ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଆଦାନିଙ୍କ ସାନ ପୁଅ ଜିତଙ୍କ ବିବାହରେ ଅତିଥି ଭାବେ ଏଲୋନ ମସ୍କଙ୍କଠାରୁ ଆରମ୍ଭ କରି ବିଲ ଗେଟ୍ସଙ୍କ ପରି କଳାକାର ସାମିଲ ହୋଇପାରନ୍ତି। କିନ୍ତୁ ନିରାଡମ୍ବର ଭାବେ ହେଲା ଆଦାନୀଙ୍କ ସାନ ପୁଅ ବାହାଘର।
କୋଟିପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଶୁକ୍ରବାର ମଙ୍ଗେତର ଦିବା ଶାହଙ୍କୁ ବିବାହ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜିତଙ୍କ ବିବାହ ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି ପିତା ଗୌତମ ଆଦାନୀ।
ଶାନ୍ତିଗ୍ରାମରେ ଜୈନ ପରମ୍ପରା ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ଉତ୍ସବରେ ବହୁତ କମ୍ ସଂଖ୍ୟକ ପରିବାର ଏବଂ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। କୌଣସି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ବିବାହ ଉତ୍ସବରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପତ୍ନୀ ପ୍ରିତି ଆଦାନୀ ଉପସ୍ଥିତ ଥିଲେ।
ତାଙ୍କ ନିକଟତମ ସୂତ୍ର କହିଛନ୍ତି ଯେ ସେ ଯେଉଁ ୧୦,୦୦୦ କୋଟି ଟଙ୍କା ପ୍ରତିଶ୍ରୁତି ଦେଇଥିଲେ ତାହା ସୁଲଭ ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ମେଡିକାଲ କଲେଜ, ସୁଲଭ ଉଚ୍ଚସ୍ତରୀୟ କେ-୧୨ ସ୍କୁଲ ଏବଂ ନିଶ୍ଚିତ ନିଯୁକ୍ତି ସୁଯୋଗ ସହିତ ଉନ୍ନତ ବିଶ୍ୱସ୍ତରୀୟ ଦକ୍ଷତା ଶିକ୍ଷାନୁଷ୍ଠାନର ଏକ ନେଟୱାର୍କ ସୃଷ୍ଟି କରିବାରେ ବ୍ୟବହାର କରାଯିବ।
ଏସିଆର ଦ୍ୱିତୀୟ ସବୁଠାରୁ ଧନୀ ଆଦାନୀଙ୍କ ଦୁଇଟି ପୁଅ ହେଉଛନ୍ତି କରଣ ଓ ଜିତ। କରଣ ଓକିଲ ପରିଧିଙ୍କୁ ବିବାହ କରିଛନ୍ତି। ସେହିଭଳି ଆଦାନୀଙ୍କ ଦ୍ଵିତୀୟ ପୁଅ ଜିତ୍ ଜଣେ ହୀରା ବ୍ୟବସାୟୀଙ୍କ ଝିଅକୁ ବିବାହ କରିଛନ୍ତି। ଜିତଙ୍କ ପତ୍ନୀ ଦିବା ଜୈମିନ ଶାହ ହେଉଛନ୍ତି ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ, ଯିଏ ସି ଦିନେଶ ଆଣ୍ଡ କୋ ପ୍ରାଇଭେଟ ଲିମିଟେଡର ସହ-ମାଲିକ ମଧ୍ୟ ଅଟନ୍ତି। ତାଙ୍କର ହୀରା ଉତ୍ପାଦନ ଫାର୍ମର ମୁମ୍ବାଇ ଏବଂ ସୁରଟରେ ବ୍ୟବସାୟ ଅଛି।



