ଥରେ ଜଣେ ସାଧୁ ତାଙ୍କର ଶିଷ୍ୟମାନଙ୍କୁ ବୁଝେଇ କହିଲେ, ସବୁବେଳେ ନିଜର ଯେଉଁ କର୍ମ ତାହା କରିବା ଉଚିତ । ତାହା ଛୋଟ ହେଲେ ବି ସେଇଥିରେ ମଙ୍ଗଳ । ମାତ୍ର ଯେଉଁ କର୍ମ ତୁମର ନୁହେଁ ତାକୁ କଲେ ତମକୁ ନା ମିଳିବ ଯଶ ନା ମିଳିବ ପ୍ରଶଂସା ।

ସାଧୁ ଗୋଟିଏ ଗପ କହିବା ଆରମ୍ଭ କଲେ । ଗୋଟିଏ ଗାଁରେ ଦୁଇଜଣ ଯୁବକ ରହୁଥିଲେ । ଜଣେ ଏକ ବାଇଗଣ ଚାଷୀ ନିକଟରେ କାମ କରୁଥିଲା । ଅନ୍ୟ ଜଣକ ଜଣେ ନଡ଼ିଆ ଚାଷୀ ନିକଟରେ କାମ କରୁଥିଲା । ବାଇଗଣ ଚାଷୀ ପାଖରେ କାମ କରୁଥିବା ଯୁବକଟି ବାଇଗଣ ଗଛରୁ ବାଇଗଣ ତୋଳେ । ଆର ଯୁବକଟି ନଡ଼ିଆ ଗଛରୁ ନଡ଼ିଆ ତୋଳେ । ଲୋକମାନେ କିନ୍ତୁ ନଡ଼ିଆ ତୋଳାଳିକୁ ବାହାବାଃ କରନ୍ତି । ଏହାଶୁଣି ବାଇଗଣ ତୋଳୁଥିବା ଯୁବକଟି ମନରେ ଈର୍ଷାହେଲା । ଦିନେ ସେ ନଡ଼ିଆ ତୋଳିବା ପାଇଁ ନଡ଼ିଆ ଗଛ ଚଢିଲା । ମାତ୍ର ଗଛଚଢ଼ା ଜାଣି ନଥିବାରୁ ସେ ଖସିପଡ଼ି ମୃତୁ୍ୟବରଣ କଲା । ତା’ର ଆତ୍ମା ସ୍ୱର୍ଗକୁ ଗଲା ଆଉ ଈଶ୍ୱର ତାକୁ ନେଇ ଗୋଟିଏ କାଠ ଚୌକିରେ ବସାଇଲେ । କିଛିଦିନ ପରେ ନଡ଼ିଆ ତୋଳାଳୀ ଯୁବକଟି ମଧ୍ୟ ନଡ଼ିଆ ଗଛରୁ ଖସିପଡ଼ି ମରିଗଲା । ଈଶ୍ୱର ତାକୁ ନେଇ ଗୋଟଏ ସୁନାର ଚୌକିରେ ବସାଇଲେ । ଏହାଦେଖି ବାଇଗଣ ତୋଳାଳି ପ୍ରତିବାଦ କରି କହିଲା: ଆମେ ଦୁହେଁ ତ ନଡ଼ିଆଗଛରୁ ଖସିପଡ଼ି ମଲୁ । ମୋ ଲାଗି କାଠ ଚୌକି । ହେଲେ ତା’ ଲାଗି ସୁନା ଚୌକି? ଈଶ୍ୱର କହିଲେ: ସେ ତା’ ନିଜ କର୍ମ କରି ମୃତୁ୍ୟବରଣ କରିଛି । ନଡ଼ିଆ ଗଛରେ ଚଢ଼ିବା ତା’ କାମ । ହେଲେ ତମେ ତମ କର୍ମ ଛାଡ଼ି କେବଳ ଅନ୍ୟ ଜଣକର କାମ କଲ; ଯେଉଁ କର୍ମ ତମ ଲାଗି ଉଦ୍ଦିଷ୍ଟ ନଥିଲା । ତେଣୁ ସେ ଯେଉଁ ଫଳ ପାଇଲା ତାହା ତମକୁ ମିଳିବ କେମିତି?

-ରାଜେନ୍ଦ୍ର

କୁମ୍ଭ ମେଳାରେ ନିଆଁ ଲାଗି ଫୁଟିଲା ଗ୍ୟାସ ଟାଙ୍କୀ।

ଉତ୍ତର ପ୍ରଦେଶର ପ୍ରୟାଗରାଜ ଥରେ ଚାଲିଥିବା ବିଶ୍ବପ୍ରସିଦ୍ଧ ମହା କୁମ୍ଭମେଳାରେ ରବିବାର ଅପରାହ୍ନ ସାଢ଼େ ୪ ଟା ବେଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ସେକ୍ଟର ୧୯ ଓ ସେକ୍ଟର ୫ ସୀମା ପୁରୁଣା ଜିଟି ରୋଡ ଛକରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଯଦିବା ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଜଣା ପଡ଼ିନାହିଁ। କିନ୍ତୁ ପ୍ରାୟ ୨୦ ଟି ଶିବିର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗୀତା ପ୍ରେସ ଷ୍ଟଲରୁ ହିଁ ପ୍ରଥମେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ନିଆଁ ଲାଗିଥିବା ଜଣାପଡିଛି। ସବୁଠାରୁ ଦୟନୀୟ ହେଉଛି ଅଗ୍ନିକାଣ୍ଡରେ ପ୍ରାୟ ୩ଟି ଗ୍ୟାସ ସିଲିଣ୍ଡରଗୁଡ଼ିକର କ୍ରମାଗତ ବିସ୍ଫୋରଣ। ଯାହାର ଭୟାବହତା ସାଧାରଣରେ ଆତଙ୍କ ସୃଷ୍ଟି କରିଥିଲା। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀ ପ୍ରାୟ ୧୦ ଟି ଦମକଳ ଗାଡ଼ି ସହ ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୧୯୮୦ର ସେଇ ରାତିରେ ଘଟିଥିଲା ଲୋମଟାଙ୍କୁରା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ହତ୍ୟାକାଣ୍ଡର ପଛରେ ଥିବା ରହସ୍ୟ ଓ ରୋମାଞ୍ଚକର ଘଟଣାର କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କିଛି କମ୍‌ ନ ଥିଲା।

ସାରାଦିନ ଦଳୀୟ କାର୍ଯ୍ୟାଳୟରେ ରଖି ମାଡ଼ଗାଳି ଦେବା ସହିତ ସନ୍ଧ୍ୟାରେ ସେମାନଙ୍କ କବଳରୁ ମୁକୁଳିବା ପରେ ଚେତାବନୀ ମିଳିଲା, ଭଲଦଶା ଥିଲେ ଗାଁ ଛାଡ଼। ରାତିରେ କିଛି ବି ଅଘଟଣା ଘଟିବାର ସମ୍ଭାବନା ଥିବାରୁ ସଞ୍ଜରେ ବାରିପଟ ଦରଜାଦେଇ ଘର ଛାଡ଼ିଥିଲେ ଦମ୍ପତି। କୋଳରେ ଥିଲା ସେମାନଙ୍କର ୬ ମାସର ଶିଶୁପୁତ୍ର। ସାରାଦିନର ଭୋକ ଉପାସ ଓ କର୍ମକ୍ଲାନ୍ତ ଚାରିଟି ପାଦ ବିଲୁଆଖାଇ ନଦୀ ନିକଟରେ ପହଞ୍ଚିଥିଲେ। ବିଲୁଆଖାଇ ନଦୀର ଦୁଇ ଧାର ମଧ୍ୟରୁ ଗୋଟିଏ ଜଳଧାରକୁ ଅତିକ୍ରମ କଲେ ସତ, ହେଲେ ଆଗକୁ ଆଉ ପାଦ ଚଳିଲାନି। ସେଇଠି ନଦୀରୁ ପେଟେ ପାଣି ପିଇ ବିଶ୍ରାମ ନେବାକୁ ମନକଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ। ଭୋକିଲା ଛୁଆକୁ କୋଳକୁ ନେଇ ସେଠାରେ କ୍ଷୀର ପିଆଇଲା ମାଆ। ହେଲେ ସେମାନେ କେବେ ଭାବି ନ ଥିଲେ ଯେ, ସେମାନଙ୍କୁ ପଛରୁ ଅନୁସରଣ କରୁଛନ୍ତି ୮ଜଣ ନରପିଶାଚ। ସେଦିନ ବିଲୁଆଖାଇ ନଦୀ ପଠାରେ ଟର୍ଚ୍ଚ ଲାଇଟଦେଖି ଚମକି ପଡିଥିଲେ ଉଭୟ। ସେମାନଙ୍କ ହାତରେ ଧରାପଡ଼ି ୩ଜଣ ମରିବା ନିଶ୍ଚିତ ଜାଣି ପୁଅକୁ ବଞ୍ଚାଇବାକୁ ସ୍ୱାମୀଙ୍କୁ ବାଧ୍ୟକଲା ସ୍ତ୍ରୀ। ସ୍ତ୍ରୀର ଅନୁରୋଧ ରଖି ପୁଅକୁ ନେଇ କିଛି ସମୟ ବୁଦା ମୂଳେ ଛପିଗଲା ସ୍ୱାମୀ। ଏହା ପରେ ସହାୟତା ସନ୍ଧାନରେ ଆଗକୁ ଚାଲିଲା ସ୍ୱାମୀ। ପଛରୁ ଶୁଭୁଥିଲା ୮ଜଣ ଅମଣିଷଙ୍କ ନିକଟରେ ଜଣେ ଅସହାୟ ଅବଳାର ଅନୁନୟ ଓ ବିନତିର ସ୍ୱ୍ୱର। ମାତ୍ର ସବୁ ଚେଷ୍ଟା ବ୍ୟର୍ଥ ହେଲା। ରାତିର ଅନ୍ଧାରରେ ଜଣକ ପରେ ଜଣେ ଝୁଣି ଝୁଣି ଖାଉଥିଲେ ନାରୀ ମାଂସଲୋଭୀ ନରରାକ୍ଷସ। ଏତିକିରେ ମନ ମେଣ୍ଟିଲାନି, ତଣ୍ଟିଚିପି ନିର୍ଦ୍ଦୟ ଭାବରେ ହତ୍ୟା କଲେ। ଏହା ପରେ ସ୍ତ୍ରୀକୁ ନ୍ୟାୟ ଦେବାକୁ ଏଠି ସେଠିକୁ ଧାଉଁଥିଲା ସ୍ୱାମୀ। ଦୀର୍ଘ ୩୬ ଘଣ୍ଟା ଧରି ବିଲୁଆଖାଇ ନଦୀ ପଠାରେ ପଡ଼ିଥିଲା ମୃତଦେହ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ଲିଥିଅମର ମିଳିଛି ସନ୍ଧାନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର ନୟାଗଡ଼ରେ ଏହି ଲିଥିଅମ୍ ଥିବା ଜଣା ପଡିଛି। ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ କରାଯାଇଥିବା ପ୍ରାଥମିକ ସର୍ଭେରୁ ଜଣା ପଡ଼ିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ drone ସର୍ଭେ କରାଯିବ ଓ ଉତ୍ତୋଳନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଖଣି ସଚିବ କହିଛନ୍ତି। ତେବେ କେତେ ପରିମାଣର ରହିଛି ତାହା ଜଣା ପଡିନାହିଁ। ପ୍ରକାଶ ଥାଉ କି ଲିଥିଅମ୍ ଦ୍ବାରା ବ୍ୟାଟେରୀ, ମୋବାଇଲ୍, ଲାପଟପ୍ ଆଦି ବୈଦ୍ୟୁତିକ ସାମଗ୍ରୀ ତିଆରି କରାଯାଇଥାଏ।

ପ୍ରକାଶ ଥାଉ କି ପୂର୍ବରୁ କେଉଁଝର ଜିଲ୍ଲା ବଉଳା ଅଞ୍ଚଳରେ ପପ୍ଲାଟିନମର ସନ୍ଧାନ ମିଲିଥିଲା। ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ପେଟ୍ରୋଲିୟମ ସନ୍ଧାନ ମଧ୍ୟ ମିଳିଥିଲା। କିନ୍ତୁ ଉତ୍ତୋଳନ ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାର ଆକଳନ କରାଯିବା ପରେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଜଣେ ଖଣି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନୟାଗଡ଼ରେ କେତେ ପରିମାଣର ଲିଥିଅମ୍ ରହିଛି ତାହା ଆକଳନ କରାଯିବା ପରେ ହିଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥାଏ। ଉତ୍ତୋଳନ ବାବଦରେ ଖର୍ଚ୍ଚ ଯଦି ଅଧିକ ହୁଏ ତେବେ ସେହି ପ୍ରକଳ୍ପ ବିଭାଗ ହାତକୁ ନେଇ ନ ଥାଏ।
ଜାନୁଆରୀ ୨୦ରୁ କୋଣାର୍କରେ ଅନୁଷ୍ଠିତ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଜିଏସଆଇ ଭୁବନେଶ୍ୱରରେ ଏକ ବୋର୍ଡର ଏକ ବୈଠକ ରେ ଏହି ସୂଚନା ଦେଇଛନ୍ତି ସଚିବ। ଅପରପକ୍ଷେ ଖଣି ଖନନ କାର୍ଯ୍ୟ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ପାଲଟିଛି ବୋଲି ଖଣି ସଚିବ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦେଶର ଖଣି ରାଜଧାନୀ ଓଡିଶା ଦେଶକୁ ପ୍ରାୟ ୫୦ ପ୍ରତିଶତ ଖଣିଜ ପଦାର୍ଥ ଯୋଗାଇଥାଏ।

ରବିବାର ସକାଳେ ବିହାରର କାଟିହର ଜିଲ୍ଲାରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। କାଟିହାରର ଅହମ୍ମଦାବାଦର ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କିଛି ନିଖୋଜ ଥିବା କୁହା ଯାଉଛି। ଖବର ନେବାରୁ ଜଣା ପଡ଼ିଛି ଯେ ଡଙ୍ଗାରେ ସମୁଦାୟ ୧୭ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ
ଚାରି ଜଣ ଲୋକ ପହଁରି କୂଳକୁ ଆସିଛନ୍ତି। ଅନ୍ୟ ୧୦ ଜଣ ଏବେ ବି ନିଖୋଜ ଅଛନ୍ତି। ସମସ୍ତ ଲୋକ ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଡଙ୍ଗାରେ ଗାଡାଇ ଡିଆରା ଯାଉଥିଲେ। ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସଡିଆରଏଫ ଏବଂ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି।
ମୃତକମାନେ ହେଲେ ପୱନ କୁମାର (୬୦), ସୁଧୀର ମଣ୍ଡଳ (୭୦) ଏବଂ ଏକ ବର୍ଷର ଶିଶୁ ଅଛନ୍ତି। ଅବଶିଷ୍ଟ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ SDRF ଏକ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଗଙ୍ଗା ନଦୀରେ ପ୍ରବଳ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟରେ
ଅସୁବିଧା ହେଉଛି। ବିଶେଷ କରି ନଦୀର ଗଭୀରତା ହେତୁ ନିଖୋଜ ଲୋକଙ୍କୁ ଖୋଜିବାରେ ଅସୁବିଧା ହେଉଛି। କୁହାଯାଉଛି ଯେ ଡଙ୍ଗାରେ ଥିବା ଲୋକମାନେ କ୍ଷେତ ଦେଖିବା ପାଇଁ ଏବଂ ଚାଷ କାର୍ଯ୍ୟ କରିବାକୁ ଯାଉଛନ୍ତି | କିନ୍ତୁ ନଦୀର ତରଙ୍ଗ ସେମାନଙ୍କ ସକାଳକୁ ଶୋକରେ ପରିଣତ କଲା। ଅପରପକ୍ଷେ ନିଖୋଜ ଲୋକଙ୍କ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି। ଡଙ୍ଗା ଦୁର୍ଘଟଣାରେ ଉଦ୍ଧାର ହୋଇଥିବା ଲୋକଙ୍କୁ ଅହମ୍ମଦାବାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପାଇଥିଲେ ଖେଳରତ୍ନ। ଘରେ ଓ ସମ୍ପର୍କୀୟଙ୍କ ମଧ୍ୟରେ ମହୋଲ ଲାଗିଥିବା ବେଳେ ଘଟିଲା ବଡ଼ ଅଘଟଣ। ଦୁର୍ଘଟଣାରେ ହରାଇଲେ ମାମୁ ଓ ଆଈଙ୍କୁ।

ଗତ ଦୁଇଦିନ ତଳେ ରାଷ୍ଟ୍ରପତି ଖେଳ ରତ୍ନ ପୁରସ୍କାର ପାଇଥିବା ଅର୍ନ୍ତରାଷ୍ଟ୍ରୀୟ ସୁଟର୍ ତଥା ଭାରତୀୟ କ୍ରୀଡାବିତ୍ ଆଜି ତାଙ୍କ ମାଆ ଓ ମାମୁଙ୍କୁ ହରାଇଛନ୍ତି। ହରିଆଣାର ଏକ ସଡ଼କ ଦୁର୍ଘଟଣାରେ ମନୁଙ୍କ ଆଈ ଓ ମାମୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମାମୁ ୟୁଦ୍ଧିବିର୍ ସିଂ ଓ ଆଈ ସାବିତ୍ରୀ ଦେବୀ ମହେନ୍ଦ୍ରଗଡ ବାଇପାସ ରାସ୍ତାରେ ସ୍କୁଟରରେ ଯାଉଥିବା ବେଳେ ରଙ୍ଗ ସାଇଡ ରେ ଆସୁଥିବା ଏକ ବ୍ରିଜା ତାଙ୍କ ସ୍କୁଟରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକୁ ଗତ ଦୁଇଦିନ ତଳେ ମନୁ ରାଷ୍ଟ୍ରପତି ଖେଳରତ୍ନ ପୁରସ୍କାର ପ୍ରାପ୍ତ କରିଥିଲେ।

