ବାପା ଆଗରେ ପୁଅକୁ କରିଥିଲେ ଵୀଭତ୍ସ ହତ୍ୟା। ଡିସିପି ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା ହତ୍ୟାକାଣ୍ଡ

ଜଣେ ଅଟୋ ଚାଳକକୁ ଛୁରୀ ଭୁଷି ହତ୍ୟା କରିଥିବା ଦୁଇ ଅଭିଯୁକ୍ତକୁ ଆଜୀବନ ଜେଲ ଦାଣ୍ଡରେ ଦଣ୍ଡିତ ହୋଇଛନ୍ତି। ହତ୍ୟାକାରୀ ମନୋଜ ଦାସ ଓ ଅଶୋକ ଦାସଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ଜିଲ୍ଲା ଦୌରା ଜଜ୍। ଅଭିଯୁକ୍ତ ଅଶୋକ ଓ ମନୋଜଙ୍କ ଘର ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ବୋଲି ଜଣା ପଡ଼ିଛି।ଏକ ବିରଳରୁ ବିରଳ ମାମଲା ଭାବେ ଏହାକୁ ବିଚାର କରି ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶ ଥାଉ କି ଗତ ୨୦୨୨ ମସିହା ଅଗଷ୍ଟ ୩୦ ତାରିଖରେ ଉଠାଦୋକାନକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ଅଟୋଚାଳକ ସୌମ୍ୟ ରଞ୍ଜନ କୁଣ୍ଡୁଙ୍କୁ ତାଙ୍କ ବାପାଙ୍କ ସାମ୍ନାରେ ୩୩ ଥର ଛୁରୀ ଭୁସି ହତ୍ୟା କରି ଅଶୋକ ଓ ମନୋଜ। ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି।

ଭୁସୁଡୁଛି ମାଓ ଦୁର୍ଗ। ଗତ ଦୁଇଦିନ ଧରି ଓଡ଼ିଶା, ଛତିଶଗଡ ମିଳିତ ପୁଲିସ, ସିଆରପିଏଫ୍ ର ପ୍ରୟାସରେ ଚାଲିଥିବା ନକ୍ସଲ ଦମନ ଅପରେସନରେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ନକ୍ସଲ ସେଣ୍ଟ୍ରାଲ କମିଟି (ସିସି) ସଦସ୍ୟ ଜୟୀରାମ। ପ୍ରଥମ ଥର ପାଇଁ ନକ୍ସଲ କେନ୍ଦ୍ର କମିଟି (ସିସି) ର ସଦସ୍ୟଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଜୟୀରାମ ଓଡ଼ିଶାର ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଜୟୀରାମ ନକ୍ସଲ ନେତା ଯାହାଙ୍କୁ ଧରାଇ ଦେବା ଦେବା ପାଇଁ ଏକ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥାଇ ପରେ ବୋଲି ଗୃହ ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି। ସେ କହିଛନ୍ତି ଯେ ଦୁଇଦିନିଆ ଅପରେଶନର ପ୍ରଥମ ଦିନରେ ୨ ଜଣ ଏବଂ ଦ୍ଵିତୀୟ ଦିନରେ ୧୨ ଜଣ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହା ଉଭୟ ଓଡ଼ିଶା ଓ ଛତିଶଗଡ଼ ପୁଲିସ ପାଇଁ ବଡ ସଫଳତା ବୋଲି କହିଛନ୍ତି ଶ୍ରୀ ଶାହ। ସେହିଭଳି ନକ୍ସଲ ଦମନ କ୍ଷେତ୍ରରେ ଦେଶକୁ ବଡ ସଫଳତା ମିଳିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି ଯେ, ନକ୍ସଲବାଦ ଏବେ ଶେଷ ବିଶ୍ୱାସ ନେଉଛି। ୨୦୨୬ ରେ ଦେଶ ସମ୍ପୁର୍ଣ୍ଣ ନକ୍ସଲ ମୁକ୍ତ ହେବ।


