TT Ads

ଆରିଷ୍ଟୋଟଲ କିଛିଦିନ ଧରି ଚିନ୍ତାରେ ରହୁଥିଲେ । କାହା ସହ ମିଶୁ ନ ଥିଲେ କି କଥା ହେଉ ନ ଥିଲେ । କହୁଥିଲେ: ମୋତେ ଡିଷ୍ଟର୍ବ କରନାହିଁ । ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଭାବୁଛି। ବାସ୍ତବରେ ସେ ଏ ବିଶାଳ ବ୍ରହ୍ମାଣ୍ଡ କଥା ଚିନ୍ତା କରୁଥିଲେ। ହେଲେ ତା’ର କିଛି କୁଳକିନାରା ପାଉ ନ ଥିଲେ।

ଆରିଷ୍ଟୋଟଲ ଦିନେ ଚିନ୍ତାମଗ୍ନ ହୋଇ ବେଳାଭୂମିରେ ବୁଲୁଥିବା ସମୟରେ ଜଣେ ଲୋକକୁ ଦେଖି ସେ ଅଟକି ରହିଗଲେ। ଦେଖିଲେ, ଲୋକଟି ସମୁଦ୍ର ଭିତରକୁ ପଶିଯାଉଛି । ସେଠାରୁ ଗୋଟିଏ ଚାମଚରେ ଚାମୁଚେ ପାଣି ଆଣି ଗୋଟିଏ ଗାତରେ ଢାଳିଦେଉଛି । ସେ ବାରମ୍ବାର ସେଇ କାମ କରିଚାଲିଛି। ଆରିଷ୍ଟୋଟଲଙ୍କର କୌତୂହଳ ବଢ଼ିଲା। ସେ ଲୋକଟିକୁ ପଚାରିଲେ: ତମେ ଏଠି କ’ଣ କରୁଛ? ଲୋକଟି କହିଲା- ମୋତେ ଡିଷ୍ଟର୍ବ କରନା । ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରୁଛି । ଆରିଷ୍ଟୋଟଲ କହିଲେ- ସେହି ଗୁରୁତ୍ୱପୂର୍ଣ୍ଣ କାମଟି କ’ଣ ? ଲୋକଟି କହିଲା- ମୁଁ ସମୁଦ୍ରକୁ ଆଣି ଏଇ ଗାତ ଭିତରେ ରଖିଦେବି। ଆରିଷ୍ଟୋଟଲ ହସିଲେ ଆଉ କହିଲେ- ଲାଗୁଛି ତମେ ପାଗଳ ହେଇଯାଇଛ। ଏତେ ବଡ଼ ସମୁଦ୍ର । ଏତେ ପାଣି । ତୁମେ ତୁମ ଚାମଚରେ ପାଣି ଆଣି ଏଇ ଛୋଟିଆ ଗାତ ଭିତରେ ରଖିଦେଇ ପାରିବ? ଲୋକଜଣକ କହିଲା- କାହିଁକି ପାରିବିନି।  ଆମ ରାଜ୍ୟର ଆରିଷ୍ଟୋଟଲ ତ ଏତେବଡ଼ ବ୍ରହ୍ମାଣ୍ଡର ରହସ୍ୟକୁ ତାଙ୍କ ଛୋଟିଆ ମୁଣ୍ଡ ଭିତରେ ପୂରେଇବାକୁ ଚେଷ୍ଟା କରୁଛନ୍ତି । ସେ ଯଦି ପାରିବେ ମୁଁ ପାରିବିନି କ’ଣ ପାଇଁ? ଆରିଷ୍ଟୋଟଲ ଚମକି ଉଠିଲେ । ଭାବିଲେ, କିଏ ଏଇ ଲୋକ? ସେ ଲୋକଜଣକ ଥିଲେ ତାଙ୍କର ଘନିଷ୍ଠ ବନ୍ଧୁ ଦାର୍ଶନୀକ ହେରାକ୍ଲିଟିଅସ୍। ନିଜ ବନ୍ଧୁଙ୍କୁ ଜ୍ଞାନ ଦେବା ଲାଗି ସେ ଏପରି ଏକ ନାଟକ କରିଥିଲେ।

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *