TT Ads

ଆମେ ଅନ୍ୟକୁ ଗୁରୁତ୍ଵ ଦେବାକୁ ବୁଦ୍ଧିମାନର ବିଚାର ବୋଲି ଭାବିଥାଉ। କିନ୍ତୁ କେବେ କେବେ ଅନ୍ୟକୁ ଅଣଦେଖା କରିବା ହିଁ ବଡ଼ ବଡ଼ ସମସ୍ୟାରୁ ଆମକୁ ସମାଧାନର ବାଟ ଦେଖାଇ ଥାଏ।

ଦିନେ ଜଣେ ବ୍ୟକ୍ତି ସନ୍ଥ କବୀରଙ୍କ ନିକଟକୁ ଯାଇ କହିଲେ: ସବୁଦିନେ ତାଙ୍କ ଘରେ କଳିଗୋଳ ଲାଗୁଛି । ଏହାର କିଛି ସମାଧାନ ଦିଅନ୍ତୁ । ସନ୍ଥ କବୀର ଏହା ଶୁଣି ତାଙ୍କ ପତ୍ନୀଙ୍କୁ ଡାକିଲେ ଓ କହିଲେ: ଟିକିଏ ଲଣ୍ଠନଟା ଲଗେଇ ଆଣ ତ! ତାଙ୍କ ସ୍ତ୍ରୀ ଗୋଟିଏ ଲଣ୍ଠନ ଲଗେଇ ଆଣି କବୀରଙ୍କୁ ଦେଇ ଚାଲିଗଲେ । କବୀର ଏ ଖରାବେଳଟାରେ ଲଣ୍ଠନ କ’ଣ କରିବେ ଲୋକଜଣକ ବୁଝି ପାରିଲେ ନାହିଁ । କବୀର ପୁଣି ପତ୍ନୀଙ୍କୁ ଡାକି କହିଲେ: ଆରେ ଶୁଣୁଛ, କିଛି ମିଠା ଆଣିଦିଅ ତ । ମିଠା ଖାଇବାକୁ ଭାରି ଇଚ୍ଛା ହେଉଛି । କବୀରଙ୍କ ସ୍ତ୍ରୀ ପ୍ଲେଟ୍ରେ କିଛି ଲୁଣି ବିସ୍କିଟ ଆଣି ଥୋଇଦେଇଗଲେ । ଲୋକଜଣକ ଆଶ୍ଚର୍ଯ୍ୟ ହେଲେ । ଭାବିଲେ, ଏ ପୂରା ପରିବାରଟା ପାଗଳ । ଜଣେ ଦିନରେ ଲଣ୍ଠନ ମାଗୁଛି । ଆଉ ଜଣେ ମିଠା ବଦଳରେ ଲୁଣି ବିସ୍କିଟ୍ ଆଣି ଦଉଛି । ଲୋକଜଣକ ସେଠୁ ଚାଲି ଆସିବାକୁ ବାହାରିଲେ ତ କବୀର କହିଲେ: କ’ଣ ତମ ସମସ୍ୟା ସମାଧାନ ହେଇଗଲା? ଲୋକଟି କହିଲା- ସମାଧାନ ହେବ? ବରଂ କୁହ, ଆଉ କିଛି ସମୟ ଏଠି ରହିଲେ ମୁଁ ପାଗଳ ହେଇଯିବି । କବୀର କହିଲେ: ମୁଁ ତ ତମ ସମସ୍ୟାର ସମାଧାନ କରି ସାରିଛି । ମୁଁ ମୋ ସ୍ତ୍ରୀକୁ ଦିନରେ ଲଣ୍ଠନ ମାଗିଲି । ସେ ଯଦି ଲଣ୍ଠନ ନଦେଇ ଭାବିଥାନ୍ତା, ଲୋକଟା ଦିନରେ ଲଣ୍ଠନ ମାଗୁଛି କାହିଁକି ତା’ହେଲେ ଆମ ଭିତରେ ନିଶ୍ଚୟ କଳି ଲାଗିଥାନ୍ତା । ପୁଣି ସେ ମିଠା ବଦଳରେ ଲୁଣି ବିସ୍କିଟ୍ କାହିଁକି ଦେଲା ବୋଲି ଯଦି ମୁଁ ପଚାରିଥାନ୍ତି ତା’ହେଲେ ବି କଳି ହୋଇଥାନ୍ତା । ହେଲେ ଆମେ ଉଭୟେ ସେସବୁକୁ ଅଣଦେଖା କରିଗଲୁ । ଏଥର ତୁମକୁ ତୁମ ସମସ୍ୟାର ସମାଧାନ ମିଳିଲା ତ!

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *