କଟକ ଭୁବନେଶ୍ବରରେ ଘନ କୁହୁଡି। ଦିନରେ ତାପମାତ୍ରା ବଢୁଛି।

ଭୋରରୁ ଭୋରରୁ କଟକ ଭୁବନେଶ୍ବରରେ ପରିଲକ୍ଷିତ ହୋଇଛି ଘନ କୁହୁଡ଼ି। ଫଳରେ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖିବା ଅସମ୍ଭବ ହୋଇପଡିଛି। ଗତକାଲି ବିଳମ୍ବତ ରାତିରେ ରାଜଧାନୀ ଓ କଟକରେ ଏହି କୁହୁଡି ପରିଲକ୍ଷିତ ହୋଇଥିଲେ ମଧ୍ୟ ଭୋରରୁ ଏହା ଘନ କୁହୁଡିରେ ପରିଣତ ହୋଇଥିଲା। ତେବେ ପାଣିପାଗ ବିଭାଗର କହିବାନୁଯାୟୀ ଆଉ କିଛି ଦିନ ପର୍ଯ୍ୟନ୍ତ କୁହୁଡି ଦେଖାଦେବାର ସମ୍ଭାବନା ରହିଛି।
ଅପରପକ୍ଷେ ଗତ ଦୁଇରୁ ତିନିଦିନ ଧରି ଦିନବେଳା ତାପମାତ୍ରାରେ ଅଚାନକ ପରିବର୍ତ୍ତନ ଆସିଛି। ପୂର୍ବାପେକ୍ଷା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ବୁଧବାର ରାଜ୍ୟର ଅନେକ ସହରର ଦିନବେଳା ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସୁନ୍ଦରଗଡର ସର୍ବାଧିକ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟର ତାପମାତ୍ରା ୩୨.୨, ଝାରସୁଗୁଡ଼ା, ବରଗଡର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ବରରେ ତାପମାତ୍ରା ୩୧.୯ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶା ଉପରେ ଏକ ଗୁରୁଚାପର ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଆସୁ ନ ଥିବାରୁ ଆକାଶ ନିର୍ମଳ ରହିଛି। ଫଳରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ପୃଥିବୀ ଉପରେ ପଡୁଛି ଓ ତାପମାତ୍ରା ବୃଦ୍ଧି ପାଇଛି।

ଆରିଷ୍ଟୋଟଲ କିଛିଦିନ ଧରି ଚିନ୍ତାରେ ରହୁଥିଲେ । କାହା ସହ ମିଶୁ ନ ଥିଲେ କି କଥା ହେଉ ନ ଥିଲେ । କହୁଥିଲେ: ମୋତେ ଡିଷ୍ଟର୍ବ କରନାହିଁ । ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଭାବୁଛି। ବାସ୍ତବରେ ସେ ଏ ବିଶାଳ ବ୍ରହ୍ମାଣ୍ଡ କଥା ଚିନ୍ତା କରୁଥିଲେ। ହେଲେ ତା’ର କିଛି କୁଳକିନାରା ପାଉ ନ ଥିଲେ।

ଆରିଷ୍ଟୋଟଲ ଦିନେ ଚିନ୍ତାମଗ୍ନ ହୋଇ ବେଳାଭୂମିରେ ବୁଲୁଥିବା ସମୟରେ ଜଣେ ଲୋକକୁ ଦେଖି ସେ ଅଟକି ରହିଗଲେ। ଦେଖିଲେ, ଲୋକଟି ସମୁଦ୍ର ଭିତରକୁ ପଶିଯାଉଛି । ସେଠାରୁ ଗୋଟିଏ ଚାମଚରେ ଚାମୁଚେ ପାଣି ଆଣି ଗୋଟିଏ ଗାତରେ ଢାଳିଦେଉଛି । ସେ ବାରମ୍ବାର ସେଇ କାମ କରିଚାଲିଛି। ଆରିଷ୍ଟୋଟଲଙ୍କର କୌତୂହଳ ବଢ଼ିଲା। ସେ ଲୋକଟିକୁ ପଚାରିଲେ: ତମେ ଏଠି କ’ଣ କରୁଛ? ଲୋକଟି କହିଲା- ମୋତେ ଡିଷ୍ଟର୍ବ କରନା । ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରୁଛି । ଆରିଷ୍ଟୋଟଲ କହିଲେ- ସେହି ଗୁରୁତ୍ୱପୂର୍ଣ୍ଣ କାମଟି କ’ଣ ? ଲୋକଟି କହିଲା- ମୁଁ ସମୁଦ୍ରକୁ ଆଣି ଏଇ ଗାତ ଭିତରେ ରଖିଦେବି। ଆରିଷ୍ଟୋଟଲ ହସିଲେ ଆଉ କହିଲେ- ଲାଗୁଛି ତମେ ପାଗଳ ହେଇଯାଇଛ। ଏତେ ବଡ଼ ସମୁଦ୍ର । ଏତେ ପାଣି । ତୁମେ ତୁମ ଚାମଚରେ ପାଣି ଆଣି ଏଇ ଛୋଟିଆ ଗାତ ଭିତରେ ରଖିଦେଇ ପାରିବ? ଲୋକଜଣକ କହିଲା- କାହିଁକି ପାରିବିନି।  ଆମ ରାଜ୍ୟର ଆରିଷ୍ଟୋଟଲ ତ ଏତେବଡ଼ ବ୍ରହ୍ମାଣ୍ଡର ରହସ୍ୟକୁ ତାଙ୍କ ଛୋଟିଆ ମୁଣ୍ଡ ଭିତରେ ପୂରେଇବାକୁ ଚେଷ୍ଟା କରୁଛନ୍ତି । ସେ ଯଦି ପାରିବେ ମୁଁ ପାରିବିନି କ’ଣ ପାଇଁ? ଆରିଷ୍ଟୋଟଲ ଚମକି ଉଠିଲେ । ଭାବିଲେ, କିଏ ଏଇ ଲୋକ? ସେ ଲୋକଜଣକ ଥିଲେ ତାଙ୍କର ଘନିଷ୍ଠ ବନ୍ଧୁ ଦାର୍ଶନୀକ ହେରାକ୍ଲିଟିଅସ୍। ନିଜ ବନ୍ଧୁଙ୍କୁ ଜ୍ଞାନ ଦେବା ଲାଗି ସେ ଏପରି ଏକ ନାଟକ କରିଥିଲେ।

– ରାଜେନ୍ଦ୍ର

ନିଆଁଖୁଣ୍ଟା, ଦୁର୍ମୁଖ ଓ ନିର୍ଭିକ ପରି ପତ୍ରପତ୍ରିକାର ଏଜେନ୍ସି ନେଇ ଏହାକୁ ଗ୍ରାହକମାନଙ୍କ ନିକଟରେ ଖବର ପହଞ୍ଚାଉଥିଲେ ନବକିଶୋର। ପତ୍ରିକା ବାଣ୍ଟୁବାଣ୍ଟୁ ନବକିଶୋର ଖବର ସଂଗ୍ରହ ଶିିଖିଥିଲେ। ସକାଳେ ଖବର କାଗଜ ବିକୁଥିବା ସମୟରେ ସଞ୍ଜରେ ନବକିଶୋର ଖବର ଲେଖୁଥିଲେ ନବ।

ବିରିଡ଼ିର ତତ୍କାଳୀନ ବ୍ୟବସାୟୀ ରାଜୁରାଓ ଦୋରା ରାଜନେତା, ପ୍ରଶାସନ ଓ ଅପାରଧୀମାନଙ୍କୁ ଟଙ୍କାଦେଇ ବିଭିନ୍ନ କଳାଧନ୍ଦା ଓ ଜାଲି ବେପାର କରୁଥିଲା। ସେ ସିମେଣ୍ଟରେ ପାଉଁସ, ଚାଉଳରେ ଗୋଡ଼ି ସମେତ ସାର ଓ ଅନ୍ୟାନ୍ୟ ଦ୍ରବ୍ୟରେ ଅପମିଶ୍ରଣ କରି ବିକ୍ରୟ କରୁଥିଲା। ନବ ଏହି ଖବର ଛାପିବାପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିିଲା।  ରାଜୁରାଓ ଦୋରାର ଯାବତୀୟ କଳାଧନ୍ଦାର କାର୍ପଟେଦାର ଥିବା ବିରିଡ଼ି ବ୍ଲକର ତକ୍ରାଳୀନ ଶାସକ ଦଳର ସଭାପତି  ଦିବାକର ମହାନ୍ତି ଓ କାର୍ଯ୍ୟକାରୀ ସଂପାଦକ ନନ୍ଦ ମହାନ୍ତି ନବକିଶୋରଙ୍କୁ ରାଜୁ ବିରୋଧରେ ନ୍ୟୁଜ ନ କରିବାକୁ ଚେତାବନୀ ଦେଇଥିଲେ। ମାତ୍ର ନବକିଶୋର ସେମାନଙ୍କ କଥା ଶୁଣି ନ ଥିଲେ। ଏଥିିପାଇଁ ସେମାନେ ଲୋକ ପଠାଇ ନବଙ୍କ ଘରୁ ବିଭିନ୍ନ ଜିନିଷ ନେଇଯାଇଥିଲେ। ନବକିଶୋର ଏହା ବିରୋଧରେ ପୁଲିସରେ ଏତଲାଦେବାରୁ ଦଳୀୟକର୍ମୀ ମାଧବ ତନ୍ତୀ, ଗୁଡ଼ିଆ ବାରିକ, ବାବାଜୀ ମହାରଣା ଗିରଫ ହୋଇ ଜେଲଯିବା ସହିତ ପରେ ଜାମିିନରେ ଆସିଥିଲେ।

୧୯୮୦ ଅକ୍ଟୋବର ୩ ତାରିଖରେ କଟକ ଦୁର୍ମୂଖ ଅଫିସରେ କାମ ଥିବାରୁ ଉଭୟ ନବ ଓ ଛବି ସକାଳୁ କଟକ ଅଭିମୁଖେ ବାହାରିଥିଲେ। ସେମାନେ ସକାଳ ୬.୩୦ରେ ନିକଟସ୍ଥ ଜଳଖିଆ ଦୋକାନରେ ଖାଉଥିବା ସମୟରେ ସେଠାରେ ନକୁଳ ବେହେରା,  ବଗ ତନ୍ତୀ, କେଳୁ ଦାସ, ମାଧବ ତନ୍ତୀ  ଓ ବାବାଜୀ ମାଣିଆ ପହଞ୍ଚି ସ୍ଥାନୀୟ ରାଜନେତା ନନ୍ଦ ମହାନ୍ତିଙ୍କୁ ଭେଟିବାକୁ କହିଲେ। ନ ହେଲେ  ପରିସ୍ଥିତି ଖରାପ ହେବ ବୋଲି ସେମାନେ ଚେତାବନୀ ଦେଲେ। ସେମାନେ ସେହିଦିନ କଟକ ନ ଯାଇ ଘରକୁ ଫେରି ଆସିଲେ।

ପରେ ସୁଧୀର ପରିଡ଼ା ଓ ମଦମାଫିଆ ବୀର ମାଣିଆ ନବଙ୍କୁ ବିରିଡ଼ି ବ୍ଲକ ଦଳୀୟ କାର୍ଯ୍ୟାଳୟକୁ ଡାକି ନେଇଥିଲେ। ଦଳୀୟ ଲୋକଙ୍କ ବିରୋଧରେ କାହିଁକି ଚୋରି ଅଭିଯୋଗ କଲୁ ବୋଲି କହି ନବକିଶୋରଙ୍କୁ ମାଡ଼ ମାରିଥିଲେ ବ୍ଲକ୍‌ର ଦଳୀୟ ସମ୍ପାଦକ ନନ୍ଦ ମହାନ୍ତି। ଦଳୀୟ କାର୍ଯ୍ୟାଳୟରେ ନବକିଶୋରଙ୍କୁ ପୂରାଇ ବାହାରୁ କବାଟଦେଇ ମଧ୍ୟାହ୍ନରେ ସମସ୍ତେ ଖାଇବାକୁ ଚାଲିଯାଇଥିଲେ। ଦ୍ୱିପ୍ରହରେ ନନ୍ଦ ମହାନ୍ତି ପହଞ୍ଚିବା ପରେ ନବକିଶୋର ତାଙ୍କ ଗୋଡ଼ହାତ ଧରି ସେଠାରୁ ମୁକୁଳିଥିଲେ ମଧ୍ୟ, ତାଙ୍କୁ ସେହିଦିନ ବିରିଡ଼ି ଛାଡ଼ି ଚାଲିଯିବାକୁ ନନ୍ଦ ମହାନ୍ତି କଡ଼ା ଚେତାବନୀ ଦେଇଥିଲେ।  ନବକିଶୋର ନିଜ ପତ୍ନୀ ଛବିରାଣୀ ଓ ୬ମାସର ପୁଅ ସହିତ ଘର ଛାଡ଼ିଥିଲେ। ଗାଁରୁ ବାହାରକୁ ଯିବାକୁ ବିଲୁଆଖାଇ ନଦୀପଠା ପର୍ଯ୍ୟନ୍ତ ବୀରମାଣିଆ, ବାବାଜୀମାଣିଆ, ବଗ ତନ୍ତୀ, ମାଧବ ତନ୍ତୀ, ସୁରେନ୍ଦ୍ର ବାରିକ, କେଳୁଦାସ, ରାଜୁଦୋରା ଓ ଦିବାକର ନାଏକ ସେମାନଙ୍କୁ ଅନୁସରଣ କରିଥିଲେ। ଏହା ପରେ କଣ ହେଲା ଆମେ ପରବର୍ତ୍ତୀ ଭାଗରେ ଜାଣିବା।

(କ୍ରମଶଃ)

ଗୁଜବ କେତେ ଭୟଙ୍କର ହୋଇପାରେ ତାହା ଆକଳନ କରିବା ଅସମ୍ଭବ। ଅନେକ ସମୟରେ ଗୁଜବ ପ୍ରାଣଘାତୀ ହୋଇପାରେ। ଏହାର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ଏକ ନିଆଁ ଗୁଜବରୁ ଚାଲି ଯାଇଛି ୧୧ ଜଣଙ୍କ ଜୀବନ। କେବଳ ସେତିକି ନୁହେଁ ଏବେ ବି ଅନେକଙ୍କ ଜୀବନ ବିପଦରେ ରହିଛି।

୪୦ ଆହତ, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା।

ନିଆଁ ଗୁଜବ ଯୋଗୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯାତ୍ରୀ

ବୁଧବାର ମହାରାଷ୍ଟ୍ରରେ ଟ୍ରେନ ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ରହିଛି। ଖବର ନେବାରୁ ଜଣା ପଡ଼ିଛି ଯେ ପୁଷ୍ପକ ଏକ୍ସପ୍ରେସ ଅପରାହ୍ନରେ ଲକ୍ଷ୍ନୌରୁ ମୁମ୍ବାଇରୁ ଆସୁଥିବା ବେଳେ ଜଲଗାଁ ନିକଟରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା। ଗୁଜବ ଶୁଣି ଯାତ୍ରୀମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ଅନେକ ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ଅପରପକ୍ଷେ ଯେଉଁ ପଟକୁ ଯାତ୍ରୀମାନେ ଦେଉନଥିଲେ, ସେପଟେ କର୍ଣ୍ଣାଟକ ଏକ୍ସପ୍ରେସ ଚଢ଼ି ଯାଇଥିଲା। କର୍ଣାଟକ ଏକ୍ସପ୍ରେସ ଚଢ଼ିଯିବା ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଗୁଜବ ପାଇଁ ଏଭଳି ଘଟିଥିବାରୁ ରେଳ ଅଧିକାରୀଙ୍କ ପକ୍ଷରୁ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ କୁହା ଯାଇଛି।

ଏକ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ କରିବା ବାବଦରେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଡାକ୍ତର। ଏଭଳି ସମ୍ବେଦନଶୀଳ ଘଟଣାରେ ଲାଞ୍ଚ ନେଉଥିବା ଡାକ୍ତରଙ୍କୁ କାବୁ କରିଛି ଭିଜିଲାନ୍ସ। ଧରାପଡ଼ିଥିବା ଡାକ୍ତ ହେଉଛନ୍ତି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସର୍ଜରୀ ବିଶେଷଜ୍ଞ ଡାକ୍ତର ବିଶ୍ୱନାଥ ଆଧେକ। ଖବର ନେବାରୁ ଜଣାପଡ଼ିଛି ଯେ, ଗତକିଛଇଦିନ ତଳେ ଅଭିଯୋଗକାରୀଙ୍କ ଏକ ଛୋଟ ପିଲା ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ଅଧେକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ୪ ହଜାର ଟଙ୍କା ଦେବା ପାଇଁ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ୨ ହଜାର ଟଙ୍କା ଦେବା ପାଇଁ ଅଭିଯୋଗକାରୀ କହିଥିଲେ। ପୋଷ୍ଟମର୍ଟମ ହେବା ପରେ ରିପୋର୍ଟ ନେବା ବେଳକୁ ଏ ଅବଶିଷ୍ଟ ଟଙ୍କା ନେବା କଥା ଡାକ୍ତରଙ୍କ ସହ ଚୁକ୍ତି ହୋଇଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨ ହଜାର ଟଙ୍କା ଦେବା ବେଳେ ପୂର୍ବ ଯୋଜନା ମୁ୍‌ତାବକ ୟଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଡାକ୍ତରଙ୍କଠାରୁ କେମିକାଲ ବୋଳା ୨ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍‌। ଧରାପଡ଼ିଥିବା ଡାକ୍ତରଙ୍କୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡ଼ିଛି।

୨୦୧୭ ଡାକ୍ତରୀ ନିୟମ କାର୍ଯ୍ୟକାରୀ ହେବ। ଏହି ନିୟମ ସହ ରାଜ୍ୟରେ ୫ ହଜାର ନୂଆ ଡାକ୍ତର ନିଯୁକ୍ତି କରାଯିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ୧୨୬ ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
ବୁଧବାର ଅନୁଷ୍ଠିତ ବୈଠକରେ ୧୦ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ବିଶେଷକରି ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟ୍ ମଞ୍ଜୁର ହୋଇଛି। ଏ ବାବଦରେ ପ୍ରତି ସ୍କୁଲ ପାଇଁ ୪ରୁ ୫ କୋଟି ଟଙ୍କା ବ୍ୟୟ କରାଯିବ। ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି। ଏଥିପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ କରାଯିବ ଓ ୪ ବର୍ଷରେ କାମ ସବିବାର ଯୋଜନା ରହିଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ରାଜ୍ୟର ପ୍ରତ୍ୟେକ ଗାଁର ବିକାଶ ପାଇଁ ଯୋଜନା କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ୫ ହଜାର କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବାକୁ କ୍ୟାବିନେଟରେ ମଞ୍ଜୁର ହୋଇଛି। ସେମି କଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ଲାଭ କରିଛି।
ରାଜ୍ୟରେ ଶୀତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡ ଲାଗୁ କରାଯିବ। ଏଥିପାଇଁ ସାଢ଼େ ୬ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି।

ହରପ୍ରସାଦଙ୍କଠାରୁ ସୁରେନ୍ଦ୍ର ପାଣିଗ୍ରାହୀଯାଏ…

ସୌନ୍ଦର୍ଯ୍ୟ ଆଖିରେ ଥାଏ ନା ବସ୍ତୁରେ? କିଟ୍ସ କହିଲେ, ସୌନ୍ଦର୍ଯ୍ୟ ଥାଏ ଆଖିରେ । ଆଖି ହିଁ ଆବିଷ୍କାର କରିପାରେ ସୌନ୍ଦର୍ଯ୍ୟର ଉତ୍ସ । ସାଧାରଣ ବ୍ୟକ୍ତିର ଆଖିକୁ ଯାହା ଗଛବୃଚ୍ଛ କଙ୍କରିଳ ଶିଳା ଭରା ପାହାଡ଼ର ଭ୍ରମ ସୃଷ୍ଟିକରେ, କବିର ଆଖିରେ ତାହା ହେଇଯାଏ ନନ୍ଦନକାନନ । ସେଥିପାଇଁ କୁହାଯାଏ, ଖାଲି ଆଖିକି ଯା ପରବତ ବନ / କବିର ଆଖିରେ ନନ୍ଦନକାନନ…
ଚଳିତ କୁମ୍ଭମେଳାର ଅନନ୍ୟ ଆକର୍ଷଣ ଶ୍ୟାମଳୀ-ସୁନ୍ଦରୀ ମୋନାଲିସା ଇତିମଧ୍ୟରେ ମେଳା ଛାଡ଼ି ସାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ତାଙ୍କ ପାଇଁ କାଳ ସାଜିଛି । ମୋନାଲିସାଙ୍କ ଏ ନିଷ୍ପତ୍ତି ହୁଏତ ଅବଶିଷ୍ଟ କୁମ୍ଭମେଳାକୁ ଫିକା କରିଦେଇପାରେ । ତେବେ ମୋନାଲିସାର ସୌନ୍ଦର୍ଯ୍ୟର ଶେଷ ଘଟିବନି । ଦିନ କେଇଟାରେ ସେ ନିଜର ରୂପର ରୋଷଣୀରେ ଚୀର-ସୌନ୍ଦର୍ଯ୍ୟ-ପିପାସୁ ଶାଶ୍ୱତ କବିର ମାନସପଟଳରେ ଯେଉଁ ମାୟାର ଇନ୍ଦ୍ରଧନୁ ଆଙ୍କିଦେଇଯାଇଛନ୍ତି ତାହା କେବେ ବି ଫିକା ପଡ଼ିବନି । ନିମିଷକ ପାଇଁ ଆସି ବି ମୋନାଲିସା କବିର ଆଖିରେ ହେଇଗଲେ ଅମର । ଯେଉଁ ସୋସିଆଲ ମିଡ଼ିଆରେ ତାଙ୍କର ରୂପକୁ କୋଟିକୋଟି କାମନା ଆଖି ତଉଲୁଥିଲା, ସେହି ସୋସିଆଲ ମିଡ଼ିଆରେ ସୌନ୍ଦର୍ଯ୍ୟ ଉପାଷକ କବିଗଣ ତାଙ୍କ ବିଭୂଦତ୍ତ ରୂପର କରୁଥିଲେ ଶାଶ୍ୱତ ନିରାଜନା ।
ଓଡ଼ିଶାର ପ୍ରସିଦ୍ଧ କବି ସୁରେନ୍ଦ୍ର ପାଣିଗ୍ରାହୀ ମୋନାଲିସାର ଆଖିକୁ ନେଇ ହୋଇଛନ୍ତି ବିଭୋର ଆଉ ମୁକ୍ତ କଣ୍ଠରେ ଗାଇଛନ୍ତି, “ଆୟତ ଆଖିରେ ଅସୁମାରି ସ୍ୱପ୍ନ ଅନେକ ଅସରା ଆଶା / ଚୋରା ଚାହାଣିର ହସରୁ ଝରଇ ଗଙ୍ଗଶିଉଳିର ଭାଷା ।” ସୋସିଆଲ ମିଡ଼ିଆ “ଫେସବୁକ”ରେ ମୋନାଲିସାକୁ ନେଇ ସୁରେନ୍ଦ୍ର ପାଣିଗ୍ରାହୀ ରଚନା କରିଥିବା ସନେଟ “ଆଖି”ରେ ମୋନାଲିସାର ସୌନ୍ଦର୍ଯ୍ୟ ତାଙ୍କ ଭିତରେ କାମନାର ନିଆଁ ହେଇ ଜଳିନାହିଁ; ଅଧିକନ୍ତୁ ସୌନ୍ଦର୍ଯ୍ୟ ତାଙ୍କ ଭିତରେ ସୃଷ୍ଟିକରିଛି ସ୍ରଷ୍ଟାଙ୍କ ଅଦ୍ୱିତୀୟ ସୃଷ୍ଟି ପାଇଁ ଏକ ଭାବମୟ ଅଭିବ୍ୟଞ୍ଜନା । ସମ୍ପୂର୍ଣ୍ଣ କବିତାଟି ସତରେ ମୁଗ୍ଧ ମନ୍ମୟ ମନନଶୀତଳାରେ ଭରପୂର…
ଆଖି

ସୁରେନ୍ଦ୍ର ପାଣିଗ୍ରାହୀ
—–
ଆୟତ ଆଖିରେ ଅସୁମାରି ସ୍ବପ୍ନ ଅନେକ ଅସରା ଆଶା
ଚୋରା ଚାହାଣିର ହସରୁ ଝରଇ ଗଂଗଶିଉଳିର ଭାଷା
ସଂସ୍କାର ସୌନ୍ଦର୍ଯ୍ୟ ସରଳତାର ଯେ ତ୍ରିବେଣୀ ସଂଗମ ତୁମେ
ହେ ନୀଳନୟନା ଶ୍ଯାମଳୀ ସୁନ୍ଦରୀ ତିନି ତୀର୍ଥର ଧାମେ ।

କେଉଁ ଫୁଲବନ ଫଗୁଣର ଫଗୁ ବିଂଚିଦେଇଯାଅ ପୁଣି
ଶୀତରେ ବସଂତ ବୁହେଇଲ ସାଜି ଚୋରାଚଇତିର ରାଣୀ
ତୀର୍ଥ ନଗରୀର ତନୁତୀର୍ଥରେ ତୁମରି ତୁଳନା କାହିଁ
ମୋନାଲିସା ହସ ଆଶୀର୍ବାଦ ଅବା ଅଭିଶାପ ତୁମ ପାଇଁ ।

ଋଦ୍ରାକ୍ଷର ସାଥେ ରହି ଯେ ପାଇଲ ଋଦ୍ରାଭିଷେକର ଫଳ
ସାତରୁ ସତୁରି କୋଟି ମାନସରେ ସ୍ମୃତିର ପ୍ରଦୀପ ଜାଳ
ସରମି ଯାଆନ୍ତି ସରଗ ସୁଂଦରୀ ତୁମରି ଚେହେରା ପାଶେ
ପବିତ୍ର ପ୍ରୟାଗେ ପହଂଚି ପାଇଲ ଫଳ ବୋଲି ମନେ ଆସେ ।

ପୁରାଣର ପାଠ ପୁରୁଣା ନୁହଁଇ ପ୍ରମାଣିତ ହେଲା ପୁଣି
ମାଳା ବିକୁବିକୁ ମେଳା କିଣିନେଲ ବନେଇ ନୂଆ କାହାଣୀ।
XXXX


କବି ହରପ୍ରସାଦ କିନ୍ତୁ ମୋନାଲିସାର ସୌନ୍ଦର୍ଯ୍ୟକୁ ନେଇ ହୋଇଛନ୍ତି ଚିନ୍ତିତ, ବ୍ୟଥିତ । କାରଣ, ମୋନାଲିସାର ଏ ସୌନ୍ଦର୍ଯ୍ୟକୁ ମହାକାଳ ସହିବ ତ? “ଚିନ୍ତକ” ହରପ୍ରସାଦ କବିତା ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଉପକ୍ରମଣିକାରେ ଲେଖିଛନ୍ତି ଅତ୍ୟନ୍ତ ଚିନ୍ତାପୂର୍ଣ୍ଣ ଆଲେଖ୍ୟ: “ମହାକୁମ୍ଭର ଲୋକାରଣ୍ୟରେ ମାଳି ବିକୁଥିବା, ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ସେହି ନିରୀହ ସୁନୟନା ସୁନ୍ଦରୀ କିଶୋରୀ ମୋନାଲିସା, ସହସ୍ର ପ୍ରଲୁବ୍ଧ ପୁରୁଷର ଆଖିର ଶୀକାର, ଯାହାକୁ ଖାଇଯିବ ନିର୍ଦ୍ଦୟ ମହାକାଳ ।” ଆହାଃ- କେଡ଼େ ବାସ୍ତବ ଅଥଚ ମାର୍ମିକ ନୁହେଁ ହରପ୍ରସାଦଙ୍କ ଏ ଚିନ୍ତା । ସେ ପୁଣି ସ୍ୱକୀୟ କବିତା “ମୋନାଲିସାର ଆଖି”କୁ ସେହି ନିଷ୍ପାପ କିଶୋରୀ ରୂପସୀ ମୋନାଲିସାକୁ ଉତ୍ସର୍ଗୀକୃତ କରିଦେଇ କହନ୍ତି: “ଯିଏ ଏ କବିତା କସ୍ମିନ୍ କାଳେ ପଢ଼ିବ ନାହିଁ, ତାହାରି ନିଷ୍ପାପ କୈଶୋରକୁ ନିବେଦିତ ଏ କବିତା!” କବିତାରେ ହରପ୍ରସାଦ ବାଢ଼ିଥିବା ବ୍ୟଞ୍ଜନା ସରଳ-ସୌନ୍ଦର୍ଯ୍ୟ ପ୍ରତି କୁତ୍ସିତ ମନୋଭାବ ପୋଷଣ କରୁଥିବା ଲୋଲୁପୀ-ମଣିଷଙ୍କ ଗାଲରେ ନିଶ୍ଚୟ ଏକ ଶକ୍ତ ଚଟକଣା…
ମୋନାଲିସାର ଆଖି
ହରପ୍ରସାଦ ଦାସ

ସେମାନେ ଘେରିଯା’ନ୍ତି ତାକୁ
କି ଆଖି ! ଆଃ କି ଆଖି!
କାତିଲ! ଜାନଲେୱା! ସୁରମୟୀ !
ଏ ମୋନାଲିସା ଏଠିକି ଚାହାଁ ,ଏଣିକି ଚାହାଁ,
କିଏ ତୋ ପ୍ରେମିକ? କେବେ ସଗାଈ?

ବିକଳରେ ଚାରି ଆଡ଼କୁ ଚାହେଁ ସେ
ଷୋଳବର୍ଷର ପିଲମାରି ଉଠୁଥିବା କଦଳୀପତ୍ର ଭଳି
କାକରପିଆ ଦେହରେ ସେମାନେ ଗେଞ୍ଜି ଦିଅନ୍ତି ରଈ!

ଆଖି ବଞ୍ଚେଇ ପ୍ରାଣବିକଳରେ ସେ ପଶିଯାଏ
ଜୁନା ଆଖଡ଼ାର ଅଘୋରି ତମ୍ବୁ୍ରେ
ଭିତରେ ଶୋଇଥାଏ ବିଶାଳ ଜଟାଭାରରେ ଭରା ଦେଇ
ମଙ୍ଗଲୀ ମାୟୀ,
ଆ କାତର ପ୍ରାଣୀ ଆ, କହି
କୋଳେଇ ନିଏ ତାକୁ,ଚାହେଁ ଭରାଆଖିକୁ
କହେ : ଦେ ତୋ ଆଖି ଯୋଡ଼ିକ ଦେଇଦେ ବାଈ
ଥାପିଦେବି ମହାକାଳ କପାଳରେ
ସତ୍ୟ ତ୍ରିବାର ମୁଁ ହାଡ଼ଖାଇ, ମାଉଁସଖାଇ,ଅଘୋରୀମାଈ
ଦେଖ ତ୍ରିଶୂଳ,ଦେଖ ଖଣ୍ଡା
ବିପଦ ନାହିଁ !

ଖସି ଆସେ ମୋନାଲିସା ଆଖିଲୁଚେଇ !

ବୋଝକଯାକ ମାଳି ସେ ଅଜାଡ଼ି ଦିଏ ଗଙ୍ଗାରେ
ଉଠେଇଦିଏ ମୁହଁ ଉପରୁ ପଟି
ଖସେଇନିଏ ମୁଣ୍ଡ ଉପରୁ ମୁହଁଲୁଚା ଓଢ଼ଣା
ଚିଲ୍ଲାଏ କିଳିକିଳା ମାରି : ଆସରେ ମଣିଷପୁଏ
ମୁଁ ହାଡ଼ଖାଇ,ମୁଁ ମାଉଁସଖାଇ,ମୁଁ ଅଘୋରୀମାୟୀ !
ଖର୍ଗୋନର କୋଉ ଗୋଟେ ଅଖ୍ୟାତପଲ୍ଲୀରେ
ଷୋଳବର୍ଷର ଟିକି ଝିଅଟିଏ
ତୁହାଇ ତୁହାଇ ପଚାରେ : ମା’ ମୋ ଆଖି କାଇଁକି ଏମିତି
ଏଡ଼େଏଡ଼େ,ପୁଣି ଚିଲା, ଖାଇଗଲା ଭଳି
ମୁଁ କଣ ଡାହାଣୀ, ମୁଁ କଣ ମଣିଷଖାଇ ?

ବେଣୀ ବାନ୍ଧୁ ବାନ୍ଧୁ
ମୁଣ୍ଡରୁ ଜଟା ଛଡ଼ଉ ଛଡ଼ଉ ହସି ହସି
ଗହବା ବାଳ ଆସ୍ତେ ଝିଙ୍କିଦେଇ
ମା କହେ : ମୋ ଭୁତୁରିମୁଣ୍ଡି,ରହ ଜଟା ଛଡ଼ାଏଁ
ନହେଲେ ମୋ ଚାନ୍ଦମୁହିଁକୁ ଲୋକେ କହିବେ
ଆଇଲା ଅଘୋରୀମାଈ !
ଡରିଡରି ଥରିଯାଏ ସେ,ସରିଯାଏ ଲାଜରେ
ନିଜ ଡାହାଣୀ ଆଖିକୁ ପଡ଼ିବାକୁ ଦିଏନି ନିଜ ଉପରେ !


XXXX
ଏତିକିନୁହେଁ, ମୋନାଲିସା ବି ପ୍ରଲୁବ୍ଧ କରିଛି କବି ଚନ୍ଦ୍ରମୋହନ ମହାପାତ୍ରଙ୍କୁ; ଯିଏ “ଆଖି” କବିତାରେ ବିଭୋର ହେଇ ମୋନାଲିସାକୁ କହନ୍ତି-
“କିଛି ଲୋଡ଼ା ନାହିଁ / ତମ ଭୋକ, ଶୋଷ, ହସ / ଗଳାର ହାର ତମ ପାଖେ ଥାଉ / କେବଳ ତୁମର ଆଖି ଯୋଡ଼ିକ / ମୋତେ ଦିଅ / ପ୍ରତିବଦଳରେ / ମୁଁ ତୁମର ମହଣ ମହଣ / ଭୂରିଭୂରି ପ୍ରଶଂସା ବାଣ୍ଟିବି।”

କବି ରାଜେଶ ସାହୁ ନିଜର “ମୋନାଲିସା” କବିତାରେ କହନ୍ତି:
“ମୁହଁ / ଛନ ଛନ ଜହ୍ନ / ଆଖି / ତା ରୂପସୀ ନଈ, / ଓଠ / ତା’ର ମଧୁବଂଶୀ / ହସ / ତା’ର ହେନା ଯୁଇ।”

(ଆଲେଖ: ରାଜେନ୍ଦ୍ର ରାଉଳ)

କାଳ ହେଲା କି ସୁନ୍ଦରତା ? କୁମ୍ଭମେଳାରେ ମାଳି ବିକି ଦି ପଇସା ରୋଜଗାର କରିବାକୁ ଆସିଥିବା ଶ୍ୟାମଳ ସୁନ୍ଦରୀ ମୋନାଲିସା କାହିଁକି ଛାଡ଼ି ଚାଲିଗଲେ କୁମ୍ଭମେଳା। ଏହାକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ପ୍ରଶ୍ନ। ତେବେ କିଏସେ ମୋନାଲିସା ? କାହିଁକି ମେଳା ଛାଡ଼ି ଚାଲିଗଲେ ମୋନାଲିସା ? ଏହାକୁ ନେଇ ଅନେକ ପ୍ରଶ୍ନ।ଉ

ତ୍ତର ପ୍ରଦେଶ ମହା କୁମ୍ଭମେଳାରେ ସାଧୁଙ୍କୁ ନେଇ ଏବେ ବିଭିନ୍ନ ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ହେଉନି, ବେଶୀ ଚର୍ଚ୍ଚା ହେଉଛି ସୁନ୍ଦରୀମାନଙ୍କୁ ନେଇ। ଏମିତି ଅନେକ ସୁନ୍ଦରୀ ସାଧୁ ଆସିଛନ୍ତି ସେମାନଙ୍କ ଉପରେ ବିଭିନ୍ନ ଗଣମାଧ୍ୟମର ବିଶେଷ କ୍ୟାମେରା ଲାଗି ରହିଛି। କିନ୍ତୁ ଜଣେ ସାମାନ୍ୟ ମାଳି ବିକାଳୀ ଯୁବତୀ ଏବେ ସମଗ୍ର ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଉଛନ୍ତି ମୋନାଲିସା। କୁମ୍ଭମେଳାକୁ ମାଳି ବିକିବା ପାଇଁ ମଧ୍ୟପ୍ରଦେଶରୁ ଆସିଥିବା ସୁନ୍ଦରୀ ମୋନାଲିସାଙ୍କ ସୁନ୍ଦରତା ପାଇଁ ଲୋକଙ୍କ ଭିଡ ଜମିଥିଲା। ଯେତିକି ବେପାର ହେଉ ନ ଥିଲା ତା ଠାରୁ ଅଧିକ ଲୋକ ମୋନାଲିସାର ଚେହେରାରେ ମୁଗ୍ଧ ହୋଇ ଘଣ୍ଟା ଘଣ୍ଟା ଚାହିଁ ରହୁଥିଲେ। ଏତେ ଭିଡ଼ ଦେଖି ମୋନାଲିସାଙ୍କ ଚାରିପଟେ ଘେରିଗଲେ ହଜାର ହଜାର ଶ୍ରଦ୍ଧାଳୁ। ଦିନସାରା ସେଲ୍ଫି ଦେବାରେ ମୋନାଲିସାଙ୍କ ସମୟ ଗଲା। ପାହନ୍ତାରୁ ବିଳମ୍ୱିତ ରାତି ଯାଏଁ ଭିଡ ଦେଖି ମୋନାଲିସା ବ୍ୟସ୍ତ ହୋଇ ପଡିଲେ।

ପରିସ୍ଥିତି ଏଭଳି ହେଲା ସେ ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିଲା। ତାଙ୍କର ବିଶେଷ ଆକର୍ଷଣ ଥିବା ନୀଳ ନୟନକୁ ଲୁଚାଇବା ପାଇଁ ଚଷମା ପିନ୍ଧିବାକୁ ପଡ଼ିଲା। କେବଳ ସେତିକି ନୁହେଁ ତମ୍ବୁରେ ଲୁଚିବାକୁ ଲାଗିଲେ ସୁନ୍ଦରୀ ମୋନାଲିସା।

ନୀଳ ନୟନା ମୋନାଲିସା ଶେଷରେ ମେଳା ଛାଡ଼ିବାକୁ ନିଷ୍ପତ୍ତି ନେଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କ ନାମରେ ଶତାଧିକ ଆକାଉଣ୍ଟ ଖୋଲି ବିଭିନ୍ନ ପୋଷ୍ଟ କରାଗଲା। ଲକ୍ଷ ଲକ୍ଷ ସେୟାର, ଲାଇକ ଓ କମେଣ୍ଟ ମଧ୍ୟ ଆସିଲା। ରାତାରାତି ସେଲୁବ୍ରିଟି ପାଲଟିଗଲେ ମୋନାଲିସା। ଏହା ଭିତରେ ତାଙ୍କୁ ସିନେମାରେ ଅଭିନୟ ପାଇଁ ବହୁ ପ୍ରଯୋଜକ ଏଵଂ ନିର୍ଦ୍ଦେଶକ ଅଫର୍ ଦେଲେ। ହେଲେ ମୋନାଲିସା ସେସବୁ ଅଫର୍ ଛାଡ଼ି ମେଳାରୁ ବିଦାୟ ନେଇଛନ୍ତି।

ଆପଣ ଭୂମିକୁ ଯେତିକି ଖୋଲିବେ ସେତେ ଅଧିକ ଓ ସେତେ ବିଶୁଦ୍ଧ ଜଳ ପାଇପାରିବେ। ସେଭଳି ଆପଣ ଯେତିକି ଅଭିଜ୍ଞତା ହାସଲ କରିବେ ତାହା ଆପଣଙ୍କୁ ସେତେ ମାର୍ଜିତ କରିବ। ତେଣୁ ଅଭିଜ୍ଞତା ବା ଜ୍ଞାନ ହେଉଛି ଶ୍ରେଷ୍ଠ ସମ୍ପଦ

ଗୋଟିଏ ଗାଁରେ ଗୋଟିଏ କାଠ କଟାଳି ରହୁଥିଲା । ଜଙ୍ଗଲରୁ କାଠକାଟି ଚଳୁଥିଲା । ହେଲେ ସେଥିରେ ତା’ର ଗୁଜୁରାଣ ମେଣ୍ଟୁ ନଥିଲା । ସେହି ଗାଁକୁ ଦିନେ ଜଣେ ସନ୍ନ୍ୟାସୀ ଆସି ପହଞ୍ଚିଲେ । କାଠ କଟାଳି ଯାଇ ତାଙ୍କୁ କହିଲା- ମହାଭାଗ! ମୋ ଦିନ ଭଲରେ କଟୁନାହିଁ । କିଛି ଉପାୟ କରନ୍ତୁ । ସନ୍ନ୍ୟାସୀ କହିଲେ: ଆଗକୁ ଯାଅ । କାଠ କଟାଳି ଆଗକୁ ଚାଲିଲା । କିଛି ବାଟ ଯିବା ପରେ ପଡ଼ିଲା ଗୋଟେ ଚନ୍ଦନବନ । ସେ ଚନ୍ଦନ କାଠ ବିକି ଭଲ ରୋଜଗାର କଲା । ତା’ର ମନେପଡ଼ିଲା ଯେ, ସନ୍ନ୍ୟାସୀ ଆଗକୁ ଯିବାକୁ କହିଥିଲେ । ସେ ଚନ୍ଦନ ବନରୁ ବାହାରି ଆଗକୁ ଚାଲିଲା । ତାକୁ ଗୋଟେ ସୁନା ଖଣି ମିଳିଲା । କାଠ କଟାଳି ଧନୀ ହୋଇଗଲା । ପୁଣି ଆଗକୁ ଗଲା । ତାକୁ ହୀରା ଖଣି ମିଳିଲା । ଏଥର ତା’ର ସନ୍ନ୍ୟାସୀଙ୍କ କଥା ମନେପଡ଼ିଲା । ସେ ଭାବିଲା, ଯଦି ସନ୍ନ୍ୟାସୀ ଏତେ ସବୁ ଜାଣିଛନ୍ତି ତା’ହେଲେ ସେ କ’ଣ ପାଇଁ ଏସବୁ ବ୍ୟବହାର କରୁ ନାହାନ୍ତି । ସେ ସନ୍ନ୍ୟାସୀଙ୍କୁ ଆସି ସେଇକଥା ପଚାରିଲା- ମହାଭାଗ! ଆପଣ ତ ଏତେ ଧନରତ୍ନର ସନ୍ଧାନ ଜାଣିଛନ୍ତି । ହେଲେ ଆପଣ ଆଗକୁ ନଯାଇ ଏଇଠି ରହିଛନ୍ତି କ’ଣ ପାଇଁ? ସନ୍ନ୍ୟାସୀ କହିଲେ: କିଏ କହୁଛି ମୁଁ ଆଗକୁ ଯାଉନାହିଁ । ମୁଁ ଆଗକୁ ଚାଲିଛି ଆଉ ସମ୍ପଦ ବି ସଂଗ୍ରହ କରୁଛି । କାଠକଟାଳି କହିଲା: କି ସମ୍ପଦ ପାଇଛନ୍ତି ଆପଣ? ସନ୍ନ୍ୟାସୀ କହିଲେ: ମୁଁ ପ୍ରତିଦିନ ଜ୍ଞାନ ମାର୍ଗରେ ଆଗକୁ ଆଗକୁ ଯାଉଛି । ଆଉ ମୁଁ ଯେଉଁ ଅଭିଜ୍ଞତା ପାଉଛି ତାହା ହେଉଛନ୍ତି ଖୋଦ୍ ବଡ ସମ୍ପଦ! ଜ୍ଞାନ ଓ ଅଭିଜ୍ଞତା ଠାରୁ କ’ଣ ବଡ଼ ସମ୍ପଦ ଆଉକିଛି ଅଛି?

-ରାଜେନ୍ଦ୍ର

ରୋଗ କ’ଣ କେହି ବୁଝିବା ଆଗରୁ ଗୋଟିଏ ଗାଁରେ ନେଲାଣି ୧୭ ଜଣଙ୍କ ଜୀବନ। ଏଯାଏଁ ଏହି ରୋଗରେ ୩୮ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏଭଳି ଏକ ରହସ୍ୟମୟ ରୋଗକୁ ନେଇ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବଧାଲ ଗାଁରେ ଏଭଳି ଆତଙ୍କ ଖେଳାଇଥିବା ରୋଗ ସମ୍ପର୍କରେ ଟେର ପାଇପାରୁ ନାହାନ୍ତି ଡାକ୍ତର। ଅପରପକ୍ଷେ ଗାଁରେ ରହସ୍ୟମୟ ରୋଗ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ  ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ବିନା କାରଣରେ ବଧାଲ ଗାଁରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିବା ପରେ ରୋଗକୁ ନେଇ ଆରମ୍ଭ ହୋଇଥିଲା ଭୟ। ଗାଁର ମହମ୍ମଦ ଅସଲାମ ନାମକ ଜଣେ ବ୍ୟକ୍ତିଙ୍କ ବାପା ମା’ଙ୍କ ସମେତ ୬ ଟି ସନ୍ତାନଙ୍କୁ ହରାଇଛନ୍ତି। ସେହିଭଳି ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନ ନାମକ ଜଣେ ନାବାଳିକା ଏସଏମଜିଏସ୍‌ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ରୋଗ ଚିହ୍ନଟ, ରୋଗର କାରଣ ଓ ପ୍ରତିକାର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି। କମିଟିର ସଦସ୍ୟମାନେ ରବିବାର ଠାରୁ ରଜୌରୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।