ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ କ୍ଲିନ୍‌ ସୁଇପ୍‌ କରି ଇଂଲଣ୍ଡକୁ ହରାଇଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୫୭ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଇଂଲଣ୍ଡ ଖେଳାଳି ୩୪.୨ ଓଭରରେ ୨୧୪ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ।
ଭାରତୀୟ ବୋଲର ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍‌ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ୱାସିଂଟନ୍‌ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।
ଭାରତୀୟ ଟିମ୍‌ର ରୋହିତ ଶର୍ମା ମାତ୍ର ୨ଟି ବଲ୍‌ ସାମ୍ନା କରି ଆଉଟ୍‌ ହୋଇଯାଇଥିଲେ। ୬ ରନ୍‌ରେ ଭାରତ ପ୍ରଥମ ୱିକେଟ୍‌ ହରାଇଥିଲା କିନ୍ତୁ ଦ୍ୱିତୀୟ ୱିକେଟ୍‌ ପାଇଁ ବିରାଟ କୋହଲି ଓ ଶୁଭମନ୍‌ ଗିଲ୍‌ ୧୧୬ ରନ୍‌ ଭାଗିଦାରୀ କରିପାରିଥିଲେ। ଇଂଲଣ୍ଡର ଦ୍ୱିତୀୟ ଶିକାର ହୋଇଥିଲେ ବିରାଟ କୋହଲି ୫୫ ବଲ୍‌ରେ ୫୨ ରନ୍‌ କରିଥିଲେ। ସେ ୭ ଚୌକା ଓ ଗୋଟିଏ ଛକା କରିଥିଲେ। ଭରତାଠାରୁ ଇଂଲଣ୍ଡ ୧୪୨ ରନ୍ ରେ ପରାଜିତ ହୋଇଛି।
ଯୁବ ବ୍ୟାଟର ଶୁଭମନ୍‌ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍‌ ସଂଗ୍ରହ କରିଥିଲେ।  ଶ୍ରେୟସ ଆୟର ୬୪ବଲ୍‌ରେ ୮ ଚୌକା ଓ ୨ଛକା ସହ ୭୮ରନ୍‌ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ଟି ବଲ୍‌ରେ ୯ଟି ଛକା ମାରିଥିଲେ।
ଅନୁମତି ନ ନେଇ ବ୍ୟକ୍ତିଗତ ସଚିବ ଛୁଟି ନେଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର୍ରମନ୍ତ୍ରୀ ଜୁଏଲ୍‌ ଓରାମ। ଶ୍ରୀ ଓରାମ ବ୍ୟକ୍ତିଗତ ସଚିବଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।
ଜୁଏଲ୍‌ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ବ୍ୟତିଗତ ସଚିବ ଆଇଏଏସ୍‌ ଡ. ପରାଗ ହର୍ଷଦ ଗାଭାଲି ଗତ ଜାନୁୟାରୀ ୨୩ ତାରିଖରୁ କାହାକୁ ନ ଜଣାଇ ଛୁଟିରେ ଅଛନ୍ତି। ସେ କହିଁକି ଛୁଟିରେ ଅଛନ୍ତି ଏବଂ କେତେଦିନ ପାଇଁ ଅଛନ୍ତି ସେ ସମ୍ପର୍କରେ ମନ୍ତ୍ରୀ ଅବଗତ ନ ଥିବା ଦର୍ଶାଇଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି। ଡ. ଗାଭେଲି ସର୍ବଭାରତୀୟ ସେବା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟାରୁ ଅବ୍ୟାହତି ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଥାଉ କି ଗତ କିଛିଦିନ ତଳେ ଜଣେ ଅଧିକାରୀଙ୍କ ବିରୋଧରେ ସମାନ ଧରଣର ଅଭିଯୋଗ ଆଣିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ ସଂଗ୍ରହ ସମୟରେ କଟନୀ ଛଟନୀକୁ ନେଇ କୃଷ୍ଣଚନ୍ଦ୍ର କହିଥିଲେ ଯେ, ଆଇଏଏସ୍‌ ଅଧିକାରୀମାନେ ମନ୍ତ୍ରୀଙ୍କୁ ମୁଣ୍ଡ ନ ପୂରାଇବାକୁ କହୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ରାଜନୈତିକ ନିନ୍ଦା କରାଯାଇଥିଲା। ପ୍ରଶାସକ ଶାସକଙ୍କୁ ମାନିବା ପାଇଁ ମନ୍ତ୍ରୀ ତାଗିଦ୍‌ କରିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କ ନାଁ ଘୋଷଣା ପରେ ଏକ ବଡ଼ ବୟାନ ଦେଇଛନ୍ତି। ଦଳ କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ହେବେନି ବୋଲି କହିଛନ୍ତି।

ସେ ଦିଲ୍ଲୀ ଠାରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିଛି। ସମସ୍ତେ କିଭଳି ଏକାଠି ହୋଇ ଦଳକୁ ଆଗକୁ ନେଇ ହେବ ସେ ଦିଗରେ ଉଦ୍ୟମ କରିବି। ଆସନ୍ତା ୧୮ ତାରିଖରେ ଓଡ଼ିଶା ଫେରିବା ପରେ ପ୍ରଥମେ ବରିଷ୍ଠ ନେତାମାନଙ୍କୁ ଭେଟିବି। ଦଳ ଏଭଳି ସ୍ଥିତିରେ କିଭଳି ଆଗକୁ ଯାଇ ପାରିବ ଆଲୋଚନା କରିବି। ଦଳ ଛାଡିଥିବା ନେତା ଓ କର୍ମୀ ଯଦି ଚାହିଁବେ ତେବେ ବିନା ସର୍ତ୍ତରେ ସେମାନଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ଭକ୍ତ।

ସେ ଆହୁରି କହିଛନ୍ତି ଯେ, ଦଳ ଯଦି ଆଗକୁ କ୍ଷମତାକୁ ଆସେ ତେବେ ମୋର ମୁଖ୍ୟମନ୍ତ୍ରୀ ହେବାର ନାହିଁ। ବିଗତ ଦିନରେ ଦଳ ମୋତେ ଯେଉଁ ପଦ ମର୍ଯ୍ୟାଦା ଦେଇଛି ବା ଦଳ ଠାରୁ ମୁଁ ଯାହା ପାଇଛି ସେଥିପାଇଁ ମୋତେ ପ୍ରତିଦାନରେ ନିଷ୍ଠାପର ଭାବେ କାମ କରିବାର ଅଛି ବୋଲି ଭକ୍ତ କହିଛନ୍ତି।

ଓଡ଼ିଶାରେ ଏ ପର୍ଯ୍ୟନ୍ତ ଜନଜାଗରଣ ସୃଷ୍ଟି ହୋଇନାହିଁ।
ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ପଞ୍ଚାୟତ ଓ ବୁଥ ସ୍ତରରେ କାମ କରିବ ଓ ନିଶ୍ଚୟ ଦଳ ଦୁଇ ନମ୍ବରକୁ ଆସିବ ବୋଲି ସେ ଦୃଢତାର ସହ କହିଛନ୍ତି। ୧୩ ପ୍ରତିଶତ ପୁଞ୍ଜିକି ନେଇ ଦଳ ଆଗକୁ ଯିବ ସେ ଦିଗରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ଫେରିବା ପରେ ଭୁବନେଶ୍ବରରୁ ପୁରୀ ଏକ ପଦଯାତ୍ରା କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ଭକ୍ତ।

ଆପର୍ଟମେଣ୍ଟ ପଞ୍ଜୀକରଣ ନେଇ ଫେବୃଆରୀ ପହିଲାରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରହିତାଦେଶ ଲଗାଛନ୍ତି ହାଇକୋର୍ଟ।

୨୦୨୩ ଅକ୍ଟୋବର ୧୩ରେ ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ରେରା ଆଇନର ବ୍ୟବସ୍ଥା ଅନୁଯାୟୀ ଫ୍ଲାଟ ମାଲିକ ସଂଘ ସପକ୍ଷରେ କମନ ଏରିଆର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରମୋଟରଙ୍କ ଉତର ଦାୟିତ୍ୱ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ନିୟମରେ ଆପାର୍ଟମେଂଟ ମାଲିକ ଏବଂ ଫ୍ଲାଟ ମାଲିକର ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ ରହିଛି।୨୦୨୩ ଅକ୍ଟୋବରରେ ଏହି ଆଇନ ପ୍ରଣୟନ କରାଯାଇ ଡ୍ରାଫ୍ଟ ନିୟମ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏହାପରେ ସରକାର ଏଥିରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ସମ୍ପୃକ୍ତ ଅଂଶୀଦାରଙ୍କ ଠାରୁ ପରାମର୍ଶ ଆହ୍ୱାନ କରିଥିଲେ।
ଫେବୃଆରୀ ଆରମ୍ଭରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ନିୟମ ଆଣିଥିଲେ ରାଜ୍ୟ ସରକାର । ଏଥିରେ ଆପାର୍ଟମେଣ୍ଟ ମାଲିକଙ୍କ ସଂଘ ଗଠନ ଓ ପଞ୍ଜୀକରଣ ନେଇ ସବିଶେଷ ନିୟମ ରହିଥିଲା। ଯାହାଦ୍ବାରା ଆପାର୍ଟ ମେଣ୍ଟ କିଣାବିକା ନେଇ ବାଟ ଫିଟିଥିଲା।

ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ ବେଙ୍ଗାଳୁରୁଙ୍କ ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଯୁବ ଇଞ୍ଜିନିୟର ତଥା ସୁପରିଚିତ ରାପ୍ ସିଙ୍ଗର ଅଭିନବ ସିଂ!

ଏ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଅଭିନବଙ୍କ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରିଛି ଏଵଂ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି। ଅଭିନବଙ୍କ ଘର କଟକର କାଳୀଗଳି ଅଞ୍ଚଳରେ। ସେ ବେଙ୍ଗାଳୁରୁରେ ରହୁଥିଲେ। ତେବେ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଅଭିନବଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଯେଉଁଥିପାଇଁ ସେ ମାନସିକ ଚାପରେ ଥିଲେ ଏଵଂ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଅକୁ ତାଙ୍କ ପତ୍ନୀ ସମେତ, ଶାଶୁ, ଶ୍ଵଶୁର ନିର୍ଯାତନା ଦେଉଥିବା ନେଇ କଟକ ଲାଲବାଗ ଥାନାରେ ଅଭିଯୋଗ କଲେ ଅଭିନବଙ୍କ ପରିବାର ଲୋକେ।

ଅଭିନବଙ୍କ ପତ୍ନୀ ଜଣେ ଅଭିନେତ୍ରୀ। ଗତ କିଛି ମାସ ତଳେ ଅଭିନବଙ୍କ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଅନ୍ୟ ମହିଳାଙ୍କ ସହ ଥିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ।

ଉତ୍ତରପ୍ରଦେଶର ଆଯୋଧ୍ୟାସ୍ଥିତ ରାମ ମନ୍ଦିରର ମୁଖ୍ୟ ପୂଜକ ଆଶ୍ଚର୍ୟ୍ଯ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶ୍ୱାସକ୍ରୀୟ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଫେବୃଆରୀ ୨ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେ ଅଯୋଧ୍ୟାର ଶ୍ରୀରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ସମୟରେ ଆଜି ତାଙ୍କର ପରଲୋକ ହୋଇଯାଇଛି।

ପ୍ରକାଶ ଥାଉ କି ଦୀର୍ଘ ୩୦ ବର୍ଷ ହେଲା ଆଚାର୍ଯ୍ୟ ସତ୍ୟେନ୍ଦ୍ର ରାମମନ୍ଦିର ପୂଜକ ଥିଲେ। କିନ୍ତୁ ନୂତନ ରାମମନ୍ଦିର ନିର୍ମାଣ ଆରମ୍ଭରୁ ହିଁ ମୁଖ୍ୟ ପୂଜକ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଜୋର ଜବରଦସ୍ତ ବଳପ୍ରୟୋଗ କରି ଅଥବା ନାଲି ଆଖି ଦେଖେଇ ଯେଉଁ କାମ କରାଯାଇ ନ ପାରେ; ବିଶ୍ୱାସକୁ ଜିତି, ଭଲପାଇ ତା’ଠୁ ବହୁଗୁଣ ଅଧିକ କାର୍ଯ୍ୟ ହାସଲ କରାଯାଇପାରିଥାଏ।

ଗୁରୁ ଆରିଷ୍ଟୋଟଲଙ୍କର ଏହି କଥାଟିକୁ ସହଜରେ ବୁଝିପାରିଲେ ନାହିଁ ଶିଷ୍ୟ ଆଲେକ୍ଜାଣ୍ଡର ଏକଥା ଜାଣି ଆରିଷ୍ଟୋଟଲ ଆଲେକ୍ଜାଣ୍ଡରଙ୍କୁ ଗୋଟିଏ ଗ୍ରାମକୁ ନେଇଗଲେ । ସେହିଗ୍ରାମର ଲୋକମାନେ ବଣୁଆ ଘୋଡ଼ାଙ୍କୁ ବୋଲ ମନେଇବା ଲାଗି ସେମାନଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖୁଥିଲେ । ପ୍ରଚୁର ମାଡ଼ ମାରୁଥିଲେ । ଖାଇବାକୁ ପିଇବାକୁ ଦେଉ ନ ଥିଲେ । କିଛିଦିନ ପରେ ଘୋଡ଼ାଟି ଅସହାୟ ହୋଇ ମାଲିକର ବୋଲ ମାନୁଥିଲା । ସେ ଯାହା କହୁଥିଲା ତାହା କରୁଥିଲା । ଆରିଷ୍ଟୋଟଲ ସେମାନଙ୍କୁ କହିଲେ, ମୋତେ ଗୋଟେ ଅମଣିଆ ଘୋଡ଼ା ଦିଅ । ମୁଁ ତାହାକୁ ମାରଧର ନ କରି ବି ବୋଲ ମନେଇଦେବି । ଲୋକମାନେ ସେଇଆ କଲେ । ଆରିଷ୍ଟୋଟଲ ଘୋଡ଼ାଟିକୁ ନ ବାନ୍ଧି ମୁକ୍ତ କରିଦେଲେ । ତାକୁ ଖାଇବାକୁ ଦେଲେ । ପାଣି ପିଇବାକୁ ଦେଲେ । ତା’ ସହ ଖେଳିଲେ, କଥା ହେଲେ । ସେ ଯୁଆଡ଼େ ଗଲା ତା’ ସାଙ୍ଗରେ ଗଲେ । ଏମିତି କିଛି ଦିନ ଯିବା ପରେ ଦେଖାଗଲା, ଘୋଡ଼ାଟି କ୍ରମଶଃ ଆରିଷ୍ଟୋଟଲଙ୍କୁ ଖୋଜିବାରେ ଲାଗିଛି । ଯଦି ଆରିଷ୍ଟୋଟଲଙ୍କ ଆସିବା ଡେରି ହୋଇଯାଉଛି ଘୋଡ଼ାଟି ନିଜ ଆଡୁ ଯାଇ ତାଙ୍କ ନିକଟରେ ପହଞ୍ଚି ଯାଉଛି । ଆରିଷ୍ଟୋଟଲ ଠିଆ ହେବାକୁ କହିଲେ ସେ ଠିଆ ହେଉଛି । ବସିବାକୁ କହିଲେ ବସୁଛି ।

ଆରିଷ୍ଟୋଟଲ ଘୋଡ଼ାକୁ ବୋଲ ମନେଇ ଆଲେକ୍ଜାଣ୍ଡରଙ୍କୁ ଏହି ଶିକ୍ଷା ଦେଇଥିଲେ ଯେ, ଦଣ୍ଡ ନୁହେଁ ପ୍ରେମର ଶକ୍ତି ଅଧିକ ଆଉ ଚିରସ୍ଥାୟୀ ତେଣୁ ଦଣ୍ଡ ନୁହେଁ, ପ୍ରେମ ଦିଅ।

