ବିଜ୍ଞାନ: ବରଦାନ ନା ଅଭିଶାପ                        ଶୁଣିବାକୁ ମିଳୁଛି ଯେ କିଛି ସ୍କୁଲରେ ପିଲାଙ୍କୁ ପଢା ଯାଉଛି, ବିଜ୍ଞାନ ବରଦାନ ନା ଅଭିଶାପ ? ଏଇଠି ପ୍ରଶ୍ନ ଉଠୁଛି – ବିଜ୍ଞାନ ବିଷୟକୁ ଦୁଇଟି ଆଧ୍ୟାତ୍ମିକ ଶବ୍ଦ ଦ୍ୱାରା ପରିଭାଷିତ କରି ପିଲାଙ୍କୁ ଶିକ୍ଷା ଦେବା ଆବଶ୍ୟକ ପଡିଲା କାହିଁକି ? ଏହି ଦୁଇଟି ଶବ୍ଦ ଦ୍ୱାରା ବିଜ୍ଞାନକୁ ବ୍ୟାଖ୍ୟା କରାଯାଇ ପାରିବ ନାହିଁ l ଯେଉଁ ବିଜ୍ଞାନର ଜ୍ଞାନ ବଳରେ ଦୁଇ ପାଦରେ ଚାଲୁଥିବା ଗୋଟିଏ ସାଧାରଣ ପ୍ରାଣୀ ବଣ ଜଙ୍ଗଲ ଓ ପାହାଡ଼ ଗୁମ୍ଫାରୁ ବାହାରି ଆଜି ଚନ୍ଦ୍ରରେ ପହଞ୍ଚି ପାରିଛି, ସେହି ବିଜ୍ଞାନ ମଣିଷ ପାଇଁ ଅଭିଶାପ ହେବ କିପରି ? ବରଦାନ ଅର୍ଥ କୌଣସି ଦୈବୀ ସତ୍ତା ଦ୍ୱାରା ଚମତ୍କାରୀ ଭାବେ ମଣିଷକୁ ସବୁ ସାଧନ ପ୍ରାପ୍ତ ହେବା l ସେମିତି କିଛି ତ ହୋଇନାହିଁ l ଲକ୍ଷ ଲକ୍ଷ ବର୍ଷର ସଂଘର୍ଷ ପରେ ମଣିଷ ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହାସଲ କରିଛି l

ମନୁଷ୍ୟ ଦ୍ୱାରା ସାମାନ୍ୟ ଜ୍ଞାନରୁ ବିଶେଷ ଜ୍ଞାନ ଆଡକୁ ଯାତ୍ରା କରିବାର ପରିଣାମ ହେଉଛି ବିଜ୍ଞାନ l ପ୍ରତ୍ୟେକ ଜୀବିତ ପ୍ରାଣୀ ନିଜର ଖାଦ୍ୟ ସଂଗ୍ରହ, ସୁରକ୍ଷା ବ୍ୟବସ୍ଥା ଓ ବଂଶ ବିସ୍ତାର ଆଦି ବିଷୟରେ କିଛି ମୌଳିକ ଜ୍ଞାନ ସ୍ୱତଃ ପ୍ରାପ୍ତ କରିଥାଏ l ପିମ୍ପୁଡି ଭଳି କ୍ଷୁଦ୍ର ଯିବ ହେଉ କି ହାତୀ ଭଳି ବିଶାଳ ପ୍ରାଣୀ ସମସ୍ତେ ନିଜର ମୌଳିକ ଆବଶ୍ୟକତା ପୂରଣ କରିଥା’ନ୍ତି l ସେହି ସାମାନ୍ୟ ଜ୍ଞାନ ଯୋଗୁଁ ହିଁ ହୋମସେପିଆନ୍ସ ନାମକ ପ୍ରାଣୀ ଖୋଲା ଜଙ୍ଗଲରୁ ବାହାରି ସୁରକ୍ଷିତ ଗୁମ୍ଫାରେ ବାସ କରୁଥିଲେ l ସେମାନେ ସ୍ତ୍ରୀ ଓ ପୁରୁଷ ଦଳବଦ୍ଧ ଭାବେ ଏକତ୍ର ବାସ କଲେ ସୁରକ୍ଷିତ ରହିବେ ବୋଲି ଜାଣିଲେ l ଭବିଷ୍ୟତର ଜୀବନ ଯାତ୍ରା ବହୁତ କଠିନ ଥିଲା l ସାଧାରଣ ଜ୍ଞାନ ଦ୍ୱାରା କାମ ଚଳିବା ଅସମ୍ଭବ ଥିଲା l ହୋମସେପିଆନ୍ସ ନିଜର ଅନୁଭବ ଅନୁସାରେ ଜ୍ଞାନକୁ ବିକଶିତ କଲେ l ସାମାନ୍ୟ ଜ୍ଞାନ ଧୀରେ ଧୀରେ ବିଶେଷ ଜ୍ଞାନରେ ବୃଦ୍ଧି ହେଲା l ହଜାର ହଜାର ବର୍ଷ ପରେ ସେହି ବିଶେଷ ଜ୍ଞାନ ବିଜ୍ଞାନ ରୂପେ ପରିବର୍ତ୍ତିତ ହେଲା l