ପିଲା ଯଦି ଛୋଟ ବୟସରେ ଭଲ ପାଠ ପଢୁଛି ତାକୁ ଆମେ ପାଞ୍ଚ ବର୍ଷ କିମ୍ବା ସାଢ଼େ ପାଞ୍ଚ ବର୍ଷ ବୟସ ହେଲେ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାଁ ଲେଖେଇ ଦେଉଥିଲେ। କିନ୍ତୁ ଏବେ ଆଉ ତାହା ସମ୍ଭବ ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପିଲାଙ୍କୁ ୬ ବର୍ଷ ନ ହେଲା ଯାଏଁ ସ୍କୁଲରେ ନାମ ଲେଖାଇ ପାରିବେ ନାହିଁ।

ଏଣିକି ପିଲାଙ୍କୁ ୬ବର୍ଷ ବୟସ ହୋଇ ନ ଥିଲେ ପ୍ରଥମଶ୍ରେଣୀରେ ନାଁ ଲେଖିପାରିବେନି ପିଲା। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ବାପା ମାଆ ଚାହିଁଲେ ୫ ବର୍ଷ ବୟସରୁ ପ୍ରାକ୍ ଶ୍ରେଣୀରେ ନାଁ ଲେଖି ପାରିବେ।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଶିକ୍ଷାବର୍ଷର ସେପ୍ଟେମ୍ବର ପହିଲା ସୁଦ୍ଧା ପିଲାର ବୟସ ଅତି କମରେ ୬ ବର୍ଷ ହେବା ଆବଶ୍ୟକ । ସେହିପରି ୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ପ୍ରି ସ୍କୁଲ ଶ୍ରେଣୀ ଖୋଲିବ ।
ଉଲ୍ଲେଖଯୋଗ୍ୟ,ଗତ ସପ୍ତାହରେ ରାଜ୍ୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ବିଶ୍ୱବିଜୟୀ ନେପୋଲିୟନ୍ ଯେ ଏକଦା ଜଣେ ବିଧବାମହିଳାଙ୍କୁ ପ୍ରେମ କରି ବସିବେ ତାହା ଯେତିକି ଆଶ୍ଚର୍ଯ୍ୟର ପ୍ରସଙ୍ଗ ଥିଲା ତା ଠାରୁ ବିସ୍ମୟ ଜଣକ ଥିଲା ସେ ମହିଳା ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଯେଉଁଥିପାଇଁ ନେପୋଲିୟନ୍ ଏକ ତରଫା ପ୍ରେମରେ ପଡି ଯାଇଥିଲେ।