ପୁରୀ ଜିଲ୍ଲାର ଅଧିକାଂଶ ଲୋକଙ୍କ ଜୀବନ ରେଖା କହିଲେ ଦୟା ନଦୀକୁ ବୁଝାଏ। ହେଲେ ଗତ କିଛିଦିନ ଧରି ଦୟାନଦୀର ଜଳ ପ୍ରଦୂଷିତ ହେବା କାରଣରୁ ବିଭିନ୍ନ ଚର୍ମରୋଗ ସମେତ ପେଟ ରୋଗରେ ଶିକାର ହେଉଛନ୍ତି। ପ୍ରକାଶ ଥାଉ କି ଗତ ସପ୍ତାହକ ମଧ୍ୟରେ ଦୟା ନଦୀର ଜଳ ବ୍ୟବହାର କରୁଥିବା ପିପିଲି, କଣାସ ଅଞ୍ଚଳର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଝାଡ଼ାବାନ୍ତିରେ ୪ ଜଣଙ୍କ ଜୀବନ ଗଲାଣି। ପ୍ରଶାସନ ପକ୍ଷରୁ ଏହାର ଜଳ ବ୍ୟବହାର କରିବା ପାଇଁ ବାରମ୍ବାର ବାରଣ ସତ୍ତ୍ବେ ଲୋକେ ବିକଳ୍ପ ନ ପାଇ ଏହା ବ୍ୟବହାର କରୁଥିବା ଅଞ୍ଚଳବାସୀ କହିଛନ୍ତି। ଏକ ପକ୍ଷରେ ଦୟା ନଦୀର ଜଳ ଦିନକୁ ଦିନ ଦୂଷିତ ହେବାରେ ଲାଗିଥିବା ବେଳେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାବୃଦ୍ଧି ଅଞ୍ଚଳବାସୀ ତଥା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏବେବି କଣାସ ଗସିସାଗୋଦା ସମେତ ଅନେକ ଗ୍ରାମବାସୀ ଦୟା ନଦୀର ଜଳ ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ତଥା ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଚାଲିଛି।

ଏକ ଅଦ୍ଭୁତ ପରିସ୍ଥିତିରେ ଯୋଶେଫାଇନଙ୍କ ସହ ସାକ୍ଷାତ ହୋଇଥିଲା ନେପୋଲିଅନଙ୍କର। ଏହା ସେହି ସମୟର କଥା ଯେତେବେଳେ ନେପୋଲିଅନଙ୍କ ଆଖିର ଇସାରାରେ ଫ୍ରାନ୍ସର ମାଟି ପାଣି ପବନ ଜୀବନ୍ୟାସ ପାଉଥିଲେ ।