ଏହି ବିଜ୍ଞାନ ଆମକୁ ଜୀବନର ଅସଲ ଅର୍ଥ ବୁଝାଇଲା l ମନ ଓ ଶରୀରକୁ ସୁସ୍ଥ ରଖି ଦୀର୍ଘ ଜୀବନ ବଞ୍ଚିବାର ଜ୍ଞାନ ଦେଲା l ପ୍ରକୃତିର ବିଚିତ୍ର ରହସ୍ୟକୁ ଜାଣିବା ପାଇଁ ଉପାୟ ବତେଇଲା l ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆକାଶରୁ କୌଣସି ଦେବୀ ଦେବତା ରକ୍ଷା କରିବାପାଇଁ ଆସନ୍ତି ନାହିଁ l ବିଜ୍ଞାନ ହିଁ ପରସ୍ପରକୁ ରକ୍ଷା କରିବା ଉପାୟ ଦେଉଛି l ଜଳ, ସ୍ଥଳ ଓ ଆକାଶରେ ତେଜ ଗତିରେ ଯାତ୍ରା କରିବା ପାଇଁ ଯାନବାହାନ ଉଦ୍ଭାବନ କରିବା ଜ୍ଞାନ ଦେଲା l ବିଜ୍ଞାନ ବିଜୁଳି ଶକ୍ତିର ଉଦ୍ଭାବନ କଲା ପରେ ମଣିଷ ସମାଜରେ ଏକ ଅଭୂତପୂର୍ବ କ୍ରାନ୍ତି ଆସିଲା l ତାପରେ ଅନେକ ପ୍ରକାର ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଉଦ୍ଭାବନ ହେଲା l ଟିଭି, ରେଡ଼ିଓ, ଟେଲିଫୋନ, ଇଣ୍ଟରନେଟ ଯୋଗୁଁ ପୃଥିବୀର ଗୋଟିଏ ସ୍ଥାନରୁ ପ୍ରତ୍ୟେକ ସ୍ଥାନ ସହିତ ଧ୍ୱନି ଓ ଚିତ୍ର ସମ୍ପ୍ରସାରଣ କରିବା ସୁବିଧା ଦେଲା l ଦୂରତା ଆଜି ନିକଟତର ହୋଇଯାଇଛି l

ମାତ୍ର କିଛି ହଜାର ବର୍ଷ ତଳେ ମାନବ ସଭ୍ୟତାର ବିକାଶ ହେଉଥିବା ବେଳେ ବିଜ୍ଞାନ ତୁଳନାରେ ଆଧ୍ୟାତ୍ମିକ ଜ୍ଞାନର ବିକାଶ ବେଶୀ ହେଲା l ପ୍ରକୃତିର ରହସ୍ୟ ବୁଝିବାରେ ଅକ୍ଷମ ମଣିଷ କାଳ୍ପନିକ ଦେବୀ ଦେବତାଙ୍କ ସୃଷ୍ଟି କଲା l ପୃଥିବୀର ପ୍ରତ୍ୟେକ ଭୂଖଣ୍ଡରେ ଜନ୍ମ ଗ୍ରହଣ କରିଥିବା ସମଗ୍ର ମାନବ ଜାତି, ବିଶ୍ୱର ସୃଷ୍ଟି କୌଣସି ଗୋଟିଏ ଈଶ୍ୱର ନାମକ ସତ୍ତା ଦ୍ୱାରା ହୋଇଛି ବୋଲି ବିଶ୍ୱାସ କଲେ l ଈଶ୍ୱର ହିଁ ବିଶ୍ୱକୁ ନିୟନ୍ତ୍ରଣ ଓ ପରିଚାଳନା କରୁଛି ବୋଲି ବିଶ୍ୱାସ ଦୃଢ଼ ହେଲା l ସେଇଟା ଥିଲା ମଣିଷର ସବୁଠାରୁ ବଡ଼ ଭୁଲ l ଯାହାର କୁପରିଣାମ ଆଜି ପର୍ଯ୍ୟନ୍ତ ମଣିଷ ଭୋଗ କରୁଛି l

ପାଷାଣ ଯୁଗରେ ନିଜର କଳ୍ପନା ଅନୁସାରେ ଗୁମ୍ଫାର ପଥର ଉପରେ ବିଭିନ୍ନ ଚିତ୍ର ଅଙ୍କନ କରୁଥିବା ମଣିଷ କୌଣସି ଦେବତାଙ୍କ ବରଦାନ ଯୋଗୁଁ ନୁହେଁ ବରଂ ନିଜର ବିଶେଷ ଜ୍ଞାନ ଯୋଗୁଁ ଭାଷା କହିବା ଓ ଲେଖିବାର କଳା ହାସଲ କଲା l ପ୍ରଥମେ ତାଳ ପତ୍ରରେ ହିଁ ଶହ ଶହ ଗ୍ରନ୍ଥ ରଚନା କରି ପାରିଲେ l ପରବର୍ତ୍ତୀ ସମୟରେ ଲେଖିବାର ବିଶେଷ ଜ୍ଞାନ ଯୋଗୁଁ କାଗଜ ଓ ଛପା ମେସିନ ଦ୍ୱାରା ନକଲି ଦେବତାଙ୍କ କାଳ୍ପନିକ କଥା ଓ କାହାଣୀ ଛାପିବା ସହଜ ହୋଇଗଲା l ମଜା କଥା ହେଉଛି ଯେ ସେହି କାଗଜରେ ଛପା ହୋଇଥିବା ଭାଷାରୁ ବିଦ୍ୱାନମାନେ ବିଜ୍ଞାନ ଖୋଜିବା ଆରମ୍ଭ କଲେ l ସେହି ବିଜ୍ଞାନ ଯୋଗୁଁ ବଡ ବଡ଼ ଚର୍ଚ୍ଚ, ମସଜିଦ ଓ ମନ୍ଦିର ନିର୍ମାଣ ହେଲା l ହୋମସେପିଆନ୍ସ ମାନଙ୍କ ବିଶେଷ ଜ୍ଞାନ ଯୋଗୁଁ ଦେବୀ ଦେବତାଙ୍କ ବିଭିନ୍ନ ଆକାର ଓ ପ୍ରକାର ମୂର୍ତ୍ତି ତିଆରିହେଲା l ସାଧାରଣ ମଣିଷମାନେ ସେହି ନିର୍ଜୀଵ ମୂର୍ତ୍ତି ଆଗରେ ହାତ ଯୋଡି, ମୁଣ୍ଡ ନୁଆଇଁ ବରଦାନ ଭିକ୍ଷା ମାଗିଲେ l ହୋମସେପିଆନ୍ସ ମାନଙ୍କ ବିଶେଷ ଜ୍ଞାନ ହିଁ ମାନବ ପ୍ରଜାତିର ବିକାଶବାଦର ମୂଳ ଉତ୍ସ l

ପ୍ରଯୁକ୍ତି ବିଦ୍ୟାକୁ ଆମେ ବିଜ୍ଞାନ କହିଲେ ଭୁଲ ହେବ l ବିଜ୍ଞାନ କେବଳ ସୁଖ-ସାଧନ ବା ଉପକରଣ ଭିତରେ ସୀମିତ ନୁହେଁ l ବିଜ୍ଞାନ ଏଭଳି ଏକ ଶକ୍ତି ଯାହା ଦ୍ୱାରା ମାନବ ମସ୍ତିଷ୍କରେ ନିରନ୍ତର ପରିବର୍ତ୍ତନ ଘଟିଛି l ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ତାଙ୍କର ଆଧ୍ୟାତ୍ମିକ ଜ୍ଞାନ ହୁଏତ ବରଦାନ ହୋଇପାରେ କିନ୍ତୁ ମାନବିକତା ପାଇଁ ସେହି ଆଧ୍ୟାତ୍ମିକ ଜ୍ଞାନ କୌଣସି ଅଭିଶାପରୁ କମ ନୁହେଁ l ପ୍ରଥମରୁ ଯଦି ଆଧ୍ୟାତ୍ମିକ ଧର୍ମ ସୃଷ୍ଟି ହୋଇ ନଥା’ନ୍ତା ତେବେ ମାନବ ସମାଜ ଆଜି ବିକଶିତ ହୋଇ ଆହୁରି ଅନେକ କିଛି ପ୍ରାପ୍ତ କରିଥା’ନ୍ତା l ବିଜ୍ଞାନ ନଥିଲେ ଆମେ ଆଜି ବି ସେହି ଦୁଇ ଗୋଡିଆ ପଶୁ ହୋଇ ଜଙ୍ଗଲରେ ବୁଲୁଥା’ନ୍ତେ l

ବାଲ୍ମିକୀ ନାୟକ                                                      ମୋ : ୯୪୮୨0୧୬୨୬0

ସ୍ଵତନ୍ତ୍ର ଅପରେସନ ସାରି ଫେରିବା ବେଳେ ଭୟଙ୍କର ବିସ୍ଫୋରଣ
ନୂଆଦିଲ୍ଲୀ, ୬/୧: ପୁଣି ବଡ ଧରଣର ମାଓ ହମଲା। ଛତିଶଗଡ଼ର ବିଜାପୁରରେ ଭୟଙ୍କର ଆଇଇଡି ବିସ୍ଫୋରଣ ଘଟି ୮ ଯବାନ ସମେତ ୯ ଜଣଙ୍କ ଜୀବନ ନେଇଛନ୍ତି ମାଓବାଦୀ। ଏକ ସ୍କର୍ପିଓରେ ଅପରେସନ ସାରି ଫେରୁଥିବା ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଥିଲେ ନକ୍ସଲ। ରାସ୍ତାରେ ଆସି ଇ ଡି ବିଛାଯାଇଥିବାରୁ ବିସ୍ଫୋରଣ ଘଟିଥିଲା । ଗାଡ଼ିଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ବି ପ୍ରାଣ ହରାଇଛନ୍ତି। ଗାଡ଼ିଟି ମଧ୍ୟ ପୂରା ଛିନଛତ୍ର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ୮ ଜଣ ଡିଆରଜି ଯବାନ ଦାନ୍ତେୱାଡା, ନରାୟଣପୁର ଓ ବିଜାପୁରରୁ ସ୍ୱତନ୍ତ୍ର ଅପରେସନ ସାରି ଫେରୁଥିବା ସମୟରେ ତେବେ କୁଟ୍ରୁ ଥାନା ଅଧୀନ ଆମ୍ବେଲି ଗାଁ ନିକଟରେ ପ୍ରାୟ ସାଢେ଼ ୨ଟା ବେଳେ ଘଟିଥିଲା ବିସ୍ଫୋରଣ।
ଫଳରେ ଗାଡ଼ିରେ ଥିବା ସମସ୍ତ ୮ ଯବାନ ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି।
ପ୍ରକାଶ ଥାଉ କି ପୂର୍ବରୁ ଅବୁଜହମାଦ ଅଞ୍ଚଳରେ ସୁରକ୍ଷାକର୍ମୀମାନେ କରିଥିବା ଅପରେସନରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ରହିଥିଲେ। ଏହି ଘଟଣା ପରେ ମାଓବାଦୀମାନେ ଅଧିକ ପ୍ରତିଶୋଧ ପରାୟଣ ହୋଇ ଆଇଇଡି ବିସ୍ଫୋରଣ କରିଥିବା କୁହାଯାଉଛି।

ଶିଶୁଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିଛି ଭାଇରସ
ନୂଆଦିଲ୍ଲୀ, ୬/୧: ଗୋଟିଏ ଦିନରେ ଭାରତରେ ଚିହ୍ନଟ ହୋଇଛନ୍ତି ଏଚଏମପିଭି ରୋଗୀ। ଉଭୟ ପୁଣି ବେଙ୍ଗାଳୁରୁ ସହରରେ। ଦୁଇ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ମାସ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୮ ମାସ। ରେଗୁଲାର ସର୍ଭେଲାନ୍ସ ବେଳେ ଏହି ଦୁଇ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ତିନିମାସର ଚିହ୍ନଟ ରୋଗୀ ମେଡିକାଲରୁ ଡିସ ଚାର୍ଜ ହୋଇସାରିଥିବା ବେଳେ ୮ ମାସର ଶିଶୁ ଏବେ ବି ଚିକିତ୍ସାଧୀନ ରହିଛି। ଉଭୟ ଶିଶୁଙ୍କୁ ସଂଗରୋଧରେ ରଖା ଯାଇଛି। ରୋଗୀ ଚିହ୍ନଟ ପରେ କର୍ଣ୍ଣାଟକ ସରକାର ତତ୍ପରତା ପ୍ରକାଶ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଥଣ୍ଡା, ଶ୍ୱାସ ରୋଗୀ ତୁରନ୍ତ ଡାକ୍ତରୀ ପରାମର୍ଶ କରିବା ପାଇଁ କୁହାଯାଇଛି।
ପ୍ରକାଶ ଥାଉ କି ଚୀନରେ ଏବେ ଏଚଏମପିଭି ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ବିଶେଷକରି ଛୋଟ ପିଲା ଓ ବୟସ୍କମାନେ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଜଣା ପଢ଼ିଛି।

ଯାହାକୁ ଡରୁଥିଲେ ଏବେ ସେୟା ହେଲା। କୋଭିଡ ଭଳି ଭୟଙ୍କର ପ୍ରଣଘାତୀ HMPV ରୋଗୀ ଭାରତର ବେଙ୍ଗାଳୁରୁରେ ଚିହ୍ନଟ ହେଲେ
ନୂଆଦିଲ୍ଲୀ, ୬/୧: ଭାରତରେ ଏବେ ନିଜର ଉପସ୍ଥିତି ଜାହିର କରିଛି ଚାଇନରୁ ଆସିଥିବା ଆଉ ଏକ ଭାଇରସ। ପ୍ରାଣଘାତି HMPV ଭାଇରସ ଏବେ ଭାରତରେ ପ୍ରଥମଥର ପାଇଁ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ବେଙ୍ଗାରୁରୁର ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ବେଙ୍ଗରୁରୁରେ ମାତ୍ର ୮ ମାସ ବୟସର ଏକ ଶିଶୁ ଦେହରେ ଏହି ଭାଇରସ୍ ଚିହ୍ନଟ ହୋଇଛି।
ଚୀନରେ ଗତ କିଛିଦିନ ଧରି ଆତଙ୍କ ଖେଲାଇଥିଲା ଏହି ଭାଇରସ। ଏଥିରେ ଅନେକଙ୍କ ଜୀବନ ଯାଇଥିବା ବେଳେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ ପ୍ରାୟ କୋରନା ଭଳି। ଯାହାର ନାଁ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ'(Human Metapneumovirus) ବା HMPV ରଖାଯାଇଛି।
ଏହି ଭାଇରସର ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି। ବିଶେଷ କରି ଉତ୍ତର ଚୀନରେ ଏହା ଲୋକଙ୍କୁ ଅଧିକ ସଂକ୍ରମିତ କରିଛି। ଏଯାଏଁ ମିଳିଥିବା ରିପୋର୍ଟ୍ ଅନୁଯାୟୀ ଅଧିକାଂଶ ୧୪ ବର୍ଷରୁ କମ୍ ବୟସ୍କ ଶିଶୁ ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସକୁ ରୋକିବାକୁ ଚୀନ ସରକାର ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ଏବେ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି। ଯେଉଁଥିରେ ହସ୍ପିଟାଲଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। କେବଳ ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଭିଡ଼ ଜମିଥିବା ଅନେକ ଦାବି କରୁଛନ୍ତି।
କୋଭିଡ-୧୯ ଭାଇରସ୍ ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଥଣ୍ଟା, କାଶ, ଜ୍ୱର ଲକ୍ଷଣ ସହ ଏହା ନିମୋନିଆ, ବ୍ରୋଙ୍କୋଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ମଧ୍ୟ ଦେଖାଯାଉଛି। ଏହି ଭୂତାଣୁ ବିଶେଷ ଭାବରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି। ଏକ ଗଣମାଧ୍ୟମ ରିପୋର୍ଟ୍ ଅନୁଯାୟୀ ରୋଗୀଙ୍କଠାରେ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-୧୯ ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି।