– ରାଜେନ୍ଦ୍ର

ଉତ୍କଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ୧୯୨୦ରୁ ୧୯୨୮ ପର୍ଯ୍ୟନ୍ତ ଗୋପବନ୍ଧୁ ଦାସ ଥିବା ବେଳେ ୧୯୩୦ରୁ ୧୯୩୧ ପର୍ଯ୍ୟନ୍ତ ମାତ୍ର ବର୍ଷକ ପାଇଁ ହରେକୃଷ୍ଣ ମହତାବ ପ୍ରଦେଶ କଂଗ୍ରେସ ସଭାପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ।
୧୯୩୪ରୁ ୧୯୩୯ ପର୍ଯ୍ୟନ୍ତ ନୀଳକଣ୍ଠ ଦାସ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ରହିଥିଲେ। ପରେ ୧୯୫୩ରୁ ୧୯୫୪ ପର୍ଯ୍ୟନ୍ତ ବନମାଳୀ ପଟ୍ଟନାୟକ ପିସିସି ସଭାପତି ଭାବେ ରହିଥିବା ବେଳେ ୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ ନୀଳମଣି ରାଉତରାୟ। ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ନିତ୍ୟାନନ୍ଦ ମିଶ୍ର ପିସିସି ସଭାପତି ରହିଥିବା ବେଳେ ୧୯୯୦ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଗିରିଧର ଗମାଙ୍ଗଙ୍କ ହାତରେ ଥିଲା ପିସିସି ଦାୟିତ୍ବ।
ପରବର୍ତ୍ତୀ ସମୟରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୪ ଜୁନ୍‌ ୨୬ରୁ ୨୦୦୯ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଜୟଦେବ ଜେନା ପିସିସି ସଭାପତି ରହିଥିଲେ।
ଜୟଦେବଙ୍କ ପରେ କାମାକ୍ଷ ପ୍ରସାଦ ସିଂହଦେଓ ୨୦୧୧ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ। ନିରଞ୍ଜନ ପଟ୍ଟନାୟକ ୨୦୧୩ ମେ ୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।
ନିରଞ୍ଜନ ପଟ୍ଟନାୟକଙ୍କ ପରେ ଜୟଦେବ ଜେନା ଦ୍ୱିତୀୟଥର ପାଇଁ ପୁଣି ରାଜ୍ୟ କଂଗ୍ରେସର ମୁଖ୍ୟ ପଦକୁ ଫେରିଥିଲେ। ସେ ୨୦୧୩ ମେ ୧୩ରୁ ୨୦୧୪ ଡିସେମ୍ବର ୧୪ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ। ତାଙ୍କ ପରେ ୨୦୧୮ ଏପ୍ରିଲ ୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ କଂଗ୍ରେସର ରାଜ୍ୟ ମୁଖିଆ ସିରିପା ପିନ୍ଧିଥିଲେ।
ପ୍ରସାଦଙ୍କ ପରେ ପୁଣିଥରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ମନୋନିତ ହୋଇ ୨୦୨୨ ମେ ୨୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୨୩ ମେ ୨୩ରେ ଶରତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ୨୦୨୫ ଫେବୃଆରୀ ୧୧  ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ରହିଥିଲେ। ଶରତ ପଟ୍ଟନାୟକଙ୍କ ପରେ ମଙ୍ଗଳବାର ଭକ୍ତ ଚରଣ ଦାସଙ୍କୁ ପ୍ରଥମଥର ପାଇଁ ଏହି ପଦ ମିଳିଛି।
ଦୀର୍ଘଦିନର ବ୍ୟବଧାନ ପରେ ପୂରଣ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ। କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସଙ୍କ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ନେଇ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏଆଇସିସି ପକ୍ଷରୁ ଅବଗତ କରାଯାଇଛି।
ଶ୍ରୀ ଦାସ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିଛନ୍ତି। ଆଇନଜୀବୀ ଭାବେ ପେସା ଆରମ୍ଭ କରିଥିବା ଶ୍ରୀ ଦାସ ରାଜନୀତିରେ ପାଦ ଥାପିଥିଲେ। ସେ ୧୫ ତମ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଭାବେ କାର୍ଯ୍ୟକ କରିଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ମଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରିବେ ଏବଂ ନିରପେକ୍ଷ ଭାବେ ଦଳ ପରିଚାଳନା କରିବେ ବୋଲି କହିଛନ୍ତି। ରାଜ୍ୟରେ କଂଗ୍ରେସକୁ ଆଗେଇ ନେବା ପାଇଁ ନିଷ୍ଠାପର କାମ କରିବେ ବୋଲି କହିଛନ୍ତି ଶ୍ରୀ ଦାସ।
ମାଘ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କୁମ୍ଭମେଳା ପରିସରରେ ଭିଡ଼ ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ହୋଇଛି ଯେ, ପ୍ରୟାଗରାଜକୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ପେୟର ଅଭାବ କ୍ରମେ ପରିଲକ୍ଷିତ ହେବା ଆରମ୍ଭ ହେଲା। ଖାଦ୍ୟ ପାଇଁ ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରୟାଗରାଜ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନ ବଜାରୁ ଖାଦ୍ୟ ସାମଗ୍ରୀ ସରି ଯାଇଥିବାରୁ ଲୋକେ ଖାଦ୍ୟାଭାବର ଶିକାର ହେଉଛନ୍ତି। ଭିଡ଼କୁ ଦେଖି ବିଭିନ୍ନ ଅସାଧୁ ବ୍ୟବସାୟୀମାନେ ମଧ୍ୟ କଳାବଜାରୀ ଆରମ୍ଭ କରିଛନ୍ତି। ଅନେକ ଦୋକାନରୁ ଅଟା, ମଇଦା ସୁଜି ସରିଗଲାଣି। ସେହିଭଳି ଅଧିକାଂଶ ଦୋକାନର ଖାଦ୍ୟ ସାମଗ୍ରୀ ର‍୍ୟାକ୍‌ ଖାଲି ହୋଇଯାଇଛି। ଅଟାର ପ୍ୟାକେଟ୍‌ ଏକ ପ୍ରକାର ସ୍ୱପ୍ନ ହୋଇଯାଇଛି। ଖୋଲାରେ ଯେଉଁ ଅଟା ମିଳୁଛି ତା’ର ମୂଲ୍ୟ ଅମୂଲ୍ୟ ହୋଇଯାଇଛି। ଦୋକାନୀ ଚଢ଼ା ଦରରେ ଅଟା ବିକ୍ରି କରୁଛନ୍ତି। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ କିଲୋପ୍ରତି ଅଟାରେ ଅତିକମ୍‌ରେ ୫ ଟଙ୍କା ଅଧିକ ଦେବାକୁ ପଡ଼ୁଥିବା ବେଳେ ଚିନି କିଲୋପ୍ରତି ୨ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ସୋରିଷ ତେଲ ଏବଂ ରିଫାଇନ୍‌ ତେଲର ଘୋର ଅଭାବ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଅନେକ ଶ୍ରଦ୍ଧାଳୁ ସାଙ୍ଗରେ ନେଇଥିବା ଚୁଡ଼ା ଓ ଗୁଡ଼ ଖାଇ ଫେରୁଛନ୍ତି।
ଅପରପକ୍ଷେ ବ୍ୟବସାୟୀଙ୍କ କହିବାନୁଯାୟୀ ମାଲ୍‌ ଯେତିକି ଥିଲା ତାହା ସରିଗଲା। ଏବେ ଭିଡ଼ ପାଇଁ ସହର ଭିତରକୁ ମାଲବୋଝଇ ଗାଡ଼ି ପ୍ରବେଶ କରିପାରୁ ନ ଥିବାରୁ ଏଭଳି କୁତ୍ରିମ ଅଭାବ ପରିଲକ୍ଷିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରୟାଗରାଜରେ ଥିବା ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ଯୋଗୁଁ ଲୋକେ ଯାନବାହାନ ନେଇ ହଇରାଣ ହେଉଛନ୍ତି। ଅନେକ ଗାଡ଼ି ଓ ମୋଟବୋଟ୍‌ ବି ତୈଳ ପାଇଁ ଅଟକି ରହିଥିବା ଜଣାପଡ଼ିଛି।