ସ୍ଵାଭିମାନ ଓ ଅଭିମାନ ଦୁଇଟି ପାଖାପାଖି ହେଲେ ମଧ୍ଯ ସ୍ଵଭିମାନରେ ଭରପୁର ନମ୍ରତା ରହିଥାଏ। ଯାହା ସତସଙ୍ଗ କରିବାର ସୁଯୋଗ ଦେଇଥାଏ।

ରାଜା ଦୁଷ୍ମନ୍ତ ଥରେ ଜଙ୍ଗଲକୁ ପାରିଧି କରିବାକୁ ଯାଇଥାନ୍ତି । ସାଙ୍ଗରେ ପାତ୍ରମନ୍ତ୍ରୀ ବି ଥାଆନ୍ତି । ସେହି ଜଙ୍ଗଲରେ ଶିକାର ଖୋଜୁଖୋଜୁ ସେ ମହର୍ଷି କଣ୍ୱଙ୍କ ଆଶ୍ରମ ନିକଟରେ ପହଞ୍ଚôଗଲେ । ରାଜା ଦୁଷ୍ମନ୍ତ ଥିଲେ ଜଣେ ଧର୍ମପରାୟଣ ଓ ପ୍ରଜାପାଳକ ନରପତି । ତେଣୁ ସେ ମହର୍ଷି କଣ୍ୱଙ୍କୁ ସାକ୍ଷାତ ନ କରି ରାଜପ୍ରାସାଦକୁ ଫେରିବାକୁ ଚାହୁଁ ନଥିଲେ । ସେ ସାରଥୀଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କର ରଥ କଣ୍ୱ ମହର୍ଷିଙ୍କ ଆଶ୍ରମକୁ ନେଇଯିବା ପାଇଁ । ସମସ୍ତେ ଆଶ୍ରମ ଦ୍ୱାର ନିକଟରେ ପହଞ୍ଚିଲେ । ରାଜା ଦୁଷ୍ମନ୍ତ ଆଶ୍ରମ ଦ୍ୱାରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ନିଜର ତରବାରୀ ତଳେ ରଖିଦେଲେ । ଦେହରୁ ରକ୍ଷାକବଚ ଉତାରି ଦେଲେ । ସମସ୍ତ ଆଭୂଷଣ ଖୋଲିଦେଲେ । ଶେଷରେ ସେ ରାଜ ମୁକୁଟଟିକୁ ବି ମୁଣ୍ଡରୁ ଓହ୍ଲାଇଦେଲେ । ଏହା ଦେଖି ତାଙ୍କର ଜଣେ ଅନ୍ତରଙ୍ଗ ଅମାତ୍ୟ ତାଙ୍କୁ ପଚାରିଲେ, ମହାରାଜ! ଆପଣଙ୍କ ମସ୍ତକରୁ ରାଜ ମୁକୁଟ ଓହ୍ଲାଇଦେବା ମୋତେ ଶୋଭା ଦିଶିଲା ନାହିଁ । ରାଜା ଦୁଷ୍ମନ୍ତ କିନ୍ତୁ ସ୍ଥିର କଣ୍ଠରେ ଉତ୍ତର ଦେଲେ: ରାଜ ମୁକୁଟ ମୋର ଅଭିମାନର ସଙ୍କେତ । ଅଭିମାନକୁ ସାଥିରେ ଧରି କଦାଚିତ୍ ସତସଙ୍ଗ କରାଯାଇପାରେନା ।

ରାଜେନ୍ଦ୍ର

ଯିଏ ସଫଳତା ପାଏ ତାର ସମସ୍ତ ଦୋଷ ଦୁର୍ବଳତା ଲୁଚିଯାଏ। ତେଣୁ ସଫଳତାକୁ ଲକ୍ଷ୍ୟ ସ୍ଥଳ ଭାବି ଆଗକୁ ଯିବାକୁ ହେବ। ସେଥିପାଇଁ ଆପଣ ଯେତେ ଛୋଟ ହେବାକୁ ପଡେ ସେତେ ଛୋଟ କରି ଦିଅନ୍ତୁ।

