ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ନାନା ଲୋକଙ୍କଠୁ ନାନା କଥା ଶୁଣିବାକୁ ମିଳିଥାଏ। କିଏ ଉତ୍ସାହିତ କରିଥାଏ ତ କିଏ ପୁଣି ନକରାତ୍ମକ କଥା କହି ନିରୁତ୍ସାହିତ କରିଥାଏ। ମାତ୍ର ସଫଳ ସେ ହୋଇଥାଏ ଯିଏ କାହାରି କଥାରେ ଧ୍ୟାନ ନଦେଇ କେବଳ ନିଜ କାମ କରିଚାଲେ।
ଏକଥା କହି ଗୁରୁ ଗପ କହିବା ଆରମ୍ଭ କଲେ। ଥରେ ଗୋଟିଏ ବେଙ୍ଗପଲ ଜଙ୍ଗଲରେ ଯାତ୍ରା କରୁଥାନ୍ତି। ପରସ୍ପର ମଧ୍ୟରେ ଥଟ୍ଟାମଜା କରୁଥାନ୍ତି। ଏମିତି ଅନେକ ବାଟ ଯିବା ପରେ ଆଗରେ ଗୋଟିଏ ଖାଲ ପଡ଼ିଲା । ସବୁ ବେଙ୍ଗ ଖାଲଟିକୁ ଅତିକ୍ରମ କରି ଚାଲିଗଲେ। ମାତ୍ର ଗୋଟିଏ ବେଙ୍ଗ ସେହି ଖାଲ ଭିତରକୁ ଖସି ପଡ଼ିଲା। ଖାଲ ଭିତରକୁ ସିନା ଖସି ପଡ଼ିଲା; ହେଲେ ଖାଲରୁ ବାହାରିବା ଲାଗି ଡିଅାଁକୁଦା ମାରିବାରେ ଲାଗିଗଲା । ଉପରେ ଯେଉଁ ବେଙ୍ଗଦଳ ଥିଲେ ସେମାନେ ଖାଲରେ ପଡ଼ିଥିବା ବେଙ୍ଗଟିକୁଦେଖୁ ଥାଆନ୍ତି । ସେ ଡିଆଁକୁଦା ମାରି କେମିତି ଉପରକୁ ଆସିବାକୁ ବ୍ୟାକୁଳ ହେଉଛି ତାକୁ ଉପଭୋଗ କରୁଥାନ୍ତି। ଖାଲି ଉପଭୋଗ କରୁନଥାନ୍ତି; ତାକୁ ପରିହାସ କରି ନାନାଦି କଥା କହୁଥାନ୍ତି। ଯେତେ ଚେଷ୍ଟାକଲେ କ’ଣ ତୁ ଆଉ ଗାତରୁ ଉପରକୁ ଉଠିବୁ। ମାତ୍ର ବେଙ୍ଗଟି ଖାଲରୁ ଉଠିବାର ଉଦ୍ୟମ ଜାରି ରଖିଥାଏ। ବହୁ ସମୟ ପରେ ସେ ଉପରକୁ ଆସିବାରେ ସକ୍ଷମ ହେଲା।
ଜଣାପଡ଼ିଲା, ଖାଲରେ ପଡ଼ିଥିବା ବେଙ୍ଗଟି ଅନ୍ଧ ଆଉ ବଧିର ଥିଲା। ନା ସେ କାହା କଥା ଶୁଣି ପାରୁଥିଲା ନା କାହାକୁ ଦେଖିପାରୁଥିଲା। ଶେଷରେ ଗୁରୁ କହିଲେ: ଏମିତି ଯିଏ ଅନ୍ୟ କଥାରେ ଆଖି କାନ ବନ୍ଦ କରିଦେବ ଦିନେ ନା ଦିନେ ସେ ସଫଳ ହେବ।
-ରାଜେନ୍ଦ୍ର


