ସୁନା ଲୁଟ ବେଳେ ଗୁଳିମାଡ, ଲୋକଙ୍କ ମାଡରେ ଜଣେ ଲୁଟେରା ଗୁରୁତର। ଉତ୍ତେଜନା: ପୁଲିସ ଗାଡ଼ି ଅଟକ
ଯାଜପୁର, ୪/୧(ଓଡ଼ିଶା ଜାଗରଣ): ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ବେଳେ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଦୁଇଜଣ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନୀଳମାଧବ ପଣ୍ଡା ଓ ସୁନିଲ ରାୟ। ଅପରପକ୍ଷେ ସ୍ଥାନୀୟ ଲୋକେ ଲୋକେ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଥିବା ବେଳେ ଉତ୍ୟକ୍ତ ଲୋକଙ୍କ ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଛି। ଅନ୍ୟଜନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ଆଜି ଅପରାହ୍ନରେ ଦୁଇଟି ବାଇକରେ ୫ ଜଣ ଆସି ସୁନା ଦୋକାନ ଭିତରେ ପଶିଥିଲେ। ଗହଣା ଲୁଟ କରିବା ବେଳେ ଦୋକାନର କର୍ମଚାରୀ ଓ ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଭିତରେ ଥିବା ଦୁଇଜଣ ଲୁଟେରା ଗୁଳିମାଡ କରିଥିଲେ। ଏଥିରେ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମୁଣ୍ଡ ଓ ପେଟରେ ଗୁଳି ବାଜିଛି। ଅପରପକ୍ଷେ ଲୋକଙ୍କୁ ଚକମା ଦେଇ ଅନ୍ୟ ତିନି ଜଣ ଲୁଟେରା ଗୋଟିଏ ବାଇକରେ ଖସି ପଳାଇଛନ୍ତି। ତେବେ ଗୁଳି କରିଥିବା ୨ ଜଣ କର୍ମଚାରୀ ଏବେ ବି ଅଟକ ଅଛନ୍ତି। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ଲାଗିଥିବା ବେଳେ ଲୋକେ ପୋଲିସ ଗାଡ଼ିକୁ ଘେରି ରହିଛନ୍ତି। ଦୋକାନ ଭିତରେ ଥିବା ଦୁଇ ଲୁଟେରା ଏବେ ବାହାରି ପାରୁନାହାନ୍ତି। ଲୋକଙ୍କ ମାଡରେ ଜଣେ ଲୁଟେରା ଗୁରୁତର ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ ପୁଲିସ ନେଇ ପାରୁନାହିଁ। ଏବେ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ଲାଗିରହିଛି।

୧୪ ରୁ ଭିତରକନିକାରେ କୁମ୍ଭୀର ଗଣନା
ଭୁବନେଶ୍ୱର, ୪/୧(ଓଡ଼ିଶା ଜାଗରଣ):ଆପଣ ନୂଆବର୍ଷରେ ସାତକୋଶିଆ କିମ୍ବା ଭିତରକନିକା ବୁଲିବାକୁ ଯୋଜନା କରୁଛନ୍ତି କି ? ଟିକେ ରୁହନ୍ତୁ, ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଜାନୁଆରୀରେ କିଛି ଦିନ ପାଇଁ ବନ୍ଦ୍ ରହିବ ଏହି ଦୁଇଟି ପର୍ଯ୍ୟଟନସ୍ଥଳୀ।

ଏଇ ରବିବାର ଠାରୁ ସାତକୋଶିଆ ବୁଲି ପାରିବେନି ପର୍ଯ୍ୟଟକ। ସୋମବାରଠାରୁ ୩ ଦିନଧରି କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଥିବାରୁ ଥିବାରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ବାରଣ କରାଯାଇଛି। ସେହିପରି ଆସନ୍ତା ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା ହେବାକୁ ଯାଉଥିବାରୁ ଦୁଇଦିନ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ।
ମହାନଦୀ ଗଣ୍ଡରେ ୨୩ କିମି ଯାଏ ଗଣନା କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ, ବନବିଭାଗର ୧୪ଟି ଦଳରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ। ଏଥିପାଇଁ ବନବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି।
ସେହିପରି ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଉଥିବାରୁ ୮ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀନାଳରେ ମଧ୍ୟ କୁମ୍ଭୀର ଗଣନା ହେବାକୁ ଯାଉଛି ବୋଲି ବନଖଣ୍ଡ ଅଧିକାରୀ ଏସ. ଗୋପିନାଥ ସୂଚନା ଦେଇଛନ୍ତି।

