ଏଇଟା ମହାଭାରତର ଏକ ଉପକଥା। ଘଟଣାଟି ଘଟିଥିଲା ପାଞ୍ଚାଳ ରାଜ୍ୟର ରାଜପ୍ରାସାଦରେ। ରାଜା ଦ୍ରୌପଦ ପୁତ୍ରେଷ୍ଟି ଯଜ୍ଞ କରି ପୁତ୍ର ଧ୍ରୁଷ୍ଟଦୁମ୍ନ ଏବଂ କନ୍ୟା ଯାଜ୍ଞସେନୀ ଦ୍ରୌପଦୀଙ୍କୁ ଲାଭ କରିଥାନ୍ତି।
ଦ୍ରୌପଦୀ ଜଣେ ସାଧାରଣ ନାରୀ ନଥିଲେ। ପୃଥିବୀରୁ ପାପ ନାଶିବାକୁ ତାଙ୍କ ସୃଷ୍ଟି ହୋଇଥିଲା। ତେଣୁ ରାଜା ଦ୍ରୌପଦ ମୁନୀ ଋଷିଙ୍କ ଉପରେ ତାଙ୍କର ଶିକ୍ଷାର ଦାୟିତ୍ୱ ନ୍ୟସ୍ତ କରିଥିଲେ। ମୁନୀ, ଋଷିମାନେ ତାଙ୍କୁ ବେଦ, ପୁରାଣ, ଉପନିଷଦ, ଗଣିତ, ବ୍ୟାକରଣ, ସାହିତ୍ୟ ଆଦି ଶାସ୍ତ୍ର ପଠନ କରିବାକୁ ଦେଇଥାନ୍ତି। ଦ୍ରୌପଦୀଙ୍କ ମଧ୍ୟରେ ପଢ଼ିବାର ନିଶା ଏଭଳି ପ୍ରଖର ଥିଲା ଯେ, ସେ ଖୁବ୍ କମ୍ ଦିନରେ ସବୁକିଛି ପଢ଼ି ଶେଷ କରିଦେଉଥାନ୍ତି। ଦିନେ ମହର୍ଷି ବ୍ୟାସ ପାଞ୍ଚାଳକୁ ଆସିଲେ। ରାଜା ଦ୍ରୌପଦ ତାଙ୍କର ସାଦର ସକ୍ରାର କଲେ। ତାଙ୍କ ରହିବା ଖାଇବାର ବନେ୍ଦାବସ୍ତ କରିଦେଲେ। ସନ୍ଧ୍ୟା ସମୟରେ ଦ୍ରୌପଦୀ ଆସି ଭେଟିଲେ ବ୍ୟାସଦେବଙ୍କୁ। ପ୍ରଣାମ କରି କହିଲେ: ମହର୍ଷି! ମୁଁ ସବୁକିଛି ପଢ଼ି ସାରିଲିଣି। ମୋ ଲାଗି ପଢ଼ିବାକୁ ଆଉକିଛି ନାହିଁ । ମୁଁ ଏବେ କ’ଣ କରିବି ? ବ୍ୟାସଦେବ ହସିଲେ । କହିଲେ: ମା’ ଯାଜ୍ଞସେନୀ! ତମେ ଯେଉଁ ପୋଥିପୁରାଣ ପଢ଼ିଛ ତାହା ବାସ୍ତବ ପାଠ ନୁହେଁ। ମଣିଷ ଲାଗି ବାସ୍ତବ ପାଠ ହେଉଛି ତା’ ନିଜର ଜୀବନ। ପ୍ରତିମୁହୂର୍ତ୍ତରେ ଜୀବନ ତୁମକୁ ନୂଆ କଥା ଶିଖେଇବ। ସେସବୁକୁ ଯଦି ଶିଖି ପାରିବ ତା’ହେଲେ ଜାଣିବ ବାସ୍ତବରେ ତୁମେ କିଛି ପଢ଼ିଛ।
-ରାଜେନ୍ଦ୍ର