ରାମାୟଣର କଥାଟିଏ । ସୀତାଙ୍କର ସନ୍ଧାନ ନିମନ୍ତେ ବାୟୁପୁତ୍ର ହନୁମାନ ସମୁଦ୍ର ମାର୍ଗରେ ଉଡ଼ିଯାଉଥାନ୍ତି। ସର୍ପମାତା ସୁରସା ଆସି ପଥରୋଧ କଲେ । ସର୍ପମାତା ସୁରସା ଏବଂ ହନୁମାନଙ୍କ ମଧ୍ୟରେ ଲାଗିଲା ନିଜର ଶରୀରକୁ ବଢ଼ାଇ ନିଜକୁ ଅନ୍ୟଠାରୁ ବଡ଼ କରିବାର ପ୍ରତିଯୋଗିତା । ସୁରସା ପାଟିକୁ ଯେତିକି ବଢ଼ାଉଥାଆନ୍ତି, ହନୁମାନ ନିଜ ଦେହକୁ ସେତେ ବଡ଼ କରିଦେଉଥାନ୍ତି । ପୁଣି ହନୁମାନ ଯେତିକି ବଡ଼ ହେଉଥାନ୍ତି, ସୁରସା ତା’ର ପାଟିକୁ ତା’ଠୁ ଦୁଇଗୁଣା ବଡ଼ କରିଦେଉଥାଏ । ମାତ୍ର ସେତିକିବେଳେ ହଠାତ୍ ହନୁମାନଙ୍କୁ ସ୍ମରଣ ହେଲା, ତାଙ୍କର ଉଦେ୍ଦଶ୍ୟ ନିଜକୁ ବିଶାଳ ସାବ୍ୟସ୍ତ କରି ବିଶାଳତ୍ୱର ଯଶ ଅର୍ଜନ କରିବା ନୁହେଁ । ତାଙ୍କର ଉଦେ୍ଦଶ୍ୟ ସୀତାଙ୍କୁ ଠାବ କରିବା । ସେ ଯଦି ଏଭଳି ପ୍ରତିଯୋଗିତାରେ ଲାଗି ରହିବେ, ତାହେଲେ ତାଙ୍କର ବାସ୍ତବ ଲକ୍ଷ୍ୟ ହୁଡ଼ିଯିବ । ତେଣୁ ବାସ୍ତବ ଲକ୍ଷ୍ୟକୁ ହାସଲ କରିବା ପାଇଁ ନିଜକୁ ଅବନତ କରିନେବାରେ କୌଣସି ଅସୁବିଧା ନାହିଁ । ବାସ୍, ଏହାପରେ ହନୁମାନ ନିଜକୁ ଶୂନ୍ୟ କରିଦେଲେ, ଅତି ସଂକ୍ଷିପ୍ତ ହୋଇ ସୁରସାଙ୍କ ଉଦରରେ ପଶି ପୁଣି ବାହାରକୁ ବାହାରି ଆସିଲେ । ଏହାପରେ, ସ୍ୱର୍ଣ୍ଣଲଙ୍କା ଓ ସୁବର୍ଣ୍ଣ ପ୍ରତିମା ସୀତାଙ୍କୁ ପାଇବାର ମାର୍ଗ ତାଙ୍କ ଲାଗି ଉନ୍ମୋକ୍ତ ହେଇଗଲା ।

ଜୀବନରେ ଆମେ କାହାକୁ ବିଶ୍ଵାସ କରିବା ଆଗରୁ ବାରମ୍ବାର ତର୍ଜମା କରିଥାଉ। କିନ୍ତୁ ଦୁନିଆରେ ଏମିତି କେହି ବ୍ୟକ୍ତି ଅଛନ୍ତି ତାଙ୍କୁ ଅନ୍ଧଭାବେ ବିଶ୍ଵାସ କରାଯାଇ ପାରେ। ସେ କିଏ ?
ବିମାନଟିଏ ପ୍ରଶାନ୍ତ ମହାସାଗର ଉପରେ ଉଡ଼ିଯାଉଥାଏ। ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା। ଏକଥା ପ୍ରଘଟ ହୋଇଯିବା ମାତ୍ରେ ବିମାନରେ ଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲା। ସେମାନେ ପ୍ରଶାନ୍ତ ମହାସାଗରରେ ସଲୀଳ ସମାଧି ନେବେ। ଏହା ଭାବି ଯାତ୍ରୀମାନେ ଛାନିଆ ହୋଇଗଲେ। ହେଲେ ସେହି ବିମାନରେ ବସିଥିଲା କୁନିଝିଅଟିଏ। ନା ତା’ ଆଖିରେ ଡର ଥିଲା, ନା ତା’ ଭିତରେ ଥିଲା ଆତଙ୍କ। ଓଲଟି ସେ ମେଘମାଳାକୁ ଚିରି ଉଡ଼ିଯାଉଥିବା ବିମାନର ଝର୍କା ପାଖରେ ବସି ଖୁବ୍ ସ୍ଥିର ଓ ଆନନ୍ଦ ମନରେ ବାହାରର ଦୃଶ୍ୟକୁ ଉପଭୋଗ କରୁଥିଲା।