କିଛି ଦିନ ବିତିଲା । ନେପୋଲିଅନ୍ ଭାବିଥିଲେ କାମରେ ବ୍ୟସ୍ତ ରହିଲେ ତାଙ୍କ ଭିତରୁ ସେହି ମହିଳାଙ୍କର ଛବି ଲିଭିଯିବ । ମାତ୍ର ନା- ସେ ଛବି ଲିଭିବାର ନଥିଲା । ନେପୋଲିଅନ୍ ଯେତେ ଭୁଲିବାକୁ ଚେଷ୍ଟା କରୁଥିଲେ ସେ ଛବି ସେତେ ତାଙ୍କ ଭିତରେ ଗଭୀର ହୋଇ ଆଙ୍କି ହୋଇଯାଉଥିଲା । ଶେଷରେ ନେପୋଲିଅନ୍ ନିଷ୍ପତ୍ତି ନେଲେ ସେ ସେହି ମହିଳାଙ୍କୁ ଖୋଜିବେ ।
ସେ ତାଙ୍କର ବିଶ୍ୱସ୍ତ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଲେ ସେହି ମହିଳାଙ୍କର ପତ୍ତା ଲଗେଇବାକୁ । ଚାରିଆଡ଼େ ଖେଳିଗଲେ ଗୁପ୍ତଚର । ଦିନେ ଦୁଇଦିନ ଭିତରେ ସେମାନେ ଆସି ଖବର ଦେଲେ ଯେ, ସେ ମହିଳା ଜଣକ ହେଉଛନ୍ତି ଫ୍ରାନ୍ସର ଜଣେ ସୈନିକଙ୍କ ପତ୍ନୀ । ତାଙ୍କର ନାମ – ଯୋଶେଫାଇନ୍! ବିଧବା ଯୋଶେଫାଇନଙ୍କର ସଂସାର କହିଲେ ତାଙ୍କର ଏକମାତ୍ର ଝିଅ ୟୁଜିନ୍!
ନେପୋଲିଅନଙ୍କ ଭିତରେ ଆଶାର କିରଣଟିଏ ଦିକଦିକ୍ ହୋଇ ଜଳିଉଠିଲା । ସେ ଭାବିଲେ, ଯଦି କେହି ଫ୍ରାନ୍ସର ସାମ୍ରାଜ୍ଞୀ ହେବ ତା’ହେଲେ ସେ ହେବ ଯୋଶେଫାଇନ୍!
ନେପୋଲିଅନ୍ ଇଚ୍ଛା କରିଥିଲେ ନିମିଷକରେ ଯୋଶେଫାଇନଙ୍କୁ ହାସଲ କରିପାରିଥାନ୍ତେ । ତାଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିଥାନ୍ତେ । କାରଣ ସେତେବେଳେ ଫ୍ରାନ୍ସ କହିଲେ ଇତିହାସ ବୁଝୁଥିଲା ନେପୋଲିଅନ୍ ବୋନାପାର୍ଟଙ୍କୁ । ସେ ଇସାରା କରିଥିଲେ ତାଙ୍କର କର୍ମଚାରୀମାନେ ଯୋଶେଫାଇନଙ୍କୁ ଧରିଆଣି ପହଞ୍ଚେଇ ଦେଇଥାନ୍ତେ ତାଙ୍କର ଶୟନ କକ୍ଷ ଭିତରେ । ମାତ୍ର ନା, ନେପୋଲିଅନ୍ କୌଣସି ବି ଦୃଷ୍ଟିକୋଣରୁ ଜଣେ ନାରୀ ମାଂସଲୋଭୀ ସଇତାନ ନଥିଲେ । ସେ ଥିଲେ ଯୋଶେଫାଇନଙ୍କର ରୂପର ପୂଜାରୀ । ପ୍ରଥମ ଦେଖାରେ ସେ ଯୋଶେଫାଇନଙ୍କୁ ତାଙ୍କର ହୃଦୟ ରାଜ୍ୟର ରାଜେଶ୍ୱରୀ ଆସନରେ ବସେଇ ଦେଇଥିଲେ । ସେଥିଲାଗି ସେ ଯୋଶେଫାଇନଙ୍କ ହୃଦୟ ଜିତିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ ଯୋଶେଫାଇନ୍ ହେବ ତାଙ୍କର ପ୍ରେମିକା । ଯୋଶେଫାଇନଙ୍କ ପ୍ରେମର ତରଙ୍ଗରେ ତାଙ୍କର ଯୁଦ୍ଧଖୋର ଜୀବନ ହୋଇ ଉଠିବ ପ୍ରେମମୟ!

ଯୋଶେଫାଇନଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ନେପୋଲିଅନ୍ । ସେ ତାଙ୍କୁ ତାଙ୍କ ନିଜଠୁ ବି ବଳି ବେଶି ଭଲପାଉଥିଲେ । ସେଥିଲାଗି ଦିନରେ ଯୁଦ୍ଧକ୍ଷେତ୍ରରେ ଶତ୍ରୁସୈନ୍ୟଙ୍କ ରକ୍ତରେ ଭିଜିଯାଇଥିବା ହାତକୁ ରାତିରେ ପ୍ରେମର ଶବ୍ଦରେ ଧୋଉଥିଲେ । ବିଳମ୍ବିତ ରାତିଯାଏ ଶିବିରରେ ବସି ପ୍ରାଣପି୍ରୟା ଯୋଶେଫାଇନଙ୍କ ନିକଟକୁ ପ୍ରେମପତ୍ର ଲେଖୁଥିଲେ । ଆଉ ସକାଳ ହେବା ମାତ୍ରେ ତାହାକୁ ନିଜର ଅଙ୍ଗରକ୍ଷୀଙ୍କ ହାତରେ ପଠେଇ ଦଉଥିଲେ ଯୋଶେଫାଇନଙ୍କ ନିକଟକୁ । ଭାବୁଥିଲେ, ରାଜନଅରରେ ଏକୁଟିଆ ଥିବ ଯୋଶେଫାଇନ୍ । ଝୁରି ହେଉଥିବ ତାଙ୍କୁ । ଏ ପ୍ରେମପତ୍ର ପାଇଲେ ସେ ଖୁସି ହୋଇଯିବ ପରା!

ମାତ୍ର ଯୋଶେଫାଇନ୍ କ’ଣ ଠିକ୍ ଏଇଆ ଭାବୁଥିଲା, ଯୁଦ୍ଧକ୍ଷେତ୍ରରେ ଥାଇ ଯେଉଁ କଥା ଭାବୁଥିଲେ ଫ୍ରାନ୍ସର ସମ୍ରାଟ ନେପୋଲିଅନ୍ ବୋନାପାର୍ଟ!
କେହି ଜଣେ ସତ କହିଥିଲେ: ୱାଫା ନା ରାସ୍ ଆଇ… ଯୋଶେଫାଇନ୍ ବନି ହରଜାଈ । ହରଜାଈ ଅର୍ଥାତ୍, ବିଶ୍ୱାସଘାତିନୀ ପାଲଟି ଯାଇଥିଲେ ଯୋଶେଫାଇନ୍ । ସେଥିଲାଗି ନେପୋଲିଅନଙ୍କ ପାଖରୁ ଯୁଦ୍ଧକ୍ଷେତ୍ରରୁ ତାଙ୍କ ନିକଟକୁ ଆସୁଥିବା ପ୍ରେମପତ୍ର ସବୁର କୌଣସି ମୂଲ୍ୟ ନଥିଲା ତାଙ୍କ ନିକଟରେ । ତାଙ୍କ ଦୃଷ୍ଟିରେ ସେସବୁ ଥିଲା ଭାବୁକ ନେପୋଲିଅନଙ୍କର ବକୱାସ୍ । କାରଣ ନେପୋଲିଅନଙ୍କ ଅଜାଣତରେ ସେ ହୋଇ ସାରିଥିଲେ ହିପୋଲାଇଟ୍ ଚାର୍ଲସଙ୍କ ପ୍ରେମିକା! ନେପୋଲିଅନ୍ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ଲଢ଼େଇ କରୁଥିଲେ ସେତେବେଳେ ଯୋଶେଫାଇନ୍ ପ୍ରେମିକ ଚାର୍ଲସଙ୍କୁ ନିଜ ଅନ୍ତଃପୁରକୁ ଡକେଇଆଣି ଦେହର ଭୋକ ମେଣ୍ଟାଉଥିଲେ । ସତ କହିବାକୁ ଗଲେ ନେପୋଲିଅନଙ୍କ ପ୍ରତି ତାଙ୍କ ଭିତରେ ଆଉ ସାମାନ୍ୟ ବି ପ୍ରେମ ଅଥବା ସମ୍ବେଦନଶୀଳତା ନଥିଲା।

–ରାଜେନ୍ଦ୍ର

ମହାଭାରତ କଥା । ଦ୍ୱାରକାରେ ଶ୍ରୀକୃଷ୍ଣ ତାଙ୍କର ପଟ୍ଟମହିଷୀ ଋକ୍ମିଣୀଙ୍କ ସହ ବସି ପଶା ଖେଳୁଥାନ୍ତି । ହେଲେ ପଶା ଖେଳରେ ତାଙ୍କ ମନ ରହୁ ନଥାଏ । ସେ ବାରମ୍ବାର ଅନ୍ୟମନସ୍କ ହେଉଥାନ୍ତି । ଋକ୍ମିଣୀ ଦେଖିଲେ, ଆଜି ଶ୍ରୀକୃଷ୍ଣଙ୍କ ମନରେ ସ୍ଥିରତା ନାହିଁ । କୌଣସି ନା କୌଣସି ସମସ୍ୟା ତାଙ୍କୁ ବିଚଳିତ କରୁଛି । ସେ ପଚାରିଲେ: ପ୍ରଭୁ! ଆଜି ଆପଣ ଏଭଳି ଅନ୍ୟମନସ୍କ ରହୁଛନ୍ତି କ’ଣ ପାଇଁ? କ’ଣ କେଉଁ ଭକ୍ତ ବିପଦରେ ପଡ଼ିଛି । ଶ୍ରୀକୃଷ୍ଣ କହିଲେ: ରୁକ୍ମିଣୀ! କୁରୁସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରୁଛି । ବିଚାରୀ, ଦ୍ରୌପଦୀ କାନ୍ଦିକାନ୍ଦି ମତେ ସ୍ମରଣ କରୁଛନ୍ତି । ସେଥିଲାଗି, ମୁଁ ପଶାଖେଳରେ ମନ ଦେଇପାରୁନାହିଁ । ଋକ୍ମିଣୀ କହିଲେ: ତା’ହେଲେ ଯାଆନ୍ତୁ, ଦ୍ରୌପଦୀଙ୍କୁ ବିପଦରୁ ବଞ୍ଚାନ୍ତୁ । କୃଷ୍ଣ କିଛି କହିଲେନି । ଦୀର୍ଘ ନିଃଶ୍ୱାସଟେ ଛାଡ଼ି ପୁଣି ପଶାଖେଳରେ ମନଦେଲେ । ସେଇମିତି ଅନ୍ୟମନସ୍କ ହେଉଥାନ୍ତି । ଋକ୍ମିଣୀ ସବୁ ଦେଖୁଥାଆନ୍ତି; ହେଲେ ନିରବରେ ପ୍ରଭୁଙ୍କ କାର୍ଯ୍ୟକୁ ଅପେକ୍ଷା କରିଥାନ୍ତି । ପଶାଖେଳ ଚାଲିଥାଏ । ଶ୍ରୀକୃଷ୍ଣଙ୍କର ଗୋଟି ଚଳେଇବା ପାଳି ଆସିଲା । ମାତ୍ର ହଠାତ ଗୋଟି ସବୁ ତାଙ୍କ ହାତରୁ ଖସି ପଡ଼ିଲା । ଆଉ ହାତଟି ଆଶୀର୍ବାଦ ମୁଦ୍ରାରେ ଉପରକୁ ଟେକି ହୋଇଗଲା । ଋକ୍ମିଣୀ ଦେଖିଲେ, ସେହି ହାତରୁ ଅଦୃଶ୍ୟଭାବରେ ଛୁଟି ଚାଲିଲା ଗୋଟେ ପରେ ଗୋଟେ ବସ୍ତ୍ର । ଋକ୍ମିଣୀ ହସିଲେ । କହିଲେ: ପ୍ରଭୁ, ଏତେ ସମୟ ଧରି ଅନ୍ୟମନସ୍କ ହୋଇ ବି ଦ୍ରୌପଦୀଙ୍କୁ ବସ୍ତ୍ରଦାନ ନ କରିବାର ରହସ୍ୟ ତ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ: ଦ୍ରୌପଦୀ ମତେ ଡାକୁଥିଲେ ସତ । ହେଲେ ମୋ ଉପରେ ପୂର୍ଣ୍ଣ ଭରସା ନ କରି ସେ ନିଜର ସମ୍ମାନ ନିଜେ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ଯେତେବେଳେ ସେ ସମ୍ପୂର୍ଣ୍ଣ ନିରୂପାୟ ହୋଇ ଦୁଇହାତ ଉପରକୁ ଟେକିଦେଲେ ଆଉ ପୂର୍ଣ୍ଣ ପ୍ରାଣରେ ମୋ ପାଖରେ ନିଜକୁ ସମର୍ପଣ କରିଦେଲେ ସେତେବେଳେ ମୁଁ ବି ମୋ ହାତ ଉପରକୁ ଟେକିଦେଲି । ବାସ୍!

-ରାଜେନ୍ଦ୍ର

ଆମେରିକାରେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ସେ ୪୭ତମ ରାଷ୍ଟ୍ରପତି ଭାବେ ଆଜି ସାଂସଦ ଭବନରେ ଶପଥପାଠ କରିଛନ୍ତି। ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନିର୍ବାଚନ ପୂର୍ବରୁ ଦେଇଥିବା ୬ଟି ପ୍ରତିଶ୍ରୁତି କିଭଳି ପୂରଣ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଟ୍ରମ୍ପ। ବିଶେଷକରି ଆମେରିକାର ସ୍ୱର୍ଣିମ ଯୁଗ ଆରମ୍ଭ ହେଲା ବୋଲି କହିବା ସହ ଦେଶର ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦେବେ ବୋଲି କହିଛନ୍ତି ସେ। ସେହିଭଳି ବର୍ଣ୍ଣ ବୈଷମ୍ୟକୁ ଦୂର କରି ସମସ୍ତଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ କହିଛନ୍ତି। ଅପରପକ୍ଷେ ଦେଶର ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି। ଆରମ୍ଭରୁ ଦକ୍ଷିଣ ମେକ୍ସିକୋ ସୀମାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ। ସେହିଭଳି ମଙ୍ଗଳ ଗ୍ରହକୁ ମହାକାଶ ଯାତ୍ରୀ ପଠାଇବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି। ଯାହା ସ୍ବପ୍ନ ଦେଖିବୁ ତାକୁ ପୂରଣ କରିବା ସହ ଦେଶକୁ ଧନୀ ରାଷ୍ଟ୍ର ଭାବେ ପୁନର୍ବାର ଗଢ଼ିବା ପାଇଁ ଘୋଷଣା କରିଛନ୍ତି। ଆମେରିକା ପୁଣି ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦେଶରେ ମାହାଙ୍ଗା ନିୟନ୍ତ୍ରଣ କରିବାକୁ ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି। ପାନାମା କେନାଲ ପୁନର୍ବାର କବଜା ସହ ଗଲ୍ଫ ଅଫ୍ ମେକ୍ସିକୋ ନାମ ପରିବର୍ତ୍ତନ କଥା ଘୋଷଣା କରିଛନ୍ତି ଟ୍ରମ୍ପ। ଅନ୍ୟ କୌଣସି ଦେଶ ମଧ୍ୟରେ ଯୁଦ୍ଧ ପ୍ରତି ହସ୍ତକ୍ଷେପ ନ କରି ନିଜ ଦେଶର ସୁରକ୍ଷାକୁ ଗୁରୁତ୍ଵ ଦେବାକୁ କହିଛନ୍ତି। ଆମେରିକାକୁ କୌଣସି ରାଷ୍ଟ୍ର ଏବେ ବ୍ୟବହାର କରିପାରିବ ନାହିଁ। ସେହିଭଳି ସୀମାରେ ଅନୁପ୍ରବେଶ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଆମେରିକାରେ ବିକାଶକୁ ଗୁରୁତ୍ୱ ଦିଆଯିବ। ସେହିଭଳି ଆମେରିକା ସେନା ଅନ୍ୟ କୌଣସସି ଯୁଦ୍ଧରେ ନିଜକୁ ସାମିଲ କରିବ ନାହିଁ ବୋଲି କହିଛନ୍ତି ଯେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକାରେ ଥିବା ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରିବା ପାଇଁ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ସୀମା ସୁରକ୍ଷା ଦୃଷ୍ଟିରୁ ପ୍ରାଥମିକତା ଦୃଷ୍ଟିରୁ ଦକ୍ଷିଣ ସୀମାରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

ଭାବିଲେ ଚିନା ବାଦାମ। ଭିତରକୁ ଚିନାବାଦାମ ଭଳି ମଞ୍ଜି ବାହାରିଲା। ପିଲାଏ ଜାଣିପାରିଲେ ନାହିଁ। ବାଇଗବ ମଞ୍ଜି ଖାଇଦେବାରୁ ଅସୁସ୍ଥ ହୋଇପଡ଼ିଛି ୧୦ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ। ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅସୁସ୍ଥ ପିଲାମାନେ ହେଲେ ନନ୍ଦ କିଶୋର ହୁଇକା (୧୨), ସନ୍ତୋଷୀ କାଡ୍ରକା (୮), ଇତିଶ୍ରୀ ହିକକା (୭), ଅଶୋକ ହୁଇକା (୮), ମାହି ହୁଇକା (୫), ତୁଳସୀ ହୁଇକା (୭), ଆଦିତ୍ୟ କାଡ୍ରକା (୬), କିଶାନ କାଡ୍ରକା (୧୦), ସୁହାନ କୁଲେସିକା (୪) ଓ ଚିକୁ ହୁଇକା (୭)। ଏମାନଙ୍କ ମଧ୍ୟରେ ୬ଜଣ ବାଳକ ଓ ୪ଜଣ ବାଳିକା ରହିଛନ୍ତି।ଖବର ନେବାର ଜଣାପଡ଼ିଛି ଯେ, ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ପଞ୍ଚାୟତ ବରିଗୁଡା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ୍‌ଛୁଟି ପରେ ପ୍ରଥମରୁ ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଥିବା ବାଇଗବ ଗଛର ଫଳକୁ ବାଦାମ ଭାବି ସେଥିରୁ ମଞ୍ଜି ବାହାର କରି ଖାଇଥିଲେ। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କ ପ୍ରଥମେ ଥେରୁବାଲି ଇମ୍ଫାସ୍ଥିତ ଚିକିତ୍ସା କେନ୍ଦ୍ରକୁ ଓ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବହୁ ଚର୍ଚ୍ଚିତ କୋଲକାତା ଆଇଜି କର ମେଡ଼ିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସ୍ଵେଚ୍ଛାକୃତ ପୋଲିସ ଭାବେ କାମ କରୁଥିବା ସଞ୍ଜୟ ରୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ସିଆଲଦା ସେସନ୍ କୋର୍ଟ। ଏଥିସହ ତା’ ଉପରେ ୫୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ଆଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଶୁଣାଣି ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରୟ ଆଜି ବି ପୁଣିଥରେ ନିଜକୁ ନିର୍ଦ୍ଦୋଷ ବୋଲି କୋର୍ଟଙ୍କୁ କହିଥିଲା। ସଞ୍ଜୟ ନିଜର ପକ୍ଷ ରଖି କହିଥିଲା ଯେ “କୌଣସି କାରଣ ନ ଥାଇ ମୋତେ ଫସାଇ ଦିଆଯାଉଛି। ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ କହି ସାରିଛି ଯେ ମୁଁ ସବୁବେଳେ ରୁଦ୍ରାକ୍ଷ ପିନ୍ଧିଥାଏ। ମୁଁ ଯଦି ଅପରାଧ କରିଥାଆନ୍ତି, ତା’ହେଲେ ଏହା ସେଠାରେ ଛିଣ୍ଡି ପଡ଼ିଥାଆନ୍ତା। ବୋଲି କହୁଥିଲା। ମୋତେ ମୋର ପକ୍ଷ ରଖିବାକୁ ଦିଆଗଲା ନାହିଁ। ସେମାନେ ବଳପୂର୍ବକ ଏକାଧିକ ଦସ୍ତାବିଜରେ ମୋ ଦସ୍ତଖତ ନେଇଛନ୍ତି। ସାର୍‌ ଆପଣ ସବୁ ଦେଖିଛନ୍ତି। ପୂର୍ବରୁ ମଧ୍ୟ ମୁଁ ଏହା କହିସାରିଛି। ସଞ୍ଜୟର ଏପରି ଯୁକ୍ତି କୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇ ପାରି ନଥିଲା।

ଜାନୁଆରୀ ୧୮ରେ ସିଆଲଦାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡ ବିଧାନ ହେବାର ଥିଲା।ପ୍ରକାଶ ଥାଉ କି ଏହି ମାମଲା ସାରାଦେଶକୁ ଦୋହଲାଇ ଦେଇଥିଲା। ଦଣ୍ଡବିଧାନର ଶୁଣାଣି ବେଳେ ସିବିଆଇ ସଞ୍ଜୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲା।

ଅଯୋଗ୍ୟ ହିତାଧିକାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ : କାର୍ଡ ଫେରାଅ, ନ ହେଲେ ମୋଟା ଅଙ୍କର ଜରିମାନା ଲାଗିବ। ଯେବେଠୁ କାର୍ଡ ନେଇଥିଲେ ପିଛିଲା ଭାବେ ଗଣିବାକୁ ହେବ ତାଣ୍ଡ।

ସମାଜର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସ୍ୱଳ୍ପ ଦରରେ ରାସନ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ରାସନ୍ କାର୍ଡ ଦେଇଥିଲେ। କିନ୍ତୁ ଅନେକ ବଡବଡିଆ ଓ ଓଏଏସ ଅଧିକାରୀ, ଡାକ୍ତର, ଅଧ୍ୟାପକଙ୍କ ନାଁରେ ବି ରାସନ୍ କାର୍ଡ ରହିଥିବା ଜଣା ପଡ଼ିଛି। କେୱାଇସି ଅପଟୁଡେଟ୍ କରିବା ପରେ ଏଭଳି ତଥ୍ୟ ସରକାରଙ୍କ ନଜରକୁ ଆସିଛି। ତେଣୁ ସରକାରଙ୍କ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୁରନ୍ତ ଏଭଳି ଅଯୋଗ୍ୟ ହିତାଧୀକାରୀମାନେ କାର୍ଡ ଫେରାଇ ଦେବା ପଇଁ ନିବେଦନ କରିଛନ୍ତି। ଯଦି କାର୍ଡ ନ ଫେରନ୍ତି ତେବେ ସେମାନେ ରାସନ୍ କାର୍ଡ ଗ୍ରହଣ କରିଥିବା ଦିନ ଠାରୁ ହିଁ ଜରିମାନା ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ପ୍ରକାଶ ଥାଉ କି ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରେ ରାସନ୍ କାର୍ଡ ଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିସ୍ଥଳେ କେୱାଇସି ଅପଡେଟ ପାଇଁ ସରକରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଗତ କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତ ପ୍ରବାହ ଆରମ୍ଭ ହୋଇଛି। ରାଜ୍ୟର ଅନେକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଗତ ୨୪ ଘଣ୍ଟାର ତାପମାତ୍ରା ରେକର୍ଡକୁ ଦେଖିଲେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରହିଥିଲା। ସେହିଭଳି ଝାରସୁଗୁଡ଼ା ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରୀ ସେଲସିୟ ରହିଥିବା ବେଳେ ସୋନପୁରର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାର ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରୀ, କଟକ ୧୩.୫ ଡିଗ୍ରୀ ଓ
ଭୁବନେଶ୍ୱର ୧୩.୨ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ଶୀତ ପ୍ରବାହ ଆସନ୍ତା କିଛିଦିନ ପାଇଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସୂଚନା ଦିଆ ଯାଇଛି।