଲା ସାହିକୁ ଆସିଥିଲା। ଗ୍ରାମର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢ଼ିଥିବା ବେଳେ କୌଣସି କାରଣବଶତଃ ଖସିପଡ଼ି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ପଡ଼ିଥିଲା। ଫଳରେ ଭାଲୁର ପେଟରେ ବିଦ୍ୟୁତ ଆଘାତ ଦ୍ବାରା ବିରାଟ କ୍ଷତ ସୃଷ୍ଟି ହେବା ସହ ଭାଲୁଟି ମୃତ୍ୟୁବରଣ କରିଛି। ବନ ବିଭାଗ କର୍ମଚାରୀମାନେ ଭାଲୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଏନେଇ ଅବଗତ କରିଥିଲେ। ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସଫର୍ମରରରୁ ବାହାରକୁ କାଢ଼ିଥିବା ବେଳେ ବନ ବିଭାଗକୁ ହସ୍ତାନ୍ତର କରିଛି। ଭାଲୁଟି ପୁରୁଷ କି ମାଈ ଓ ଏହାର ବୟସ କେତେ ଏବଂ ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତ ନା ଆଉ କିଛି, ସେ ଦିଗରେ ବନବିଭାଗ ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶି ଦମ୍ପତିଙ୍କୁ ଦଳିଦେଲା ହାତୀ।

ବୃଦ୍ଧ ଦମ୍ପତିଙ୍କୁ ଦଳିବା ପରେ ଏଣେତେଣେ ଫିଙ୍ଗିଲା ମୃତଦେ
ରାଜ୍ୟରେ ହାତୀ ମଣିଷ ଲଢେଇ ଏବେ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ କଳାହାଣ୍ଡି ଜିଲ୍ଲାବାସୀ ଏଥିପାଇଁ ଅଧିକ କ୍ଷତି ସହୁଛନ୍ତି। ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଫରେଷ୍ଟ ରେଞ୍ଜ ଲାଖବହିଲି ପଞ୍ଚାୟତ କାଦମାଲି ଗାଁରେ ବୃଦ୍ଧ ଦମ୍ପତି ଶୋଇଥିବା ବେଳେ ଗୋଟିଏ ହାତୀ ଘର ଭିତରେ ପଶିବାକୁ ଚେଷ୍ଟା କରିଥିଲା। ଘର ଭିତରେ ପଶିବାକୁ ବିଫଳ ହେବା ପରେ ଘରକୁ ଭାଙ୍ଗି ଦେଇଥିଲା। ଏହା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଦୌଡି ପଳାଇଥିଲେ। କିନ୍ତୁ ବୃଦ୍ଧ ଦମ୍ପତି ଘର ଭିତରେ ରହି ଯାଇଥିଲେ। ଘର ଭିତରେ ଥିବା ଦମ୍ପତିଙ୍କୁ ଦଳିଚକଟି ଦେଇଥିଲା। ଦୁଇଜଣଙ୍କ ମୃତ୍ୟୁ ପରେ ସେମାନଙ୍କୁ ବାହାରେ ଆଣି ଖନଖଣ୍ଡ କରି ଫିଙ୍ଗିଥିଲା । ସକାଳୁ ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।