ଆସନ୍ନ ମୃତ୍ୟୁର ବିଭୀଷିକାରେ ପୀଡ଼ିତ ଜଣେ ବୟସ୍କା ଯାତ୍ରୀ ଏଥିରେ ଅତିଷ୍ଠ ହେଇ ପଚାରିଲେ, ଝିଅ! ବିମାନ ଦୁର୍ଘଟଣା ହେବାକୁ ଯାଉଛି। ତତେ ଡର ଲାଗୁନି? ଝିଅଟି ମୁଣ୍ଡ ହଲେଇ ମନାକଲା ଓ ହସିଦେଇ କହିଲା, ମତେ କାହିଁକି ଡର ଲାଗିବ। ମୋର ମୋ ବାପାଙ୍କ ଉପରେ ଭରସା ଅଛି। ସେ କେବେ ବି ମତେ କୌଣସି ବିପଦରେ ପଡ଼ିବାକୁ ଦେବେନି। ଯେତେ ବିପଦ ଆସୁ ସେ ମତେ ଭଲରେ ନେଇ ମୋ ମାଆଙ୍କ ପାଖରେ ପହଞ୍ଚାଇ ଦେବେ। ମହିଳା ଜଣକ ପୁଣି ପ୍ରଶ୍ନକଲେ, ତୁମ ବାପା କିଏ ? ସେ କ’ଣ କରନ୍ତି ? ଝିଅ କହିଲା, ମୋ ବାପା ଜଣେ ବିମାନ ଚାଳକ। ସେ ହିଁ ଏହି ବିମାନ ଚଳାଉଛନ୍ତି।

ମଣିଷ ଏକ ସୁଖପ୍ରିୟ ପ୍ରାଣୀ। ଜୀବନକୁ ସୁଖ, ସମୃଦ୍ଧିରେ ଭରିଦେବା ହେଉଛି ତା’ର ପରମ କର୍ତ୍ତବ୍ୟ। ସେଥିଲାଗି କେତେ ଚିନ୍ତା, କେତେ ଯୋଜନା। ସବୁ କେବଳ ସୁଖ ଟିକିଏ ପାଇଁ। ଶାନ୍ତି ଟିକିଏ ପାଇଁ। ତେବେ ପ୍ରଶ୍ନ ଉଠେ ବାସ୍ତବରେ ଏଇ ସୁଖ କ’ଣ ? ଏହା କାହାପାଇଁ କିଭଳି ହୋଇଥାଏ।

ଦିନକର କଥା। ମୁଣ୍ଡ ଉପରେ ଧୂଧୂ ଖରା । ବାଟୋଇଟିଏ ଆସି ଥକ୍କା ମାରି ଏକ ଗଛ ମୂଳରେ ବସିପଡ଼ିଲା । ଦେଖିଲା, ସେଇ ଗଛ ମୂଳରେ ଲୋକଟିଏ ଗାମୁଛା ପାରି ଶୋଇଛି। ବାଟୋଇ ଏହା ଦେଖି ରାଗିଗଲା। ଆଉ ଲୋକଟିକୁ ଡାକି କହିଲା- ତୁ କିଛି କାମଧନ୍ଦା ନକରି ଏମିତି ଗଛମୂଳଟାରେ ଶୋଇଛୁ କ’ଣ ପାଇଁ? ଲୋକଟା ଅଧାନିଦରୁ ଉଠିଥିଲା। ତେଣୁ ଆଖି ମଳିମଳି ପଚାରିଲା- ବାବୁ, କାମଧନ୍ଦା କଲେ କ’ଣ ହେବ? ବାଟୋଇ କହିଲା- କାମଧନ୍ଦା କଲେ କିଛି ପଇସା ତୋ ହାତକୁ ଆସିବ। ଲୋକଟି ପଚାରିଲା- ପଇସା ନେଇ ମୁଁ କ’ଣ କରିବି? ବାଟୋଇ କହିଲା- ପଇସା ହେଲେ ତୁ ଜାଗାବାଡ଼ି କିଣିବୁ। ଘରଟିଏ କରିବୁ। ଭଲରେ ଗଣ୍ଡେ ଖାଇବୁ। ସୁଖରେ ରହିବୁ  ଆଉ ଶାନ୍ତିରେ ଶୋଇବୁ। ଲୋକଟି ବାଟୋଇ ଆଡ଼କୁ ଚାହିଁ ହାଇଟିଏ ମାରି କହିଲା- ଟିକିଏ ଆଗରୁ ମୁଁ ଆଉ କ’ଣ କରୁଥିଲିକି ବାବୁ। ଶାନ୍ତିରେ ହିଁ ତ ଶୋଇଥିଲି। ମୋ ସୁଖନିଦ୍ରାକୁ ଆପଣ ଭାଙ୍ଗିଦେଲେ ସିନା।