ଗିରଫ ପରେ ସତ ବଖାଣିବା ଅଭିଯୁକ୍ତ
ଅନୁଗୁଳ, ୬/୧(ଓଡ଼ିଶା ଜାଗରଣ): ଟାର୍ଗେଟରେ ଥିଲେ ବାପା; ହେଲେ ଗୁଳି ଖାଇଲେ ନିରୀହ ପିଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ଅନୁଗୁଳ ଜିଲ୍ଲା କିଶନ ନଗର ଅଞ୍ଚଳରେ। ଘରେ ଶୋଇଥିବା ଭାଇଭଉଣୀଙ୍କୁ ଗୁଳିମାଡ କରିଥିବା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ। ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ। ପ୍ରକାଶକୁ ପୁଲିସ ଜଙ୍ଗଲରୁ ଗିରଫ କରିଥିବା ବେଳେ ତା ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ମୋବାଇଲ୍ ଫୋନ ଜବତ କରିଛି। ଗିରଫ ପରେ ପୁଲିସ ଅଭିଯୁକ୍ତକୁ ପଚରାଉଚରା ବେଳେ ପୂରା ଘଟଣା ପଦାକୁ ଆସିଛି। ପୁଲିସର କହିବାନୁଯାୟୀ କିଷନ ନଗର ବଂଗମୁଣ୍ଡା ଗ୍ରାମରେ ଘରଭିତରେ ୧୧ ବର୍ଷୀୟ ଯାଜ୍ଞାସେନି ଓ ୧୫ ବର୍ଷୀୟ ପ୍ରକାଶ ମିର୍ଦ୍ଧାଙ୍କ ବାପା ସହିତ ଅଭିଯୁକ୍ତ ପ୍ରକାଶର ପୂର୍ବଶତ୍ରୁତା ଲାଗି ରହିଥିଲା। ତେବେ ଗତ ଦୁଇଦିନ ତଳେ ପ୍ରକାଶ ବାପାକୁ ଟାର୍ଗେଟ କରି ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ଘର ଭିତରକୁ ଗୁଳି କରିଥିଲା। କିନ୍ତୁ ଗୁଳି ଦୁଇଟି ପିଲାଙ୍କ ଦେହରେ ବାଜିଥିଲା। ଏଥିରେ ଭାଇଭଉଣୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ SCB ମେଡିକାଲକୁ ଅଣାଯାଇଥିଲା। ଏବେ ବି ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପ୍ରବଳ ଶୀତ ଦାଉରୁ ରକ୍ଷା ଲାଗି ଘରେ ଲାଗିଥିଲା ରୁମ୍ ହିଟର; ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୬/୧: ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘରେ ଲାଗିଥିଲା ରୁମ୍ ହିଟର୍ ଘରେ ଆରାମରେ ଶୋଇଥିଲେ ୩ ଶିଶୁଙ୍କ ସମେତ ବାପ ମାଆ। କିନ୍ତୁ କିଏ ଜାଣିଥିଲା ରାତିରେ ସେହି ଆରାମ ହିଁ ହେବ କାଳ। ଶ୍ୱାସରୁଦ୍ଧ ହୋଇ ଘର ଭିତରେ ବାପ ମାଆ ସମେତ ମୋଟ ୫ ଜଣଙ୍କ ଜୀବନ ଚାଲିଗଲା। ମୃତକଙ୍କ ଘର ଶ୍ରୀନଗର ଜିଲ୍ଲା ପନ୍ଦ୍ରଥାନ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ବରମୂଳ ଜିଲ୍ଲା ଉରି ଅଞ୍ଚଳରେ ରହୁଥିଲେ। ଏମିତି ଏକ ଅଘଟଣ ଘଟିଛି ଜମ୍ମୁର ଉରି ଅଞ୍ଚଳରେ। ପୂରା ଦେଶରେ ଏବେ ଜାରି ରହିଛି ଅସହ୍ୟ ହିମ ପ୍ରବାହ। ଏମିତି ତ ଜମ୍ମୁ, କାଶ୍ମୀର ଅଞ୍ଚଳରେ ଅତୀତ ଥଣ୍ଡା ଅନୁଭୂତ ହୋଇଥାଏ। ଏବେ ଶୀତ ଦିନ ଥିବାରୁ ଜମୁ କାଶ୍ମୀର ଅଞ୍ଚଳରେ ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ରୁମ୍ ହିଟର ବ୍ୟବହାର କରୁଛି। ରାତିରେ ରୁମ୍ ହିଟର ଲଗାଇ ଶୋଇ ପଡ଼ିଥିବା ଏକ ପରିବାରର ୫ ଜଣ ସଦସ୍ୟ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଗୁଡ଼ିକ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଗୁଜରାଟର ପୋର୍ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ (ଭାରତୀୟ କୋଷ୍ଟଗାର୍ଡ) ର ଆଡଭାନ୍ସଡ ଲାଇଟ୍ (ALH) ଧ୍ରୁବ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଥିବା ବେଳେ ଅନ୍ୟ ଦୁଇଜଣ କୋ-ପାଇଲଟ ଥିଲେ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ହେଲିକପ୍ଟର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର। ଗୁଜରାଟ ବିଭିନ୍ନ ଜଟିଳ ଦୁର୍ଘଟଣା ଓ ବିପର୍ଯ୍ୟୟ ସମୟରେ ଏହି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଥାଏ। ନିକଟରେ ଗୁଜରାଟ ବାତ୍ୟା ସମୟରେ ୬୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଏହି ହେଲିକପ୍ଟର।
ନିୟମିତ ଆଭାସ ସମୟରେ ରବିବାର ଦିନ ୧୧ଟା ୧୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଜଣେ ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, ହେଲିକପ୍ଟରଟି ନିୟମିତ ଅଭ୍ୟାସ ପାଇଁ ଉଡାଣ ଭରିଥିଲା। ତେବେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ଆହତ କର୍ମୀ କହିଲେ କାରକୁ ବାରମ୍ବାର ଧକ୍କାଦେଇଥିଲା  ହାଇୱା। ମାରିବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର।

ସମ୍ବଲପୁର, ୫/୧(ଓଡ଼ିଶା ଜାଗରଣ ): ବିଜେପି କର୍ମୀଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆସିଛି ସମ୍ବଲପୁରରୁ। ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ କାରରେ ଯାଉଥିବା ବିଜେପି କର୍ମୀଙ୍କୁ ହତ୍ୟା ପାଇଁ ଯୋଜନା କରାଯାଇଥିଲା। ସେମାନେ ଯାଉଥିବା କାରକୁ ଏକ ହାଇୱା ବାରମ୍ବାର ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।
ଦେବେନ୍ଦ୍ର ଓ ମୁରଲୀଧର ଟ୍ରେନ ଯୋଗେ ଭୁବନେଶ୍ୱରରୁ ସମ୍ବଲପୁର ଫେରି ସେଠାରୁ ମୁରଲିଧରନଙ୍କ କାର ଯୋଗେ ଗାଁକୁ ଫେରୁଥିଲେ। ବାଟରେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୁଲିସ ହାଇୱାଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଅପରପକ୍ଷେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦୁଇ ଆହତ କର୍ମୀ କହିଛନ୍ତି ଯେ, ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। କାରଣ ଯେତେବେଳେ ପ୍ରଥମେ ହାଇୱା ଧକ୍କା ଦେଲା ସେମାନେ ଭୁଲରେ ଧକ୍କା ଦେଲା ବୋଲି ଭାବିଥିଲେ। କିନ୍ତୁ ପରେ ବାରମ୍ବାର ଧକ୍କା ଦେବାରୁ ସେମାନେ ଏହାକୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା ଉଦ୍ୟମ ବୋଲି କହିଛନ୍ତି। ବିଜେପି ନେତା ତଥା ପୂର୍ବତନ ବିଧାୟକ ନାଉରୀ ନାୟକ କହିଛନ୍ତି ଯେ, ହତ୍ୟା ଉଦ୍ୟମ ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କର୍ମୀଙ୍କ ମହଲାରେ ଅସନ୍ତୋଷ ଜାରି ରହିଛି। କିନ୍ତୁ କିଏ ଓ କାହିଁକି ସେମାନଙ୍କୁ ହତ୍ୟା ଉଦ୍ୟମ କଲା ତାକୁ ନେଇ ଉଠିଛି ପ୍ରଶ୍ନ।