 

ବେଆଇନ ବାଣ ଭିଡ଼ିବା ହେଲା କାଳ
ଜଗତସିଂହପୁର, ୩/୧(ଓଡ଼ିଶା ଜାଗରଣ): ବେଆଇନ ବାଣ ଭିଡା ଚାଲିଥିବା ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ଓ ଭଙ୍ଗା ଛାତ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଏଭଳି ବିସ୍ଫୋରଣ ଘଟିଛି ଜଗତସିଂହପୁର ସଦର ଥାନା ଅଧି ବଡବାଗ ଅଞ୍ଚଳରେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅପରପକ୍ଷେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତକ ଓ ଆହତ ମନେ ଗୋଟିଏ ପରିବାରର ବୋଲି କୁହାଯାଉଛି। ଖବର ନେବାରୁ ଜଣା ପଢ଼ିଛି ଯେ ଶୁକ୍ରବାର ରାତିରେ ହଠାତ୍ ଏକ ଘର ଭିତରୁ ବିସ୍ଫୋରଣର ଶବ୍ଦ ଆସିଥିଲା।

ଲୋକେ ପହଞ୍ଚିବା ବେଳକୁ ଘରର ଛାତ ଉଡ଼ି ଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବିଭାଗ ଓ ଓଡ଼୍ରଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ମେଡ଼ିକାଲ ନେବା ପରେ ସେଠାରେ ମୃତ୍ୟୁବରଣ କରିଥିବା କୁହାଯାଉଛି।

ପୁଲିସ ଏନକାଉଣ୍ଟରରେ ଜଣେ ଟଳିଲେ, ବହୁ ଆହତ

ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ) ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀମଧ୍ୟ ଜବତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ସୀମାଠାରୁ ପ୍ରାୟ ୮ କିଲୋମିଟର ଦୂର ଛତିଶଗଡ଼ର ଇନ୍ଦାଗାଓଁ ଥାନା ଅଧୀନ ଅତାଙ୍ଗ ଜଙ୍ଗଲରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଓବାଦୀଙ୍କ ସହ ଇ-୩୦ ଓ ଏସ୍ଓଜି ଟିମ୍ ସହ ଗୁଳି ବିନିମୟ ହୋଇଥିଲା।

ଏହି ଅଭିଯାନରେ ଓଡିଶା ପୋଲିସର ୫ଟି ଏସ୍ଓଜି ଟିମ୍, ଛତିଶଗଡ଼ ଇ-୩୦ର ୪ଟି ଟିମ୍ ଓ ସିଆରପିଏଫ ବିଏନ୍-୬୫ର ୩ଟି ଟିମ୍ କୁ ନେଇ ମୋଟ ୧୨ଟି କାର୍ଯ୍ୟକ୍ଷମ ଟିମ୍ ସାମିଲ ଥିଲେ।

ସାଢ଼େ ୬ ଲକ୍ଷ ଚାଷୀଙ୍କୁ ମିଳିବ ସାଢ଼େ ୨୯୧ କୋଟି
ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ):
ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ତେଣୁ, ରାଜ୍ୟର କ୍ଷତିଗ୍ରସ୍ତ ପ୍ରାୟ ସାଢେ଼ ୬ ଲକ୍ଷ ଚାଷୀଙ୍କୁ ଦିଆଯିବ ୨୯୧ କୋଟି ୫୯ ଲକ୍ଷ ଟଙ୍କା। ଏନେଇ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ଯେଉଁଚାଷୀ ମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀ ମାନଙ୍କୁ ସହାୟତା ମିଳିବ ବୋଲି ସେ କହିଛନ୍ତି ।SDRF ପାଣ୍ଠିରୁ ଏହି ଇନ୍‌ପୁଟ୍ ସବ୍‌ସିଡି ଚାଷୀମାନଙ୍କୁ ପ୍ରଦାନ କରାଯିବ । ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏହି ଚାଷୀମାନଙ୍କୁ ସହାୟତା ମିଳିବ ।

ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀଙ୍କ ଆବେଦନ ହସ୍ତଗତ ହୋଇଛି । ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଜିଠାରୁ DBT ଜରିଆରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ ଆହୁରି କହିଥିଲେ ଯେ, ଇନ୍‌ପୁଟ୍ ସବସିଡି ସହିତ, ଆଉ କେଉଁ ପ୍ରକାର ସାହାଯ୍ୟ ପ୍ରଦାନ କରାଯାଇପାରିବ, ସରକାର ସେ ଦିଗରେ ବିଚାର କରୁଛନ୍ତି । ଏଥି ସହିତ, ରବି ଫସଲ ପାଇଁ ଯାହା ବି ଆବଶ୍ୟକ, ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ, ଆପଣ ସେଥିପ୍ରତି ନିଶ୍ଚିନ୍ତ ରୁହନ୍ତୁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ । ଏଥିପାଇଁ ଚାଷୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡିଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ୱାବଲମ୍ବୀ ହୋଇପାରି ନାହୁଁ । ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା ଏବଂ ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମୁଁ ଦୃଢ ଭାବେ କହିପାରିବି ଯେ ଉତ୍ତମ ଯୋଜନା ଏବଂ ଇଚ୍ଛା ଶକ୍ତିର ଟିକେ ଅଧିକ ପ୍ରୟୋଗ କରିଥିଲେ, କୃଷି ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଓଡିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ, ଆମ ସରକାର ପ୍ରାଥମିକତା ଭିତ୍ତିରେ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଜଳ ସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ଆମ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘କୃଷି ଓଡିଶା ୨୦୨୫’ ର ମୁଖ୍ୟ ବିଷୟ ବସ୍ତୁ ହେଉଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ”। ଆମକୁ ଆର୍ଥିକ ଦକ୍ଷତା ଅପେକ୍ଷା ଜୀବନ ଦକ୍ଷତା ବା Life Skill ଉପରେ ବେଶୀ ଯତ୍ନବାନ ହେବାକୁ ପଡିବ । କୃଷି, କେବଳ ଫସଲ ଉତ୍ପାଦନ ନୁହେଁ, ବରଂ ମାଟି, ପାଣି, ପବନ ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭରଶୀଳ ସମସ୍ତ ପଦାର୍ଥ ପ୍ରତି ଯତ୍ନବାନ ହେବା ଉଚିତ୍ । ଏହା ଦ୍ୱାରା ଆମର ଚାଷୀଭାଇଙ୍କ ଆର୍ଥିକ ସ୍ଥିତି ସବୁ ଦିନ ପାଇଁ ସୁଦୃଢ ରହିବ ବୋଲି ସେ ମତ ଦେଇଥିଲେ ।

ସରକାରଙ୍କ ସହିତ ବିଭିନ୍ନ ବେସରକାରୀ ସଂସ୍ଥା ଓ କୃଷକ ସମବାୟ ସମିତିର ସହଯୋଗରେ ଓଡ଼ିଶାରେ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହା ଦ୍ୱାରା ଆମର ପରିବେଶ ଓ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ ।

କୃଷି ବିକାଶ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଉଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ହଜାର କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ କରାଯାଇ ସାରିଛି ।

