TT Ads

ଆପଣ ଭୂମିକୁ ଯେତିକି ଖୋଲିବେ ସେତେ ଅଧିକ ଓ ସେତେ ବିଶୁଦ୍ଧ ଜଳ ପାଇପାରିବେ। ସେଭଳି ଆପଣ ଯେତିକି ଅଭିଜ୍ଞତା ହାସଲ କରିବେ ତାହା ଆପଣଙ୍କୁ ସେତେ ମାର୍ଜିତ କରିବ। ତେଣୁ ଅଭିଜ୍ଞତା ବା ଜ୍ଞାନ ହେଉଛି ଶ୍ରେଷ୍ଠ ସମ୍ପଦ

ଗୋଟିଏ ଗାଁରେ ଗୋଟିଏ କାଠ କଟାଳି ରହୁଥିଲା । ଜଙ୍ଗଲରୁ କାଠକାଟି ଚଳୁଥିଲା । ହେଲେ ସେଥିରେ ତା’ର ଗୁଜୁରାଣ ମେଣ୍ଟୁ ନଥିଲା । ସେହି ଗାଁକୁ ଦିନେ ଜଣେ ସନ୍ନ୍ୟାସୀ ଆସି ପହଞ୍ଚିଲେ । କାଠ କଟାଳି ଯାଇ ତାଙ୍କୁ କହିଲା- ମହାଭାଗ! ମୋ ଦିନ ଭଲରେ କଟୁନାହିଁ । କିଛି ଉପାୟ କରନ୍ତୁ । ସନ୍ନ୍ୟାସୀ କହିଲେ: ଆଗକୁ ଯାଅ । କାଠ କଟାଳି ଆଗକୁ ଚାଲିଲା । କିଛି ବାଟ ଯିବା ପରେ ପଡ଼ିଲା ଗୋଟେ ଚନ୍ଦନବନ । ସେ ଚନ୍ଦନ କାଠ ବିକି ଭଲ ରୋଜଗାର କଲା । ତା’ର ମନେପଡ଼ିଲା ଯେ, ସନ୍ନ୍ୟାସୀ ଆଗକୁ ଯିବାକୁ କହିଥିଲେ । ସେ ଚନ୍ଦନ ବନରୁ ବାହାରି ଆଗକୁ ଚାଲିଲା । ତାକୁ ଗୋଟେ ସୁନା ଖଣି ମିଳିଲା । କାଠ କଟାଳି ଧନୀ ହୋଇଗଲା । ପୁଣି ଆଗକୁ ଗଲା । ତାକୁ ହୀରା ଖଣି ମିଳିଲା । ଏଥର ତା’ର ସନ୍ନ୍ୟାସୀଙ୍କ କଥା ମନେପଡ଼ିଲା । ସେ ଭାବିଲା, ଯଦି ସନ୍ନ୍ୟାସୀ ଏତେ ସବୁ ଜାଣିଛନ୍ତି ତା’ହେଲେ ସେ କ’ଣ ପାଇଁ ଏସବୁ ବ୍ୟବହାର କରୁ ନାହାନ୍ତି । ସେ ସନ୍ନ୍ୟାସୀଙ୍କୁ ଆସି ସେଇକଥା ପଚାରିଲା- ମହାଭାଗ! ଆପଣ ତ ଏତେ ଧନରତ୍ନର ସନ୍ଧାନ ଜାଣିଛନ୍ତି । ହେଲେ ଆପଣ ଆଗକୁ ନଯାଇ ଏଇଠି ରହିଛନ୍ତି କ’ଣ ପାଇଁ? ସନ୍ନ୍ୟାସୀ କହିଲେ: କିଏ କହୁଛି ମୁଁ ଆଗକୁ ଯାଉନାହିଁ । ମୁଁ ଆଗକୁ ଚାଲିଛି ଆଉ ସମ୍ପଦ ବି ସଂଗ୍ରହ କରୁଛି । କାଠକଟାଳି କହିଲା: କି ସମ୍ପଦ ପାଇଛନ୍ତି ଆପଣ? ସନ୍ନ୍ୟାସୀ କହିଲେ: ମୁଁ ପ୍ରତିଦିନ ଜ୍ଞାନ ମାର୍ଗରେ ଆଗକୁ ଆଗକୁ ଯାଉଛି । ଆଉ ମୁଁ ଯେଉଁ ଅଭିଜ୍ଞତା ପାଉଛି ତାହା ହେଉଛନ୍ତି ଖୋଦ୍ ବଡ ସମ୍ପଦ! ଜ୍ଞାନ ଓ ଅଭିଜ୍ଞତା ଠାରୁ କ’ଣ ବଡ଼ ସମ୍ପଦ ଆଉକିଛି ଅଛି?

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *