ହରପ୍ରସାଦଙ୍କଠାରୁ ସୁରେନ୍ଦ୍ର ପାଣିଗ୍ରାହୀଯାଏ…
ସୌନ୍ଦର୍ଯ୍ୟ ଆଖିରେ ଥାଏ ନା ବସ୍ତୁରେ? କିଟ୍ସ କହିଲେ, ସୌନ୍ଦର୍ଯ୍ୟ ଥାଏ ଆଖିରେ । ଆଖି ହିଁ ଆବିଷ୍କାର କରିପାରେ ସୌନ୍ଦର୍ଯ୍ୟର ଉତ୍ସ । ସାଧାରଣ ବ୍ୟକ୍ତିର ଆଖିକୁ ଯାହା ଗଛବୃଚ୍ଛ କଙ୍କରିଳ ଶିଳା ଭରା ପାହାଡ଼ର ଭ୍ରମ ସୃଷ୍ଟିକରେ, କବିର ଆଖିରେ ତାହା ହେଇଯାଏ ନନ୍ଦନକାନନ । ସେଥିପାଇଁ କୁହାଯାଏ, ଖାଲି ଆଖିକି ଯା ପରବତ ବନ / କବିର ଆଖିରେ ନନ୍ଦନକାନନ…
ଚଳିତ କୁମ୍ଭମେଳାର ଅନନ୍ୟ ଆକର୍ଷଣ ଶ୍ୟାମଳୀ-ସୁନ୍ଦରୀ ମୋନାଲିସା ଇତିମଧ୍ୟରେ ମେଳା ଛାଡ଼ି ସାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ତାଙ୍କ ପାଇଁ କାଳ ସାଜିଛି । ମୋନାଲିସାଙ୍କ ଏ ନିଷ୍ପତ୍ତି ହୁଏତ ଅବଶିଷ୍ଟ କୁମ୍ଭମେଳାକୁ ଫିକା କରିଦେଇପାରେ । ତେବେ ମୋନାଲିସାର ସୌନ୍ଦର୍ଯ୍ୟର ଶେଷ ଘଟିବନି । ଦିନ କେଇଟାରେ ସେ ନିଜର ରୂପର ରୋଷଣୀରେ ଚୀର-ସୌନ୍ଦର୍ଯ୍ୟ-ପିପାସୁ ଶାଶ୍ୱତ କବିର ମାନସପଟଳରେ ଯେଉଁ ମାୟାର ଇନ୍ଦ୍ରଧନୁ ଆଙ୍କିଦେଇଯାଇଛନ୍ତି ତାହା କେବେ ବି ଫିକା ପଡ଼ିବନି । ନିମିଷକ ପାଇଁ ଆସି ବି ମୋନାଲିସା କବିର ଆଖିରେ ହେଇଗଲେ ଅମର । ଯେଉଁ ସୋସିଆଲ ମିଡ଼ିଆରେ ତାଙ୍କର ରୂପକୁ କୋଟିକୋଟି କାମନା ଆଖି ତଉଲୁଥିଲା, ସେହି ସୋସିଆଲ ମିଡ଼ିଆରେ ସୌନ୍ଦର୍ଯ୍ୟ ଉପାଷକ କବିଗଣ ତାଙ୍କ ବିଭୂଦତ୍ତ ରୂପର କରୁଥିଲେ ଶାଶ୍ୱତ ନିରାଜନା ।
ଓଡ଼ିଶାର ପ୍ରସିଦ୍ଧ କବି ସୁରେନ୍ଦ୍ର ପାଣିଗ୍ରାହୀ ମୋନାଲିସାର ଆଖିକୁ ନେଇ ହୋଇଛନ୍ତି ବିଭୋର ଆଉ ମୁକ୍ତ କଣ୍ଠରେ ଗାଇଛନ୍ତି, “ଆୟତ ଆଖିରେ ଅସୁମାରି ସ୍ୱପ୍ନ ଅନେକ ଅସରା ଆଶା / ଚୋରା ଚାହାଣିର ହସରୁ ଝରଇ ଗଙ୍ଗଶିଉଳିର ଭାଷା ।” ସୋସିଆଲ ମିଡ଼ିଆ “ଫେସବୁକ”ରେ ମୋନାଲିସାକୁ ନେଇ ସୁରେନ୍ଦ୍ର ପାଣିଗ୍ରାହୀ ରଚନା କରିଥିବା ସନେଟ “ଆଖି”ରେ ମୋନାଲିସାର ସୌନ୍ଦର୍ଯ୍ୟ ତାଙ୍କ ଭିତରେ କାମନାର ନିଆଁ ହେଇ ଜଳିନାହିଁ; ଅଧିକନ୍ତୁ ସୌନ୍ଦର୍ଯ୍ୟ ତାଙ୍କ ଭିତରେ ସୃଷ୍ଟିକରିଛି ସ୍ରଷ୍ଟାଙ୍କ ଅଦ୍ୱିତୀୟ ସୃଷ୍ଟି ପାଇଁ ଏକ ଭାବମୟ ଅଭିବ୍ୟଞ୍ଜନା । ସମ୍ପୂର୍ଣ୍ଣ କବିତାଟି ସତରେ ମୁଗ୍ଧ ମନ୍ମୟ ମନନଶୀତଳାରେ ଭରପୂର…
ଆଖି
ସୁରେନ୍ଦ୍ର ପାଣିଗ୍ରାହୀ
—–
ଆୟତ ଆଖିରେ ଅସୁମାରି ସ୍ବପ୍ନ ଅନେକ ଅସରା ଆଶା
ଚୋରା ଚାହାଣିର ହସରୁ ଝରଇ ଗଂଗଶିଉଳିର ଭାଷା
ସଂସ୍କାର ସୌନ୍ଦର୍ଯ୍ୟ ସରଳତାର ଯେ ତ୍ରିବେଣୀ ସଂଗମ ତୁମେ
ହେ ନୀଳନୟନା ଶ୍ଯାମଳୀ ସୁନ୍ଦରୀ ତିନି ତୀର୍ଥର ଧାମେ ।
କେଉଁ ଫୁଲବନ ଫଗୁଣର ଫଗୁ ବିଂଚିଦେଇଯାଅ ପୁଣି
ଶୀତରେ ବସଂତ ବୁହେଇଲ ସାଜି ଚୋରାଚଇତିର ରାଣୀ
ତୀର୍ଥ ନଗରୀର ତନୁତୀର୍ଥରେ ତୁମରି ତୁଳନା କାହିଁ
ମୋନାଲିସା ହସ ଆଶୀର୍ବାଦ ଅବା ଅଭିଶାପ ତୁମ ପାଇଁ ।
ଋଦ୍ରାକ୍ଷର ସାଥେ ରହି ଯେ ପାଇଲ ଋଦ୍ରାଭିଷେକର ଫଳ
ସାତରୁ ସତୁରି କୋଟି ମାନସରେ ସ୍ମୃତିର ପ୍ରଦୀପ ଜାଳ
ସରମି ଯାଆନ୍ତି ସରଗ ସୁଂଦରୀ ତୁମରି ଚେହେରା ପାଶେ
ପବିତ୍ର ପ୍ରୟାଗେ ପହଂଚି ପାଇଲ ଫଳ ବୋଲି ମନେ ଆସେ ।
ପୁରାଣର ପାଠ ପୁରୁଣା ନୁହଁଇ ପ୍ରମାଣିତ ହେଲା ପୁଣି
ମାଳା ବିକୁବିକୁ ମେଳା କିଣିନେଲ ବନେଇ ନୂଆ କାହାଣୀ।
XXXX

କବି ହରପ୍ରସାଦ କିନ୍ତୁ ମୋନାଲିସାର ସୌନ୍ଦର୍ଯ୍ୟକୁ ନେଇ ହୋଇଛନ୍ତି ଚିନ୍ତିତ, ବ୍ୟଥିତ । କାରଣ, ମୋନାଲିସାର ଏ ସୌନ୍ଦର୍ଯ୍ୟକୁ ମହାକାଳ ସହିବ ତ? “ଚିନ୍ତକ” ହରପ୍ରସାଦ କବିତା ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଉପକ୍ରମଣିକାରେ ଲେଖିଛନ୍ତି ଅତ୍ୟନ୍ତ ଚିନ୍ତାପୂର୍ଣ୍ଣ ଆଲେଖ୍ୟ: “ମହାକୁମ୍ଭର