ସେହିପରି ସି.ଏମ – କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।
ପି.ଏମ.କିଷାନ ଯୋଜନାରେ ପ୍ରତ୍ୟେକ ଭୂମିଧାରୀ ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛିI ଗତ ଅକ୍ଟୋବର ମାସ ୫ ତାରିଖରେ ପ୍ରଦାନ କରାଯାଇଥିବା ପି.ଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ ଲକ୍ଷ ୫୧ ହଜାର ଜଣ ଚାଷୀ ଉପକୃତ ହୋଇଛନ୍ତି l ଏଥିରେ ଅଧିକ ଚାଷୀଙ୍କୁ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ସାଚୁରେସନ ଡ୍ରାଇଭ୍ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି । ଏହା ବିଗତ ବର୍ଷଠାରୁ ୩ ଗୁଣ ଅଧିକ।

କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋକପାତ କରି ସେ କହିଲେ ଯେ, ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଲୋକପ୍ରିୟ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋଚନା କରି ଖୁବ୍ ପ୍ରଶଂସା କରିଥିଲେ । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଥିବା ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଟମାଟୋ, କଲରା ଇତ୍ୟାଦି ଚାଷରୁ ବାର୍ଷିକ ଦେଢ କୋଟି ଟଙ୍କାର କାରବାର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି କୃଷକ ଉତ୍ପାଦକ ଗୋଷ୍ଠୀ ଓ ଏଥିରେ ଜଡ଼ିତ ଥିବା ୨୦୦ ରୁ ଅଧିକା ଚାଷୀ ଏବଂ ୪୫ ଜଣ ମହିଳା ଚାଷୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ଏହି ଅବସର ରେ ଆୟୋଜିତ ପ୍ରଦର୍ଶନୀ କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହିତ ବୁଲି ଦେଖିଥିଲେ ।

ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବଦଳିପରେ କେନ୍ଦ୍ର ରାଜନୀତିର ଅଙ୍କ।

କେନ୍ଦ୍ର ରାଜନୀତିରେ ଖୁବ୍ ଶୀଘ୍ର ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଗତ ଦିନରେ ବାରମ୍ବାର ମେଣ୍ଟ ସମର୍ଥନ ବଦଳ କରି ରାଜନୀତିର ଗୋଟି ଖେଳୁଥିବା ନିତିଶ କୁମାର ଏନଡିଏ ଛାଡ଼ି ଇଣ୍ଡିଆ ମେଣ୍ଟରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦିବା ଏ ନେଇ ଗତ ସାଧାରଣ ନିର୍ବାଚନ ପରଠାରୁ ଚର୍ଚ୍ଚା ଓ ଆଲୋଚନା ହେଉଥିଲା ନିକଟରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବୟାନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ନୂଆବର୍ଷ ଆରମ୍ଭରେ ଲାଲୁ କହିଛନ୍ତି ନିତିଶଙ୍କ ପାଇଁ ତାଙ୍କ ସମର୍ଥନ ସର୍ବଦା ରହିଛି। ଯଦିବା ନିତିଶ ତାଙ୍କ ହାତ ଛାଡିଛନ୍ତି କିନ୍ତୁ ଲାଲୁ ତାଙ୍କୁ ଛାଡି ନାହାନ୍ତି ବୋଲି ଗଣମାଧ୍ୟମରେ କହିବା ପରେ ଏହା ପରୋକ୍ଷରେ ନିତିଶଙ୍କୁ ଦଳରେ ସାମିଲ ହେବା ପାଇଁ କହିଛନ୍ତି ଲାଲୁ। ଲାଲୁଙ୍କ ଏଭଳି ବୟାନକୁ ଭିତ୍ତିକରି କେବଳ ବିହାର ରାଜନୀତି ନୁହେଁ ସମଗ୍ର ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ରାଜନୈତିକ ସମୀକ୍ଷକ କହିବା ଅନୁଯାୟୀ ଲାଲୁଙ୍କ ଦଳ ଛାଡିବାର ରେକର୍ଡ ବହୁ ପୁରୁଣା। ଉପରିସ୍ଥଲେ ଏବେ ଏନଡ଼ିଏ ଛାଡ଼ିବା ଆଶ୍ଚର୍ଯ୍ୟର କଥା ନୁହେଁ। ବିହାରରେ ନୀତିଶଙ୍କୁ ଲାଲୁଙ୍କ ଦଳ ସମର୍ଥନ ଦେଲେ ତାଙ୍କର ପୂର୍ବଭଳି ମୁଖ୍ୟମନ୍ତ୍ରୀ ପଦ ବଜାୟ ରହିବ। ଅପରପକ୍ଷେ କେନ୍ଦ୍ରରେ ଏନଡ଼ିଏ ସରକାର ସଂଖ୍ୟା ଗରିଷ୍ଠତା ହରାଇବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ। ସେହିଭଳି କେନ୍ଦ୍ରରେ ସରକାର ବଦଳିଲେ ଓଡ଼ିଶା ଭଳି ଅନେକ ରାଜ୍ୟକୁ ଏହା ପ୍ରଭାବିତ କରିପାରେ। ଯାହା ବିଜେପି ପାଇଁ ବିପଦ ସାବ୍ୟସ୍ତ ହେବ।

