ଭୁବନେଶ୍ୱର, ୩/୧(ଓଡ଼ିଶା ଜାଗରଣ): ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଜେଲ୍ ଯାଇଥିବା (ବନ୍ଦୀ) ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହିତ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ପୂର୍ବରୁ ୯ ହଜାର ଟଙ୍କା ପାଉଥିବା ବେଳେ ଏବେ ମାସକୁ ୧୫ ହଜାର ଟଙ୍କା ପାଇବେ । କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ପାଉଥିବା ସଂଗ୍ରାମୀମାନଙ୍କୁ (କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ରତା ସୈନିକ ସମ୍ମାନ) ରାଜ୍ୟ ସରକାର ମାସକୁ ଅତିରିକ୍ତ ୮ ହଜାର ଟଙ୍କା ପ୍ରତୀକ ଭତ୍ତା ପ୍ରଦାନ କରୁଥିଲେ । ଏହି ଭତ୍ତାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ରର ଏକ କଳାଦାଗ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସମସ୍ତ ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଭାବେ ପାଳନ କରାଯାଉଛି । ଡଃ ମହତାବଙ୍କ କୃତି ଓ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ଏବଂ ତାଙ୍କ ଅବଦାନର ସମ୍ମାନାର୍ଥେ ଚଳିତ ବର୍ଷ ଡଃ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ରାଜ୍ୟ ତଥା ରାଷ୍ଟ୍ରସ୍ତରରେ ଏକ ବର୍ଷବ୍ୟାପୀ ପାଳନ କରାଯାଉଛି । ଡଃ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ । ତାଙ୍କ ରଚିତ ପୁସ୍ତକ ଓ ଆଲେଖ୍ୟଗୁଡିକର ବିଭିନ୍ନ ଭାଷାରେ ପୁନଃ ପ୍ରକାଶନ, ତାଙ୍କ ଜନ୍ମସ୍ଥାନ ଅଗରପଡାରେ ମେମୋରିଆଲ ପ୍ରତିଷ୍ଠା, ତାଙ୍କ ଜୀବନୀ ଉପରେ ଗବେଷଣା ଆଦି ଅନେକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଭାରତର ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓ ଅନନ୍ୟ। ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରା ବିଷୟରେ ଆମେ ସମସ୍ତେ ଜାଣିଛେ । କିନ୍ତୁ, ଏହା ସହିତ ଭାରତ ବର୍ଷରେ ଅହୁରି ଅନେକ ମହାନ ବ୍ୟକ୍ତି ନିଜ ନିଜ ବିଚାରଧାରାରେ ଆନ୍ଦୋଳନ କରୁଥିଲେ । ଆମେ ସେମାନଙ୍କ କଥା ଜାଣିନାହୁଁ । ଇତିହାସରେ ସେମାନେ ସଠିକ୍ ଭାବେ ସ୍ଥାନୀତ ହୋଇ ନାହାନ୍ତି । ଏହି ବୀର ସଂଗ୍ରାମୀମାନେ ନିଜ ପାଇଁ କିମ୍ବା ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ପାଇଁ ପ୍ରାଣବଳୀ କିମ୍ବା ତ୍ୟାଗ ଦେଇନଥିଲେ । ତାଙ୍କ ପାଇଁ ଦେଶ ଓ ଦେଶର ସ୍ୱାଧୀନତା ସବୁକିଛି ଥିଲା । ଆଜି ସମୟ ଆସିଛି ଜନସାଧାରଣ ତାଙ୍କ ବିଷୟରେ ଜାଣିବା ପାଇଁ । କାରଣ ଏକ ସମାଜ ପାଇଁ ତା’ର ଇତିହାସ ହେଉଛି ସବୁଠାରୁ ବଡ ଶିକ୍ଷା । ଯଦି ଆମେ ଆମର ଇତିହାସକୁ ସ୍ମରଣ ନକରିବା ତେବେ ଆମର ବର୍ତ୍ତମାନ ମୂଲ୍ୟହୀନ ଓ ଭବିଷ୍ୟତ ଅନ୍ଧକାରମୟ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଇତିହାସର ଏହି ଭୁଲକୁ ସୁଧାରିବା ପାଇଁ ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଉଦ୍ୟମ ଆରମ୍ଭ ହୋଇଛି । ଏପରି ନାମହୀନ, ପରିଚୟହୀନ ମହାପୁରୁଷ ଏବଂ ବରପୁତ୍ରୀ ମାନଙ୍କୁ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଛି। ଯାହାଫଳରେ ଆମେ ସାରା ଭାରତବର୍ଷରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିପାରୁଛୁ ।

ନିକଟରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ନାମିତ କରିଛନ୍ତି। ଆମ ରାଜ୍ୟରେ ବରଗଡ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ମାଧୋ ସିଂହଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ଶହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଆମେ ଆରମ୍ଭ କରିବାକୁ ଯାଉଛୁ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସମସ୍ତ ବରପୁତ୍ର ମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେହେଲେ ଅବହେଳା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ମହୋତ୍ସବରେ ଦେଶର ୧୦ ଟି ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟଦ ମାନେ ଯୋଗ ଦେଇଥିଲେ । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଏହି ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସଦନ ପରିସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ବୁଲି ଦେଖିଥିଲେ ।

କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ । ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଶିଷ୍ଟ ସ୍ୱାଧନତା ସଂଗ୍ରାମୀ ତଥା ମହୋତ୍ସବର ସଭାପତି ବିମ୍ବାଧର ମୁଦୁଲି, ସାଂସଦ ଭର୍ତ୍ତୃହରି ମହତାବ, ବିରୋଧୀ ଦଳ ଉପ-ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂହ, ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖିଥିଲେ ।

ଓଡ଼ିଆ ଅସ୍ମିତାକୁ ମାଡ। ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼।
ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ବି ବିଜେପି ସରକାର। ଓଡ଼ିଶା ସରକାରଙ୍କ ପକ୍ଷରୁ ପଠାଗଲା ପ୍ରଜ୍ଞାପନ ମେଢ଼ର ମଡେଲ। ହେଲେ କେନ୍ଦ୍ର ସରକାର ତାକୁ ଖାରଜ କରିଦେଲେ। ତେବେ କେଉଁଠି ରହିଲା ତ୍ରୁଟି ରାଜ୍ୟ ସରକାରଙ୍କ ପ୍ରଜ୍ଞାପନ ମେଢ଼ ମଡେଲ ପ୍ରସ୍ତୁତ କରିବାରେ ନା କେନ୍ଦ୍ରରେ ମନୋନୟନରେ। ଯାହା ବି ହେଉ ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବାକୁ ଥିବା ପ୍ୟାରେଡରେ ଓଡ଼ିଶାର ମଡେଲ ଦେଖିବାକୁ ମିଳିବନି। ଯାହା ରାଜ୍ୟବାସୀଙ୍କୁ ନିରାଶ କରିଛି। ଅପରପକ୍ଷେ ଏଥର ୨୬ ଜାନୁଆରୀରେ ହେବାକୁ ଥିବା ପ୍ୟାରେଡରେ ୨୬ ଟି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ସେଥି ମଧ୍ୟରୁ ୧୧ ଟି ମେଢ଼ କେନ୍ଦ୍ର ପକ୍ଷରୁ ସ୍ଥାନିତ ହୋଇଥିବା ବେଳେ ୧୫ ରାଜ୍ୟର ପ୍ରଜ୍ଞାପନ ମେଢ଼ ସ୍ଥାନିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଚୟନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।
ପ୍ରକାଶ ଥାଉ କି ଗତବର୍ଷ ଓଡ଼ିଶାର ଯୁବ ଶିଳ୍ପୀ କୀର୍ତ୍ତି କିଶୋର ମହାରଣାଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ଦିଲ୍ଲୀ କର୍ତ୍ତବ୍ୟ ମଇଦାନ ପ୍ୟାରେଡରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶାର କଳା ସଂସ୍କୃତିକୁ ନେଇ ପ୍ରଦର୍ଶିତ ଏହି ମେଢ଼ ପ୍ରଥମ ସ୍ଥାନ ହାସଲ କରିଥିଲା।

ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ଦାୟିତ୍ବ ନେବାର ୫ ମାସ ଭିତରେ ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ। ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ହଠାତ୍ ଏଭଳି ବଦଳିର କାରଣ ଜଣା ପଡୁନି।

ତେବେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।
ସେହିଭଳି ଏନବିଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ। ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହ ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ମିଳିଥିଲା। ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଲ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବଲାଙ୍ଗୀର, ନୟାଗଡ଼ ଓ କଟକ ଜିଲ୍ଲାପାଳ ଦାୟିତ୍ବ ତୁଲାଉଛନ୍ତି। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ ବଦଳି ପରେ କିଏ ଉକ୍ତ ପଦବୀରେ ବସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ କାହିଁକି ଏମିତି ବଦଳି କରାଗଲା ସେ ନେଇ କିଛି ଜଣା ପଡିନି।

ଲଗୁହେଵ ଆଭା କାର୍ଡ, ଆକାଉଣ୍ଟରେ ରହିବ ରୋଗର ରେକର୍ଡ
ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ଆଉ ରୋଗ ସଂକ୍ରାନ୍ତୀୟ ପ୍ରେସ୍କ୍ରିବସନ୍ କାଗଜ ରଖିବାର ଆବଶ୍ୟକତା ନାହିଁ। ରୋଗୀଙ୍କୁ ମିଳିବ ରୋଗୀ ଓ ଔଷଧ ସଂକ୍ରାନ୍ତ ପୁଳାପୁଳା କାଗଜ ସାଇତି ରଖିବାରୁ ମିଳିବ ମୁକ୍ତି। ଗୋଟିଏ ଆକାଉଣ୍ଟରେ ରହିବ ରୋଗ ସମ୍ପର୍କିତ ସମସ୍ତ ତଥ୍ୟ। କେବଳ କ୍ୟୁଆର କୋଡକୁ ସ୍କାନ କରିବାକୁ ପଡ଼ିବ। ଏଭଳି ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ। ଯାହାର ନାମ ରଖା ଯାଉଛି ଆଭା (ଆୟୁଷ୍ମାନ ଭାରତ ହେଲତ ଆକାଉଣ୍ଟ) କାର୍ଡ। ଏହି କାର୍ଡରେ ରୋଗୀର ପ୍ରାଥମିକ ରୋଗର ସ୍ଥିତି ସମ୍ପର୍କରେ ସବିଶେଷ ବିବରଣୀ ରହିବ। ସେ କେଉଁଠାରେ କିଭଳି ରୋଗ ପରୀକ୍ଷା କରିଛନ୍ତି ଓ କେଉଁଠାରୁ କେଉଁ ପ୍ରକାର ମେଡିସିନ ସେବନ କରିଛନ୍ତି ତାହା ଉଲ୍ଲେଖ ରହିବ। କାର୍ଡରେ ଏକ କ୍ୟୁଆର୍ କୋଡ ରହିବ। ଯେଉଁ କୋଡ଼କୁ ସ୍କାନ କଲେ ସବୁ ଜାଣିହେବ। ଫଳରେ ରୋଗୀ ନିଜର ରୋଗ ସମ୍ପର୍କିତ ତଥ୍ୟ ଡାକ୍ତରଙ୍କୁ ବାରମ୍ବାର କହିବାକୁ ପଡ଼ିବ ନାହିଁ କି ବାରମ୍ବାର ଅନାବଶ୍ୟକ ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଏମିତିକି ଡାକ୍ତରଖାନାକୁ ବାରମ୍ବାର ଯିବାରୁ ମୁକ୍ତି ପାଇବ। ଏଥିପାଇଁ ଖୁବ ଶୀଘ୍ର ଆଭା କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଲୋକେ ସରକାରୀ ତଥା ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇପାରୁଥିଲେ। ଏବେ ନୂଆ ସରକାର ଆସିବା ପରେ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ଆଭା କାର୍ଡ ବଣ୍ଟନ ପାଇଁ ଲକ୍ଷ ରଖାଯାଇଛି।

କୋଟି କୋଟି ଟଙ୍କାର ନକଲି ସିମେଣ୍ଟ ଜବତ

ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ରାଜଧାନୀ ଛାତି ଉପରେ ଚାଲିଥିଲା ନକଲି ସିମେଣ୍ଟ କାରଖାନା। ଏଠାକୁ କୋଟିକୋଟି ଟଙ୍କାର ସିମେଣ୍ଟ ବିକ୍ରି ହେଉଥିଲା। ରାଜଧାନୀର ବଡବଡ ଅଟ୍ଟାଳିକାଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେଉଥିଲା ଏହି ନକଲି ସିମେଣ୍ଟ। ହେଲେ ଦୀର୍ଘଦିନ ଧରି ଏଭଳି କଳା କାରନାମାର ସୁରାକ କେହି ପାଇପାରୁ ନ ଥିଲେ। କିନ୍ତୁ ବିଲମ୍ଭରେ ହେଲେ ବି କମିଶନରେଟ ପୁଲିସର ଚେତା ଫେରିଲା। ଗୁରୁବାର ସକାଳେ ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଚଢ଼ଉ କରି ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ ପୋଲିସର ଏକ ଟିମ୍। ଏଠାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ନକଲି ସିମେଣ୍ଟ ଜବତ କରାଯାଇଛି। ବିଭିନ୍ନ ବଡବଡ ନାମୀ ଦମି ବ୍ରାଣ୍ଡର ନକଲି ସିମେଣ୍ଟ ଏଠାରେ ବିକ୍ରି ହେଉଥିଲା। ସିମେଣ୍ଟ ଜବତ କରିବା ସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

୮ ସହର ତାପମାତ୍ରା ୧୦ ଡିଗ୍ରୀ ତଳେ
ଭୁବନେଶ୍ୱର, ୨/୧(ଓଡ଼ିଶା ଜାଗରଣ): ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଲଘୁଚାପ ବର୍ଷା ପାଇଁ ବୃଦ୍ଧି ପାଇଥିବା ତାପମାତ୍ରା ପୁନର୍ବାର ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତରେ ଥରୁଛନ୍ତି ଓଡ଼ିଶାବାସୀ। ଗତ ୨୪ ଘଣ୍ଟାର ରେକର୍ଡକୁ ଦେଖିଲେ ରାଉରକେଲା ରାଜ୍ୟର ସବୁଠାରୁ କାଲୁଆ ସହରରେ। ପରିଣତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରେକର୍ଡ ଅନୁଯାୟୀ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ରାଉଜେଲାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡାର ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଦାରିଙ୍ଗବାଡି, କେଉଁଝର ଓ ଫୁଲବାଣୀର ତାପମାତ୍ରା ୯.୫ ଡିଗ୍ରୀ, ସୁନ୍ଦରଗଡ ତାପମାତ୍ରା ୯.୭ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ଭୁବନେଶ୍ୱର ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ତାପମାତ୍ରା ଆଗାମୀ କିଛିଦିନ ପାଇଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପାହାଡିଆ ଅଞ୍ଚଳରେ ତାପମାତ୍ରା କମ୍ ରହିଥିବ ବେଳେ ସହରାଞ୍ଚଳ ବା ଶିଳ୍ପାଞ୍ଚଳରେ ତାପମାତ୍ରା ଅଧିକ ରହିଛି। ସେହିଭଳି ରାତି ଦୁଇଟା ପରେ ଅନୁଗୁଳରେ ଅଧିକ କୁହୁଡି ଅନୁଭୂତ ହୋଇଛି ଏବଂ ଆଗାମୀ ଦିନରେ ହାଲୁକା କୁହୁଡି ହେବାର ଆଶଙ୍କା ରହିଛି।

ଭାଙ୍ଗିଲା କାନ୍ଥ, ମହିଳା ଗୁରୁତର
ଭୁବନେଶ୍ୱର, ୨/୧୨(ଓଡ଼ିଶା ଜାଗରଣ): ଆଚାର୍ଯ୍ୟ ବିହାରରୁ ବାଣୀବିହାର ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ବେଳେ ଦେଖା ଦେଇଛି ଉତ୍ତେଜନା। ଏକ ପୁରୁଣା ଦୋକାନ ଘର ଭାଙ୍ଗିଥିବା ବେଳେ ଜଣେ ବୟସ୍କ ମହିଳାଙ୍କ ଉପରେ କାନ୍ଥ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉ କି ପ୍ରବାସୀ ସମ୍ମିଳନୀ ପାଇଁ ଗତ ୧୫ ଦିନ ହେଲା ରାଜଧାନୀ ରାସ୍ତା କଡ଼ରେ ବେପାର କରି ଆସୁଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ଏଥିରେ ପ୍ରାୟ ଦୁଇଶହରୁ ଅଧିକ ଉଠାଦୋକାନ ଭଙ୍ଗା ଗଲାଣି। ଆଜି ଭୋରୁ ବୁଲ୍ ଡୋଜର ଯୋଗେ ଆଚାର୍ଯ୍ୟ ବିହାରରୁ ବାଣୀବିହାର ମଧ୍ୟରେ ଥିବା ଉଠା ଦୋକାନ ଉଚ୍ଛେଦ ହେଉଥିବା ବେଳେ ଶତାଧିକ ବ୍ୟବସାୟୀ ଦୋକାନ ଉଚ୍ଛେଦକୁ ବିରୋଧ କରି ଜେସିବି ଆଗରେ ଧାରଣାରେ ବସିଥିଲେ।

ପୋଡ଼ିଗଲା ୪ ଘର, ୪୦ କ୍ଵିଣ୍ଟାଲ ଧାନ
ବାଲେଶ୍ୱର, ୨/୧(ଓଡ଼ିଶା ଜାଗରଣ): କାଳ ହେଲା ମଶା ମାରିବା। ଗୁହାଳରେ ମଶା ମାରିବା ପାଇଁ ଧୂପ ଲାଗିଥିବା ବେଳେ ସେଥିରୁ ନିଆଁ ଲାଗି ୪୦ କ୍ଵିଣ୍ଟାଲ ଧାନ ସମେତ ୪ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି। ସୋର ବଂଗାଳପୁରା ଈଶାନରେ ଘଟିଛି ଏଭଳି ଘଟଣା। ରାତିରେ ପରିବାର ଲୋକେ ମଶା ମାରିବା ପାଇଁ ଧୂପ ଦେଇଥିଲେ। ହଠାତ୍ କିଛି ସମୟ ପରେ ଗୁହାଳ ଘର ଜଳୁଥିବା ଦେଖା ଦେଇଥିଲା। ଗ୍ରାମବାସୀ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇ ନଥିଲା। ଫଳରେ ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ମଶା ଧୁପରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ବାଡ଼ିରେ ରଖିଥିବା ୪୦ କ୍ଵିଣ୍ଟାଲ ଧାନ ମଧ୍ୟ ପୋଡ଼ି ନଷ୍ଟ ହୋଇଛି।

୧୬ ସବ୍ ଇନ୍ସପେକ୍ଟର ପଦବୀ ସୃଷ୍ଟି

ଭୁବନେଶ୍ୱର,୧/୧(ଓଡ଼ିଶା ଜାଗରଣ) : ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି ନୂଆ ସରକାର। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।

ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ
ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି (Additional SP), ୨୪ଟି ଡି.ଏସ.ପି ପଦବୀ (DSP) ଓ ୧୬ ଟି ପୋଲିସ ସବ୍ ଇନ୍ସପେକ୍ଟର (Sub Inspector of Police) ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

ଥିଲା ୫ ଲକ୍ଷ; ହେଲା ୭.୫ ଲକ୍ଷ

ଭୁବନେଶ୍ୱର,୧/୧(ଓଡ଼ିଶା ଜାଗରଣ): ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି ଅନୁଯାୟୀ
ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି
୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏ ସଂକ୍ରାନ୍ତୀୟ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘ ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।