ପ୍ରେମ ସଫଳ ହେବା ଆଗରୁ ଜୀବନ ହାରିଲେ ପ୍ରେମୀ ଯୁଗଳ। ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ବାଙ୍କୀ ଆନୁଆରି ପଞ୍ଚାୟତ କୁରୁମଚଇନ ଗାଁରେ ଜଣେ ଯୁବକ ବାଇଗଣି ଗାଁର ଜଣେ କୁରୁମଚଇନି ଗାଁରୁ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ପାରିବାରିକ ବାଧକ ପାଇଁ ଉଭୟ ବିବାହ କରିପାରୁ ନ ଥିଲେ। ଯେଉଁଥି ପାଇଁ ଉଭୟ ବେକରେ ଫାଶ ଲଗାଇ ଆତ୍ମହତ୍ୟା ଭଳି ନିଷ୍ପତି ନେଇଥିବା କୁହାଯାଉଛି। ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଥିବା ବେଳେ ଉଭୟଙ୍କ ମର ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ନେଇ ତଦନ୍ତ ଚାଲିଛି ଓ ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣା ପଡ଼ିବ ବୋଲି ବାଙ୍କୀ ଥାନା ପୁଲିସ କହିଛି।

ଭୁବନେଶ୍ୱର, ୧୪/୧: ସହରରୁ ଆବର୍ଜନା ନେଇ ଯାଉଥିଲା ବିଏମସିର ସଫେଇ ଗାଡ଼ି। ହଠାତ୍ ଗାଡ଼ିଟି ରାସ୍ତା ଉପରେ ଜଳି ଯାଇଥିଲା। ବାଟରେ ଯାଉଥିବା ଲୋକେ ଅଟକି ଗାଡିରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଡମଣା ଛକରେ।
ତେବେ କିଭଳି ଗାଡ଼ିରେ ନିଆଁ ଲାଗିଲା ସେ ନେଇ କିଛି ଜଣା ପଡ଼ିନାହିଁ। ବିଏମସି କର୍ମଚାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗାଡ଼ିରେ ଡ୍ରାଇଭର ଓ କର୍ମଚାରୀ ଥିଲେ କି ନାହିଁ ଜଣା ପଡିନି।

ଗୋକୁଳ ଯୋଜନାରେ ଲୋକଙ୍କୁ ୭୦ ପ୍ରତିଶତ ରିଆତିରେ ମିଳିବ ଦୁଇଟି ଲେଖାଏଁ ଗାଈ।

ଏଣିକି ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ମିଳିବ କ୍ଷୀର। ଏ ନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପ୍ରତି ପିଲାଙ୍କୁ ୨୦୦ ମିଲି ଲିଟର କ୍ଷୀର ଦିଆଯିବ। ପିଲାଙ୍କୁ ଭିଟାମିନ A ଓ D ଯୁକ୍ତ କ୍ଷୀର ଦିଆଯିବ। ମୋଟ ୨୯ ସ୍କୁଲର ୧୮୪ ଜଣ ପିଲାଙ୍କୁ କ୍ଷୀର ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତାହା ପ୍ରଥମେ କେବଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ଯୋଜନାରେ ଲୋକଙ୍କୁ ଦୁଇଟି ଲେଖାଏଁ ଗାଈ ଯୋଗାଇ ଦିଆଯିବ। ୭୦ ପ୍ରତିଶତ ରିଆତି ରେ ଏହି ଗାଈ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ୩୮ ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।

ମାତ୍ର ଦୁଇ ସପ୍ତାହ ପାଇଁ ପତ୍ନୀଙ୍କୁ ଅନୁମତି। ଏକାଠି ସବୁ ଖେଳାଳି ବସରେ ହିଁ ଯିବେ।

ଲଗାତାର ଭାରତୀୟ କ୍ରିକେଟ୍ ଟିମର ପରାଜୟ ପରେ ଚେତିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଦଳକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଯୋଜନା କରୁଛି ବିସିସିଆଇ। ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ଏହି କଟକଣା ମୁତାବକ ଖେଳାଳି ମାନଙ୍କ ସହ ସେମାନଙ୍କ ପତ୍ନୀ ସବୁଦିନ ରହି ପାରିବେ ନାହିଁ। ପୂରା ୪୫ ଦିନିଆ ଟୁର୍ କାର୍ଯ୍ୟକ୍ରମରେ ମାତ୍ର ୧୪ ଦିନ ସେମାନଙ୍କ ସହ ପତ୍ନୀ ରହିପାରିବେ। ସେହିଭଳି ଟିମ ସ୍ପିରିଟ୍ ଅଭାବ ଯୋଗୁଁ ଖେଳରେ ଆଶାଜନକ ସଫଳତା ମିଳୁନାହିଁ ବୋଲି ବିସିସିଆଇ ଅନୁଭବ କରି ପ୍ରତ୍ୟେକ ଖେଳାଳି ଏକାଠି ବସରେ ଯିବା ଆସିବା କରିବେ।
ନିକଟରେ ଗଭସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତ ୧-୩ ପଏଣ୍ଟରେ ପରାଜୟ ବରଣ କରିଛି। ଏହା ଥିଲା ଭାରତର ତୃତୀୟ ଟେଷ୍ଟ ପରାଜୟ। ଯାହାକୁ ନେଇ ବିସିସିଆଇ ଚିନ୍ତା ପ୍ରକଟ କରିଛି।

ରୁଷିଆର ମହାନ ଚିନ୍ତକ ଅସ୍ପେନସ୍କି ଦିନେ ସନ୍ଥ ଗୁର୍ଜେଫଙ୍କ ନିକଟରେ ପହଞ୍ଚିଲେ ଆଉ କହିଲେ: ମୋତେ ତୁମକୁ କିଛି ପ୍ରଶ୍ନ କରିବାର ଅଛି । ଗୁର୍ଜେଫ୍ ତାଙ୍କୁ ଗୋଟିଏ କାଗଜ କଲମ ଦେଇ କହିଲେ: ତୁମେ କ’ଣ ଜାଣିଛ ସେସବୁର ଏକ ତାଲିକା କରି ମତେ ଦିଅ । ତା’ପରେ ମୋତେ ପ୍ରଶ୍ନ କରିବ । ଅସ୍ପେନସ୍କି ତାଲିକା ଆରମ୍ଭ କଲେ । ଦେଖିଲେ, ସେ କିଛି ବି ଲେଖିପାରୁ ନାହାନ୍ତି । କାରଣ, ଯାହା ସେ ଜାଣିଛନ୍ତି ବୋଲି ଭାବୁଛନ୍ତି ବାସ୍ତବରେ ସେ ମୂଳରୁ ସେ ବିଷୟରେ ହିଁ ଜାଣନ୍ତି ନାହିଁ । ସକାଳେ ସୂର୍ଯ୍ୟ ଉଦୟ ହେଉଛି ବୋଲି ସେ ଜାଣନ୍ତି। ହେଲେ ସୂର୍ଯ୍ୟଙ୍କୁ କିଏ ତିଆରି କଲା ସେ ଜାଣନ୍ତି ନାହିଁ । ମଣିଷ ଜନ୍ମ ହୁଏ ବୋଲି ସେ ଜାଣନ୍ତି । ହେଲେ ମଣିଷ ଭିତରକୁ ଜୀବନଟିଏ କେଉଁଠୁ ଆସେ ଜାଣନ୍ତିନାହିଁ । ସେ ତ କିଛି ବି ଜାଣନ୍ତି ନାହିଁ । ତା’ହେଲେ ଲେଖିବେ କ’ଣ? ଦିନଟିଏ ବିତିଗଲା ସିନା ତାଲିକା ନୋହିଲା । ଅସ୍ପେନସ୍କି ଯାଇ ସନ୍ଥ ଗୁର୍ଜେଫଙ୍କୁ କହିଲେ: ମୁଁ କିଛି ବି ଜାଣେନାହିଁ । କେବଳ ଗୁଡ଼ାଏ ଶବ୍ଦ ଜାଣିଛି ଆଉ ତାକୁ ନେଇ ବହିଗୁଡ଼ାଏ ଲେଖି ପକାଇଛି । ହେଲେ ସେ ଶବ୍ଦସବୁ ମୋ ଭିତରକୁ କେମିତି ଆସୁଛି ସେକଥା ବି ମୁଁ ଜାଣେନାହିଁ । ଗୁର୍ଜେଫ୍ ହସିଲେ ଆଉ କହିଲେ: ଶବ୍ଦ ଆୟତ୍ତ କରିବା ଆଉ ଜ୍ଞାନହାସଲ କରିବା ଏକାକଥା ନୁହେଁ ଅସ୍ପେନସ୍କି। ଯାଅ, ଏବେ ତମର ଜ୍ଞାନ ହାସଲ କରିବାର ବେଳ ଆସିଗଲା।

–ରାଜେନ୍ଦ୍ର

ଭୁବନେଶ୍ବର,୧୨/୧ : ଆସନ୍ତା ୧୭ ରୁ ପୁଣି ଥରେଇବ ଶୀତ । ସରରାଜ୍ୟରେ ହ୍ରାସ ପାଇବ ତାପମାତ୍ରା। ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ପଶ୍ଚିମା ଝଡର ପ୍ରଭାବରେ ଥଣ୍ଡା ପବନ ପ୍ରବାହିତ ହେବ ଓ ଥଣ୍ଡା ବଢ଼ିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରି ଅନୁଭୂତ ହେବ ବୋଲି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଅଧିକ ଶୀତର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ।
ପ୍ରକାଶ ଥାଉ କି ଗତ ତିନିଦିନ ଧରି ରାଜ୍ୟରେ କୁହୁଡି ହେବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଏମିତିକି ଶୀତରେ ସାମାନ୍ୟ ବ୍ରେକ ଲାଗିବ ବୋଲି କୁହା ଯାଇଥିଲା। ଆସନ୍ତା କାଲି (ମଙ୍ଗଳବାର ) ପର୍ଯ୍ୟନ୍ତ କୁହୁଡି ପାଇଁ ସତର୍କ କରାଯାଇଥିଲା।

ଭୁବନେଶ୍ୱର, ୧୩/୧: ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ। ଯେଉଁଠାରେ ଯୋଗାଭ୍ୟାସର ସୁବିଧା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହେଲା । ରାଜ୍ୟର ଏକ କୋଟି ୩ ଲକ୍ଷ ପରିବାର ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ୨୩୧୨୯୭୯ ଜଣ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି ବୋଲି ଜଣାଯାଇଛି

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପଞ୍ଚାୟତ ସ୍ତରରେ ଯେଉଁ ହେଲଥ ସବ୍ ସେଣ୍ଟର ଅଛି ତାହା ଠିକଭାବେ କାର୍ଯ୍ୟକାରୀ ହେଉନାହିଁ । ତେଣୁ, ରାଜ୍ୟ ସରକାର ବର୍ତ୍ତମାନ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ହେଲଥ ୱାର୍କର ଓ ଯୋଗ ଶିକ୍ଷକ ନିୟୋଜିତ ହେବେ । ଏହି ସବୁ କେନ୍ଦ୍ର ଗୁଡିକର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ୨୦୧୮ ମସିହାରୁ ଲାଗୁ ହୋଇଥିଲେ ମଧ୍ୟ ଓଡିଶାର ଲୋକଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା । ବର୍ତ୍ତମାନ ଏହି ଯୋଜନା ଓଡିଶାର ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡିହେବ ଏବଂ ଏହା ଦ୍ୱାରା ଓଡିଶାରେ ୧ କୋଟିରୁ ଅଧିକ ପରିବାର ଦେଶର ୨୯ ହଜାର ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ବର୍ତ୍ତମାନ ମାତ୍ର ୯୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପୁରୁଷ ମାନେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ମହିଳା ହିତାଧିକାରୀ ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଲ୍, ଆଇ.ଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।

ଏ ଯାଏଁ HMPV ନେଇ କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଦେଇ ନାହାନ୍ତି। ତେଣୁ ରାଜ୍ୟ ସରକାର କିଛି ମାର୍ଗଦର୍ଶିକା ଜାରି କରି ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ ଆହୁରି କହିଛନ୍ତି ଯେ, HMP ଭୁତାଣୁ ଥଣ୍ଡା ଜ୍ୱର କରେ। ସଂକ୍ରମଣ ସେତେ ବଡ଼ ନୁଏନି। ଯଦି ମାର୍ଗଦର୍ଶିକା ଆସେ, ସେହି ଅନୁସାରେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯିବ। ଭୁବନେଶ୍ୱରରେ ଷ୍ଟେଟ IDSP ସେଲ ଓ କେନ୍ଦ୍ରରୁ NCDC ଏହାକୁ ମନିଟର କରୁଛନ୍ତି। ହେଲଥ ଏମେରଜେନସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ। ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡ୍ୟାସବୋର୍ଡ ହେବ। ଏହା ରାଜ୍ୟ ଅଧୀନରେ କାମ କରିବ। ଭୁବନେଶ୍ୱର ନଅ ତାଲାରେ ଏହି ସେଣ୍ଟର ହେବ। ଖୁବଶୀଘ୍ର ଏହା କାମ ଆରମ୍ଭ ହେବ। ମାସ୍କ ପିନ୍ଧା ନେଇ କୌଣସି ନିର୍ଦ୍ଦେଶ ଦେଇନୁ। ସମୟ ସମୟରେ ଏହାକୁ ସମୀକ୍ଷା କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଚାଇନାରେ ବି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଭାରତରେ ବି କମୁଛି। ଓଡ଼ିଶାରେ ଏ ଯାଏଁ କୌଣସି ରୋଗୀ ଚିହ୍ନଟ ହୋଇନାହିଁ। ବ୍ୟସ୍ତ ହେବାରେ କିଛି ନାହିଁ। କେଶ ବଢିଲେ, ସେ ସମୟରେ ଦେଖାଯିବ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଥଣ୍ଡା ଜ୍ୱର କାଶ ହେଲେ ସଂଗରୋଧ ରୁହନ୍ତୁ। ଗହଳିକୁ ଯାଆନ୍ତୁ ନାହିଁ। ହାତ ଧୁଅନ୍ତୁ। ଋତୁ ପରିବର୍ତନ ଯୋଗୁଁ ଶୀତ ଦିନରେ ଥଣ୍ଡା ଜ୍ୱର ବଢ଼େ ବୋଲି ସେ କହିଛନ୍ତି।

ନିଜକୁ ସେକ୍ସନ ଅଫିସର କହି ନେଇଥିଲା ୧୨ ଲକ୍ଷ ଟଙ୍କା। ଦଲାଲକୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ

ଭୁବନେଶ୍ୱର, ୧୩/୧(ଓଡ଼ିଶା ଜାଗରଣ) : ଚାକିରି ଦେବା ଆଳରେ ଜଣଙ୍କୁ ୧୨ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଲୋକସେବା ଭବନ ଗେଟ୍ ନିକଟରୁ ଜଣେ ଠକକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ଗିରଫ ଠକ ନାଁ ବ୍ୟାସଦେବ ରଣା। ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବୋଲି ଜଣା ପଡ଼ିଛି। ତାଙ୍କଠାରୁ ଗୋଟିଏ ନକଲି ଲୋକସେବା ଭବନ ପାସ୍ ମଧ୍ୟ ଜବତ କରାଯାଇଛି। ସେ ପଞ୍ଚାୟତିରାଜ ବିଭାଗରେ ଚାକିରି କରିଥିବା ପରିଚୟପତ୍ରରେ ଉଲ୍ଲେଖ ରହିଥିଲା। ସେ ପଂଚାୟତରାଜ ବିଭାଗର ସେକ୍ସନ ଅଫିସର ଭାବେ ପରିଚୟ ଦେଉଥିଲେ।
ଖବର ନେବାରୁ ଜଣାପଡ଼ିଛି ଯେ ପୂର୍ଣ୍ଣଚନ୍ଦ୍ର ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ଚାକିରୀ କରାଇ ଦେବାକୁ କହି ୧୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।
ତେବେ ଲୋକସେବା ଭବନ ଭଳି ସୁରକ୍ଷା ବଳୟ ଭିତରକୁ କିଭଳି ଯାଉଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, ୧୩/୧: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ରୀ ହେଲେ ଉତ୍କଳିକା ସ୍ଵାଇଁ। ଉତ୍କଳିକା ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ନୃତ୍ୟ ବିଭାଗର ଛାତ୍ରୀ ଥିଲେ। ଉତ୍କଳିକଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡ଼ିଛି। ସେ ହଷ୍ଟେଲର ୨୧ ନମ୍ୱର୍ କୋଠରିରେ ରହୁଥିଲେ। ଗତକାଲି ଛୁଟିରେ ଘରକୁ ଯିବା ପାଇଁ ଆବେଦନ କରିଥିଲେ। ଅନ୍ୟ ଦୁଇ ରୁମ୍ ମେଟ୍ହ ହଷ୍ଟେଲରେ ନ ଥିବା ବେଳେ ଉତ୍କଳିକା ବେକରେ ଓଢ଼ଣି ଫାଶ କରି ଝୁଲି ପଡ଼ିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏଯାଏଁ ଜଣା ପଡିନାହିଁ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତକଙ୍କ ପରିବାରକୁ ଏ ନେଇ ଖବର ଦିଆଯାଇଛି। ସହପାଠୀଙ୍କ କହିବା ଅନୁଯାୟୀ ସେ ଗତ କିଛିଦିନ ଧରି ମାନସିକ ଚାପରେ ଥିବା ଭଳି ମନେ ହେଉଥିଲା। ସେ ଯେଉଁ ରୁମରେ ରହୁଥିବା କୋଠରି।ରେ ଆଉ ଦୁଇଜଣ ରହୁଥିଲେ। ରୁମରେ ଥିବା ଅନ୍ୟ ଦୁଇ ଛାତ୍ରୀ ଘରକୁ ଯାଇଥିବା ବେଳେ ଉତ୍କଳିକା ଆତ୍ମହତ୍ୟା କରିଛନ୍ତି। ସହପାଠୀ ମାନେ ବନ୍ଦ କୋଠରି କବାଟ ବାଡେଇବା ପରେ କବାଟ ନ ଖୋଲିବାରୁ କବାଟ ଭାଙ୍ଗିବା ପରେ ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।