ପ୍ରକୃତ ଓଡ଼ିଆର ପରିଚୟକୁ ନେଇ ଅନେକ ପ୍ରଶ୍ନବାଚୀ ଥାଏ। କିଏ ସେ ଓଡ଼ିଆ। ଯେ ଓଡ଼ିଶାରେ ଜନ୍ମିତ ନା ଓଡ଼ିଶା ପାଇଁ ନିଜର ଦାୟିତ୍ଵ ସମ୍ପାଦନ କରି ରାଜ୍ୟର ଅସ୍ମିତାକୁ ବଜାୟ ରଖିଛି। (ସଂଖ୍ୟା ଅକ୍ଟୋବର ୨୦୧୩)

ବି. ଦ୍ର. ଖୁବ୍ ଶୀଘ୍ର ପୂରା ପତ୍ରିକା ଅନ୍ଲାଇନରେ ଉପଲବ୍ଧ ହେବ।

ମଣପୁରମ୍ ଗୋଲ୍ଡ ଲୋନ କାର୍ଯ୍ୟାଳୟରୁ ଡକାୟତ ଲୁଟି ନେଲେ ୩୦ କିଲୋ ସୁନା ସମେତ ନଗଦ ଟଙ୍କା
ସମ୍ବଲପୁର, ୩/୧(ଓଡ଼ିଶା ଜାଗରଣ) : ସମ୍ବପୁରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରେ ପଶି ଡକାୟତ ମାନେ ୩୦ କିଲୋ ସୁନା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଡକାୟତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି। ଖବର ନେବାରୁ ଜଣାପଡ଼ିଛି ଯେ, ଶୁକ୍ରବାର କାର୍ଯ୍ୟାଳୟ ଖୋଲିବାର ଅଳ୍ପ କିଛି ସମୟ ଅର୍ଥାତ୍ ଦିନ ୧୦ଟା ୪୦ ମିନିଟ ବେଳକୁ ହଠାତ୍ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଧରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। କର୍ମଚାରୀମାନେ କିଛି ଭାବିବା ଆଗରୁ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ପ୍ରଥମେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ସମସ୍ତଙ୍କ ମୋବାଇଲକୁ ନିଜ କବାଜକୁ ନେବା ପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଚାବି ଖୋଲିଥିଲେ। ଲକରରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲକର୍ ମୋଟ ୩୦ କେଜି ସୁନା ଥିବା ସଂସ୍ଥା ପକ୍ଷରୁ କୂହାଯାଇଛି। ଅପରପକ୍ଷେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଥିବା ବେଳେ ପୂରା ସହରକୁ ନକାବନ୍ଦୀ କରି ଛନଭିନ ଆରମ୍ଭ କରିଛି। ଆଇଆଇସିଙ୍କ ସମେତ ଏସପି ପହଞ୍ଚି ପଚଉଚରା କରୁଛନ୍ତି।

ପ୍ରବାସୀ ଭାରତୀୟ ସମ୍ମିଳନୀ ଭଣ୍ଡୁର ପାଇଁ ଉଦ୍ୟମ

ଭୁବନେଶ୍ୱର, ୩/୨(ଓଡ଼ିଶା ଜାଗରଣ): ଖାଲିସ୍ଥାନୀ ଆତଙ୍କବାଦୀ ପନୂର୍ ପୁଣି ଥରେ ଧମକାଇଛି। ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ସମ୍ମିଳନୀ ପୂର୍ବରୁ ଧମକପୂର୍ଣ୍ଣ ମେଲ୍ କରିଛି ପନୂର୍। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଏକ ଭିଡିଓ ମେଲ୍ ମାଧ୍ୟମରେ ଧମକ ଦେଇଛି ପନୂର୍। ଦେଇଥିବା ମେଲରେ ପ୍ରବାସୀ ଭାରତୀୟ ଦିବସକୁ ଟେରର ଦିବସ ଭାବେ ଅଭିହିତ କରିଛି ପନୁର୍। ସେହିଭଳି ଭୁବନେଶ୍ବରକୁ ଟେମ୍ପଲ୍ ସିଟି ବଦଳରେ ଟେରର ସିଟି ବୋଲି କହିଛି ପନୁର। ଏଥିରେ ସ୍ପଷ୍ଟ ଇଂରାଜୀରେ ପନୁର କହିଛି ଯେ, ପ୍ରବାସୀ ସମ୍ମିଳନୀ ମାଧ୍ୟମରେ ମୋଦି ଓଡ଼ିଶାରେ ର ‘ ଏଜେଣ୍ଟ ନିଯୁକ୍ତି କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛି ସେ । ୧୦ ସେକେଣ୍ଡ ଭିଡ଼ିଓରେ ତାଙ୍କ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଛି। ସେହିଭଳି ବୈଦେଶିକ ମନ୍ତ୍ରୀଙ୍କୁ ଧମକାଇ କହିଛି ଯେ, ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କିଭଳି ଯିବେ ତାର ସୁରକ୍ଷା ନେଇ ଚିନ୍ତା କରନ୍ତୁ ବୋଲି କହିଛି ପନୁର। କାରଣ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ତାଙ୍କର ଏଜେଣ୍ଟ ରହିଛନ୍ତି ବୋଲି କହିଛି ପନୁର।
ପ୍ରକାଶ ଥାଉ କି ଭୁବନେଶ୍ୱର ଡିଜିପି ସମ୍ମିଳନୀ ପୂର୍ବରୁ ମଧ୍ୟ ଧମକ ଦେଇଥିଲା ପନୁର। ଏଥିପାଇଁ ଓଡ଼ିଶା ପୁଲିସ ସମ୍ପୂର୍ଣ ସଜାଗ ହୋଇଯାଇଥିଲା। ରାଜ୍ୟରେ ବ୍ୟାପକ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ସେହିଭଳି କୁମ୍ଭମେଳା ପୂର୍ବରୁ ମଧ୍ୟ ସମାନ ଧରଣର ଧମକ ଦେଇଥିଲା ପନୁର।

ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ):

ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ୩ ଜଣଙ୍କଠାରୁ ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାର ସୁପରଭାଇଜର ଲକ୍ଷ୍ମୀ ମହାରଣା। ସେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେବାକୁ ୩ ଜଣଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ଖବର ନେବାରୁ ଜଣା ପଡ଼ିଛି ଯେ, ତଲଝାପି ପଞ୍ଚାୟତର ନିକେସଜୋର ଗ୍ରାମର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘସିରାମ ନାଏକଙ୍କୁ ସେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେବାକୁ ଲାଞ୍ଚ ମାଗିଥିଲେ। ଏ ନେଇ ସେମାନେ କଳାହାଣ୍ଡି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୩ଜଣ ଯାକ ମିଶି ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବାବେଳେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ରଙ୍ଗବୋଳା ଟଙ୍କା ସହ ଲକ୍ଷ୍ମୀଙ୍କୁ ଧରିଥିଲେ। ତେବେ ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କଠାରୁ ସେ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ। ଯିଏ ଟଙ୍କା ନ ଦେଲା ତାଙ୍କୁ ସେ ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ।