କୋଡ଼ିଏ ସ୍ଥାନରେ ଚଢ଼ଉ କରୁଛନ୍ତି ଆୟକର ବିଭାଗର ୨୦ଟି ଟିମ୍
ଭୁବନେଶ୍ୱର, ୧୬/୨: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆୟକର ବିଭାଗର ୨୦ ଟି ଟିମ୍ ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ସମେତ ୨୦ ଟି ସ୍ଥାନରେ ଚଢ଼ଉ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ସକାଳ ୬ ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଛି। ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ଅଧିକାରୀମାନେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଘରେ ପ୍ରାୟ ୧୦ ଜଣ ଏହି ଚଢ଼ଉ କରୁଛନ୍ତି। ଅଧିକାରୀମାନେ ଯେହେତୁ ବାହାରକୁ ଆସି ନାହାନ୍ତି ଚଢ଼ଉ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଗତ କିଛିଦିନ ସ୍ଥଳେ ନବ ଦାସଙ୍କ ପୁଅ ବିଶାଳକୁ ଛତିଶଗଡ଼ ପୁଲିସ ଅଟକ ରଖିବା ପରଠାରୁ ପୁଣି ଚର୍ଚ୍ଚାକୁ ଆସିଥିଲେ ନବଙ୍କ ପରିବାର।



ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଓ କ୍ଷମତାଶାଳୀ ରାଜନେତାଙ୍କ ମଧ୍ୟରେ ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଥିଲେ ଅନ୍ୟତମ। ଝାରସୁଗୁଡାରେ ରାଜନୈତିକ କ୍ଷେତ୍ରଠାରୁ ଆରମ୍ଭ କରି ବ୍ୟବସାୟିକ କ୍ଷେତ୍ରରେ ନବଙ୍କ ଥିଲା ଅଖଣ୍ଡ ଦବଦବା। ଯେଉଁଥିପାଇଁ ଦୀର୍ଘଦିନ କଂଗ୍ରେସରେ ରହିବା ପରେ ମଧ୍ୟ ହଟାତ ରାତାରାତି ଶାସକ ଦଳ ବିଜେଡିରେ ସାମିଲ ହୋଇ ପ୍ରଥମେ ବିଧାୟକ ଓ ନିର୍ବାଚନରେ ବିଜୟ ଲାଭ କଲା ପରେ କ୍ୟାବିନେଟ୍ ମନ୍ତ୍ରୀ ପାଇବାରେ ହୁଏ ତ ସେ ପ୍ରଥମ ଘଟଣା। ସରକାରରେ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ହାତେଇ ଥିଲେ ମଧ୍ୟ ରାଜନୈତିକ ସମୀକ୍ଷକମାନେ ପଦେ ବି ସମାଲୋଚନା କରି ନ ଥିଲେ। ବରଂ ବିରୋଧୀଙ୍କ ନିରବତା ତାଙ୍କ ରାଜନୈତିକ ପରିଚାଳନାର ଦକ୍ଷତାକୁ ପ୍ରମାଣିତ କରିଥିଲା। କିନ୍ତୁ ମନ୍ତ୍ରୀ ଥିବା ସମୟରେ ହଠାତ୍ ପୁଲିସ ସୁରକ୍ଷା କର୍ମୀ ତାଙ୍କୁ ଗୁଳିକରି ହତ୍ୟା କରିବା ଘଟଣା କେବଳ ରାଜ୍ୟ ନୁହେଁ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଯାହାକୁ ନେଇ ରାଜନୈତିକ କ୍ଷେତ୍ରରେ ଯେଭଳି ସମାଲୋଚନା କରାଯିବା କଥା କରା ଯାଇ ନ ଥିଲା। ମାତ୍ର କିଛିଦିନ ମଧ୍ୟରେ ନବ ଦାସ ହତ୍ୟା ଘଟଣା ପରେ ସବୁ ଚୁପଚାପ ହୋଇଗଲେ। ପୁନଃ ନିର୍ବାଚନରେ ନବଙ୍କ ଝିଅ ଦୀପାଲି ବିଜୟ ଲାଭ କରି ବିଧାୟିକା ହେଲେ।