ଲୋକାରଣ୍ୟରେ ମାଳି ବିକୁଥିବା, ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ସେହି ନିରୀହ ସୁନୟନା ସୁନ୍ଦରୀ କିଶୋରୀ ମୋନାଲିସା, ସହସ୍ର ପ୍ରଲୁବ୍ଧ ପୁରୁଷର ଆଖିର ଶୀକାର, ଯାହାକୁ ଖାଇଯିବ ନିର୍ଦ୍ଦୟ ମହାକାଳ ।” ଆହାଃ- କେଡ଼େ ବାସ୍ତବ ଅଥଚ ମାର୍ମିକ ନୁହେଁ ହରପ୍ରସାଦଙ୍କ ଏ ଚିନ୍ତା । ସେ ପୁଣି ସ୍ୱକୀୟ କବିତା “ମୋନାଲିସାର ଆଖି”କୁ ସେହି ନିଷ୍ପାପ କିଶୋରୀ ରୂପସୀ ମୋନାଲିସାକୁ ଉତ୍ସର୍ଗୀକୃତ କରିଦେଇ କହନ୍ତି: “ଯିଏ ଏ କବିତା କସ୍ମିନ୍ କାଳେ ପଢ଼ିବ ନାହିଁ, ତାହାରି ନିଷ୍ପାପ କୈଶୋରକୁ ନିବେଦିତ ଏ କବିତା!” କବିତାରେ ହରପ୍ରସାଦ ବାଢ଼ିଥିବା ବ୍ୟଞ୍ଜନା ସରଳ-ସୌନ୍ଦର୍ଯ୍ୟ ପ୍ରତି କୁତ୍ସିତ ମନୋଭାବ ପୋଷଣ କରୁଥିବା ଲୋଲୁପୀ-ମଣିଷଙ୍କ ଗାଲରେ ନିଶ୍ଚୟ ଏକ ଶକ୍ତ ଚଟକଣା…
ମୋନାଲିସାର ଆଖି
ହରପ୍ରସାଦ ଦାସ
ସେମାନେ ଘେରିଯା’ନ୍ତି ତାକୁ
କି ଆଖି ! ଆଃ କି ଆଖି!
କାତିଲ! ଜାନଲେୱା! ସୁରମୟୀ !
ଏ ମୋନାଲିସା ଏଠିକି ଚାହାଁ ,ଏଣିକି ଚାହାଁ,
କିଏ ତୋ ପ୍ରେମିକ? କେବେ ସଗାଈ?
ବିକଳରେ ଚାରି ଆଡ଼କୁ ଚାହେଁ ସେ
ଷୋଳବର୍ଷର ପିଲମାରି ଉଠୁଥିବା କଦଳୀପତ୍ର ଭଳି
କାକରପିଆ ଦେହରେ ସେମାନେ ଗେଞ୍ଜି ଦିଅନ୍ତି ରଈ!
ଆଖି ବଞ୍ଚେଇ ପ୍ରାଣବିକଳରେ ସେ ପଶିଯାଏ
ଜୁନା ଆଖଡ଼ାର ଅଘୋରି ତମ୍ବୁ୍ରେ
ଭିତରେ ଶୋଇଥାଏ ବିଶାଳ ଜଟାଭାରରେ ଭରା ଦେଇ
ମଙ୍ଗଲୀ ମାୟୀ,
ଆ କାତର ପ୍ରାଣୀ ଆ, କହି
କୋଳେଇ ନିଏ ତାକୁ,ଚାହେଁ ଭରାଆଖିକୁ
କହେ : ଦେ ତୋ ଆଖି ଯୋଡ଼ିକ ଦେଇଦେ ବାଈ
ଥାପିଦେବି ମହାକାଳ କପାଳରେ
ସତ୍ୟ ତ୍ରିବାର ମୁଁ ହାଡ଼ଖାଇ, ମାଉଁସଖାଇ,ଅଘୋରୀମାଈ
ଦେଖ ତ୍ରିଶୂଳ,ଦେଖ ଖଣ୍ଡା
ବିପଦ ନାହିଁ !
ଖସି ଆସେ ମୋନାଲିସା ଆଖିଲୁଚେଇ !
ବୋଝକଯାକ ମାଳି ସେ ଅଜାଡ଼ି ଦିଏ ଗଙ୍ଗାରେ
ଉଠେଇଦିଏ ମୁହଁ ଉପରୁ ପଟି
ଖସେଇନିଏ ମୁଣ୍ଡ ଉପରୁ ମୁହଁଲୁଚା ଓଢ଼ଣା
ଚିଲ୍ଲାଏ କିଳିକିଳା ମାରି : ଆସରେ ମଣିଷପୁଏ
ମୁଁ ହାଡ଼ଖାଇ,ମୁଁ ମାଉଁସଖାଇ,ମୁଁ ଅଘୋରୀମାୟୀ !
ଖର୍ଗୋନର କୋଉ ଗୋଟେ ଅଖ୍ୟାତପଲ୍ଲୀରେ
ଷୋଳବର୍ଷର ଟିକି ଝିଅଟିଏ
ତୁହାଇ ତୁହାଇ ପଚାରେ : ମା’ ମୋ ଆଖି କାଇଁକି ଏମିତି
ଏଡ଼େଏଡ଼େ,ପୁଣି ଚିଲା, ଖାଇଗଲା ଭଳି
ମୁଁ କଣ ଡାହାଣୀ, ମୁଁ କଣ ମଣିଷଖାଇ ?
ବେଣୀ ବାନ୍ଧୁ ବାନ୍ଧୁ
ମୁଣ୍ଡରୁ ଜଟା ଛଡ଼ଉ ଛଡ଼ଉ ହସି ହସି
ଗହବା ବାଳ ଆସ୍ତେ ଝିଙ୍କିଦେଇ
ମା କହେ : ମୋ ଭୁତୁରିମୁଣ୍ଡି,ରହ ଜଟା ଛଡ଼ାଏଁ
ନହେଲେ ମୋ ଚାନ୍ଦମୁହିଁକୁ ଲୋକେ କହିବେ
ଆଇଲା ଅଘୋରୀମାଈ !
ଡରିଡରି ଥରିଯାଏ ସେ,ସରିଯାଏ ଲାଜରେ
ନିଜ ଡାହାଣୀ ଆଖିକୁ ପଡ଼ିବାକୁ ଦିଏନି ନିଜ ଉପରେ !

XXXX
ଏତିକିନୁହେଁ, ମୋନାଲିସା ବି ପ୍ରଲୁବ୍ଧ କରିଛି କବି ଚନ୍ଦ୍ରମୋହନ ମହାପାତ୍ରଙ୍କୁ; ଯିଏ “ଆଖି” କବିତାରେ ବିଭୋର ହେଇ ମୋନାଲିସାକୁ କହନ୍ତି-
“କିଛି ଲୋଡ଼ା ନାହିଁ / ତମ ଭୋକ, ଶୋଷ, ହସ / ଗଳାର ହାର ତମ ପାଖେ ଥାଉ / କେବଳ ତୁମର ଆଖି ଯୋଡ଼ିକ / ମୋତେ ଦିଅ / ପ୍ରତିବଦଳରେ / ମୁଁ ତୁମର ମହଣ ମହଣ / ଭୂରିଭୂରି ପ୍ରଶଂସା ବାଣ୍ଟିବି।”
କବି ରାଜେଶ ସାହୁ ନିଜର “ମୋନାଲିସା” କବିତାରେ କହନ୍ତି:
“ମୁହଁ / ଛନ ଛନ ଜହ୍ନ / ଆଖି / ତା ରୂପସୀ ନଈ, / ଓଠ / ତା’ର ମଧୁବଂଶୀ / ହସ / ତା’ର ହେନା ଯୁଇ।”
(ଆଲେଖ: ରାଜେନ୍ଦ୍ର ରାଉଳ)



ବହୁତ ସୁଂଦର ଆଲେଖ ରାଜେଂଦ୍ର ।
ଚମତ୍କାର ସମୀକ୍ଷା । ଭଲ ଲାଗିଲା ।
ବହୁତ ସୁଂଦର ଆଲେଖ ରାଜେଂଦ୍ର ।
ଚମତ୍କାର ସମୀକ୍ଷା । ଭଲ ଲାଗିଲା ।