ବିଜ୍ଞାନ: ବରଦାନ ନା ଅଭିଶାପ ଶୁଣିବାକୁ ମିଳୁଛି ଯେ କିଛି ସ୍କୁଲରେ ପିଲାଙ୍କୁ ପଢା ଯାଉଛି, ବିଜ୍ଞାନ ବରଦାନ ନା ଅଭିଶାପ ? ଏଇଠି ପ୍ରଶ୍ନ ଉଠୁଛି – ବିଜ୍ଞାନ ବିଷୟକୁ ଦୁଇଟି ଆଧ୍ୟାତ୍ମିକ ଶବ୍ଦ ଦ୍ୱାରା ପରିଭାଷିତ କରି ପିଲାଙ୍କୁ ଶିକ୍ଷା ଦେବା ଆବଶ୍ୟକ ପଡିଲା କାହିଁକି ? ଏହି ଦୁଇଟି ଶବ୍ଦ ଦ୍ୱାରା ବିଜ୍ଞାନକୁ ବ୍ୟାଖ୍ୟା କରାଯାଇ ପାରିବ ନାହିଁ l ଯେଉଁ ବିଜ୍ଞାନର ଜ୍ଞାନ ବଳରେ ଦୁଇ ପାଦରେ ଚାଲୁଥିବା ଗୋଟିଏ ସାଧାରଣ ପ୍ରାଣୀ ବଣ ଜଙ୍ଗଲ ଓ ପାହାଡ଼ ଗୁମ୍ଫାରୁ ବାହାରି ଆଜି ଚନ୍ଦ୍ରରେ ପହଞ୍ଚି ପାରିଛି, ସେହି ବିଜ୍ଞାନ ମଣିଷ ପାଇଁ ଅଭିଶାପ ହେବ କିପରି ? ବରଦାନ ଅର୍ଥ କୌଣସି ଦୈବୀ ସତ୍ତା ଦ୍ୱାରା ଚମତ୍କାରୀ ଭାବେ ମଣିଷକୁ ସବୁ ସାଧନ ପ୍ରାପ୍ତ ହେବା l ସେମିତି କିଛି ତ ହୋଇନାହିଁ l ଲକ୍ଷ ଲକ୍ଷ ବର୍ଷର ସଂଘର୍ଷ ପରେ ମଣିଷ ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହାସଲ କରିଛି l
ମନୁଷ୍ୟ ଦ୍ୱାରା ସାମାନ୍ୟ ଜ୍ଞାନରୁ ବିଶେଷ ଜ୍ଞାନ ଆଡକୁ ଯାତ୍ରା କରିବାର ପରିଣାମ ହେଉଛି ବିଜ୍ଞାନ l ପ୍ରତ୍ୟେକ ଜୀବିତ ପ୍ରାଣୀ ନିଜର ଖାଦ୍ୟ ସଂଗ୍ରହ, ସୁରକ୍ଷା ବ୍ୟବସ୍ଥା ଓ ବଂଶ ବିସ୍ତାର ଆଦି ବିଷୟରେ କିଛି ମୌଳିକ ଜ୍ଞାନ ସ୍ୱତଃ ପ୍ରାପ୍ତ କରିଥାଏ l ପିମ୍ପୁଡି ଭଳି କ୍ଷୁଦ୍ର ଯିବ ହେଉ କି ହାତୀ ଭଳି ବିଶାଳ ପ୍ରାଣୀ ସମସ୍ତେ ନିଜର ମୌଳିକ ଆବଶ୍ୟକତା ପୂରଣ କରିଥା’ନ୍ତି l ସେହି ସାମାନ୍ୟ ଜ୍ଞାନ ଯୋଗୁଁ ହିଁ ହୋମସେପିଆନ୍ସ ନାମକ ପ୍ରାଣୀ ଖୋଲା ଜଙ୍ଗଲରୁ ବାହାରି ସୁରକ୍ଷିତ ଗୁମ୍ଫାରେ ବାସ କରୁଥିଲେ l ସେମାନେ ସ୍ତ୍ରୀ ଓ ପୁରୁଷ ଦଳବଦ୍ଧ ଭାବେ ଏକତ୍ର ବାସ କଲେ ସୁରକ୍ଷିତ ରହିବେ ବୋଲି ଜାଣିଲେ l ଭବିଷ୍ୟତର ଜୀବନ ଯାତ୍ରା ବହୁତ କଠିନ ଥିଲା l ସାଧାରଣ ଜ୍ଞାନ ଦ୍ୱାରା କାମ ଚଳିବା ଅସମ୍ଭବ ଥିଲା l ହୋମସେପିଆନ୍ସ ନିଜର ଅନୁଭବ ଅନୁସାରେ ଜ୍ଞାନକୁ ବିକଶିତ କଲେ l ସାମାନ୍ୟ ଜ୍ଞାନ ଧୀରେ ଧୀରେ ବିଶେଷ ଜ୍ଞାନରେ ବୃଦ୍ଧି ହେଲା l ହଜାର ହଜାର ବର୍ଷ ପରେ ସେହି ବିଶେଷ ଜ୍ଞାନ ବିଜ୍ଞାନ ରୂପେ ପରିବର୍ତ୍ତିତ ହେଲା l
ଏହି ବିଜ୍ଞାନ ଆମକୁ ଜୀବନର ଅସଲ ଅର୍ଥ ବୁଝାଇଲା l ମନ ଓ ଶରୀରକୁ ସୁସ୍ଥ ରଖି ଦୀର୍ଘ ଜୀବନ ବଞ୍ଚିବାର ଜ୍ଞାନ ଦେଲା l ପ୍ରକୃତିର ବିଚିତ୍ର ରହସ୍ୟକୁ ଜାଣିବା ପାଇଁ ଉପାୟ ବତେଇଲା l ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆକାଶରୁ କୌଣସି ଦେବୀ ଦେବତା ରକ୍ଷା କରିବାପାଇଁ ଆସନ୍ତି ନାହିଁ l ବିଜ୍ଞାନ ହିଁ ପରସ୍ପରକୁ ରକ୍ଷା କରିବା ଉପାୟ ଦେଉଛି l ଜଳ, ସ୍ଥଳ ଓ ଆକାଶରେ ତେଜ ଗତିରେ ଯାତ୍ରା କରିବା ପାଇଁ ଯାନବାହାନ ଉଦ୍ଭାବନ କରିବା ଜ୍ଞାନ ଦେଲା l ବିଜ୍ଞାନ ବିଜୁଳି ଶକ୍ତିର ଉଦ୍ଭାବନ କଲା ପରେ ମଣିଷ ସମାଜରେ ଏକ ଅଭୂତପୂର୍ବ କ୍ରାନ୍ତି ଆସିଲା l ତାପରେ ଅନେକ ପ୍ରକାର ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଉଦ୍ଭାବନ ହେଲା l ଟିଭି, ରେଡ଼ିଓ, ଟେଲିଫୋନ, ଇଣ୍ଟରନେଟ ଯୋଗୁଁ ପୃଥିବୀର ଗୋଟିଏ ସ୍ଥାନରୁ ପ୍ରତ୍ୟେକ ସ୍ଥାନ ସହିତ ଧ୍ୱନି ଓ ଚିତ୍ର ସମ୍ପ୍ରସାରଣ କରିବା ସୁବିଧା ଦେଲା l ଦୂରତା ଆଜି ନିକଟତର ହୋଇଯାଇଛି l
ମାତ୍ର କିଛି ହଜାର ବର୍ଷ ତଳେ ମାନବ ସଭ୍ୟତାର ବିକାଶ ହେଉଥିବା ବେଳେ ବିଜ୍ଞାନ ତୁଳନାରେ ଆଧ୍ୟାତ୍ମିକ ଜ୍ଞାନର ବିକାଶ ବେଶୀ ହେଲା l ପ୍ରକୃତିର ରହସ୍ୟ ବୁଝିବାରେ ଅକ୍ଷମ ମଣିଷ କାଳ୍ପନିକ ଦେବୀ ଦେବତାଙ୍କ ସୃଷ୍ଟି କଲା l ପୃଥିବୀର ପ୍ରତ୍ୟେକ ଭୂଖଣ୍ଡରେ ଜନ୍ମ ଗ୍ରହଣ କରିଥିବା ସମଗ୍ର ମାନବ ଜାତି, ବିଶ୍ୱର ସୃଷ୍ଟି କୌଣସି ଗୋଟିଏ ଈଶ୍ୱର ନାମକ ସତ୍ତା ଦ୍ୱାରା ହୋଇଛି ବୋଲି ବିଶ୍ୱାସ କଲେ l ଈଶ୍ୱର ହିଁ ବିଶ୍ୱକୁ ନିୟନ୍ତ୍ରଣ ଓ ପରିଚାଳନା କରୁଛି ବୋଲି ବିଶ୍ୱାସ ଦୃଢ଼ ହେଲା l ସେଇଟା ଥିଲା ମଣିଷର ସବୁଠାରୁ ବଡ଼ ଭୁଲ l ଯାହାର କୁପରିଣାମ ଆଜି ପର୍ଯ୍ୟନ୍ତ ମଣିଷ ଭୋଗ କରୁଛି l
ପାଷାଣ ଯୁଗରେ ନିଜର କଳ୍ପନା ଅନୁସାରେ ଗୁମ୍ଫାର ପଥର ଉପରେ ବିଭିନ୍ନ ଚିତ୍ର ଅଙ୍କନ କରୁଥିବା ମଣିଷ କୌଣସି ଦେବତାଙ୍କ ବରଦାନ ଯୋଗୁଁ ନୁହେଁ ବରଂ ନିଜର ବିଶେଷ ଜ୍ଞାନ ଯୋଗୁଁ ଭାଷା କହିବା ଓ ଲେଖିବାର କଳା ହାସଲ କଲା l ପ୍ରଥମେ ତାଳ ପତ୍ରରେ ହିଁ ଶହ ଶହ ଗ୍ରନ୍ଥ ରଚନା କରି ପାରିଲେ l ପରବର୍ତ୍ତୀ ସମୟରେ ଲେଖିବାର ବିଶେଷ ଜ୍ଞାନ ଯୋଗୁଁ କାଗଜ ଓ ଛପା ମେସିନ ଦ୍ୱାରା ନକଲି ଦେବତାଙ୍କ କାଳ୍ପନିକ କଥା ଓ କାହାଣୀ ଛାପିବା ସହଜ ହୋଇଗଲା l ମଜା କଥା ହେଉଛି ଯେ ସେହି କାଗଜରେ ଛପା ହୋଇଥିବା ଭାଷାରୁ ବିଦ୍ୱାନମାନେ ବିଜ୍ଞାନ ଖୋଜିବା ଆରମ୍ଭ କଲେ l ସେହି ବିଜ୍ଞାନ ଯୋଗୁଁ ବଡ ବଡ଼ ଚର୍ଚ୍ଚ, ମସଜିଦ ଓ ମନ୍ଦିର ନିର୍ମାଣ ହେଲା l ହୋମସେପିଆନ୍ସ ମାନଙ୍କ ବିଶେଷ ଜ୍ଞାନ ଯୋଗୁଁ ଦେବୀ ଦେବତାଙ୍କ ବିଭିନ୍ନ ଆକାର ଓ ପ୍ରକାର ମୂର୍ତ୍ତି ତିଆରିହେଲା l ସାଧାରଣ ମଣିଷମାନେ ସେହି ନିର୍ଜୀଵ ମୂର୍ତ୍ତି ଆଗରେ ହାତ ଯୋଡି, ମୁଣ୍ଡ ନୁଆଇଁ ବରଦାନ ଭିକ୍ଷା ମାଗିଲେ l ହୋମସେପିଆନ୍ସ ମାନଙ୍କ ବିଶେଷ ଜ୍ଞାନ ହିଁ ମାନବ ପ୍ରଜାତିର ବିକାଶବାଦର ମୂଳ ଉତ୍ସ l
ପ୍ରଯୁକ୍ତି ବିଦ୍ୟାକୁ ଆମେ ବିଜ୍ଞାନ କହିଲେ ଭୁଲ ହେବ l ବିଜ୍ଞାନ କେବଳ ସୁଖ-ସାଧନ ବା ଉପକରଣ ଭିତରେ ସୀମିତ ନୁହେଁ l ବିଜ୍ଞାନ ଏଭଳି ଏକ ଶକ୍ତି ଯାହା ଦ୍ୱାରା ମାନବ ମସ୍ତିଷ୍କରେ ନିରନ୍ତର ପରିବର୍ତ୍ତନ ଘଟିଛି l ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ତାଙ୍କର ଆଧ୍ୟାତ୍ମିକ ଜ୍ଞାନ ହୁଏତ ବରଦାନ ହୋଇପାରେ କିନ୍ତୁ ମାନବିକତା ପାଇଁ ସେହି ଆଧ୍ୟାତ୍ମିକ ଜ୍ଞାନ କୌଣସି ଅଭିଶାପରୁ କମ ନୁହେଁ l ପ୍ରଥମରୁ ଯଦି ଆଧ୍ୟାତ୍ମିକ ଧର୍ମ ସୃଷ୍ଟି ହୋଇ ନଥା’ନ୍ତା ତେବେ ମାନବ ସମାଜ ଆଜି ବିକଶିତ ହୋଇ ଆହୁରି ଅନେକ କିଛି ପ୍ରାପ୍ତ କରିଥା’ନ୍ତା l ବିଜ୍ଞାନ ନଥିଲେ ଆମେ ଆଜି ବି ସେହି ଦୁଇ ଗୋଡିଆ ପଶୁ ହୋଇ ଜଙ୍ଗଲରେ ବୁଲୁଥା’ନ୍ତେ l
ବାଲ୍ମିକୀ ନାୟକ ମୋ : ୯୪୮୨0୧୬୨୬0


