TT Ads

ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ):

ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ୩ ଜଣଙ୍କଠାରୁ ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାର ସୁପରଭାଇଜର ଲକ୍ଷ୍ମୀ ମହାରଣା। ସେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେବାକୁ ୩ ଜଣଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ଖବର ନେବାରୁ ଜଣା ପଡ଼ିଛି ଯେ, ତଲଝାପି ପଞ୍ଚାୟତର ନିକେସଜୋର ଗ୍ରାମର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘସିରାମ ନାଏକଙ୍କୁ ସେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେବାକୁ ଲାଞ୍ଚ ମାଗିଥିଲେ। ଏ ନେଇ ସେମାନେ କଳାହାଣ୍ଡି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୩ଜଣ ଯାକ ମିଶି ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବାବେଳେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ରଙ୍ଗବୋଳା ଟଙ୍କା ସହ ଲକ୍ଷ୍ମୀଙ୍କୁ ଧରିଥିଲେ। ତେବେ ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କଠାରୁ ସେ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ। ଯିଏ ଟଙ୍କା ନ ଦେଲା ତାଙ୍କୁ ସେ ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ସଞ୍ଜୟ ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ।

TT Ads

Leave a Reply

Your email address will not be published. Required fields are marked *