ନୂଆଦିଲ୍ଲୀ, ୯/୧: ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଭୟାବହ ଅଗ୍ନିକାଣ୍ଡ। କାଲିଫର୍ଣ୍ଣିଆ ଜଙ୍ଗଲରୁ ଲାଗିଥିବା ନିଆଁ ବ୍ୟାପି ଶତାଧିକ ଘର ଭସ୍ମ କରିସାରିଲାଣି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ୍ ଅନୁଯାୟୀ ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସାନ୍ତା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ପୋଡ଼ି ଯାଇଥିବା ଜଣା ପଡିଛି। ୫ ହଜାର ଏକରରୁ ଅଧିକ ଅଞ୍ଚଳକୁ ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି। ଅନେକ ଏବେବି ନିଆଁ ଘେରରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି।

ଅଗ୍ନିକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଦେଢ଼ ହଜାର ଘର ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି।

ଦୀର୍ଘଦିନ ଧରି ଅସୁସ୍ଥ ହୋଇପଡ଼ିଥିବା ଘୋଡ଼ାକୁ ଶେଷଥର ପାଇଁ ବୈଦ ଆସି ଦେଖିଦେଇ ଗଲେ। ପରୀକ୍ଷା ନିରୀକ୍ଷା କରି କହିଦେଇ ଚେରମୂଳି ଦେଇଦେଇ ଗଲେ। ଆଉ କହିଦେଇ ଗଲେ ଏହା ମୋର ଶେଷ ପ୍ରଚେଷ୍ଟା। ଏ ଔଷଧରେ ଯଦି ରୋଗ ଭଲ ନ ହୁଏ ତେବେ ମାସର ଶେଷଦିନ ଘୋଡ଼ାକୁ ମାରି ପୋତି ଦେବା ହିଁ ଶ୍ରେୟ ହେବ। ଏକଥା ବୈଦ ମାଲିକକୁ କହିବା ବେଳେ ମାଲିକର ପୋଷା ଛେଳିଟି ଏସବୁ ଶୁଣୁଥିଲା। ସେ ବିଚଳିତ ହୋଇ ପଡ଼ିଲା। ନିଜ ପାଖରେ ଗୋଟିଏ ଛପର ତଳେ ରହୁଥିବା ଘୋଡ଼ାକୁ ହରାଇବାର ଆଶଙ୍କାରେ ତାକୁ କିଭଳି ବଞ୍ଚାଇ ପାରିବ ସେଥିରେ ଲାଗି ପଡ଼ିଲା ଛେଳି। ସବୁଦିନ ସକାଳୁ ଉଠି ଦୌଡ଼ ଦୌଡ଼ ବୋଲି ରଡ଼ି କଲା। କିନ୍ତୁ ଘୋଡ଼ା ଉଠିଲା ନାହିଁ। କଣ୍ଟ ଦେଇଥିବା ବୈଦର ଶେଷଦିନ ଛେଳି ଲଗିପାଗି ଘୋଡାକୁ ଦୌଡ଼ିବାରେ ସକ୍ଷମ ହେଲା। ଦୀର୍ଘଦିନ ଧରି ଅସୁସ୍ଥ ଘୋଡ଼ାର ସୁସ୍ଥତା ଦେଖି ମାଲିକ ଖୁସି ହୋଇଗଲା। ସେଇ ଖୁସିରେ ଗୋଟେ ଭୋଜିର ଆୟୋଜନ କଲା ଆଉ ସେଇ ଭୋଜିରେ ଛେଳି ମାଂସ ଦିଆଗଲା। ବିଚରା ଅନ୍ୟର ସୁଖ ଦେଖିବାକୁ ଯାଇ ଛେଳି ନିଜ କଥା ଭୁଲି ଯାଇଥିଲା। ବନ୍ଧୁଗଣ ଅନେକ ସମୟରେ ଛେଳି ଭଳି ଅନେକ ବ୍ୟକ୍ତି ଥାନ୍ତି ଯେଉଁମାନେ ଅନ୍ୟର ସୁଖ ପାଇଁ ନିଜ ଖୁସିକୁ ହରାଇ ଥାଆନ୍ତି। ଆଜିର ଦିନ ମଙ୍ଗଳମୟ ହେଉ।

ସ୍ଵତନ୍ତ୍ର ଦର୍ଶନ ପାଇଁ ଟିକେଟ ବଣ୍ଟନ ବେଳେ ଅଘଟଣ
ନୂଆଦିଲ୍ଲୀ, ୮/୨: ଆସନ୍ତା ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ଭେଙ୍କଟେଶ୍ୱରଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଟୋକେନ୍ ବଣ୍ଟନ ଚାଲିଥିବା ବେଳେ ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ପ୍ରକାଶ ଥାଉ କି ଆସନ୍ତା ୧୦ ତାରିଖରୁ ସ୍ବତନ୍ତ୍ର ବୈକୁଣ୍ଠ ଦ୍ୱାର ଦର୍ଶନ ଆରମ୍ଭ ହୋଇଥାନ୍ତା। ଏଥିପାଇଁ ବୁଧବାର ସକାଳୁ ଟୋକନ୍ ବଣ୍ଟନ ଆରମ୍ଭ ହୋଇଥିଲା। ବୈରାଗି ପାଟ୍ଟିଡା ପାର୍କରେ ଧାଡ଼ି ଲାଗିଥିଲେ ଶ୍ରଦ୍ଧାଳୁ। ସନ୍ଧ୍ୟାରେ ପ୍ରାୟ ପ୍ରାୟ ୪ ହଜାର ଶ୍ରଦ୍ଧାଳୁ ଟୋକେନ ପାଇଁ ଉପସ୍ଥିତ ଥିଲେ। ହଠାତ୍ ଦଳାଚକଟା ସ୍ଥିତି ଉପୁଜିବାରୁ ୬ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର କମିଟି ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇ ଏଭଳି ପରିସ୍ଥିତି ଉପୁଜିବାର କାରଣ ସମ୍ପର୍କରେ ତର୍ଜମା କରାଯାଉଛି। ଆଗକୁ ଟୋକେନ ବଣ୍ଟନ ଓ ପ୍ରଭୁଙ୍କ ଦର୍ଶନ କିଭଳି ଠିକ୍ ଭାବେ ହୋଇପାରିବ ସେ ନେଇ ଆଲୋଚନା କରାଯାଇଛି। ଅପରପକ୍ଷେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର, ୮/୧(ଓଡ଼ିଶା ଜାଗରଣ) : ରାଜ୍ୟରେ ଆଇନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଆଗରୁ ଯେଉଁ କଥା ଘଟୁ ନ ଥିଲା ଏବେ ବେଳକୁ ବେଳ ତାହା ଘଟିବାର ଲାଗିଛି। ଯେତେବେଳେ ଆମେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବାରେ ଲାଗିଛି ସେହି ସମୟରେ ଖୋଦ୍ ରାଜଧାନୀର ଛାତି ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି। ସେହିଭଳି ଖୋଦ୍ ପୁଲିସ asi ଯୁବତୀଙ୍କୁ ଅସଦାଚରଣ କରିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏ ତ ଥିଲା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି। ଏଥିରୁ ଅନୁମାନ କରନ୍ତୁ ପୂରା ରାଜ୍ୟର ଅବସ୍ଥା। ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରି କହିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଗତ କିଛି ଦିନ ହେଲା ରାଜ୍ୟରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ବୋଲି କହିଛନ୍ତି ଶ୍ରୀ ସ୍ଵାଇଁ। ଅପରପକ୍ଷେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପୂର୍ବରୁ ଅପରାଧୀମାନେ ଅପରାଧ ଘଟାଇ ଖସି ଯାଉଥିଲେ। କିନ୍ତୁ ଏବେ ଯେଉଁମାନେ ବି ଅପରାଧ ଘଟାଇବା ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପ୍ରକାଶ ଥାଉ ଯେ ରସୁଲଗଡ଼ ନିକଟରେ ଘଟିଥିବା ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକୁଟିଆ ପାଇ ଯୁବତୀଙ୍କୁ ସାହାଯ୍ୟ କରିବା ଆଳରେ ଅସଦାଚରଣ।

