ଜୀବନରେ କେବେକେବେ ଏପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ଆସେ ଯେତେବେଳେ ଲାଗେ ଜୀବନ ସେଇଠୁ ସରିଗଲା । ଆଗକୁ ଆଉ ରାସ୍ତା ନାହିଁ । ହେଲେ ଯିଏ ସେଇଠି ଅଟକି ନ ଯାଇ ପୁଣିଥରେ ନିଜର ରାସ୍ତା ତିଆରିକରେ ସେହି ବିଜୟସ୍ଥଳ ନିକଟକୁ ଯାଇପାରେ।
ସାର ଆଇଜାକ୍ ନ୍ୟୁଟନ ସେତେବେଳେ ‘କର୍ପସ୍କୁ୍ୟଲାର ଥିଓରୀ ଅଫ୍ ଲାଇଟ୍’କୁ ଥେସିସ୍ ପ୍ରସ୍ତୁତ କରୁଥାନ୍ତି। ଥେସିସ୍ ଲେଖିବା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଥାଏ । ଟେବୁଲ ଉପରେ ଥେସିସର କାଗଜ ସବୁ ରହିଥାଏ। ପାଖରେ ଲ୍ୟାମ୍ପଟିଏ ମଧ୍ୟ ଥାଏ। ଘର ଭିତରେ ଶୋଇଥାଏ ତାଙ୍କର ପିୟ କୁକୁର ଡାଏମଣ୍ଡ। ନ୍ୟୁଟନ୍ ସାମୟିକ ବିରତି ନେଇ ବାହାରକୁ ବୁଲିବା ଲାଗି ଚାଲିଗଲେ। ଏତିକି ବେଳେ କୁକୁର ଡାଏମଣ୍ଡ କୁଦାମାରି ଟେବୁଲ ଉପରକୁ ଚଢ଼ିଗଲା। ଡାଏମଣ୍ଡର ଗୋଡ଼ ବାଜି ଲାମ୍ପଟି ଗଡ଼ିପଡ଼ିଲା ଆଉ ନ୍ୟୁଟନ ରଖିଥିବା କାଗଜପତ୍ରରେ ନିଆଁ ଲାଗି ଯାଇଥିଲା। ନ୍ୟୁଟନ ଫେରିବା ବେଳକୁ ସବୁକିଛି ଜଳି ପାଉଁଶ ହୋଇସାରିଲାଣି। ନ୍ୟୁଟନଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା। ସେ ଭାବିଲେ, ଏଇକ୍ଷଣୀ ଡାଏମଣ୍ଡକୁ ଗୁଳି କରି ମାରିଦେବେ। ପରମୁହୂର୍ତ୍ତରେ ସେ ନିଜକୁ ଶାନ୍ତକଲେ ଆଉ ଡାଏମଣ୍ଡକୁ ପାଖକୁ ଡାକି କହିଲେ, ତୁ କ’ଣ ଜାଣିଛୁ ତୁ ମୋର କେତେବଡ଼ କ୍ଷତି କରିଛୁ ? ହେଲେ ମୁଁ ଏଇଠି ଅଟକିବିନି। ଆଗକୁ ଯିବି। କହିବା ବାହୁଲ୍ୟ, ନ୍ୟୁଟନ ପୁଣିଥରେ ଥେସିସ୍ ପ୍ରସ୍ତୁତ କଲେ ଆଉ ତାହା ହିଁ ତାଙ୍କୁ ବିଶ୍ୱରେ ପ୍ରସିଦ୍ଧି ଆଣିଦେଲା।
-ରାଜେନ୍ଦ୍ର


