ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଛି ବିବାହ ବିଚ୍ଛେଦ। ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ରାଜ୍ୟ ସରକାର ମେଣ୍ଟାଲ୍ କାଉନସେଲିଂ ସେଣ୍ଟର୍ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। 

ବିବାହ ବିଚ୍ଛେଦ ପୂର୍ବରୁ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସରକାରୀ ସ୍ତରରେ ଯୋଜନା କରାଯିବ। ଏଥିପାଇଁ ମେଣ୍ଟାଲ୍ କାଉନସେଲିଂ ସେଣ୍ଟର୍ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ମାଆର ଛାଟ’ ବା ମଦର୍ସ କୋର୍ଟ ନାମରେ ଏହି କେନ୍ଦ୍ରର ନାମକରଣ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ବିଶେଷ କରି ଛାଡ଼ପତ୍ର ରୋକିବା ପାଇଁ ସରକାର ଏହି ପନ୍ଥାକୁ ଆପଣେଇବେ। ଛାଡ଼ପତ୍ର ପୂର୍ବରୁ ଉଭୟ ପକ୍ଷଙ୍କୂ ଡାକି ଆଲୋଚନା କରିବେ କାଉନସିଲର। ସେମାନେ କାହିଁକି କେଉଁ ପରିସ୍ଥିତିରେ ଛାଡ଼ପତ୍ର ଦେବେ ତାହା ଜାଣିବା ପରେ ମାନସିକ ବିଶେଷଜ୍ଞ ବୁଝାଇବେ ଓ ଆଗକୁ ଉଭୟ ପକ୍ଷ ବୁଝାମଣା ସହ କିଭଳି ରହିବେ ସେଥିପାଇଁ ପରାମର୍ଶ ଦେବେ କାଉନସିଲର। ଏହି ଟିମରେ ମାନସିକ ରୋଗ ବିଶେଷଜ୍ଞ ଓ ସାମାଜିକ ପରାମର୍ଶଦାତା ରହିବେ।

ପ୍ରକାଶ ଥାଉ କି କମିଶନରେଟ ପୁଲିସ ପକ୍ଷରୁ ଏକ ସେଲ୍ ମଧ୍ୟ ଏ କ୍ଷେତ୍ରରେ କାମ କରୁଛି। ଉଭୟ ପକ୍ଷକୁ ଡାକି ବୁଝାମଣା କରୁଛନ୍ତି।

କିଛିଦିନର ବ୍ୟବଧାନ ପରେ ମହାକୁମ୍ଭରେ ପୁଣି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ସହରର ସବୁ ଗଳିକନ୍ଦିରେ ଗହଳି, ଭିଡର ଭୟଙ୍କର ସ୍ଥିତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କୁମ୍ଭ ମେଳରେ ଯିଏ ଯୁଆଡେ ପାରୁଛି ପଳାଉଛି, ଗାଡି ପୂରାଇ ଦେଉଛି। ସଙ୍ଗମସ୍ଥଳ ପାଇଁ ଅଲଗା ରାସ୍ତା କରାଯାଇଥିଲେ ବି କେହି ନିୟମ ମାନୁନାହାନ୍ତି। ଫଳରେ ପ୍ରୟାଗରାଜରେ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି।
ଲୋକେ କିଭଳି ଜଲଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ସେଥିପାଇଁ ଯିଏ ଯୁଆଡେ ପାଇଲା ପଳାଇଛନ୍ତି।
ମହାକୁମ୍ଭରେ ମହାଜାମ୍ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରକ୍ତି ଭାବ ପୋଷଣ କରିଛନ୍ତି। ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ଦାୟିତ୍ୱରେ ଥିବା ଦୁଇ ଆଇପିଏସ୍ ଅଫିସରଙ୍କୁ ଡାକି ଭୀଷଣ ଉଦବେଗ ପ୍ରକାଶ କରିଛନ୍ତି। ଯୋଗୀ ସେମାନଙ୍କୁ କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ବ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନମାନଙ୍କରେ ଆପଣ ଦାୟିତ୍ବହୀନ ଭାବେ କାମ କରିଛନ୍ତି ଯାହାର ପରିଣାମ ଭୋଗିବାକୁ ପଡିବ। ତାସହ ମହାକୁମ୍ଭର ବଡବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ।

ରାଜଧାନୀର ବରଗଡ଼ ଥାନା ଅନ୍ତର୍ଗତ ସାଇ ମନ୍ଦିର ନିକଟରେ ଏକ ବାଇକକୁ କାର ଧକ୍କା ଦେବା ଫଳରେ ବାଇକରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ନେବାରୁ ଜଣାପଡ଼ିଛି ଯେ, ରାତି ପ୍ରାୟ ୨ଟା ବେଳେ ଏକ ହରୀୟର କାରଟି ଦ୍ରୁତ ବେଗରେ ଜଗତସିଂହପୁରରୁ ପୁରୀ ଅଭିମୁଖେ ଆସୁଥିଲା। ରଙ୍ଗ ରୁଟରେ ଯାଉଥିବା ବାଇକକୁ ଧକ୍କା ଦେବା ଫଳରେ ୩ ଜଣ ବାଇକ୍ ଚାଳକ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ମେଡ଼ିକାଲ ନେବା ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କାର ଚାଳକଙ୍କୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ଚଳକଙ୍କୁ ଅଟକ ରଖି ପଚରାଉଚରା କରୁଥିବା କହିଛନ୍ତି ଥାନା ଅଧିକାରୀ ତୃପ୍ତି ନାୟକ। ସିସିଟିଭି ଯାଞ୍ଚ ସହ ପୁରା ଘଟଣାର ତଦନ୍ତ କରୁଛି ବଡଗଡ଼ ଥାନା ପୁଲିସ।

ଗତ କିଛିଦିନ ଧରି ବିଶ୍ଵ ବଜାରରେ ସୁନାଦର ବଢି ଚାଲିଥିବା ବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଛି।

ମଙ୍ଗଳବାର ପୂର୍ବାହ୍ନରେ ଏହାର ଦାମ୍ ୨୨ ହଜାର ୬୦୦ ଟଙ୍କା ଛୁଇଁଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ୮୭ ହଜାର ୯୩୦ ଟଙ୍କା ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି।
ସୁନାଦର ବୃଦ୍ଧି ସାଙ୍ଗକୁ ରୁପା ଦର ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଯଦିବା ଗତ ୫ ଦିନରେ ରୁପା ଦରରେ ପରିବର୍ତ୍ତନ ହୋଇନାହିଁ ଭୁବନେଶ୍ବରରେ ରୁପା କିଲୋ ପ୍ରତି ଦର ରହିଛି ୧ ଲକ୍ଷ ୭ ହଜାର ଟଙ୍କା।
ପ୍ରକାଶ ଥାଉ କି କେନ୍ଦ୍ର ସରକାରଙ୍କ ବଜେଟ୍‌ ଘୋଷଣା ପରେ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା, ମେକ୍ସିକୋ ଓ ଚୀନ୍‌ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦର ବୃଦ୍ଧି ପରେ ବଢ଼ିଚାଲିଛି ସୁନାଦର। ବିଶେଷକରି ଭାରତ ଭଳି ଦେଶ ଏଥିରେ ଅଧିକ ପ୍ରଭାବିତ ହୋଇଛି। ତେବେ ଵିଵାହ ଋତୁ ଥିବାରୁ ଭାରତରେ ଏହା ଅଧିକ ପ୍ରଭାବିତ କରିଛି।

ଏ କଥାଟି କହିବାର ଉଦ୍ଦେଶ୍ୟ ହେଉଛି, ଯଦି କେବେ ନିଜ ପ୍ରତି ବିତୃଷ୍ଣା ଆସୁଛି, କିଛି ବଡ଼ ନିଷ୍ପତ୍ତି ନେବା ଆଗରୁ କିଛି କ୍ଷଣ ଚୁପ୍ ହୋଇ ଯାଆନ୍ତୁ। ଦେଖିବେ, ସବୁ ବଦଳି ଯାଇପାରେ। ଏକ ନୂଆ ଜୀବନର ଅନୁସନ୍ଧାନ ଆପଣ ପାଇପାରନ୍ତି।

ଏଥର ଆମେ ଆଧ୍ୟାତ୍ମିକ ଗୁରୁ ୟୁ.ଜି.କ୍ରିଷ୍ଟମୂର୍ତ୍ତିଙ୍କର ଗୋଟିଏ ଗପ ଶୁଣିବା। ଜଙ୍ଗଲରେ ଗୋଟିଏ ଦୁର୍ବଳ ହରିଣ ରହୁଥିଲା। ସେ ଅନ୍ୟମାନଙ୍କ ପରି ଚଲାବୁଲା କରିପାରୁ ନଥିଲା। ଦୌଡ଼ି ପାରୁନଥିଲା। ବେଳକୁବେଳ ସେ ହତାଶ ହୋଇଉଠୁଥିଲା। ଭାବୁଥିଲା, ବୋଧହୁଏ ତା’ ଜୀବନର ଆଉ କୌଣସି ମୂଲ୍ୟନାହିଁ। ସେ ବଞ୍ଚô ରହି କ’ଣ କରିବ? ଏହା ଭାବି ସେ ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଲା। ତଳକୁ ଖସୁଥିବା ବେଳେ ବଣୁଆ ଲଟାରେ ତା’ର ଶିଙ୍ଗ ଗୁଡ଼େଇ ହେଇଗଲା ଆଉ ସେ ତଳେ ନ ପଡ଼ି ଗଛରେ ଝୁଲି ରହିଲା। ସେଇ ଗଛ ମୂଳରେ ଶୋଇଥିଲା ଏକ ଭୟଙ୍କର ଚିତାବାଘ। ଗଛରୁ ତଳକୁ ଝୁଲି ରହିଥିବା ହରିଣଟି ଏହା ଦେଖି ଡରିଗଲା । ଭାବିଲା, ନିଦ ଭାଙ୍ଗିବା ମାତ୍ରେ ବାଘ ତାକୁ ଖାଇଦବ। ତେଣୁ ସେ ସେଠାରୁ କେମିତି ମୁକୁଳିବ ସେଇ ଚେଷ୍ଟା ଆରମ୍ଭ କରିଦେଲା।
ଯେଉଁ ହରିଣ ଟିକକ ଆଗରୁ ମରିବ ବୋଲି ପାହାଡ଼ରୁ ତଳକୁ ଡେଇଁ ପଡ଼ିଥିଲା ସେହି ହରିଣ ଏବେ ବାଘ କବଳରୁ ନିଜକୁ ବଞ୍ଚାଇବା ଲାଗି ସଂଘର୍ଷ କରିବା ଆରମ୍ଭ କରିଦେଇଥିଲା। କାରଣ ସମୟ ବଦଳି ଯାଇଥିଲା। ପରିସ୍ଥିତି ବଦଳିଯାଇଥିଲା। ଟିକକ ଆଗରୁ ମୂଲ୍ୟହୀନ ଲାଗୁଥିବା ଜୀବନ ବି ତା’ ଲାଗି ମୂଲ୍ୟବାନ ହୋଇଉଠିଥିଲା। ସେ ଜୀବନର ମୂଲ୍ୟ ବୁଝିପାରିଥିଲା।

– ରାଜେନ୍ଦ୍ର

ୟୁଟ୍ୟୁବ୍‌ରେ ପ୍ରସାରିତ ଏକ କମେଡି ସୋ’କୁ ଯାଇ ପଚାରିଥିବା ଅଶାଳୀନ ପ୍ରଶ୍ନ ପାଇଁ ଏବେ ଅଡ଼ୁଆରେ ପଡ଼ିଛନ୍ତି ଲୋକପ୍ରିୟ ୟୁଟ୍ୟୁବର୍ସ ରଣବୀର ଆଲ୍ଲାହାବାଦିଆ। ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ଏମିତି କି ତାଙ୍କ ବିରୋଧରେ ମାମଲା ପାଇଁ ଧମକ ଦିଆଯିବା ପରେ ସାଧାରଣରେ କ୍ଷମା ମାଗିଛନ୍ତି ରଣବୀର।
ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି, ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ରେ ମୁଁ ଯାହା କହିଥିଲି ତାହା କହିବା ଉଚିତ୍‌ ନ ଥିଲା। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ସୋ’ ପ୍ରସାରଣ ବେଳେ ଯାହା ଘଟିଲା ତାହା ଯଥାର୍ଥତା ବୋଲି ଆଦୌ କହିବି ନାହିଁ। ଏପରିସ୍ଥଳେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରଣବୀର୍‌। ଆଗାମୀ ଦିନରେ ଏଭଳି ଭୁଲ ନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।  ଭିଡିଓରୁ ମୋର ଅସମ୍ମାନଜନକ ପ୍ରଶ୍ନକୁ ହଟାଇବା ପାଇଁ ମୁଁ ଭିଡିଓର ନିର୍ମାତାଙ୍କୁ ଅନୁରୋଧ କରିଛି ଏବଂ ଶେଷରେ ମୁଁ କେବଳ ଏତିକି କହିପାରିବି ଯେ ମୁଁ ଦୁଃଖିତ। ମୁଁ ଆଶା କରୁଛି ଆପଣମାନେ ଜଣେ ଭଲ ମଣିଷ ଭାବରେ ମୋତେ ମୋତେ କ୍ଷମା କରିବେ ବୋଲି ସେ କହିଛନ୍ତି।
ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୃମି ନାଶକ ଔଷଧ ଖାଇ ୨୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ୬ ଜଣ ଛାତ୍ରୀ ରହିଥିବା ବେଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡ଼ାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା କରାଯାଇ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ଅପରପକ୍ଷେ ମେଡିକାଲ କର୍ତ୍ତୃପକ୍ଷଙ୍କ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ପ୍ରକାଶ ଥାଉ କି ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଇଥିଲା। ତେବେ ଔଷଧ ଖାଇବାର ୨ ଘଣ୍ଟା ପରେ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।
ସେହିଭଳି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଥାନେଶ୍ୱରସ୍ଥିତ ବିଦ୍ୟାଳୟରେ କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଚିିକିତ୍ସା ପାଇଁ ସେମାନଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱରସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯିବା ସମୟରେ ଏଭଳି ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା।

କଥାରେ ଅଛି ଷଣ୍ଢ, ମାଇଲେ ମଲ, ଷଣ୍ଢ ମାଇଲେ ମଲ। ଅର୍ଥାତ୍‌ ଷଣ୍ଢକୁ ଯଦି କିଏ ମାରେ ଯେ ଯେତିକି ଅସୁବିଧାରେ ପଡେ଼ ଷଣ୍ଢ ଯଦି କାହାକୁ ମାରିଦିଏ ତେବେ ସେ ବି ମୃତ୍ୟୁବରଣ କରେ। ଏବେ ଏଭଳି ଏକ ପରିସ୍ଥିତି ଦେଖାଦେଇଛି ଭୁବନେଶ୍ୱର ବରିମୁଣ୍ଡ ଅଞ୍ଚଳର ରୋକଟ ଗ୍ରାମରେ।
ଅଞ୍ଚଳରେ ଗତ କିଛିଦିନ ଧରି ଏକ ଶଣ୍ଢ ଉତ୍ପାତ କରୁଥିଲା। ଯେଉଁଥିରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିଲେ। କ୍ଷେତ ନଷ୍ଟ କରିବାଠାରୁ ଆରମ୍ଭ କରି ଯାହାକୁ ଦେଖୁଥିଲା ମାରିବାକୁ ଗୋଡ଼ାଉଥିଲା। ଗତକାଲି ଷଣ୍ଢଟି ସ୍ଥାନୀୟ ରୋକଟର ହେମଲତା ଦାସ ନାମ୍ନୀ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏମିତି କି ଷଣ୍ଢଟିକୁ କାବୁ କରିବା ପାଇଁ ରାସ୍ତାରେ ମହିଳାଙ୍କ ମୃତଦେହ ରଖି ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଥିଲେ ଏବଂ ଆଜି ରାସ୍ତାରୋକ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସ୍ୱେଚ୍ଛାସେବାମାନେ ମିଶି ଷଣ୍ଢକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୫ ଘଣ୍ଟାର ଉଦ୍ୟମ ପରେ ଲୋକେ ଷଣ୍ଢକୁ କାବୁ କରିଥିଲେ। ହେଲେ କାବୁ ହେବା ସମୟରେ ଷଣ୍ଢଟିର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଞ୍ଚଳବାସୀ ପୂଜାର୍ଚ୍ଚନା କରି ଷଣ୍ଢଟିର ଅନ୍ତିମ ସଂସ୍କାର କରିଛନ୍ତି।

ଦୀର୍ଘଦିନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି। ସେହିଭଳି ଭାରତ – ଇଂଲଣ୍ଡ ସିରିଜ୍ ୨.୦ ପଏଣ୍ଟରେ ଆଗୁଆ ଅଛି। ଏପରିସ୍ଥଳେ ଗତକାଲି ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଯିବା ଓ ଦୀର୍ଘ ଅଧା ଘଣ୍ଟା କାଳ ଷ୍ଟାଡିୟମ୍ ଅନ୍ଧାର ରହିବା ଘଟଣା ପାଇଁ ବିଶ୍ଵସ୍ତରରେ ବାରବାଟୀକୁ ନିନ୍ଦିତ ହେବାକୁ ପଡ଼ିଛି।

ସରକାର ଓ ଓସିଏର ଅବ୍ୟବସ୍ଥା ଓ ଦାୟିତ୍ୱହୀନତାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। କେବଳ ଭାରତ ନୁହେଁ ପାକିସ୍ତାନ ଓ ଅନ୍ୟ ଦେଶରେ ଏହାକୁ ନେଇ ଭାରତକୁ ଲଜ୍ଜିତ ହେବାକୁ ପଡ଼ିଛି। ବିଜେଡି ଅଭିଯୋଗ କରିଛି ସରକାର କିଭଳି ଶାସକ ଦଳର କର୍ମୀଙ୍କୁ ପାସ୍ ଦିଆଯିବ ସେଥିପ୍ରତି ଅଧିକ ସଜାଗ ରହିଲେ। ସୁରକ୍ଷା ଓ ସୁବ୍ୟବସ୍ଥା କଥା ଭୁଲିଗଲେ। ବିଜେଡି ନେତା ଲେନିନ ମହାନ୍ତି ଏଥିପାଇଁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ନେତା ତଥା ବିଧାୟକ ତାରା ବାହିନୀପତି କହିଛନ୍ତି ଏହା ଓଡ଼ିଶା ଅସ୍ମିତା ପ୍ରତି ଅଭିଶାପ।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ଓସିଏ ନୁହେଁ, ବାରବାଟୀ ଦାୟିତ୍ବ ବିଜେପି ନେଇଥିଲା ବୋଲି କହିଛନ୍ତି। ଏ ନେଇ ବିସିସିଆଇ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବହୁ ବରିଷ୍ଠ କ୍ରୀଡାବିତ୍ ତଥା କ୍ରୀଡ଼ା ସମୀକ୍ଷକ ମତ ଦେଇଛନ୍ତି।

ସବୁଠାରୁ ବଡ କଥା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଜେନେରେଟର ଆସିବା ବାଟରେ ବସ୍ ରହି ଯାଇଥିବାରୁ ଫ୍ଲଡ ଲାଇଟ୍ ମରାମତିରେ ବିଳମ୍ବ ହୋଇଛି। ଯଦିବା ଏ ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ସରକାର ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ ୧୦ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବାରମ୍ବାର ସମୀକ୍ଷା କରିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା ଓ ସରକାର କାହାକୁ ଦାୟୀ କରିବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ।

ତିରୁପତି ଶ୍ରୀଭେଙ୍କଟେଶ୍ୱର ମନ୍ଦିର ଲଡୁରେ ଅପମିଶ୍ରଣ ନେଇ ବିବାଦ ଘଟଣାରେ ସିବିଆଇ ପକ୍ଷରୁ ଗଠିତ ଏସଆଇଟି ୪ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିମାନେ ହେଲେ ଭୋଲେ ବାବା ଡାଇରୀର ପୂର୍ବତନ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବୀ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡାଏରୀର ରାଜୁ ରାଜଶେଖରନ। ଏସଆଇଟି ପକ୍ଷରୁ କୁହାଯାଇଛି ଯେ, ବୈଷ୍ଣବୀ ଡାଇରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ ଏବଂ ଟେଣ୍ଡର ପ୍ରକ୍ରିୟାକୁ ହେରଫେର କରିବା ପାଇଁ ନକଲି ରେକର୍ଡ ମଧ୍ୟ ପ୍ରସ୍ତୁତ କରିବାରେ ସଂପୃକ୍ତ ଥିଲେ।
ଏସଆଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଷ୍ଣବୀ ଡାଏରୀ ଦାବି କରିଥିଲା ​​ଯେ ଭୋଲେ ବାବା ଡାଏରୀରୁ ଘିଅ ଆଣୁଛି। କିନ୍ତୁ ବୈଷ୍ଣବୀ ଡାଏରୀର ତିରୁମାଲା ତିରୁପତି ଦେବସ୍ଥାନମର ଚାହିଦା ପୂରଣ ଘିଅ ଯୋଗାଣ କରିବାର କ୍ଷମତା ନାହିଁ। ଯେଉଁଥିରୁ ଖିଅ ବାହାର କରି ଅନୁସନ୍ଧାନ କରାଯାଇଥିଲା ଓ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଥାଉ କି ତିରୁପତି ମନ୍ଦିରରେ ପ୍ରସାଦ ଲାଗି ହେଉଥିବା ଲଡୁରେ ଚର୍ବି ଭାଗ ରହିଥିବା ନେଇ ଏକ ପରୀକ୍ଷାରୁ ଜଣାପଡିଥିଲା। ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ପୂର୍ବ ଜଗନମୋହନ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।  ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଏସଆଇଟି ଗଠନ କରାଯାଇଥିଲା। ଯେଉଁଥିରେ ସିବିଆଇର ୨ ଜଣ ଅଧିକାରୀ, ୨ ଜଣ ଆନ୍ଧ୍ର ପ୍ରଦେଶ ସରକାରୀ ଅଧିକାରୀଙ୍କ ସମେତ ଜଣେ ଏଫଏସଏସଏଆଇର ପ୍ରତିନିଧି ରହିଥିଲେ।