ଭୁବନେଶ୍ସଵର , ୮/୧(ଓଡ଼ିଶା ଜାଗରଣ): କାଳୁ ସକାଳୁ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା ଘଟଣା ଘଟିବାର କିଛି ସମୟ ଯାଇନି ଆଉ ଏକ ଛାତିଥରା ଅପରାଧ ଘଟଣା ଲୋକଲୋଚନକୁ ଆସିଛି। ଖୋଦ୍ ଲୋକଙ୍କ ସୁରକ୍ଷା ଦାୟିତ୍ଵ ନେଇଥିବା ପୁଲିସ ଅଧିକାରୀଙ୍କ ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ଯୁବତୀକୁ ସାହାଯ୍ୟ କରିବା ବାହାନାରେ ଅସଦାଚରଣ କରିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ପୁଲିସ ବାବୁଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି RPF ଏଏସଆଇ ନିରଞ୍ଜନ ଜେନା।

ଖବର ନେବାରୁ ଜଣା ପଡ଼ିଛି ଯେ ଗତ ଦୁଇଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ହଷ୍ଟେଲକୁ ଯିବା ପାଇଁ ଅପେକ୍ଷା କରିଥିଲେ ଜଣେ ଯୁବତୀ। ହେଲେ ହଷ୍ଟେଲ ବନ୍ଦ୍ ଥିବାରୁ ସେ RPF ଥାନାକୁ ଆଣିଥିଲେ। ନିରଞ୍ଜନ ତାଙ୍କୁ ନିଜ ରୁମକୁ ନେଇ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନିରଞ୍ଜନଙ୍କୁ ଗିରଫ କରିଛି।

ବାଣୀବିହାର-ରସୁଲଗଡ଼ ରାସ୍ତାରେ ପଡ଼ିଛି ମୁଣ୍ଡବିହିନ ମୃତଦେହ
ଭୁବନେଶ୍ୱର, ୮/୧(ଓଡ଼ିଶା ଜାଗରଣ): ରାଜଧାନୀରେ ମାଳ ମାଳ ପୁଲିସ। ପୂରା ସୁରକ୍ଷା ସ୍କାନରରେ ସହର। ମାଛି ନ ଗାଳିବାର ବ୍ୟବସ୍ଥା କରାଯାଇଛି। ଏ ସବୁସତ୍ତ୍ୱେ ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଖୋଦ ରାଜଧାନୀ ରାସ୍ତାକଡ଼ରୁ ମୃତଦେହ ମିଳିବା ଏବେ ପୋଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଧବାର ସକାଳୁ ରାଜଧାନୀର ରସୁଲଗଡ଼ ଅଞ୍ଚଳରୁ ମିଳିଛି ଏକ ମୁଣ୍ଡବିହୀନ ମୃତଦେହ। ରସୁଲଗଡ଼ ବାଣୀବିହାର ରାସ୍ତାରୁ ମିଳିଥିବା ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସେହିଭଳି ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଛି। ମୃତକ ଜଣକ ହେଲେ କେଦାର ପଲ୍ଲୀ ଅଞ୍ଚଳର ସହଦେବ ନାୟକ। ସହଦେବ ବିଏମସି ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି।  ପୋଲିସର କହିବା ଅନୁଯାୟୀ ଗତକାଲି ରାତିରେ ୪ ଜଣ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି।
ଏତେ ପୁଲିସ ଓ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମୁଣ୍ଡ ବିହୀନ ମୃତଦେହ ମିଳିବା ନିଶ୍ଚିତ ଭାବେ ପୋଲିସ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

୪୦ ଇ-ବସ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୭/୧:(ଓଡ଼ିଶା ଜାଗରଣ): ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍‌ର ଶୁଭାରମ୍ଭ କରାଯାଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ଏହା ବହୁମାତ୍ରାରେ କାର୍ବନ ନିର୍ଗମନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ବସ୍ ସେବାଗୁଡ଼ିକ ଦ୍ୱାରା ପର୍ଯ୍ୟଟକମାନଙ୍କ ଯାତାୟାତକୁ ବିଶେଷ ଭାବରେ ଲାଭ ହେବା ସହିତ ପ୍ରଥମଥର ପାଇଁ ରାଜ୍ୟର ଜଣେ ସାଧାରଣ ଯାତ୍ରୀଟିଏ ମଧ୍ୟ ଏହି ସେବାର ଅନୁଭୂତି ନେଇପାରିବେ। ୫ଟି ଡବଲ୍ ଡେକର୍ ଏବଂ ୧୦ଟି ହପ୍ ଅନ୍ ହପ୍ ଅଫ୍ ଇ-ବସ୍ ସେବା ସାଧାରଣତଃ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପ୍ରମୁଖ ଦର୍ଶନୀୟ ସ୍ଥାନ ଏବଂ ସାଂସ୍କୃତିକ ଐତିହ୍ୟସ୍ଥଳୀକୁ ସଂଯୋଗ କରିବ।
ସେପରି ପୁରୀ ସହରରେ ବିଭିନ୍ନ ତୀର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଥମ ଯାତ୍ରୀମାନଙ୍କ ମଧ୍ୟରେ ଦୁଇଜଣ ଦିବ୍ୟାଙ୍ଗ ଯାତ୍ରୀ ଥିଲେ। ସେମାନଙ୍କର ହ୍ୱିଲ୍ ଚେୟାର ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଥମ ଦୁଇଟି ବସ୍ ଟିକେଟ୍ ପ୍ରଦାନ କରିଛନ୍ତି। ଏହି ବସ୍‌ରେ ବିଶେଷତା ହେଉଛି ଦିବ୍ୟାଙ୍ଗ ଯାତ୍ରୀମାନେ ବସ୍‌ରେ ଥିବା ର‌୍ୟାମ୍ପ୍ ସାହାଯ୍ୟରେ ସେମାନଙ୍କର ହ୍ୱିଲ୍ ଚେୟାର ସହିତ ଯାତ୍ରା କରିପାରିବେ।
ଏସ୍‌ଜେଟିଏ ବସ୍ ଭଡ଼ା ସାଧାରଣ ମୋ ବସ୍ ଭଡ଼ା ଭଳି ଥିବାବେଳେ ଡବଲ ଡେକର ବସ୍ ଭଡ଼ା ସର୍ବନିମ୍ନ ମୂଲ୍ୟ ୩୦ ଟଙ୍କାରୁ ସର୍ବାଧିକ ୧୭୦ ଟଙ୍କା ସହିତ ଏକ୍ସପ୍ରେସ୍ ସେବା ଭାବରେ ଗତି କରିବ। ସେପରି ହପ୍ ଅନ୍ ହପ୍ ଅଫ୍ ଇ-ବସ୍‌ରେ ମାତ୍ର ୨୦୦ ଟଙ୍କା ମୂଲ୍ୟରେ ଦୈନିକ ପାସ୍ କରି ଯାତ୍ରୀମାନେ ଏହାର ନିର୍ଦ୍ଦିଷ୍ଟ ବସ୍ ରୁଟ୍‌ରେ ଅନବରତ ଯାତ୍ରା କରିବାର ସୁଯୋଗ ନେଇପାରିବେ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଡବଲ ଡେକର ବସ୍‌ରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ବସ୍ ଟିକେଟ୍ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦେବ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟର ପରିଚାଳନା ନିର୍ଦେଶକ ଡ. ଏନ. ଥିରୁମାଲା ନାୟକଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

୧୭ ସୁଦ୍ଧା ନାମାଙ୍କନ, ୨୦ ରେ ପ୍ରତ୍ୟାହାର

ପ୍ରଥମ ଥର ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ, ୭/୧: ଦିଲ୍ଲୀରେ ବାଜିଲା ନିର୍ବାଚନ ବିଗୁଲ। ଆସନ୍ତା ଫେବୃଆରି ୨୩ ତାରିଖରେ ବିଧାନସଭା କାର୍ଯ୍ୟକାଳ ସରୁଥିବାରୁ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏଥର ଆସନ୍ତା ଫେବୃଆରି ୫ ତାରିଖରେ ଦିଲ୍ଲୀରେ ନିର୍ବାଚନ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଆସନ୍ତା ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଫେବୃଆରି ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜାନୁଆରୀ ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖା ଯାଇଛି। ସେହିଭଳି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୦ ରଖାଯାଇଛି। ନିର୍ବାଚନ ପରେ ଫେବୃଆରୀ ୮ ତାରିଖରେ ଭୋଟ ଗଣତି କରାଯିବ।
ଏହି ଅବସରରେ ସେ ଇଭିଏମ୍ ସ୍ବଚ୍ଛତା ନେଇ ଉଠିଥିବା ପ୍ରଶ୍ନକୁ ଖଣ୍ଡନ କରିଛନ୍ତି। ଏହା ଉପରେ ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଉଲ୍ଲେଖ କରିଛନ୍ତି। ଦିଲ୍ଲୀରେ ମୋଟ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ୮୩ ଲକ୍ଷ ୪୯ ହାଜର ପୁରୁଷ ଭୋଟର ରହିଛନ୍ତି। ସେହିପରି ୭୧ ଲକ୍ଷ ୭୩ ହଜାର ମହିଳା ଭୋଟର ରହିଛନ୍ତି।
ପ୍ରକାଶ ଥାଉ କି ଦିଲ୍ଲୀରେ ଗତ ତିନିଥର ଯାକ ଆମ୍ ଆଦମୀ ପାର୍ଟି ବିଜୟ ସରକାର କରି ଆସୁଛି। ଗତ ନିର୍ବାଚନରେ ଦିଲ୍ଲୀର ମୋଟ ୭୦ ଆସନ ମଧ୍ୟରୁ ଆପ୍ ୫୭ ସିଟ୍ ଦଖଲ କରିଥିବା ବେଳେ ବିଜେପି ମାତ୍ର ୭ଟି ଆସନରେ ବିଜୟ ଲାଭ କରିଥିଲେ। ସ୍ୱାଧୀନ ସମେତ ଅନ୍ୟ ଦଳକୁ ମିଳିଥିଲା ୫ ଆସନ।

ସୁନା ଭଳି ଶୁଦ୍ଧ ରୁପା କିଣି ପାରିବେ ଗ୍ରାହକ
ନୂଆଦିଲ୍ଲୀ, ୭/୧: ସୁନା ଦର ଆକାଶଛୁଆଁ। ଏପରି ସ୍ଥଳେ ଲୋକେ ରୂପା ଜିନିଷ କିଣିବା ପାଇଁ ପସନ୍ଦ କରୁଛନ୍ତି। ଏହାର ସୁଯୋଗ ନେଇ ଅନେକ ଅସାଧୁ ବ୍ୟବସାୟୀ ନିମ୍ନମାନର ରୂପା ତଥା ଖାଦମିସା ରୁପା ବିକ୍ରି କରୁଛନ୍ତି। ଏଥିରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏ ନେଇ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାରତୀୟ ମାନକ ବ୍ୟୁରୋକୁ ଚିଠି ଲେଖିଛନ୍ତି। ଫଳରେ ଲୋକେ ସୁନା ଭଳି ଉଚ୍ଚ ମାନର ରୁପା କିଣି ପାରିବେ ବୋଲି କହିଛନ୍ତି।
ବିଆଇଏସ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ଶ୍ରୀ ଯୋଶୀ କହିଛନ୍ତି ଯେ ମାନକ ଲାଗୁ ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ଦାବି କରାଯାଇଥିଲା। ତେଣୁ ବିଆଇଏସ୍‌ ଏହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରେ। ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଏଥି‌ରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍‌ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛି। ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିର ଶିକାର ହେବାଠାରୁ ବର୍ତ୍ତିପାରିବେ।

୬୨ ଜଣ ଆହତଙ୍କୁ ଉଦ୍ଧାର ପରେ ଏବେ ବି ମଟିତଳେ ରହିଛି ଅନେକଙ୍କ ଜୀବନ
ନୂଆଦିଲ୍ଲୀ, ୭/୧: ମଙ୍ଗଳବାର ସକାଳେ ତିବ୍ବତରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସ। କରାଯାଉଛି। ଏବେ ବି ଅନେକ ଲୋକ ମାଟିତଳେ ଚାପିହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ମିଟର ସ୍କେଲରେ ଭୂକମ୍ପର ୭.୧ ରେକର୍ଡ କରାଯାଇଛି।
ଘରୋଇ ଖବର ସଂସ୍ଥାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନେପାଳ ସୀମାନ୍ତ ତିଦ୍ଦତ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଭାରତର ଆସାମ, ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟ କେତେକାଂଶରେ ଅନୁଭୂତ ହୋଇଥିଲା। NCS (national centre for seismology) ର ସୂଚନା ଅନୁଯାୟୀ ସକାଳ ୬ଟା ୩୫ ମିନିଟରେ ଏହା ଅନୁଭୂତ ହୋଇଥିଲା।