-ରାଜେନ୍ଦ୍ର

ଏଇଟା ମହାଭାରତର ଏକ ଉପକଥା। ଘଟଣାଟି ଘଟିଥିଲା ପାଞ୍ଚାଳ ରାଜ୍ୟର ରାଜପ୍ରାସାଦରେ। ରାଜା ଦ୍ରୌପଦ ପୁତ୍ରେଷ୍ଟି ଯଜ୍ଞ କରି ପୁତ୍ର ଧ୍ରୁଷ୍ଟଦୁମ୍ନ ଏବଂ କନ୍ୟା ଯାଜ୍ଞସେନୀ ଦ୍ରୌପଦୀଙ୍କୁ ଲାଭ କରିଥାନ୍ତି।

ଦ୍ରୌପଦୀ ଜଣେ ସାଧାରଣ ନାରୀ ନଥିଲେ। ପୃଥିବୀରୁ ପାପ ନାଶିବାକୁ ତାଙ୍କ ସୃଷ୍ଟି ହୋଇଥିଲା। ତେଣୁ ରାଜା ଦ୍ରୌପଦ ମୁନୀ ଋଷିଙ୍କ ଉପରେ ତାଙ୍କର ଶିକ୍ଷାର ଦାୟିତ୍ୱ ନ୍ୟସ୍ତ କରିଥିଲେ। ମୁନୀ, ଋଷିମାନେ ତାଙ୍କୁ ବେଦ, ପୁରାଣ, ଉପନିଷଦ, ଗଣିତ, ବ୍ୟାକରଣ, ସାହିତ୍ୟ ଆଦି ଶାସ୍ତ୍ର ପଠନ କରିବାକୁ ଦେଇଥାନ୍ତି। ଦ୍ରୌପଦୀଙ୍କ ମଧ୍ୟରେ ପଢ଼ିବାର ନିଶା ଏଭଳି ପ୍ରଖର ଥିଲା ଯେ, ସେ ଖୁବ୍ କମ୍ ଦିନରେ ସବୁକିଛି ପଢ଼ି ଶେଷ କରିଦେଉଥାନ୍ତି। ଦିନେ ମହର୍ଷି ବ୍ୟାସ ପାଞ୍ଚାଳକୁ ଆସିଲେ। ରାଜା ଦ୍ରୌପଦ ତାଙ୍କର ସାଦର ସକ୍ରାର କଲେ। ତାଙ୍କ ରହିବା ଖାଇବାର ବନେ୍ଦାବସ୍ତ କରିଦେଲେ। ସନ୍ଧ୍ୟା ସମୟରେ ଦ୍ରୌପଦୀ ଆସି ଭେଟିଲେ ବ୍ୟାସଦେବଙ୍କୁ। ପ୍ରଣାମ କରି କହିଲେ: ମହର୍ଷି! ମୁଁ ସବୁକିଛି ପଢ଼ି ସାରିଲିଣି। ମୋ ଲାଗି ପଢ଼ିବାକୁ ଆଉକିଛି ନାହିଁ । ମୁଁ ଏବେ କ’ଣ କରିବି ? ବ୍ୟାସଦେବ ହସିଲେ । କହିଲେ: ମା’ ଯାଜ୍ଞସେନୀ! ତମେ ଯେଉଁ ପୋଥିପୁରାଣ ପଢ଼ିଛ ତାହା ବାସ୍ତବ ପାଠ ନୁହେଁ। ମଣିଷ ଲାଗି ବାସ୍ତବ ପାଠ ହେଉଛି ତା’ ନିଜର ଜୀବନ। ପ୍ରତିମୁହୂର୍ତ୍ତରେ ଜୀବନ ତୁମକୁ ନୂଆ କଥା ଶିଖେଇବ। ସେସବୁକୁ ଯଦି ଶିଖି ପାରିବ ତା’ହେଲେ ଜାଣିବ ବାସ୍ତବରେ ତୁମେ କିଛି ପଢ଼ିଛ।

-ରାଜେନ୍ଦ୍ର

ଐତିହାସିକ ଉଜ୍ଜୟିନୀ ନଗରୀରେ ରହୁଥାନ୍ତି ଜଣେ ଧନୀ ସୌଦାଗର। ସେ ଅସହାୟ ଲୋକମାନଙ୍କୁ ମୁକ୍ତ ହସ୍ତରେ ଦାନ କରୁଥାନ୍ତି।

ସମୟକ୍ରମେ ସୌଦାଗରଙ୍କ ବ୍ୟବସାୟ ଦାୟିତ୍ୱ ପୁଅମାନଙ୍କୁ ଦେଲେ। ପୁଅମାନେ ବ୍ୟବସାୟ ବୁଝିଲେ। ବୃଦ୍ଧ ସୌଦାଗର କିନ୍ତୁ ପୂର୍ବପରି ଦରିଦ୍ର ଅସହାୟଙ୍କୁ ସାହାଯ୍ୟ କରୁଥାନ୍ତି। ଦିନେ ପୁଅମାନେ ସୌଦାଗରଙ୍କ ନିକଟରେ ପହଞ୍ଚିଲେ। ସମୟ ସନ୍ଧ୍ୟାରେ ସୌଦାଗର ପୁଅମାନଙ୍କୁ ଦେଖି ପାଖକୁ ଡାକିଲେ ଓ ଆସିବାର କାରଣ ପଚାରିଲେ। ପୁଅମାନେ କହିଲେ ବାପା, ଆପଣ ଏବେ ଧନ ବାଣ୍ଟିବା ବନ୍ଦ କରିଦିଅନ୍ତୁ। ନହେଲେ ଦିନେ ଆମ ନିକଟରୁ ବି ଧନ ସରିଯିବ।

ବୃଦ୍ଧ ସୌଦାଗର ହସିଲେ। ଆଉ ପାଖରେ ରଖିଥିବା ଦୀପଟିକୁ ଲିଭେଇଦେଲେ। ପୁଅମାନେ ଅନ୍ଧାରରେ ଆସିବା ବେଳେ ଗୋଟିଏ ଦୀପ ଧରି ଆସିଥିଲେ। ସେ ପୁଅମାନଙ୍କୁ ତାଙ୍କର ଦୀପଟିକୁ ଲଗାଇଦେବାକୁ କହିଲେ। ଜଣେ ପୁଅ ଯାଇ ବୃଦ୍ଧ ସୌଦାଗରଙ୍କ ଦୀପ ଲଗେଇଦେଲା। ବୃଦ୍ଧ ସୌଦାଗର ପଚାରିଲେ: ମୋ ଦୀପ ଜଳାଇବା ଦ୍ୱାରା କ’ଣ ତମ ଦୀପର ଆଲୁଅ କମିଗଲା? ପୁଅମାନେ କିଛି ବୁଝିପାରିଲେନି। ବୃଦ୍ଧ ସୌଦାଗର ବୁଝେଇ କହିଲେ: ଯଦି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲାଗିବା ଦ୍ୱାରା ପ୍ରଥମ ଦୀପର ଆଲୁଅ କମି ଯାଉନାହିଁ; ତା’ହେଲେ ଆମେ ଯଦି କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତା’ହେଲେ ଆମର ଧନ କେମିତି କମିଯିବ ? ପୁଅମାନେ ନିଜର ଭୁଲ ବୁଝିପାରିଲେ।

-ରାଜେନ୍ଦ୍ର

ଶତ୍ରୁ ଆଘାତ ଯେତେ କଷ୍ଟ ଦିଏନା, ନିଜଲୋକର ସାମାନ୍ୟ କଟୁକଥା ତା’ଠୁ ବହୁଗୁଣ ଅଧିକ କଷ୍ଟ ଦେଇଥାଏ।
ଛୋଟ ଗପଟିଏ ଆସନ୍ତୁ ଜାଣିବା।

ଗୋଟିଏ ସହରରେ ପାଖାପାଖି ଥିଲା ଦୁଇଟି ଦୋକାନ। ଗୋଟିଏ କମାର ଶାଳ; ଯେଉଁଠି ଲୁହାର ଯନ୍ତ୍ରପାତି ତିଆରି ହେଉଥିଲା। ଅନ୍ୟ ଦୋକାନଟି ଥିଲା ଏକ ବଣିଆର, ଯେଉଁଠାରେ ସେ ସୁନା ଗହଣା ପ୍ରସ୍ତୁତ କରୁଥିଲା।ସୁନାଗ୍ରହଣା ପ୍ରସ୍ତୁତ କରାଯାଉଥିବା ଦୋକାନରୁ ସୋର ଶବ୍ଦ ଶୁଣାଯାଉ ନ ଥିଲା। ହେଲେ କମାର ଶାଳରୁ ପ୍ରଚଣ୍ଡ ପରିମାଣରେ ହାତୁଡ଼ି ପିଟାର ଶବ୍ଦ ଭାସି ଆସୁଥିଲା।

ଏମିତି କିଛିଦିନ ଗଲା। ଦିନେ ଏକସଙ୍ଗରେ କମାରଶାଳରୁ ଖଣ୍ଡିଏ ଲୁହା ଆଉ ବଣିଆ ଦୋକାନରୁ ଖଣ୍ଡିଏ ସୁନା ଛିଟିକି ଆସି ଗୋଟିଏ ସ୍ଥାନରେ ପଡ଼ିଲେ। ସୁନା ଲୁହାକୁ ଦେଖିଲା। ଲୁହା ବି ସୁନାକୁ ଅନେଇଲା। ସୁନା ପଚାରିଲା, ଲୁହା, ଗୋଟେ କଥା ପଚାରିବି ସତ କହିବୁ? ତୁ ହାତୁଡ଼ିରେ ମାଡ଼ ଖାଉଛୁ। ମୁଁ ବି ହାତୁଡ଼ିରେ ମାଡ଼ ଖାଉଛି। ମୁଁ ତ ପାଟି କରୁନି। ତୁ ଏତେ ବଡ଼ ପାଟି କରୁଛୁ କାହିକି? ଲୁହା କହିଲା, ସୁନା କହିଲୁ, ତୁ ଯେଉଁ ହାତୁଡ଼ିରେ ମାଡ଼ ଖାଉଛୁ ତାହା କେଉଁଥିରେ ତିଆରି। ସୁନା କହିଲା, ଲୁହାରେ ତିଆରି

ଲୁହା କହିଲା- ତୁ ସୁନା, ତୁ ମାଡ଼ ଖାଉଛୁ ଲୁହାରେ। ହେଲେ ମୁଁ ଲୁହା, ମତେ ପିଟୁଛି ଆଉ ଗୋଟେ ଲୁହା। ତୁ ସିନା ପରଲୋକ ହାତରୁ ମାଡ଼ ଖାଉଛୁ। ହେଲେ ମୁଁ ପରା ମୋ ନିଜ ଲୋକଦ୍ୱାରା ପିଟା ଖାଉଛି। ନିଜ ଲୋକର ଛାଟ ପଡ଼ିଲେ ଏତେ କାଟେ ଯେ ନ କାନ୍ଦି ରହିହୁଏନାହିଁ। ତୁ ଯେବେ ସୁନା ହାତୁଡ଼ିରେ ମାଡ଼ ଖାଇବୁ ସେଦିନ ଜାଣିବୁ ନିଜ ଲୋକର ବିଶ୍ୱାସଘାତକତା କେତେ ବାଧେ !

–ରାଜେନ୍ଦ୍ର

ପ୍ରତ୍ୟେକ ଲୋକଙ୍କର ନଜର ବା ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଥାଏ। ଗୋଟିଏ ଜିନିଷକୁ ଯିଏ ଯେଉଁ ଦୃଷ୍ଟିଭଙ୍ଗୀରେ ଦେଖେ ତାକୁ ତାହା ସେମିତି ଦେଖାଯାଏ।
ଥରେ ଜଣେ ଗୁରୁ ତାଙ୍କର କିଛି ଶିଷ୍ୟଙ୍କୁ ଧରି ତୀର୍ଥ ଭ୍ରମଣରେ ବାହାରିଥିଲେ। କିଛି ବାଟ ଯିବା ପରେ ଗୁରୁଜୀଙ୍କୁ ଖୁବ୍ ଶୋଷ ଲାଗିଲା। ସେ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡାକି ତାଙ୍କ ଲାଗି ପାଣି ଆଣିବାକୁ କହିଲେ। ଶିଷ୍ୟ ଦୁହେଁ ବେଶ୍ କିଛି ବାଟ ଯିବା ପରେ ଆଗରେ ଗୋଟିଏ ଝରଣା ଥିବାର ଦେଖିଲେ। ହେଲେ ଝରଣାଟି ମଇଳା ଥିଲା। ଲୋକମାନେ ଶୌଚ ହେଉଥିଲେ। ଲୁଗା ସଫା କରୁଥିଲେ। ଗାଈ, ମେଣ୍ଢାଙ୍କୁ ଗାଧୋଇ ଦେଉଥିଲେ। ଏହା ଦେଖି ଜଣେ ଶିଷ୍ୟ ଆରଜଣକୁ କହିଲା, ଏ ପାଣି ଗୁରୁଜୀ ପିଇ ପାରିବେନି। ମୁଁ ଚାଲିଲି। ଏହା କହି ସେ ଫେରି ଆସିଲା। ଗୁରୁଜୀ ତା’ କଥା ଶୁଣି ଚୁପ୍ ରହିଲେ ଓ ଦ୍ୱିତୀୟ ଶିଷ୍ୟକୁ ଅପେକ୍ଷାକଲେ। କିଛି ସମୟ ପରେ ଦ୍ୱିତୀୟ ଶିଷ୍ୟଟି ଗୋଟିଏ ମାଟି ପାତ୍ରରେ କିଛି ଜଳ ଧରି ଆସି ପହଞ୍ଚିଲେ। ସେ ଜଳ କେଉଁଠୁ ଆଣିଲା ବୋଲି ଗୁରୁଜୀ ପଚାରିଲେ ତ ଶିଷ୍ୟଟି କହିଲା, ମୁଁ ସେହି ଝରଣାରୁ ପାଣି ଆଣିଛି।

ଗୁରୁଜୀ ପଚାରିଲେ, ଝରଣାଟି ମଇଳା ଥିଲା। ତା’ସତ୍ତ୍ୱେ ସେ ତାଙ୍କ ଲାଗି ମଇଳା ପାଣି ନେଇ ଆସିଲା। ଶିଷ୍ୟ କହିଲା, ଝରଣାଟି ମଇଳା ଥିଲା ସତ। ମାତ୍ର କିଛି ସମୟ ପରେ ମୁଁ ଦେଖିଲି, ମଇଳା ସବୁ ତଳେ ବସିଗଲା। ଆଉ ପାଣି ପରିଷ୍କାର ହୋଇଗଲା। ମୁଁ ସେହି ପରିଷ୍କାର ପାଣି ଆପଣଙ୍କ ଲାଗି ନେଇଆସିଛି।

–ରାଜେନ୍ଦ୍ର

ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ନାନା ଲୋକଙ୍କଠୁ ନାନା କଥା ଶୁଣିବାକୁ ମିଳିଥାଏ। କିଏ ଉତ୍ସାହିତ କରିଥାଏ ତ କିଏ ପୁଣି ନକରାତ୍ମକ କଥା କହି ନିରୁତ୍ସାହିତ କରିଥାଏ। ମାତ୍ର ସଫଳ ସେ ହୋଇଥାଏ ଯିଏ କାହାରି କଥାରେ ଧ୍ୟାନ ନଦେଇ କେବଳ ନିଜ କାମ କରିଚାଲେ।
ଏକଥା କହି ଗୁରୁ ଗପ କହିବା ଆରମ୍ଭ କଲେ। ଥରେ ଗୋଟିଏ ବେଙ୍ଗପଲ ଜଙ୍ଗଲରେ ଯାତ୍ରା କରୁଥାନ୍ତି। ପରସ୍ପର ମଧ୍ୟରେ ଥଟ୍ଟାମଜା କରୁଥାନ୍ତି। ଏମିତି ଅନେକ ବାଟ ଯିବା ପରେ ଆଗରେ ଗୋଟିଏ ଖାଲ ପଡ଼ିଲା । ସବୁ ବେଙ୍ଗ ଖାଲଟିକୁ ଅତିକ୍ରମ କରି ଚାଲିଗଲେ। ମାତ୍ର ଗୋଟିଏ ବେଙ୍ଗ ସେହି ଖାଲ ଭିତରକୁ ଖସି ପଡ଼ିଲା। ଖାଲ ଭିତରକୁ ସିନା ଖସି ପଡ଼ିଲା; ହେଲେ ଖାଲରୁ ବାହାରିବା ଲାଗି ଡିଅାଁକୁଦା ମାରିବାରେ ଲାଗିଗଲା । ଉପରେ ଯେଉଁ ବେଙ୍ଗଦଳ ଥିଲେ ସେମାନେ ଖାଲରେ ପଡ଼ିଥିବା ବେଙ୍ଗଟିକୁଦେଖୁ ଥାଆନ୍ତି । ସେ ଡିଆଁକୁଦା ମାରି କେମିତି ଉପରକୁ ଆସିବାକୁ ବ୍ୟାକୁଳ ହେଉଛି ତାକୁ ଉପଭୋଗ କରୁଥାନ୍ତି। ଖାଲି ଉପଭୋଗ କରୁନଥାନ୍ତି; ତାକୁ ପରିହାସ କରି ନାନାଦି କଥା କହୁଥାନ୍ତି। ଯେତେ ଚେଷ୍ଟାକଲେ କ’ଣ ତୁ ଆଉ ଗାତରୁ ଉପରକୁ ଉଠିବୁ। ମାତ୍ର ବେଙ୍ଗଟି ଖାଲରୁ ଉଠିବାର ଉଦ୍ୟମ ଜାରି ରଖିଥାଏ। ବହୁ ସମୟ ପରେ ସେ ଉପରକୁ ଆସିବାରେ ସକ୍ଷମ ହେଲା।

ଜଣାପଡ଼ିଲା, ଖାଲରେ ପଡ଼ିଥିବା ବେଙ୍ଗଟି ଅନ୍ଧ ଆଉ ବଧିର ଥିଲା। ନା ସେ କାହା କଥା ଶୁଣି ପାରୁଥିଲା ନା କାହାକୁ ଦେଖିପାରୁଥିଲା। ଶେଷରେ ଗୁରୁ କହିଲେ: ଏମିତି ଯିଏ ଅନ୍ୟ କଥାରେ ଆଖି କାନ ବନ୍ଦ କରିଦେବ ଦିନେ ନା ଦିନେ ସେ ସଫଳ ହେବ।

-ରାଜେନ୍ଦ୍ର

ଗୋଟେ ଗାଁରେ ଜଣେ ଦୁଃଖୀ ମଣିଷ ରହୁଥିଲା । ସେ ବହୁତ ଗରିବ ଥିଲା । ତା’ର ଘର ଦ୍ୱାର ନ ଥିଲା। ଜମି ବାଡ଼ି ନ ଥିଲା। ସେ ଭିକ୍ଷା କରି ଜୀବନ ନିର୍ବାହ କରୁଥିଲା। ଭାବୁଥିଲା, ଦୁନିଆରେ ଲୋକମାନେ କେତେ ଭଲରେ ରହୁଛନ୍ତି। କେତେ ଖୁସିରେ ରହୁଛନ୍ତି। ମୁଁ କ’ଣ ଏଡ଼େ ହତଭାଗ୍ୟ ଯେ ମୋ ଭାଗ୍ୟରେ ଖୁସି ବୋଲି କିଛି ନାହିଁ।

ଥରେ ଗାଁକୁ ଜଣେ ସାଧୁ ଆସି କୁଡ଼ିଆ କରି ରହିଲେ। ଲୋକମାନେ ତାଙ୍କ ନିକଟକୁ ଯାଉଥିଲେ। ସେ ଲୋକମାନଙ୍କର ଦୁଃଖ ଶୁଣୁଥିଲେ। ସମସ୍ୟାର ସମାଧାନ କରୁଥିଲେ। ଦୁଃଖୀ ଲୋକଟି ଭାବିଲା, ମୁଁ ବି ସାଧୁଙ୍କ ନିକଟକୁ ଯିବି ଆଉ ମୋ ଦୁଃଖକଥା ତାଙ୍କୁ ଶୁଣେଇବି। ହୁଏତ ସାଧୁ ମୋ ଦୁଃଖର କିଛି ଇଲାଜ କରିପାରନ୍ତି। ଏହା ଭାବି ସେ ଦିନେ ସାଧୁମହାତ୍ମାଙ୍କ କୁଡ଼ିଆରେ ପହଞ୍ଚôଲା । ତା’ ପାଳି ପଡିବାରୁ ସେ ସାଧୁଙ୍କ ନିକଟକୁ ଗଲା । କହିଲା: ମହାତ୍ମା! ମୋ ଜୀବନରେ ଏତେ ଦୁଃଖ କ’ଣ ପାଇଁ? ସାଧୁ କିଛି ସମୟ ତାକୁ ନିରୀକ୍ଷଣ କଲେ । କହିଲେ: ତୁମେ ଏଇଥିପାଇଁ ଦୁଃଖୀ ଯେ, ତୁମେ କାହାରିକୁ କେବେ କିଛି ଦେଇନାହଁ। ଲୋକଟି କହିଲା- ମୁଁ ଓଳିଏ ମାଗିଲେ ଗଣ୍ଡିଏ ଖାଉଛି। ମୋ ପାଖରେ କ’ଣ ଅଛି ଯେ ମୁଁ ଅନ୍ୟକାହାକୁ ଦେବି। ସାଧୁ କହିଲେ, ତୁମକୁ ଅନେକ କିଛି ମିଳିଛି। ତମ ଓଠରେ ହସ ଅଛି। ତମେ ତ ଟିକିଏ ହସିଦେଇ ଲୋକଙ୍କୁ ଖୁସି ଦେଇପାରିବ। ତୁମକୁ କଥା କହିବାର ଶକ୍ତି ଅଛି। ତମେ ତ ମିଠାକଥା କହି ଲୋକଙ୍କ ମନ ଜିଣିପାରିବ। ଦୁଇଦୁଇଟା ହାତ ଅଛି। ତୁମେ ତ ଅନ୍ୟମାନଙ୍କର ଉପକାର କରିପାରିବ। ଏତିକିକର, ଦେଖିବ, ତୁମେ କେବେ ବି ନିଜକୁ ଦୁଃଖୀ ବୋଲି ଭାବିବ ନାହିଁ।

– ରାଜେନ୍ଦ୍ର