ଦିନେ ସେ ଏକ ଆଦେଶନାମା ଜାରିକଲେ- ଯାହା ଘରେ ଯେଉଁ ହତିଆର ଅଛି ସେସବୁକୁ ଆଣି ସେମାନେ ରାଜ କର୍ମଚାରୀଙ୍କ ନିକଟରେ ଜମା କରିବେ । ଗୋଟିଏ ଗାଁରେ ହତିଆର ସଂଗ୍ରହ ଅଭିଯାନ ଜାରି ରହିଥାଏ । ନିଜେ ନେପୋଲିଅନ୍ ବୁଲିବୁଲି କର୍ମଚାରୀଙ୍କର କାର୍ଯ୍ୟ ତଦାରଖ କରୁଥାନ୍ତି । ତାଙ୍କ ଆଖିରେ ପଡ଼ିଲା ଲୋକଙ୍କ ଧାଡ଼ିରେ ଠିଆ ହୋଇଥିବା ଜଣେ ୧୪ବର୍ଷର ଝିଅ । ସେ ଏକ ହତିଆର ଧରି ଠିଆ ହୋଇଥିଲା ଆଉ ସେହି ହତିଆରକୁ ଅନେଇ କୋହ ଉଠେଇ କାନ୍ଦୁଥିଲା ।
ଆଶ୍ଚର୍ଯ୍ୟ ହେଲେ ନେପୋଲିଅନ୍। ଝିଅଟିକୁ ପାଖକୁ ଡାକିଲେ ଆଉ ପଚାରିଲେ : କ’ଣ ତୋ ନାଁ? ତୁ କାନ୍ଦୁଛୁ କ’ଣ ପାଇଁ?
ଝିଅଟି କହିଲା, ତା’ ନାଁ ୟୁଜିନ୍ । ସେ ଯେଉଁ ତଲୱାରଟିକୁ ଆଜି ଆଣିଛି ରାଜକର୍ମଚାରୀଙ୍କୁ ଦେଇଦେବା ଲାଗି ସେଇଟି ହେଉଛି ତା’ର ଦିବଂଗତ ବାପାଙ୍କର ଯିଏ ଫ୍ରାନ୍ସ ପାଇଁ ଲଢ଼େଇ କରି ଜୀବନ ଦାନ ଦେଇଛନ୍ତି । ତା’ ନିକଟରେ ତା’ ବାପାଙ୍କର ସନ୍ତକ ଭାବରେ ଏହି ତଲୱାର ଖଣ୍ଡକ ହିଁ ଥିଲା । ଏଇଟିକୁ ଦେଇଦେଲେ ତା’ ପାଖରେ ତା’ ବାପାଙ୍କର ଆଉ କୌଣସି ସନ୍ତକ ଅବଶିଷ୍ଟ ରହିବ ନାହିଁ । ସେଥିଲାଗି ସେ କାନ୍ଦୁଛି ଆଉ ତା’ ବାପାଙ୍କୁ ମନେ ପକଉଛି ।
ଝିଅଟିର କଥା ଛୁଇଁଗଲା ନେପୋଲିଅନଙ୍କ ହୃଦୟକୁ । ତରଳିଗଲା ତାଙ୍କ ମନ । ସେ ଝିଅଟିର କପାଳରେ ବୁକ ଖାଇ କହିଲେ: ଝିଅରେ, ତୋ ବାପାଙ୍କର ତଲୱାର ତୋ ପାଖରେ ରହିବ । ତାକୁ ମୁଁ ନେଇଯିବିନି । ଯା, ତଲ୍ୱାର ନେଇ ତୁ ତୋ ଘରକୁ ଫେରିଯା ।
ସେଦିନ ନେପୋଲିଅନଙ୍କୁ କୃତଜ୍ଞତା ଜଣେଇ ଘରକୁ ଫେରିଗଲା ଝିଅଟି । ମାତ୍ର ଠିକ୍ ତା’ ପରଦିନ ଘଟିଲା ଏକ ଅପ୍ରତ୍ୟାଶିତ ଘଟଣା ଯାହା ଇତିହାସକୁ ଦେଲା ନୂଆ ଏକ ମୋଡ଼ । ନେପୋଲିଅନ୍ ନିଜର ମନ୍ତ୍ରୀ ଆଉ ସେନାପତିଙ୍କ ସହିତ ବାର୍ତ୍ତାଳାପ କରୁଥାନ୍ତି । ସେତିକିବେଳେ ଶୁଭିଲା ଏକ ସୁମଧୁର ନାରୀକଣ୍ଠର ଆୱାଜ୍ ।
“ମୁଁ ୟୁଜିନ୍ର ମା’ । କାଲି ମୋ ସ୍ୱାମୀଙ୍କର ତଲୱାରଟିକୁ ଆମକୁ ଫେରେଇଦେଇ ଆପଣ ଆମ ମା’ ଝିଅଙ୍କ ପ୍ରତି ଅନେକ ଉପକାର କରିଛନ୍ତି । ସେଥିପାଇଁ ମୁଁ ମୋ ଝିଅ ତରଫରୁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।”
ବୁଲି ଚାହିଁଲେ ନେପୋଲିଅନ୍ । ତାଙ୍କର ଆଖି ୟୁଜିନର ମା’ ଉପରେ ସ୍ଥିର ହୋଇ ଅଟକିଗଲା । ପାଟିରୁ କଥାଟିଏ ବି ବାହାରିଲା ନାହିଁ । ସେ କେବଳ ସେହି ମହିଳାଙ୍କୁ ଦେଖୁଥିଲେ ଆଉ ଦେଖି ଚାଲୁଥିଲେ ।
ଅପୂର୍ବ ରୂପ ଲାବଣ୍ୟ । ଟଣାଟଣା ଆଖି । ଆଙ୍କିଦେବା ପରି ଓଠ । ଗୋଲାପି ଚିବୁକ । ଏ ନାରୀ ନା କେଉଁ ଶିଳ୍ପୀ ହାତ ଅଙ୍କା ଚିତ୍ର ପ୍ରତିମା!
ୟୁଜିନ୍ ମା’ଙ୍କର ସୌନ୍ଦର୍ଯ୍ୟରେ ନେପୋଲିଅନ୍ ବିହ୍ୱଳିତ ହେଉଥିଲେ ସିନା; ମହିଳା ଜଣକ କିନ୍ତୁ କୃତଜ୍ଞତା ଜଣେଇ ଚୁପଚାପ୍ ଫେରି ଯାଇଥିଲେ ତାଙ୍କର ଘରକୁ । ଖାଲି ହାତରେ ଘରକୁ ଫେରି ନଥିଲେ ସେ । ନିଜ ସହିତ ସେ ନେଇଯାଇଥିଲେ ଫ୍ରାନ୍ସର ଭାବି ସମ୍ରାଟ ନେପୋଲିଅନଙ୍କ ହୃଦୟ ।

(କ୍ରମଶଃ)

ପୋଖରୀ ହୁଡ଼ାରେ ମିଳିଲା ମୃତଦେହ।

ସନ୍ଧ୍ୟାରେ ଶୌଚ ପାଇଁ ନିକଟସ୍ଥ ବନ୍ଧକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ଫୋନ୍ କଲେ। କିନ୍ତୁ ଫୋନ୍ ନ ଉଠାଇବାରୁ ବନ୍ଧକୁ ଖୋଜିବାକୁ ଯାଇଥିଲେ। ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ୱୁରୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଦେଖିଥିଲେ ।

ଗଞ୍ଜାମ ଜିଲ୍ଲା ବଡଗଡ ଥାନ ରାଇବନ୍ଧ ଗ୍ରାମରେ। ପୋଖରୀ ହୁଡ଼ାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ପରିବାର ଲୋକ। ମୃତକ ହେଲେ ରାଇବନ୍ଧ ଗ୍ରାମର ଡ଼ମ୍ବୁରୁ ସ୍ବାଇଁ (୪୫) । ସୂଚନା ପାଇ ଘଟଣା ସ୍ଥଳରେ ବଡଗଡ ପୋଲିସ୍ ପହଞ୍ଚି ତଦନ୍ତ କରୁଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଡମ୍ବୁରୁ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ। ତାଙ୍କ ମୋବାଇଲକୁ ସେହି ଗ୍ରାମର ବାଇନାଥ ସ୍ୱାଇଁ ହତ୍ୟା ଧମକ ଦେଇଥିଲେ। ମୋବାଇଲ ମେସେଜକୁ ଆଧାର କରି ଡ଼ମ୍ବୁରୁ ସ୍ବାଇଁ ବଡଗଡ ଥାନରେ ଅଭିଯୋଗ କରିଥିଲେ। ଘର ଲୋକଙ୍କ କହିବା ଅନୁସାରେ କିଛିବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ହୋଇଥିବା ବିବାଦ ପୁଲିସ ସହଯୋଗରେ ଅପୋସ ବୁଝାମଣା ହୋଇଥିଲା। ମାତ୍ର ତିନିଦିନ ତଳେ ଶଙ୍କର ସ୍ବାଇଁ ହାତରେ ଠେଙ୍ଗା ଧରି ଡମ୍ବୁରୂଙ୍କ ପରିବାର ଲୋକଙ୍କ ସହ ଗାଳିଗୁଲଜ କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ । ଅଭିଯୁକ୍ତକୁ କଠୋର ଦଣ୍ଡ ବିଧାନ ସହିତ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତକଙ୍କ ପୁଅ ଓମ୍ ।

ଚିଲିକାରୁ ମୁହାଁ ଫେରାଇଲେ ୧୦ ହଜାର ବିଦେଶୀ
ଚିଲିକାର ପରିବେଶ ବିଦେଶୀ ପକ୍ଷୀଙ୍କ ପାଇଁ ଅନୁକୂଳ ହୋଇ ପାରୁନି କାହିଁକି ? କଣ ରହିଛି ସମସ୍ୟା ନା ଶିକାରୀଙ୍କୁ ଡ଼ରି ଆସୁନାହାନ୍ତି ବିଦେଶୀ ପକ୍ଷୀ । ଯାହା ହେଉ ନା କାହିଁକି ଗତବର୍ଷ ତୁଳନାରେ ଏଥର ପ୍ରାୟ ୧୧ ହଜାର କମ ବିଦେଶୀ ପକ୍ଷୀ ଚିଲିକାକୁ ଆସିଛନ୍ତି।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିଲା ପକ୍ଷୀଗଣନା। ଚଳିତବର୍ଷର ରିପୋର୍ଟ ଅନୁଯାୟୀ ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି। ତନ୍ମଧ୍ୟରେ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ଟି ବିଦେଶାଗତ ପକ୍ଷୀ ଥିବାବେଳେ ସ୍ଥାନୀୟ ଅଞ୍ଚଳର ୮୭ ପ୍ରଜାତିର ୪୦ ହଜାର ୨ଟି ପକ୍ଷୀ ରହିଛନ୍ତି।


ଗତବର୍ଷ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ। ତନ୍ମଧ୍ୟରୁ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୯ ଶହ ୪୬ଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ତେବେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ସ୍ଥାନୀୟ ପକ୍ଷୀ ଓ ପ୍ରଜାତିରେ ବୃଦ୍ଧି ହୋଇଛି। କିନ୍ତୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଥିବାବେଳେ ୧୦,୫୩୧ଟି ପକ୍ଷୀ କମିଛନ୍ତି। ଚଳିତ ବର୍ଷ ସର୍ବାଧିକ ପକ୍ଷୀ ବାଲୁଗାଁ ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ଟି ପକ୍ଷୀଙ୍କ ଆଗମନ ହୋଇଛି। ପୂର୍ବ ବର୍ଷ ନଳବଣରେ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଆସିଥିଲେ। ଚଳିତବର୍ଷ ୪ ହଜାର ୫୪ଟି ହ୍ରାସ ପାଇଛି। ତେବେ ନଳବଣରେ ସର୍ବାଧିକ ପକ୍ଷୀ ଦେଖାଯାଇଛି।

ଚଳିତ ବର୍ଷ ସର୍ବାଧିକ ସଂଖ୍ୟାରେ ଗଡୱାଲ ୨ ଲକ୍ଷ ୧ ହଜାର ୯୨୬, ନର୍ଦନ ପିଣ୍ଟେଲ୍‌ ୧ ଲକ୍ଷ ୯୩ ହଜାର ୩୯୪ଟି, ୟୁରାସିଆନ କ୍ୟୁଜ୍‌ୟନ ୧ ଲକ୍ଷ ୫୪ ହଜାର ୯୩୭, ବ୍ଲାକଟେଲ ଗଡୱାଲ ୬୮ ହଜାର ୩୭୯, କମନ୍‌ କୁଟ୍‌ ୫୪ ହାଜର ୭୮୭ ଓ ଚିଲିକାର ଶୋଭାମଣ୍ଡନ କରୁଥିବା ଫ୍ଲେମିଙ୍ଗୋ ପକ୍ଷୀ ଗତ ବର୍ଷ ୮୨୦ଟି ଆସିଥିବା ବେଳେ ଚଳିତ ବର୍ଷ ବୃଦ୍ଧି ପାଇ ୨ ହଜାର ୬୩୮ଟି ପକ୍ଷୀ ଆସିଥିବା ଗଣନାରୁ ଜଣାଯାଇଛି। ସୁଦୂର ସାଇବେରିଆ, କାଜାକିସ୍ଥାନ, ଋଷ, ଆମେରିକା, ଇରାନ୍‌, ଆଫଗାନିସ୍ଥାନ, ଲଦାଖ ସମେତ ହିମାଳୟ ଆଦି ଅଞ୍ଚଳରୁ ଗତ ବର୍ଷ ୧୮୭ ପ୍ରଜାତିର ବିଦେଶାଗତ ଲକ୍ଷ ଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୯୬ ପ୍ରଜାତିର ପକ୍ଷୀ ଆସିଛନ୍ତି।


ତେବେ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡ଼ା, ରମ୍ଭା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ଶନିବାର ସକାଳ ୬ଟାରୁ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ୨୧ଟି ଟିମ୍‌ ଏଥିରେ ସାମିଲ ହୋଇଥିଲେ। ପ୍ରତି ଟିମ୍‌ରେ ଜଣେ ପକ୍ଷୀ ବିଶାରଦଙ୍କ ସମେତ ୬-୭ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନ୍‌ରେ ୮ଟି ଟିମ୍‌, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ହୋଇଥିଲେ। ମୁମ୍ବାଇସ୍ଥିତ ନ୍ୟାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓୟୁଏଟି, ସିଡିଏ କର୍ମଚାରୀ, ୱାଇଲ୍ଡ ଓଡ଼ିଶା, ଭେଟେରେନାରୀ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରଛାତ୍ରୀ ଓ ବହୁ ଅଭିଜ୍ଞ ପକ୍ଷୀ ବିଶାରଦ ସାମିଲ୍‌ ହୋଇଥିଲେ।