ସାଢ଼େ ୬ ଲକ୍ଷ ଚାଷୀଙ୍କୁ ମିଳିବ ସାଢ଼େ ୨୯୧ କୋଟି
ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ):
ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ତେଣୁ, ରାଜ୍ୟର କ୍ଷତିଗ୍ରସ୍ତ ପ୍ରାୟ ସାଢେ଼ ୬ ଲକ୍ଷ ଚାଷୀଙ୍କୁ ଦିଆଯିବ ୨୯୧ କୋଟି ୫୯ ଲକ୍ଷ ଟଙ୍କା। ଏନେଇ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ଯେଉଁଚାଷୀ ମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀ ମାନଙ୍କୁ ସହାୟତା ମିଳିବ ବୋଲି ସେ କହିଛନ୍ତି ।SDRF ପାଣ୍ଠିରୁ ଏହି ଇନ୍ପୁଟ୍ ସବ୍ସିଡି ଚାଷୀମାନଙ୍କୁ ପ୍ରଦାନ କରାଯିବ । ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏହି ଚାଷୀମାନଙ୍କୁ ସହାୟତା ମିଳିବ ।
ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀଙ୍କ ଆବେଦନ ହସ୍ତଗତ ହୋଇଛି । ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଜିଠାରୁ DBT ଜରିଆରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ ଆହୁରି କହିଥିଲେ ଯେ, ଇନ୍ପୁଟ୍ ସବସିଡି ସହିତ, ଆଉ କେଉଁ ପ୍ରକାର ସାହାଯ୍ୟ ପ୍ରଦାନ କରାଯାଇପାରିବ, ସରକାର ସେ ଦିଗରେ ବିଚାର କରୁଛନ୍ତି । ଏଥି ସହିତ, ରବି ଫସଲ ପାଇଁ ଯାହା ବି ଆବଶ୍ୟକ, ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ, ଆପଣ ସେଥିପ୍ରତି ନିଶ୍ଚିନ୍ତ ରୁହନ୍ତୁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ । ଏଥିପାଇଁ ଚାଷୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡିଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ୱାବଲମ୍ବୀ ହୋଇପାରି ନାହୁଁ । ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା ଏବଂ ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମୁଁ ଦୃଢ ଭାବେ କହିପାରିବି ଯେ ଉତ୍ତମ ଯୋଜନା ଏବଂ ଇଚ୍ଛା ଶକ୍ତିର ଟିକେ ଅଧିକ ପ୍ରୟୋଗ କରିଥିଲେ, କୃଷି ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଓଡିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ, ଆମ ସରକାର ପ୍ରାଥମିକତା ଭିତ୍ତିରେ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଜଳ ସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ଆମ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘କୃଷି ଓଡିଶା ୨୦୨୫’ ର ମୁଖ୍ୟ ବିଷୟ ବସ୍ତୁ ହେଉଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ”। ଆମକୁ ଆର୍ଥିକ ଦକ୍ଷତା ଅପେକ୍ଷା ଜୀବନ ଦକ୍ଷତା ବା Life Skill ଉପରେ ବେଶୀ ଯତ୍ନବାନ ହେବାକୁ ପଡିବ । କୃଷି, କେବଳ ଫସଲ ଉତ୍ପାଦନ ନୁହେଁ, ବରଂ ମାଟି, ପାଣି, ପବନ ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭରଶୀଳ ସମସ୍ତ ପଦାର୍ଥ ପ୍ରତି ଯତ୍ନବାନ ହେବା ଉଚିତ୍ । ଏହା ଦ୍ୱାରା ଆମର ଚାଷୀଭାଇଙ୍କ ଆର୍ଥିକ ସ୍ଥିତି ସବୁ ଦିନ ପାଇଁ ସୁଦୃଢ ରହିବ ବୋଲି ସେ ମତ ଦେଇଥିଲେ ।
ସରକାରଙ୍କ ସହିତ ବିଭିନ୍ନ ବେସରକାରୀ ସଂସ୍ଥା ଓ କୃଷକ ସମବାୟ ସମିତିର ସହଯୋଗରେ ଓଡ଼ିଶାରେ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହା ଦ୍ୱାରା ଆମର ପରିବେଶ ଓ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ ।
କୃଷି ବିକାଶ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଉଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ହଜାର କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ କରାଯାଇ ସାରିଛି ।
ସେହିପରି ସି.ଏମ – କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।
ପି.ଏମ.କିଷାନ ଯୋଜନାରେ ପ୍ରତ୍ୟେକ ଭୂମିଧାରୀ ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛିI ଗତ ଅକ୍ଟୋବର ମାସ ୫ ତାରିଖରେ ପ୍ରଦାନ କରାଯାଇଥିବା ପି.ଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ ଲକ୍ଷ ୫୧ ହଜାର ଜଣ ଚାଷୀ ଉପକୃତ ହୋଇଛନ୍ତି l ଏଥିରେ ଅଧିକ ଚାଷୀଙ୍କୁ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ସାଚୁରେସନ ଡ୍ରାଇଭ୍ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି । ଏହା ବିଗତ ବର୍ଷଠାରୁ ୩ ଗୁଣ ଅଧିକ।
କଳାହାଣ୍ଡିର ସବ୍ଜି କ୍ରାନ୍ତି ଉପରେ ଆଲୋକପାତ କରି ସେ କହିଲେ ଯେ, ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଲୋକପ୍ରିୟ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ କଳାହାଣ୍ଡିର ସବ୍ଜି କ୍ରାନ୍ତି ଉପରେ ଆଲୋଚନା କରି ଖୁବ୍ ପ୍ରଶଂସା କରିଥିଲେ । କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଥିବା ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଟମାଟୋ, କଲରା ଇତ୍ୟାଦି ଚାଷରୁ ବାର୍ଷିକ ଦେଢ କୋଟି ଟଙ୍କାର କାରବାର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି କୃଷକ ଉତ୍ପାଦକ ଗୋଷ୍ଠୀ ଓ ଏଥିରେ ଜଡ଼ିତ ଥିବା ୨୦୦ ରୁ ଅଧିକା ଚାଷୀ ଏବଂ ୪୫ ଜଣ ମହିଳା ଚାଷୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ଏହି ଅବସର ରେ ଆୟୋଜିତ ପ୍ରଦର୍ଶନୀ କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହିତ ବୁଲି ଦେଖିଥିଲେ ।
ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ ।


