ଯିଏ ସଫଳତା ପାଏ ତାର ସମସ୍ତ ଦୋଷ ଦୁର୍ବଳତା ଲୁଚିଯାଏ। ତେଣୁ ସଫଳତାକୁ ଲକ୍ଷ୍ୟ ସ୍ଥଳ ଭାବି ଆଗକୁ ଯିବାକୁ ହେବ। ସେଥିପାଇଁ ଆପଣ ଯେତେ ଛୋଟ ହେବାକୁ ପଡେ ସେତେ ଛୋଟ କରି ଦିଅନ୍ତୁ।
ରାମାୟଣର କଥାଟିଏ । ସୀତାଙ୍କର ସନ୍ଧାନ ନିମନ୍ତେ ବାୟୁପୁତ୍ର ହନୁମାନ ସମୁଦ୍ର ମାର୍ଗରେ ଉଡ଼ିଯାଉଥାନ୍ତି। ସର୍ପମାତା ସୁରସା ଆସି ପଥରୋଧ କଲେ । ସର୍ପମାତା ସୁରସା ଏବଂ ହନୁମାନଙ୍କ ମଧ୍ୟରେ ଲାଗିଲା ନିଜର ଶରୀରକୁ ବଢ଼ାଇ ନିଜକୁ ଅନ୍ୟଠାରୁ ବଡ଼ କରିବାର ପ୍ରତିଯୋଗିତା । ସୁରସା ପାଟିକୁ ଯେତିକି ବଢ଼ାଉଥାଆନ୍ତି, ହନୁମାନ ନିଜ ଦେହକୁ ସେତେ ବଡ଼ କରିଦେଉଥାନ୍ତି । ପୁଣି ହନୁମାନ ଯେତିକି ବଡ଼ ହେଉଥାନ୍ତି, ସୁରସା ତା’ର ପାଟିକୁ ତା’ଠୁ ଦୁଇଗୁଣା ବଡ଼ କରିଦେଉଥାଏ । ମାତ୍ର ସେତିକିବେଳେ ହଠାତ୍ ହନୁମାନଙ୍କୁ ସ୍ମରଣ ହେଲା, ତାଙ୍କର ଉଦେ୍ଦଶ୍ୟ ନିଜକୁ ବିଶାଳ ସାବ୍ୟସ୍ତ କରି ବିଶାଳତ୍ୱର ଯଶ ଅର୍ଜନ କରିବା ନୁହେଁ । ତାଙ୍କର ଉଦେ୍ଦଶ୍ୟ ସୀତାଙ୍କୁ ଠାବ କରିବା । ସେ ଯଦି ଏଭଳି ପ୍ରତିଯୋଗିତାରେ ଲାଗି ରହିବେ, ତାହେଲେ ତାଙ୍କର ବାସ୍ତବ ଲକ୍ଷ୍ୟ ହୁଡ଼ିଯିବ । ତେଣୁ ବାସ୍ତବ ଲକ୍ଷ୍ୟକୁ ହାସଲ କରିବା ପାଇଁ ନିଜକୁ ଅବନତ କରିନେବାରେ କୌଣସି ଅସୁବିଧା ନାହିଁ । ବାସ୍, ଏହାପରେ ହନୁମାନ ନିଜକୁ ଶୂନ୍ୟ କରିଦେଲେ, ଅତି ସଂକ୍ଷିପ୍ତ ହୋଇ ସୁରସାଙ୍କ ଉଦରରେ ପଶି ପୁଣି ବାହାରକୁ ବାହାରି ଆସିଲେ । ଏହାପରେ, ସ୍ୱର୍ଣ୍ଣଲଙ୍କା ଓ ସୁବର୍ଣ୍ଣ ପ୍ରତିମା ସୀତାଙ୍କୁ ପାଇବାର ମାର୍ଗ ତାଙ୍କ ଲାଗି ଉନ୍ମୋକ୍ତ ହେଇଗଲା ।


