TT Ads

ଆହତ କର୍ମୀ କହିଲେ କାରକୁ ବାରମ୍ବାର ଧକ୍କାଦେଇଥିଲା  ହାଇୱା। ମାରିବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ସମ୍ବଲପୁର, ୫/୧(ଓଡ଼ିଶା ଜାଗରଣ ): ବିଜେପି କର୍ମୀଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆସିଛି ସମ୍ବଲପୁରରୁ। ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ କାରରେ ଯାଉଥିବା ବିଜେପି କର୍ମୀଙ୍କୁ ହତ୍ୟା ପାଇଁ ଯୋଜନା କରାଯାଇଥିଲା। ସେମାନେ ଯାଉଥିବା କାରକୁ ଏକ ହାଇୱା ବାରମ୍ବାର ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।
ଦେବେନ୍ଦ୍ର ଓ ମୁରଲୀଧର ଟ୍ରେନ ଯୋଗେ ଭୁବନେଶ୍ୱରରୁ ସମ୍ବଲପୁର ଫେରି ସେଠାରୁ ମୁରଲିଧରନଙ୍କ କାର ଯୋଗେ ଗାଁକୁ ଫେରୁଥିଲେ। ବାଟରେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୁଲିସ ହାଇୱାଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଅପରପକ୍ଷେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦୁଇ ଆହତ କର୍ମୀ କହିଛନ୍ତି ଯେ, ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। କାରଣ ଯେତେବେଳେ ପ୍ରଥମେ ହାଇୱା ଧକ୍କା ଦେଲା ସେମାନେ ଭୁଲରେ ଧକ୍କା ଦେଲା ବୋଲି ଭାବିଥିଲେ। କିନ୍ତୁ ପରେ ବାରମ୍ବାର ଧକ୍କା ଦେବାରୁ ସେମାନେ ଏହାକୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା ଉଦ୍ୟମ ବୋଲି କହିଛନ୍ତି। ବିଜେପି ନେତା ତଥା ପୂର୍ବତନ ବିଧାୟକ ନାଉରୀ ନାୟକ କହିଛନ୍ତି ଯେ, ହତ୍ୟା ଉଦ୍ୟମ ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କର୍ମୀଙ୍କ ମହଲାରେ ଅସନ୍ତୋଷ ଜାରି ରହିଛି। କିନ୍ତୁ କିଏ ଓ କାହିଁକି ସେମାନଙ୍କୁ ହତ୍ୟା ଉଦ୍ୟମ କଲା ତାକୁ ନେଇ ଉଠିଛି ପ୍ରଶ୍ନ।

TT Ads

Leave a Reply

Your email address will not be published. Required fields are marked *