ନୂଆଦିଲ୍ଲୀ, ୪/୧: କୋଭିଡ-୧୯ ଭାଇରସର ଭୟ ଲୋକଙ୍କ ମନରୁ ନ ଯାଉଣୁ ଆଉଏକ ଭାଇରସ ଚୀନରେ ଆତଙ୍କ ଖେଲାଇଛି। ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ ପ୍ରାୟ କୋରନା ଭଳି। ଯାହାର ନାଁ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ'(Human Metapneumovirus) ବା HMPV ରଖାଯାଇଛି। ଏଥିପାଇଁ ଭାରତ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ଭାଇରସର ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି। ବିଶେଷ କରି ଉତ୍ତର ଚୀନରେ ଏହା ଲୋକଙ୍କୁ ଅଧିକ ସଂକ୍ରମିତ କରିଛି। ଏଯାଏଁ ମିଳିଥିବା ରିପୋର୍ଟ୍ ଅନୁଯାୟୀ ଅଧିକାଂଶ ୧୪ ବର୍ଷରୁ କମ୍ ବୟସ୍କ ଶିଶୁ ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସକୁ ରୋକିବାକୁ ଚୀନ ସରକାର ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ଏବେ ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି। ଯେଉଁଥିରେ ହସ୍ପିଟାଲଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। କେବଳ ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଭିଡ଼ ଜମିଥିବା ଅନେକ ଦାବି କରୁଛନ୍ତି।
କୋଭିଡ-୧୯ ଭାଇରସ୍ ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଥଣ୍ଟା, କାଶ, ଜ୍ୱର ଲକ୍ଷଣ ସହ ଏହା ନିମୋନିଆ, ବ୍ରୋଙ୍କୋଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ମଧ୍ୟ ଦେଖାଯାଉଛି। ଏହି ଭୂତାଣୁ ବିଶେଷ ଭାବରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି। ଏକ ଗଣମାଧ୍ୟମ ରିପୋର୍ଟ୍ ଅନୁଯାୟୀ ରୋଗୀଙ୍କଠାରେ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-୧୯ ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି।

ଘରେ ବସି ସରକାରୀ ଆପରେ ରେ ହେବ ଟ୍ୟାକ୍ସି ବୁକିଂ

୨୦୦୦ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି, ଚଳିତ ବର୍ଷ ୫୦୦ ନିଯୁକ୍ତି।

ଓଡିଶା ଯାତ୍ରୀ ଆପରେ କରିହେବ ଅଟୋ, ଟ୍ୟାକ୍ସି ବୁକ୍
ଭୁବନେଶ୍ୱର, ୪/୧(ଓଡ଼ିଶା ଜାଗରଣ):
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେi ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ । ପ୍ରତି ଜିଲ୍ଲାରେ ଏଭଳି ସଚେତନତା ରଥ ମାସ ବ୍ୟାପୀ ପରିକ୍ରମା କରିବ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯାନ ଚାଳକ, ଏନସିସି କ୍ୟାଡେଟ୍ ଓ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ। ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରୁ ଶ୍ରୀରାମ ମନ୍ଦିର ଯାଏଁ ଅନ୍ୟ ଅତିଥିମାନଙ୍କ ସହ ପଦଯାତ୍ରା କରିଥିଲେ। ଯାହା ଛାତ୍ରଛାତ୍ରୀ, ଯାନ ଚାଳକ ତଥା ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ଦେଇଥିଲା।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ ହଜାରରୁ ଅଧିକ ଜୀବନ ଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସଡକ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ୨୦୦୦ ନୂତନ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି କରାଯିବା ସହିତ ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏଥି ସହିତ ଜନସାଧାରଣଙ୍କୁ ସୁଲଭ ଓ ସୁବିଧା ଜନକ ଯାତ୍ରା ପ୍ରଦାନ ଉଦ୍ଦେଶ୍ୟରେ ‘ଓଡିଶା ଯାତ୍ରୀ ଆପ୍’ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଆପ୍ ମାଧ୍ୟମରେ ଜନସାଧାରଣ ଗୋଟିଏ କ୍ଲିକରେ ନିଜର ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇପାରିବେ । ଏହି ବ୍ୟବସ୍ଥା ଉଭୟ ଚାଳକ ଓ ଯାତ୍ରୀଙ୍କ ପାଇଁ ଲାଭଦାୟକ ।

ପଦଯାତ୍ରା ସମୟରେ ଗୁରୁଦ୍ୱାର ନିକଟରେ ଏକ ନିଃଶୁଳ୍କ ଅସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀରାମ ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ, ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ଗୁଡ୍ ସମରିଟାନ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ବାବୁ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର୍ ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, କ୍ରୁଟ୍ ଏମଡି ଏନ୍. ତିରୁମାଲା ନାଏକ, ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ ।