ସଂସାରରେ ରହିଛନ୍ତି ଉଭୟ ସାଧୁ ଆଉ ଦୁର୍ଜନ ରହିଛନ୍ତି। ସାଧୁମାନେ ଉତ୍ତମ କଥା ଉତ୍ତମ କାର୍ଯ୍ୟ କରିଥାନ୍ତି। ଖଳମାନେ ଅନିଷ୍ଟକର କାର୍ଯ୍ୟ ଘଟାଇଥାନ୍ତି। ଏବେ ଆମ ଉପରେ ନିର୍ଭର କରୁଛି ଯେ, ଆମେ କାହାକୁ ଗ୍ରହଣ କରିବା ଆଉ କିପରି ଗ୍ରହଣ କରିବା।

ଥରେ ତଥାଗତ ଗୋଟିଏ ଗ୍ରାମରେ ଯାଇ ପହଞ୍ଚିଲେ। ସେହି ଗ୍ରାମଟିକୁ ଅତିକ୍ରମ କରିଗଲେ ସେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ। ତେବେ ବୁଦ୍ଧଙ୍କୁ ଦେଖିବାମାତ୍ରେ ଗ୍ରାମର ଲୋକମାନେ ଗାଳିଗୁଲଜ କଲେ। ସେ ଜଣେ ଭଣ୍ଡ, ସେ ସେମାନଙ୍କର ଧର୍ମ ନଷ୍ଟ କରୁଛନ୍ତି ବୋଲି ତିରସ୍କାର କଲେ। ବୁଦ୍ଧ ଚୁପଚାପ ବସିଥାନ୍ତି। କାହାରିକୁ କିଛି କହୁ ନ ଥାନ୍ତି। କିଛି ସମୟ ପରେ ଲୋକମାନେ ଥକି ପଡ଼ିଥିଲେ। ବୁଦ୍ଧ ସେମାନଙ୍କୁ ଅତି ଶାନ୍ତି ସ୍ୱରରେ ପଚାରିଲେ, ଆପଣମାନଙ୍କର ଗାଳି କ’ଣ ସରିଗଲା ? ନା ଆହୁରି ଅଛି ? ଏହାକହି ବୁଦ୍ଧ ଆଗକୁ ଚାଲିବାକୁ ଲାଗିଲେ ।
ଶିଷ୍ୟ ଆନନ୍ଦ ପଚାରିଲେ, ତଥାଗତ! ଲୋକମାନଙ୍କ ଗାଳି କ’ଣ ତୁମକୁ କଷ୍ଟ ଦେଲାନି । ବୁଦ୍ଧ ଉତ୍ତରଦେଲେ: ମୁଁ ସେମାନଙ୍କର ଗାଳିକୁ ଗ୍ରହଣ କରିଛି କେଉଁଠି ଯେ, ମୋତେ ବାଧିବ। ମୁଁ ତ ମୂଳରୁ ତାହାକୁ ଗ୍ରହଣ ହିଁ କରିନାହିଁ। ଜଣେ ଭିକ୍ଷୁକ ଚାହିଁଲେ ଭିକ୍ଷା ଗ୍ରହଣ କରିବ, ନ ଚାହିଁଲେ ଫେରାଇ ଦେଇ ପାରିବ। ତେଣୁ ମୁଁ ସେମାନଙ୍କ ଗାଳିକୁ ଗ୍ରହଣ ନ କରି ଫେରାଇ ଦେଇଛି।

– ରାଜେନ୍ଦ୍ର

ଜୋର ଜବରଦସ୍ତ ବଳପ୍ରୟୋଗ କରି ଅଥବା ନାଲି ଆଖି ଦେଖେଇ ଯେଉଁ କାମ କରାଯାଇ ନ ପାରେ; ବିଶ୍ୱାସକୁ ଜିତି, ଭଲପାଇ ତା’ଠୁ ବହୁଗୁଣ ଅଧିକ କାର୍ଯ୍ୟ ହାସଲ କରାଯାଇପାରିଥାଏ।

ଗୁରୁ ଆରିଷ୍ଟୋଟଲଙ୍କର ଏହି କଥାଟିକୁ ସହଜରେ ବୁଝିପାରିଲେ ନାହିଁ ଶିଷ୍ୟ ଆଲେକ୍ଜାଣ୍ଡର ଏକଥା ଜାଣି ଆରିଷ୍ଟୋଟଲ ଆଲେକ୍ଜାଣ୍ଡରଙ୍କୁ ଗୋଟିଏ ଗ୍ରାମକୁ ନେଇଗଲେ । ସେହିଗ୍ରାମର ଲୋକମାନେ ବଣୁଆ ଘୋଡ଼ାଙ୍କୁ ବୋଲ ମନେଇବା ଲାଗି ସେମାନଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖୁଥିଲେ । ପ୍ରଚୁର ମାଡ଼ ମାରୁଥିଲେ । ଖାଇବାକୁ ପିଇବାକୁ ଦେଉ ନ ଥିଲେ । କିଛିଦିନ ପରେ ଘୋଡ଼ାଟି ଅସହାୟ ହୋଇ ମାଲିକର ବୋଲ ମାନୁଥିଲା । ସେ ଯାହା କହୁଥିଲା ତାହା କରୁଥିଲା । ଆରିଷ୍ଟୋଟଲ ସେମାନଙ୍କୁ କହିଲେ, ମୋତେ ଗୋଟେ ଅମଣିଆ ଘୋଡ଼ା ଦିଅ । ମୁଁ ତାହାକୁ ମାରଧର ନ କରି ବି ବୋଲ ମନେଇଦେବି । ଲୋକମାନେ ସେଇଆ କଲେ । ଆରିଷ୍ଟୋଟଲ ଘୋଡ଼ାଟିକୁ ନ ବାନ୍ଧି ମୁକ୍ତ କରିଦେଲେ । ତାକୁ ଖାଇବାକୁ ଦେଲେ । ପାଣି ପିଇବାକୁ ଦେଲେ । ତା’ ସହ ଖେଳିଲେ, କଥା ହେଲେ । ସେ ଯୁଆଡ଼େ ଗଲା ତା’ ସାଙ୍ଗରେ ଗଲେ । ଏମିତି କିଛି ଦିନ ଯିବା ପରେ ଦେଖାଗଲା, ଘୋଡ଼ାଟି କ୍ରମଶଃ ଆରିଷ୍ଟୋଟଲଙ୍କୁ ଖୋଜିବାରେ ଲାଗିଛି । ଯଦି ଆରିଷ୍ଟୋଟଲଙ୍କ ଆସିବା ଡେରି ହୋଇଯାଉଛି ଘୋଡ଼ାଟି ନିଜ ଆଡୁ ଯାଇ ତାଙ୍କ ନିକଟରେ ପହଞ୍ଚି ଯାଉଛି । ଆରିଷ୍ଟୋଟଲ ଠିଆ ହେବାକୁ କହିଲେ ସେ ଠିଆ ହେଉଛି । ବସିବାକୁ କହିଲେ ବସୁଛି ।

ଆରିଷ୍ଟୋଟଲ ଘୋଡ଼ାକୁ ବୋଲ ମନେଇ ଆଲେକ୍ଜାଣ୍ଡରଙ୍କୁ ଏହି ଶିକ୍ଷା ଦେଇଥିଲେ ଯେ, ଦଣ୍ଡ ନୁହେଁ ପ୍ରେମର ଶକ୍ତି ଅଧିକ ଆଉ ଚିରସ୍ଥାୟୀ ତେଣୁ ଦଣ୍ଡ ନୁହେଁ, ପ୍ରେମ ଦିଅ।

– ରାଜେନ୍ଦ୍ର

ଏ କଥାଟି କହିବାର ଉଦ୍ଦେଶ୍ୟ ହେଉଛି, ଯଦି କେବେ ନିଜ ପ୍ରତି ବିତୃଷ୍ଣା ଆସୁଛି, କିଛି ବଡ଼ ନିଷ୍ପତ୍ତି ନେବା ଆଗରୁ କିଛି କ୍ଷଣ ଚୁପ୍ ହୋଇ ଯାଆନ୍ତୁ। ଦେଖିବେ, ସବୁ ବଦଳି ଯାଇପାରେ। ଏକ ନୂଆ ଜୀବନର ଅନୁସନ୍ଧାନ ଆପଣ ପାଇପାରନ୍ତି।

ଏଥର ଆମେ ଆଧ୍ୟାତ୍ମିକ ଗୁରୁ ୟୁ.ଜି.କ୍ରିଷ୍ଟମୂର୍ତ୍ତିଙ୍କର ଗୋଟିଏ ଗପ ଶୁଣିବା। ଜଙ୍ଗଲରେ ଗୋଟିଏ ଦୁର୍ବଳ ହରିଣ ରହୁଥିଲା। ସେ ଅନ୍ୟମାନଙ୍କ ପରି ଚଲାବୁଲା କରିପାରୁ ନଥିଲା। ଦୌଡ଼ି ପାରୁନଥିଲା। ବେଳକୁବେଳ ସେ ହତାଶ ହୋଇଉଠୁଥିଲା। ଭାବୁଥିଲା, ବୋଧହୁଏ ତା’ ଜୀବନର ଆଉ କୌଣସି ମୂଲ୍ୟନାହିଁ। ସେ ବଞ୍ଚô ରହି କ’ଣ କରିବ? ଏହା ଭାବି ସେ ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଲା। ତଳକୁ ଖସୁଥିବା ବେଳେ ବଣୁଆ ଲଟାରେ ତା’ର ଶିଙ୍ଗ ଗୁଡ଼େଇ ହେଇଗଲା ଆଉ ସେ ତଳେ ନ ପଡ଼ି ଗଛରେ ଝୁଲି ରହିଲା। ସେଇ ଗଛ ମୂଳରେ ଶୋଇଥିଲା ଏକ ଭୟଙ୍କର ଚିତାବାଘ। ଗଛରୁ ତଳକୁ ଝୁଲି ରହିଥିବା ହରିଣଟି ଏହା ଦେଖି ଡରିଗଲା । ଭାବିଲା, ନିଦ ଭାଙ୍ଗିବା ମାତ୍ରେ ବାଘ ତାକୁ ଖାଇଦବ। ତେଣୁ ସେ ସେଠାରୁ କେମିତି ମୁକୁଳିବ ସେଇ ଚେଷ୍ଟା ଆରମ୍ଭ କରିଦେଲା।
ଯେଉଁ ହରିଣ ଟିକକ ଆଗରୁ ମରିବ ବୋଲି ପାହାଡ଼ରୁ ତଳକୁ ଡେଇଁ ପଡ଼ିଥିଲା ସେହି ହରିଣ ଏବେ ବାଘ କବଳରୁ ନିଜକୁ ବଞ୍ଚାଇବା ଲାଗି ସଂଘର୍ଷ କରିବା ଆରମ୍ଭ କରିଦେଇଥିଲା। କାରଣ ସମୟ ବଦଳି ଯାଇଥିଲା। ପରିସ୍ଥିତି ବଦଳିଯାଇଥିଲା। ଟିକକ ଆଗରୁ ମୂଲ୍ୟହୀନ ଲାଗୁଥିବା ଜୀବନ ବି ତା’ ଲାଗି ମୂଲ୍ୟବାନ ହୋଇଉଠିଥିଲା। ସେ ଜୀବନର ମୂଲ୍ୟ ବୁଝିପାରିଥିଲା।

– ରାଜେନ୍ଦ୍ର

 କିଛିଦିନ ପାଇଁ ଗୁରୁ ଓ ଶିଷ୍ୟ ଗୋଟିଏ ସହରରେ ବାସ କରୁଥାନ୍ତି। ଦିନେ ଦେଖିଲେ, ମାଲିକ ତା’ର ଜଣେ କର୍ମଚାରୀକୁ ଖୁବ୍ ଜୋରରେ ଏକ ଚଟକଣା ମାରିଲେ। ବିଚରା କର୍ମଚାରୀ କିଛି ନ କହି ଘରକୁ ଫେରିଆସିଲା। ଘରେ ଆସି ସ୍ତ୍ରୀକୁ ଠାଏ କିନା ଚଟକଣା ବସେଇଦେଲା।

ସ୍ତ୍ରୀଟି ସ୍ୱାମୀକୁ କିଛି କହି ନ ପାରି ତା’ ପୁଅକୁ ବାଡ଼େଇ ପକେଇଲା। ପୁଅଟି କାନ୍ଦିକାନ୍ଦି ବାହାରକୁ ପଳେଇଗଲା ଓ ବାହାରେ ଶୋଇଥିବା କୁକୁରକୁ ଗୋଟିଏ ବାଡ଼ିରେ ଖୁବ୍ ଜୋରରେ ପିଟିବାକୁ ଲାଗିଲା। କୁକୁରଟି ପ୍ରାଣ ବିକଳରେ ଦଉଡିବାରେ ଲାଗିଲା। ବାଟରେ ଆସୁଥିଲେ ଜଣେ ଭଦ୍ରଲୋକ। କୁକୁରଟି ଭାବିଲା ବୋଧହୁଏ ସେହି ଲୋକଜଣକ ତା’ ପଳେଇ ଯିବାବାଟରେ ପ୍ରତିବନ୍ଧକ ସାଜିବ। ତେଣୁ ସେ ଆଗତୁରା ଭଦ୍ରଲୋକଟିକୁ କାମୁଡ଼ି ଖଣ୍ଡିଆଖାବରା କରିଦେଲା। ଏସବୁ ଦେଖି ଶିଷ୍ୟଟି କିଛି ବୁଝିପାରିଲାନି।

କୁକୁରକୁ ପିଟିଲା ଜଣେ। ହେଲେ ସେ କାମୁଡ଼ିଲା ଆଉଜଣଙ୍କୁ। ଗୁରୁ ବୁଝେଇଦେଲେ, ବାସ୍ତବରେ କୁକୁରଟି କିଛି ଭୁଲ କରିନାହିଁ। ବାସ୍ତବରେ ସେହି ଲୋକଟି ହିଁ ତ ଏ ନାଟକର ଆରମ୍ଭ କରିଥିଲା। କାରଣ ସେ ଲୋକଟି ଆଉ କେହି ନଥିଲା, ସେ ଥିଲା ତା’ କର୍ମଚାରୀକୁ ଚଟକଣା ମାରିଥିବା ମାଲିକ। ସେ ଯଦି କର୍ମଚାରୀକୁ ଚଟକଣା ମାରି ନଥାନ୍ତା ତା’ହେଲେ କର୍ମଚାରୀ ଆସି ତା’ ସ୍ତ୍ରୀକୁ ପିଟି ନଥାନ୍ତା। କିମ୍ବା ତା’ ସ୍ତ୍ରୀ ତା’ ପୁଅକୁ ପିଟି ନ ଥାନ୍ତା। ପୁଅଟି ବି କୁକୁରକୁ ବାଡ଼େଇ ନ ଥାନ୍ତା। ନା କୁକୁର ରାଗିଥାନ୍ତା ନା ମାଲିକକୁ କାମୁଡ଼ି ଥାନ୍ତା। ଗୁରୁ କହିଲେ, ଆଖି ଦେଖିଲା ଗଛରେ ଫଳଟିଏ ପାଚିଛି। ଗୋଡ଼ ଗଲା ଗଛପାଖକୁ। ହାତ ଫଳଟିକୁ ଆଣିଲା। ପାଟି ଫଳଟିକୁ ଖାଇଲା। ଗଛର ମାଲିକ ଏସବୁ ଜାଣି ବାଡ଼େଇଲା ପିଠିକୁ। ପିଠି ସିନା ପାହାର ଖାଇଲା; ହେଲେ କାନ୍ଦିଲା ଆଖି। କାରଣ ଗଛରେ ଫଳଟି ପାଚିଥିଲା ବୋଲି ପ୍ରଥମେ ଆଖି ହିଁ ତ ଦେଖିଥିଲା।

ବାଦଶାହ ଆଳେ କାହିଁକି ବରଙ୍କ ଶାସନ ସମୟର କଥା। ଦିନେ ରାତିରେ ଚୋରି କରୁଥିବା ବେଳେ ଦଳେ ଚୋର ସିପାହୀ ହାତରେ ଧରାପଡ଼ିଗଲେ। ସେମାନଙ୍କୁ ଜଣଜଣ କରି ଆକବରଙ୍କ ଦରବାରରେ ହାଜର କରାଗଲା। ପ୍ରଥମ ବ୍ୟକ୍ତିକୁ ଦେଖି ଆକବର ହସିଦେଲେ ଆଉ କହିଲେ, କ’ଣ ଭାଇ, ଶେଷରେ ତମେ ଏଇ କାମକଲ। ହଉ, ଯାଅ। ମୁଁ ତମକୁ କ୍ଷମା କରିଦେଲି। ଲୋକଟି ଚାଲିଗଲା।

ଏଥର କଟୁଆଳ ଦ୍ୱିତୀୟ ଚୋରକୁ ଦରବାରରେ ହାଜର କଲା। ଆକବର ତାକୁ ଦେଖି କ୍ରୋଧରେ କମ୍ପିଉଠିଲେ। ସିପାହୀଙ୍କୁ ତା’ ପିଠିରେ ଗଣିଗଣି ଦଶ ଚାବୁକ ଲଗେଇବାକୁ କହିଲେ। ବାଦଶାହଙ୍କ ଆଦେଶ ପାଳିତ ହେଲା। ଲୋକଟି ଚାବୁକ ମାଡ଼ ଖାଇ କାନ୍ଦିକାନ୍ଦି ଘରକୁ ଗଲା। ଏଥର ପଡ଼ିଲା ତୃତୀୟ ଜଣକର ପାଳି। ଆକବର ତାକୁ ଦେଖି ହସିଦେଲେ ଆଉ ଖୁବ୍ ହାଲୁକା ଭାବନେଇ କହିଲେ, ଏଇଟାକୁ ଲଣ୍ଡା କରିଦିଅ। ମୁହଁରେ ଚୂନକାଳି ବୋଳି ଗାଁଦାଣ୍ଡରେ ବୁଲାଅ।

ଦରବାରରେ ଥିଲେ ବୁଦ୍ଧିମାନ ବୀରବଲ। ସେ ଆକବରଙ୍କ ଏଭଳି ନ୍ୟାୟକୁ ବୁଝିପାରିଲେନି। ଗୋଟିଏ ଚୋରି। ହେଲେ ଦଣ୍ଡ ତିନିଟା। ଆକବର କହିଲେ, ବୀରବଲ! ମୁଁ କ’ଣ ପାଇଁ ଏଭଳି ଦଣ୍ଡ ଦେଲି ଭାବୁଛ ତ ? ଯାଅ, ନିଜେ ଯାଇ ଦେଖିଆସ। ବୀରବଲ ଆଉ ଡେରି ନ କରି ଆକବରଙ୍କ ଦଣ୍ଡର ଅର୍ଥ ପରୀକ୍ଷା କରିବାକୁ ଚାଲିଲେ। ଦେଖିଲେ, ପ୍ରଥମ ବ୍ୟକ୍ତି ଯାହାଙ୍କୁ ଆକବର କ୍ଷମା କରିଦେଇଥିଲେ ସେ ଗ୍ଳାନିରେ ଆତ୍ମହତ୍ୟା କରିଛି। ଦ୍ୱିତୀୟ ଜଣକ ଦରବାରରେ ମାଡ଼ ଖାଇ ଏପରି ଭାଙ୍ଗିପଡ଼ିଛି ସେ ଦୁଇଦିନ ହେବ ଘରେ କବାଟ କିଳି ଶୋଇଛି।

ହେଲେ ତୃତୀୟ ବ୍ୟକ୍ତି ଯାହାକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲୁଥିଲା ସେ ଆରାମରେ ପାନ ଖାଇ ବୁଲୁଛି ଆଉ ପୁଣଥରେ କେଉଁଘରୁ ଚୋରି କରିବ ବୋଲି ଯୋଜନା କରୁଛି। ବୀରବଲ ବୁଝିଲେ, ସମସ୍ତଙ୍କ ପାଇଁ ଦଣ୍ଡ ସମାନ; ମାତ୍ର ଲାଠି ବା ବାଡ଼ି ସମାନ ନୁହେଁ!

-ରାଜେନ୍ଦ୍ର

ଦିନେ ଟଲଷ୍ଟୟଙ୍କୁ ତାଙ୍କର ଜଣେ ଜିଜ୍ଞାସୁ ଛାତ୍ର ପଚାରିଲେ ଗୁରୁଜୀ ! ବାସ୍ତବରେ ଏ ଜୀବନ କ’ଣ ? ଏ ସଂସାର କ’ଣ ? ଏ ଜୀବନ ଆଉ ସଂସାରରେ ମଣିଷମାନଙ୍କର ସ୍ଥିତି କିପରି ? ମୁଁ ଏହାର ରହସ୍ୟ କିଛି ବୁଝିପାରୁନାହିଁ। ଟଲଷ୍ଟୟ ସେତେବେଳେ ତାଙ୍କ ଶସ୍ୟକ୍ଷେତରେ ବୁଲୁଥିଲେ। ବୁଲୁବୁଲି ସେ ଶିଷ୍ୟକୁ ଗପଟିଏ କହିବାରେ ଲାଗିଲେ।

ଥରେ ଜଣେ ଯାତ୍ରୀ ଜଙ୍ଗଲ ରାସ୍ତାଦେଇ ଯାତ୍ରା କରୁଥିଲା । ହଠାତ କଳା ମଚମଚ ଦନ୍ତାହାତୀ ଗର୍ଜନ କରି ତା’ ଆଡ଼କୁ ମାଡ଼ି ଆସିଲା। ଲୋକଟି ଡରିଗଲା ଆଉ କିଛି ଉପାୟ ନ ପାଇ ପାଖରେ ଥିବା ଏକ ଭଙ୍ଗା କୁଅ ଭିତରକୁ ଡେଇଁ ପଡ଼ିଲା। ଆଉ କୂଅ ଭିତରେ ବଢ଼ିଥିବା ଗୋଟେ ଗଛକୁ ଧରି ଝୁଲି ରହିଲା। କିଛି ସମୟ ପରେ ଦେଖିଲା ସେହି କୂଅ ଭିତରେ ରହିଛି ଗୋଟେ ଭୟଙ୍କର କୁମ୍ଭୀର । ତାକୁ ଲାଗିଲା, ସେଇଟା କୁମ୍ଭୀର ନୁହେଁ; ସାକ୍ଷାତ ତା’ର ମୃତ୍ୟୁ। ସେତିକିବେଳେ ଲୋକଟି ଦେଖିଲା, ଗଛର ଫଳ ସବୁ ପାଚି ଖୁବ୍ ସୁନ୍ଦର ବାସୁଛି। ଏହା ଦେଖି ଲୋକଟି ତା’ର ଲୋଭ ସମ୍ଭାଳି ପାରିଲାନି। ଗୋଟିଏ ପରେ ଗୋଟିଏ ସୁସ୍ୱାଦୁ ଫଳ ଆଣି ଖାଇବାରେ ଲାଗିଲା।
ଏତିକି କହି ଟଲଷ୍ଟୟ କହିଲେ, ଏ ସଂସାର ଆଉ ଆମ ଜୀବନ ଠିକ୍ ଏଇପରି। ହାତୀ ପରି କାଳ ଆମକୁ ଗୋଡ଼େଇ ଚାଲିଛି । ମଗର ପରି ମୃତ୍ୟୁ ଆମକୁ ଜଗି ରହିଛି। ତଥାପି ଆମେ ଆମର ଜୀବନକୁ ଗଛର ସୁଆଦିଆ ଫଳ କରି ଉପଭୋଗ କରିଚାଲିଛେ।

-ରାଜେନ୍ଦ୍ର

ଜୀବନରେ ଆପଣ ଯାହା ବି କର୍ମ କରନ୍ତୁ ସେଥିରେ ଅନ୍ୟର ସ୍ବାର୍ଥ ଓ ଭାବପ୍ରବଣତା ନିହାତି ଜଡ଼ିତ ରହିବା ଆବଶ୍ୟକ।

କାହାଣୀଟି ପ୍ରସିଦ୍ଧ ରସାୟନଶାସ୍ତ୍ରୀ ଆଚାର୍ଯ୍ୟ ନାଗାର୍ଜୁନଙ୍କର। ତାଙ୍କର ଏମିତି ଜଣେ ସହାୟକ ଦରକାର ହେଲା ଯିଏ ତାଙ୍କ ସହ ମିଶି ରସାୟନ ପ୍ରସ୍ତୁତ କରିପାରିବ, ଫଳରେ ତାଙ୍କର କାମ ସହଜ ହୋଇଯିବ। ସେ ବିଜ୍ଞାପନ ଦେଲେ । ଦୁଇଜଣ ଯୁବକ ଦରଖାସ୍ତ କଲେ ଆଚାର୍ଯ୍ୟ ନାଗାର୍ଜୁନଙ୍କ ସହ କାର୍ଯ୍ୟ କରିବା ପାଇଁ। ଆଚାର୍ଯ୍ୟ ସେମାନଙ୍କୁ କିଛି ଆବଶ୍ୟକ ସାମଗ୍ରୀ ଦେଇ ଦୁଇଦିନ ମଧ୍ୟରେ ରସାୟନ ପ୍ରସ୍ତୁତ କରିଆଣିବାକୁ କହିଲେ। ଦୁଇଦିନ ପରେ ଜଣେ ଯୁବକ ରସାୟନ ଧରି ଆସିଲା। ଶାସ୍ତ୍ରୀ ପଚାରିଲେ, ରସାୟନ ପ୍ରସ୍ତୁତ କରିବାବେଳେ ତମର କିଛି ଅସୁବିଧା ହୋଇନି ତ? ଯୁବକଟି କହିଲା: ଅନେକ ଘଟଣା ଘଟିଛି। ସାନଭାଇର ଗୋଡ଼ ଭାଙ୍ଗି ଯାଇଛି। ବାପାଙ୍କର ପେଟ ଦରଜ। ମା’ ଘରୁ ଉଠିପାରୁନି। ତଥାପି ସେସବୁକୁ ଛାଡ଼ି ମୁଁ ରସାୟନ ଆଣିଦେଇଛି । ଏତିକିବେଳେ ଦ୍ୱିତୀୟ ଯୁବକଟି ଆସି କହିଲା- ମୁଁ କ୍ଷମା ଚାହୁଁଛି ଶାସ୍ତ୍ରିଜୀ ଯେ, ମୁଁ ରସାୟନ ପ୍ରସ୍ତୁତ କରିପାରିନାହିଁ। ସେଦିନ ଏଠାରୁ ଯିବା ବେଳେ ରାସ୍ତାରେ ଗୋଟିଏ ଗରିବ ବୃଦ୍ଧ ରୋଗୀକୁ ଦେଖିଲି। ସେ ଏତେ ଯନ୍ତ୍ରଣା ପାଉଥିଲା ଯେ ମୁଁ ସହି ପାରିଲିନି। ତାକୁ ଘରକୁ ନେଇ ତା’ର ସେବାକଲି।  ଆପଣଙ୍କ ରସାୟନ କରିବାକୁ ମୁଁ ସମୟ ପାଇଲିନି।

ଏହାଶୁଣି ଶାସ୍ତ୍ରୀ ତ କିଛି କହିଲେନି; ଓଲଟି ପ୍ରଥମ ଯୁବକଟି ଖୁସିରେ ଗଦଗଦ୍ ହୋଇଗଲା। କାରଣ ତା’ର ଚାକିରି ତ ଥୟ। ହେଲେ ଶାସ୍ତ୍ରିଜୀ ଦ୍ୱିତୀୟ ଯୁବକକୁ କହିଲେ, ତୁମେ କାଲିଠୁ ଆସି ମୋ ସହ କାମ କର। ପ୍ରଥମ ଯୁବକକୁ ବୁଝାଇ କହିଲେ, ଯିଏ ନିଜର କାମ କରିବା ବେଳେ ଅନ୍ୟର କଷ୍ଟ ଦେଖିପାରେନା ସେ ଜଗତର ସେବା କରିବ କିପରି ? ମୋ ରସାୟନ ତ ଜଗତର ମଙ୍ଗଳ ପାଇଁ।

-ରାଜେନ୍ଦ୍ର

ଆମେ ଅନେକ ସମୟରେ ସବୁଠାରୁ ଦାମୀ ଉପହାର ଦେଇ ପ୍ରିୟଜନଙ୍କୁ ଆପ୍ୟାୟିତ କରିବାକୁ ଚିନ୍ତା କରୁ। କିନ୍ତୁ ପ୍ରକୃତରେ ପ୍ରୀୟଜନଙ୍କ ପାଇଁ କ’ଣ ହୋଇପାରେ ଦାମୀ ଉପହାର

ଥରେ ତଥାଗତ ବୁଦ୍ଧ ଗୋଟିଏ ରାଜ୍ୟର ସୀମାନ୍ତରେ ନିଜର ଶିଷ୍ୟଗଣଙ୍କ ସହିତ ପ୍ରବେଶ କଲେ। ସୀମାନ୍ତରେ ନଦୀଟିଏ ବୋହି ଯାଉଥିଲା । ତା’ ପାଖରେ ଏକ ଆମ୍ବ ବଗିଚା ରହିଥିଲା।  ଭଗବାନ ବୁଦ୍ଧ ଶିଷ୍ୟମାନଙ୍କୁ ସେଇଠି ଛାଉଣୀ ପକେଇବାକୁ କହିଲେ। ବୁଦ୍ଧ ଆସିଥିବା ଶୁଣି ସେହି ରାଜ୍ୟର ରାଜାଙ୍କ ଖୁସିର ସୀମା ରହିଲାନାହିଁ। ସେ ନିଜର ଦଳବଳ ସହିତ ଅମାପ ଧନ ରତ୍ନ ଧରି ବୁଦ୍ଧଙ୍କୁ ଭେଟିବାକୁ ଆସିଲେ । ମଞ୍ଚ ଉପରକୁ ଯାଇ ବୁଦ୍ଧଙ୍କୁ ଉପହାର ଦେବା ସହିତ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ। ବୁଦ୍ଧ ସାମାନ୍ୟ ହସିଦେଇ ତାଙ୍କୁ କେବଳ ଆଶୀର୍ବାଦ କଲେ । ମାତ୍ର ପଦୁଟିଏ ବି କହିଲେ ନାହିଁ। ଏଥିରେ ରାଜା କ୍ଷୁବ୍ଧ ହେଲେ । କାରଣ ସେ ରାଜା। ତାଙ୍କୁ ବୁଦ୍ଧ ଅନ୍ତତଃ ଆସନ ଛାଡ଼ି ଉଠିଆସିବା କଥା। ଯା’ହେଉ ରାଜା ତଳେ ପଡ଼ିଥିବା ଆସନରେ ବସିଲେ। ଏତିକିବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବୃଦ୍ଧା। ସେ ତଳେ ଠିଆ ହୋଇ କାନ୍ଦିକାନ୍ଦି କହିଲା: ଭଗବାନ! ମୋ ପାଖରେ ଆପଣଙ୍କୁ ଦେବା ଲାଗି କିଛି ନାହିଁ। କେବଳ ଗୋଟିଏ ପାଚିଲା ଆମ୍ବ ଅଛି ଯାହାକୁ ମୁଁ ଅଇଣ୍ଠା କରି ସାରିଛି। କରୁଣାମୟ ପ୍ରଭୁ କ’ଣ ମୋର ଏ ତୁଚ୍ଛ ଭେଟି ସ୍ୱୀକାର କରିବେ।

ଏତିକି ଶୁଣୁଶୁଣୁ ବୁଦ୍ଧ ଆସନ ଛାଡ଼ି ତଳକୁ ଓହ୍ଲେଇ ଆସିଲେ ଓ ଅତି ଆଗ୍ରହର ସହିତ ହାତ ବଢ଼େଇ ବୃଦ୍ଧାଙ୍କ ହାତରୁ ଫଳଟିକୁ ନେଇଗଲେ । ତଳେ ବସିଥିବା ରାଜା ଏଥର ସହଜରେ ବୁଝିଗଲେ ଯେ, ଦାତାର ଅହଂକାର ନୁହେଁ; ଭକ୍ତର ସମର୍ପଣ ହିଁ ଭଗବାନଙ୍କ ସବୁଠୁ ବଡ଼ ସମ୍ପତ୍ତି।

କିଛି ଜାଳିବାକୁ ହେଲେ ଆମେ ପ୍ରଥମେ ଦିଆସିଲିର ରଞ୍ଜକରେ କାଠିଟିକୁ ଘସିଥାନ୍ତି । ଫଳରେ ନିଅାଁ ଜଳେ । ଆମେ ଚାହୁଁଥିବା ଜିନିଷଟି ଜଳେ । ତା’ ସହିତ ଦିଆସିଲିଟି ବି ଜଳିଯାଏ । କାରଣ ଯିଏ ଅନ୍ୟକୁ ଜାଳିବାକୁ ଯାଏ ଆଗ ସେ ନିଜକୁ ହିଁ ଜାଳିଦିଏ ।

ପୁରାଣରୁ ଗପଟିଏ ଶୁଣିବା । ଆମେ ସମସ୍ତେ ବୃତ୍ରାସୁରକୁ ମାରିବା ପାଇଁ ଋଷି ଦଧିଚି ତାଙ୍କର ଅସ୍ଥିଦାନ କରିଥିଲେ । ସେହି ଅସ୍ଥିରୁ ଇନ୍ଦ୍ରଙ୍କର ବଜ୍ର ନିର୍ମାଣ ହୋଇଥିଲା ଆଉ ସେହି ବଜ୍ରରେ ଇନ୍ଦ୍ର ବୃତ୍ରାସୁରକୁ ନିଧନ କରିଥିଲେ ।

ଦଧିଚିଙ୍କ ପୁତ୍ର ପିପ୍ପଲାଦ ସେକଥା ବୁଝିବାକୁ ପ୍ରସ୍ତୁତ ନଥିଲା । ତା’ର ବିଶ୍ୱାସ ହୋଇଯାଇଥିଲା ଯେ, ଏହି ଦେବତାମାନେ ହିଁ ଚକ୍ରାନ୍ତ କରି ତା’ ବାପକୁ ମାରିଦେଇଛନ୍ତି । ତେଣୁ ସେ ସେମାନଙ୍କଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ । ଏହାଭାବି ସେ ଶିବଙ୍କୁ ତପସ୍ୟାକଲା । ଶିବ ପ୍ରକଟ ହୋଇ ବରଯାଚିଲେ । ପିପ୍ପଲାଦ କହିଲେ: ପ୍ରଭୁ ମୋତେ ବରଦାନ ସ୍ୱରୂପ ଆପଣ ଆପଣଙ୍କ ତୃତୀୟ ନେତ୍ର ଖୋଲିଦିଅନ୍ତୁ। ଯେଉଁ ଜଗତରେ ମୋ ବାପା ନାହାନ୍ତି ସେହି ଜଗତ ଧ୍ୱଂସ ହୋଇଯାଉ । ଶିବ ଜାଣିଲେ, ଜିଦଖୋର ପିପ୍ପଲାଦକୁ ବୁଝେଇହେବ ନାହିଁ । ସେ ମାୟାରେ ତାଙ୍କର ତୃତୀୟ ନେତ୍ର ଖୋଲିଲା । ଆଉ ସମଗ୍ର ଜଗତକୁ ଧ୍ୱଂସ କରିବାକୁ ଲାଗିଲା । ସେହି ଅଗ୍ନି ମଧ୍ୟ ପିପ୍ପଲାଦକୁ ଜାଳିବାକୁ ଗୋଡ଼େଇଲା ।

ପିପ୍ପଲାଦ ଶିବଙ୍କୁ କହିଲେ: ମୁଁ ଜଗତକୁ ଧ୍ୱଂସ କରିବାକୁ କହିଥିଲି ପ୍ରଭୁ । ମୋତେ ନୁହେଁ । ଶିବ କହିଲେ: ଜଗତ ଭିତରେ ତ ତମେ ଅଛ । ତେଣୁ ତମେ ଜଗତକୁ ଧ୍ୱଂସ କରିବାକୁ ଚାହିଁଲେ ନିଜ ଧ୍ୱଂସ ନହେବ କେମିତି? ଏଥର ପିପ୍ପଲାଦ ନିଜର ଭୁଲ ବୁଝିପାରିଲେ ।

– ରାଜେନ୍ଦ୍ର

ଅନେକ ସମୟରେ ଆମେ ଭଲ କାମ କଲେ ମଧ୍ୟ ମନରେ ଖରାପ କଥା ଯୁଟୁ ଥାଏ। ସେହିଭଳି ଭଲ ଉଦ୍ଦେଶ୍ୟ ନେଇ ଯଦି କିଛି ଖରାପ ବା ହୀନ କାର୍ଯ୍ୟ କରନ୍ତି ତାହା ପାପ ନୁହେଁ।

ଥରେ ଦୁଇଜଣ ଶିଷ୍ୟ ଗୁରୁଙ୍କ ଆଦେଶ ମାନି ଏକ କାମରେ  ଚାଲିଗଲେ। ବାଟରେ ନଦୀଟିଏ ପଡ଼ିଲା। ସେମାନେ ନଦୀ ପାର ହେବାକୁ ଯାଉଥିବା କିବେଳେ ସୁନ୍ଦରୀ ଯୁବତୀଟିଏ ଆସି ତାକୁ ବି ନଦୀପାର କରିଦେବାକୁ କହିଲା। ପ୍ରଥମ ଶିଷ୍ୟଟି ଆଗ ଯୁବତୀକୁ ଦେଖି କହିଲା ନାରୀଙ୍କ ଛାଇ ନ ମାଡ଼ିବାକୁ ଗୁରୁଙ୍କ ନିର୍ଦ୍ଦେଶ ରହିଛି । ହେଲେ ଦ୍ୱିତୀୟ ଶିଷ୍ୟଟି ଝିଅଟିର ବିକଳ ସହି ପାରିଲାନି। ସେ ଝିଅଟିକୁ ନିଜ କାନ୍ଧରେ ବସେଇ ନଦୀପାର କରିଦେଲା। ପ୍ରଥମ ଶିଷ୍ୟଟି ଦ୍ୱିତୀୟ ଶିଷ୍ୟକୁ ଗାଳିଗୁଲଜ କରୁଥାଏ। କାରଣ ସେ ଗୁରୁଙ୍କ ଆଜ୍ଞା ଅମାନ୍ୟ କରିଛି। ପ୍ରଥମ ଶିଷ୍ୟ ଫେରି ଗୁରୁଙ୍କୁ ସବୁକଥା କହିଲା। ସବୁ ଶୁଣି ଗୁରୁ ବି ନିରବ ରହିଲେ। ତା’ପରଦିନ ପୁଣିଥରେ ସେ ଯାଇ ଗୁରୁଙ୍କୁ କହିଲା ଯେ, ଦ୍ୱିତୀୟ ଶିଷ୍ୟଟି ଅପରାଧ କରିଛି। ସେ ପ୍ରାୟଶ୍ଚିତ କରିବା ଦରକାର। ପ୍ରଥମ ଶିଷ୍ୟଟି ଦିନକୁ ଦୁଇତିନିଥର ଗୁରୁଙ୍କୁ ଯାଇ ଦ୍ୱିତୀୟ ଶିଷ୍ୟ ବିଷୟରେ ଅଭିଯୋଗ କରୁଥାଏ ଆଉ ସେହି ଯୁବତୀକୁ କାନ୍ଧରେ ବସେଇ ନଦୀପାର କରିଥିବା ବିଷୟ ମନେ ପକେଇ ଦେଉଥାଏ।

ଶେଷରେ ଗୁରୁ ଦିନେ ପ୍ରଥମ ଶିଷ୍ୟକୁ ପାଖକୁ ଡାକିଲେ। କହିଲେ ବତ୍ସ, ତମକୁ ହିଁ ପ୍ରାୟଶ୍ଚିତ କରିବାକୁ ହେବ। କାରଣ ସେ ସିନା କେବଳ ତା’ କାନ୍ଧରେ ବସେଇ ଯୁବତୀଟିକୁ ନଦୀ ପାର କରେଇଛି। ହେଲେ ତମେ ସେ ଯୁବତୀକୁ ତମ ମନ ଭିତରେ ବୋହି ଚାଲିଛ। ତମେ ତମ ଅଜାଣତରେ ସେ ଯୁବତୀଟି ପ୍ରତି ଏପରି ଆସକ୍ତ ହୋଇ ଯାଇଛ। ଯାଅ, ତମେ ଯାଇ ପ୍ରାୟଶ୍ଚିତ କର।

–ରାଜେନ୍ଦ୍ର