ନିଆଁଖୁଣ୍ଟା, ଦୁର୍ମୁଖ ଓ ନିର୍ଭିକ ପରି ପତ୍ରପତ୍ରିକାର ଏଜେନ୍ସି ନେଇ ଏହାକୁ ଗ୍ରାହକମାନଙ୍କ ନିକଟରେ ଖବର ପହଞ୍ଚାଉଥିଲେ ନବକିଶୋର। ପତ୍ରିକା ବାଣ୍ଟୁବାଣ୍ଟୁ ନବକିଶୋର ଖବର ସଂଗ୍ରହ ଶିିଖିଥିଲେ। ସକାଳେ ଖବର କାଗଜ ବିକୁଥିବା ସମୟରେ ସଞ୍ଜରେ ନବକିଶୋର ଖବର ଲେଖୁଥିଲେ ନବ।
ବିରିଡ଼ିର ତତ୍କାଳୀନ ବ୍ୟବସାୟୀ ରାଜୁରାଓ ଦୋରା ରାଜନେତା, ପ୍ରଶାସନ ଓ ଅପାରଧୀମାନଙ୍କୁ ଟଙ୍କାଦେଇ ବିଭିନ୍ନ କଳାଧନ୍ଦା ଓ ଜାଲି ବେପାର କରୁଥିଲା। ସେ ସିମେଣ୍ଟରେ ପାଉଁସ, ଚାଉଳରେ ଗୋଡ଼ି ସମେତ ସାର ଓ ଅନ୍ୟାନ୍ୟ ଦ୍ରବ୍ୟରେ ଅପମିଶ୍ରଣ କରି ବିକ୍ରୟ କରୁଥିଲା। ନବ ଏହି ଖବର ଛାପିବାପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିିଲା। ରାଜୁରାଓ ଦୋରାର ଯାବତୀୟ କଳାଧନ୍ଦାର କାର୍ପଟେଦାର ଥିବା ବିରିଡ଼ି ବ୍ଲକର ତକ୍ରାଳୀନ ଶାସକ ଦଳର ସଭାପତି ଦିବାକର ମହାନ୍ତି ଓ କାର୍ଯ୍ୟକାରୀ ସଂପାଦକ ନନ୍ଦ ମହାନ୍ତି ନବକିଶୋରଙ୍କୁ ରାଜୁ ବିରୋଧରେ ନ୍ୟୁଜ ନ କରିବାକୁ ଚେତାବନୀ ଦେଇଥିଲେ। ମାତ୍ର ନବକିଶୋର ସେମାନଙ୍କ କଥା ଶୁଣି ନ ଥିଲେ। ଏଥିିପାଇଁ ସେମାନେ ଲୋକ ପଠାଇ ନବଙ୍କ ଘରୁ ବିଭିନ୍ନ ଜିନିଷ ନେଇଯାଇଥିଲେ। ନବକିଶୋର ଏହା ବିରୋଧରେ ପୁଲିସରେ ଏତଲାଦେବାରୁ ଦଳୀୟକର୍ମୀ ମାଧବ ତନ୍ତୀ, ଗୁଡ଼ିଆ ବାରିକ, ବାବାଜୀ ମହାରଣା ଗିରଫ ହୋଇ ଜେଲଯିବା ସହିତ ପରେ ଜାମିିନରେ ଆସିଥିଲେ।
୧୯୮୦ ଅକ୍ଟୋବର ୩ ତାରିଖରେ କଟକ ଦୁର୍ମୂଖ ଅଫିସରେ କାମ ଥିବାରୁ ଉଭୟ ନବ ଓ ଛବି ସକାଳୁ କଟକ ଅଭିମୁଖେ ବାହାରିଥିଲେ। ସେମାନେ ସକାଳ ୬.୩୦ରେ ନିକଟସ୍ଥ ଜଳଖିଆ ଦୋକାନରେ ଖାଉଥିବା ସମୟରେ ସେଠାରେ ନକୁଳ ବେହେରା, ବଗ ତନ୍ତୀ, କେଳୁ ଦାସ, ମାଧବ ତନ୍ତୀ ଓ ବାବାଜୀ ମାଣିଆ ପହଞ୍ଚି ସ୍ଥାନୀୟ ରାଜନେତା ନନ୍ଦ ମହାନ୍ତିଙ୍କୁ ଭେଟିବାକୁ କହିଲେ। ନ ହେଲେ ପରିସ୍ଥିତି ଖରାପ ହେବ ବୋଲି ସେମାନେ ଚେତାବନୀ ଦେଲେ। ସେମାନେ ସେହିଦିନ କଟକ ନ ଯାଇ ଘରକୁ ଫେରି ଆସିଲେ।

ପରେ ସୁଧୀର ପରିଡ଼ା ଓ ମଦମାଫିଆ ବୀର ମାଣିଆ ନବଙ୍କୁ ବିରିଡ଼ି ବ୍ଲକ ଦଳୀୟ କାର୍ଯ୍ୟାଳୟକୁ ଡାକି ନେଇଥିଲେ। ଦଳୀୟ ଲୋକଙ୍କ ବିରୋଧରେ କାହିଁକି ଚୋରି ଅଭିଯୋଗ କଲୁ ବୋଲି କହି ନବକିଶୋରଙ୍କୁ ମାଡ଼ ମାରିଥିଲେ ବ୍ଲକ୍ର ଦଳୀୟ ସମ୍ପାଦକ ନନ୍ଦ ମହାନ୍ତି। ଦଳୀୟ କାର୍ଯ୍ୟାଳୟରେ ନବକିଶୋରଙ୍କୁ ପୂରାଇ ବାହାରୁ କବାଟଦେଇ ମଧ୍ୟାହ୍ନରେ ସମସ୍ତେ ଖାଇବାକୁ ଚାଲିଯାଇଥିଲେ। ଦ୍ୱିପ୍ରହରେ ନନ୍ଦ ମହାନ୍ତି ପହଞ୍ଚିବା ପରେ ନବକିଶୋର ତାଙ୍କ ଗୋଡ଼ହାତ ଧରି ସେଠାରୁ ମୁକୁଳିଥିଲେ ମଧ୍ୟ, ତାଙ୍କୁ ସେହିଦିନ ବିରିଡ଼ି ଛାଡ଼ି ଚାଲିଯିବାକୁ ନନ୍ଦ ମହାନ୍ତି କଡ଼ା ଚେତାବନୀ ଦେଇଥିଲେ। ନବକିଶୋର ନିଜ ପତ୍ନୀ ଛବିରାଣୀ ଓ ୬ମାସର ପୁଅ ସହିତ ଘର ଛାଡ଼ିଥିଲେ। ଗାଁରୁ ବାହାରକୁ ଯିବାକୁ ବିଲୁଆଖାଇ ନଦୀପଠା ପର୍ଯ୍ୟନ୍ତ ବୀରମାଣିଆ, ବାବାଜୀମାଣିଆ, ବଗ ତନ୍ତୀ, ମାଧବ ତନ୍ତୀ, ସୁରେନ୍ଦ୍ର ବାରିକ, କେଳୁଦାସ, ରାଜୁଦୋରା ଓ ଦିବାକର ନାଏକ ସେମାନଙ୍କୁ ଅନୁସରଣ କରିଥିଲେ। ଏହା ପରେ କଣ ହେଲା ଆମେ ପରବର୍ତ୍ତୀ ଭାଗରେ ଜାଣିବା।
(କ୍ରମଶଃ)


