ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳି ଫିଙ୍ଗି ଦେଇଛନ୍ତି ଦୁବୃର୍ତ୍ତ। ସ୍ଥାନୀୟ ଲୋକେ ମୃତ ଯୁବକଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଖବର ନେବାରୁ ଜଣାପଡ଼ିଛି ଯେ ଶନିବାର ସକାଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମଡର୍ଣ୍ଣ ସ୍କୂଲ ସମ୍ମୁଖରେ ଥିବା ଏକ ଇଟାଭାଟି ନିକଟରେ ଏକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ମୃତଦେହକୁ ଚିହ୍ନଟ କରିଥିଲା। ଯୁବକ ଜଣକ ଗଞ୍ଜାପାରା ପଂଚାୟତ ମାଡ଼ଗାଁର ପବିତ୍ର ହରିଜନ (୩୨) ବୋଲି ଜଣାପଡ଼ିଛି। ମୃତ ଯୁବକଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳା ଯାଇଥିବା ବେଳେ ପାର୍ଶ୍ଵ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି।
ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି। ଏଥିସହ ନବରଙ୍ଗପୁର ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି।

ପ୍ରୟାଗରା-ମିର୍ଜାପୁର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟି କୁମ୍ଭମେଳାକୁ ଯାଉଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ୧୯ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ ଛତିଶଗଡ଼ର କୋର୍ବା ଜିଲ୍ଲାରୁ ଏକ ବୋଲେରୋରେ ୧୦ ଜଣ ଶ୍ରଦ୍ଧାଳୁମାନେ କୁମ୍ଭମେଳାକୁ ଆସିବା ବେଳେ ବିପରୀତ ଦିଗରୁ ଆସୁଥିବା ବସ୍ ସହ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋରେ ଥିବା ୧୦ ଜଣ ଯାତ୍ରୀଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବସଟି ମଧ୍ୟପ୍ରଦେଶର ରାଜଘର ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କୁ ନେଇ କୁମ୍ଭମେଳା ଯାଇଥିଲା। ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଗୁରୁତର ୧୯ ଯାତ୍ରୀଙ୍କୁ ରାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜୁଛି।

ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ନାନା ଲୋକଙ୍କଠୁ ନାନା କଥା ଶୁଣିବାକୁ ମିଳିଥାଏ। କିଏ ଉତ୍ସାହିତ କରିଥାଏ ତ କିଏ ପୁଣି ନକରାତ୍ମକ କଥା କହି ନିରୁତ୍ସାହିତ କରିଥାଏ। ମାତ୍ର ସଫଳ ସେ ହୋଇଥାଏ ଯିଏ କାହାରି କଥାରେ ଧ୍ୟାନ ନଦେଇ କେବଳ ନିଜ କାମ କରିଚାଲେ।
ଏକଥା କହି ଗୁରୁ ଗପ କହିବା ଆରମ୍ଭ କଲେ। ଥରେ ଗୋଟିଏ ବେଙ୍ଗପଲ ଜଙ୍ଗଲରେ ଯାତ୍ରା କରୁଥାନ୍ତି। ପରସ୍ପର ମଧ୍ୟରେ ଥଟ୍ଟାମଜା କରୁଥାନ୍ତି। ଏମିତି ଅନେକ ବାଟ ଯିବା ପରେ ଆଗରେ ଗୋଟିଏ ଖାଲ ପଡ଼ିଲା । ସବୁ ବେଙ୍ଗ ଖାଲଟିକୁ ଅତିକ୍ରମ କରି ଚାଲିଗଲେ। ମାତ୍ର ଗୋଟିଏ ବେଙ୍ଗ ସେହି ଖାଲ ଭିତରକୁ ଖସି ପଡ଼ିଲା। ଖାଲ ଭିତରକୁ ସିନା ଖସି ପଡ଼ିଲା; ହେଲେ ଖାଲରୁ ବାହାରିବା ଲାଗି ଡିଅାଁକୁଦା ମାରିବାରେ ଲାଗିଗଲା । ଉପରେ ଯେଉଁ ବେଙ୍ଗଦଳ ଥିଲେ ସେମାନେ ଖାଲରେ ପଡ଼ିଥିବା ବେଙ୍ଗଟିକୁଦେଖୁ ଥାଆନ୍ତି । ସେ ଡିଆଁକୁଦା ମାରି କେମିତି ଉପରକୁ ଆସିବାକୁ ବ୍ୟାକୁଳ ହେଉଛି ତାକୁ ଉପଭୋଗ କରୁଥାନ୍ତି। ଖାଲି ଉପଭୋଗ କରୁନଥାନ୍ତି; ତାକୁ ପରିହାସ କରି ନାନାଦି କଥା କହୁଥାନ୍ତି। ଯେତେ ଚେଷ୍ଟାକଲେ କ’ଣ ତୁ ଆଉ ଗାତରୁ ଉପରକୁ ଉଠିବୁ। ମାତ୍ର ବେଙ୍ଗଟି ଖାଲରୁ ଉଠିବାର ଉଦ୍ୟମ ଜାରି ରଖିଥାଏ। ବହୁ ସମୟ ପରେ ସେ ଉପରକୁ ଆସିବାରେ ସକ୍ଷମ ହେଲା।

ଜଣାପଡ଼ିଲା, ଖାଲରେ ପଡ଼ିଥିବା ବେଙ୍ଗଟି ଅନ୍ଧ ଆଉ ବଧିର ଥିଲା। ନା ସେ କାହା କଥା ଶୁଣି ପାରୁଥିଲା ନା କାହାକୁ ଦେଖିପାରୁଥିଲା। ଶେଷରେ ଗୁରୁ କହିଲେ: ଏମିତି ଯିଏ ଅନ୍ୟ କଥାରେ ଆଖି କାନ ବନ୍ଦ କରିଦେବ ଦିନେ ନା ଦିନେ ସେ ସଫଳ ହେବ।

-ରାଜେନ୍ଦ୍ର

ଭାରତ ପାଇଁ ଅସହ୍ୟ ହେଲାଣି ଋଣ ବୋଝ। କେନ୍ଦ୍ର ସରକାର ସଂସଦରେ ଉପସ୍ଥାପିତ କରିଥିବା ଋଣ ବାବଦରେ ସୁଦଧ ଯଦି ହିସାବ କରାଯିବ ତେବେ ଭାରତକୁ ପ୍ରତି ମାସରେ ୧୦ ଲକ୍ଷ କୋଟି ଟଙ୍କା ଗଣିବାକୁ ହେବ। 
ସଂସଦରେ ଉପସ୍ଥାପିତ ରିପୋର୍ଟ୍ ମୁତାବକ ୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଋଣ ପରିମାଣ ୧୭୧ ଲକ୍ଷ ୭୭ ହଜାର କୋଟିରେ ପହଞ୍ଚିଛି। ଋଣ ବାବଦରେ କେନ୍ଦ୍ର ସରକାରଙ୍କୁ ମାସିକ ସୁଧ ବାବଦରେ କେବଳ ୧୦ ଲକ୍ଷ ୬୪ ହଜାର କୋଟି ଦେବାକୁ ପଡୁଛି। ସଂସଦରେ ଏଭଳି ତଥ୍ୟ ରଖିଛନ୍ତି ଖୋଦ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ଅର୍ଥନୀତି ବିଶେଷଜ୍ଞଙ୍କ କହିବାନୁଯାୟୀ ଭିତ୍ତିଭୂମି ବିକାଶ ବାବଦ ଋଣ  ପରିଶୋଧ ପରିମାଣ ଯଦି ଅଧିକ ହେବ, ତାହେଲେ ଏହା ଅର୍ଥନୀତି ପ୍ରତି ବଡ଼ ସଙ୍କଟ ଆଣିଦେବ।

ଅପରପକ୍ଷେ ଚଳିତ ଆର୍ଥିକ ବର୍ଷକୁ ମିଶାଇଲେ ଏହି ଋଣ ପରିମାଣ ୨୦୦ ଲକ୍ଷ କୋଟି ଟପି ପାରେ ବୋଲି ଅର୍ଥନୀତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଯାହାକି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଆଇନର ପରିଧି ବାହାରେ। ସେହିଭଳି ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଋଣ ଏକ ଚତୁର୍ଥାଂଶ କେବଳ ଋଣ ଦ୍ବାରା ପାଣ୍ଠି ସଂଗ୍ରହ କରାଯିବ। ବିତ୍ତୀୟ ପରିଚାଳନା ଆଇନ ମୁତାବକ, କେନ୍ଦ୍ର ସରକାର ଅଭିବୃଦ୍ଧିର ୬୦ ପ୍ରତିଶତ ଭିତରେ ଋଣକୁ ସୀମିତ ରଖିବା କଥା। ଏହି ସୀମା ଅତିକ୍ରମ କରିଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ତଥ୍ୟ ଲୁଚାଇଛନ୍ତି ବୋଲି ଅନେକ ମତ ଦେଉଛନ୍ତି। ବଡ଼ କଥା ହେଉଛି, ଋଣ ସହିତ କେନ୍ଦ୍ର ସରକାରଙ୍କ ରାଜସ୍ବ ନିଅଣ୍ଟ ମଧ୍ୟ ହୋଇଛି। ଯାହାକି ଦେଶର ବିକାଶରେ ଚରମ ବାଧକ ସାଜିପାରେ।

ଗତବର୍ଷ ଦେଶରେ ସୁନାର ଚାହିଦା ୯ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ହିଁ ସୁନାର ଚାହିଦା ହ୍ରାସ ନେଇ ସୂଚନା ଦେଇଛି ବିଶ୍ଵ ସୁନା ପରିଷଦ।
୨୦୨୫ ଆରମ୍ଭରୁ ସୁନା ଦର ଅମୂଲମୂଲ ହୋଇପଡ଼ିଛି। ୧୦ ଗ୍ରାମ୍‌ର ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୮୦ ହଜାର ପାର୍‌ କରିଛି। ଅପରପକ୍ଷେ ଏହି ମୂଲ୍ୟବାନ ଧାତବ ପଦାର୍ଥର ଦାମ୍‌ ଚାହିଦା ଆଗାମୀ ଦିନରେ ଭାରତରେ ସୁନା ଚାହିଦା ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ସୁନା ପରିଷଦ। ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସୁନା ଗହଣାର ଚାହିଦା କମିଲେ ମଧ୍ୟ ନିବେଶ ଉଦ୍ଦେଶ୍ୟରେ ସୁନା ଚାହିଦା ବୃଦ୍ଧି ପାଇବ। ବିଶ୍ୱ ସୁନା ପରିଷଦର ସିଇଓ ସଚିନ ଜୈନ କହିଛନ୍ତି, ୨୦୨୪ରେ ଦେଶରେ ସୁନା ଚାହିଦା ୮୦୨.୮ ଟନ୍‌ ଥିଲା।  ୨୦୨୫ରେ ତାହା ୭୦୦ କିମ୍ବା ୮୦୦ ଟନ୍‌କୁ ହ୍ରାସ ପାଇବ। ସେ ଆହୁରି କହିଛନ୍ତି ଯେ, ପାରମ୍ପରିକ ଭାବେ ଯେତବେଳେ ଦେଶରେ ସୁନା ମହଙ୍ଗା ହୁଏ, ତାହା ପ୍ରଥମେ ଗହଣା କିଣୁଥିବା ଗ୍ରାହକଙ୍କୁ ପ୍ରଭାବିତ କରେ। ଯଦି ଚଳିତ ବର୍ଷ ସୁନା ଦାମ୍‌ ବଢ଼ିବ ତେବେ ଗହଣା ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଲୋକେ ଏକ ନିର୍ଦ୍ଧିଷ୍ଟ ବଜେଟ୍‌ ଭିତରେ ସୁନା କିଣିଥାନ୍ତି। କିନ୍ତୁ ଯେଉଁମାନେ ସୁନାରେ ନିବେଶ କରୁଛନ୍ତି ସେମାନେ ଜବରଦସ୍ତ ଲାଭ ପାଇବେ ବୋଲି ସେ ଜଣାଇଛନ୍ତି। ଭାରତରେ ବିକ୍ରି ହେଉଥିବା ସୁନା ମଧ୍ୟରୁ ୭୦ ପ୍ରତିଶତ ହେଉଛି ଅଳଙ୍କାର। ନିବେଶ ଉଦ୍ଦେଶ୍ୟରେ ବିକ୍ରି ହେଉଥିବା ସୁନାର ଭାଗ ୩୦ ପ୍ରତିଶତ ରହିଛି।
ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଶୁକ୍ରବାର ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି। ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ୱ ମିଳିଛି। ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ଏଆଇସିସି ପକ୍ଷରୁ ଆଜି ପଞ୍ଜାବ ଓ ଜମ୍ମୁ କଶ୍ମୀରରେ ନୂଆ ସଂପାଦକ ନିଯୁକ୍ତ କରାଯାଇଛି। ହିମାଚଳ ପ୍ରଦେଶ, ଚଣ୍ଡିଗଡ, ହରିୟାଣା, ମଧ୍ୟପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, ଓଡିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା, ମଣିପୁର, ତ୍ରିପୁରା, ସିକ୍କିମ,  ନାଗାଲାଣ୍ଡ ଓ ବିହାର ପାଇଁ ମଧ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି।
ଉତ୍ତର ପ୍ରଦେଶର ୪୫ ବର୍ଷୀୟ ଅଜୟ ୧୯୯୮-୯୯ରେ ଛାତ୍ର ସଂଘ ନିର୍ବାଚନ ମାଧ୍ୟମରେ ରାଜନୀତିକୁ ପ୍ରବେଶ କରିଥିଲେ। ୧୯୯୯-୨୦୦୦ରେ ଛାତ୍ରସଂଘ ନିର୍ବାଚନରେ ବିଜୟୀ ହୋଇ ସଭାପତି ହୋଇଥିଲେ। ୨୦୦୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ପରେ କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୨ ଓ ୨୦୧୭ରେ କୁଶୀନଗର ଜିଲ୍ଲା ତମକୁହି ରାଜ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଦୁଇ ଦିନ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ନୂଆ ସଭାପତି ଭାବେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଥିଲା। ଅପରପକ୍ଷେ ଶ୍ରୀ ଦାସଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ ଓ ବହିଷ୍କୃତ ହୋଇଥିଲେ ଦଳ ପକ୍ଷରୁ ତାହା ପ୍ରତ୍ୟାହାର କରାଯାଇଛି। ସେମାନେ ପୁଣିଥରେ ଦଳକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ। ଦଳ ପକ୍ଷରୁ ସେମାନଙ୍କୁ ସମ୍ମାନର ସହ ସ୍ୱାଗତ କରାଯିବ।
୨୦୧୪ରେ ୬୩.୪ ପ୍ରତିଶତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲା ଫେଡାଣ ଜାଣି ନ ଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନ ଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନ ଥିବା ବେଳେ ୨୦୨୪ରେ ତାହା ବଢ଼ି ୪୫.୮ ପ୍ରତିଶତରେ ପହଞ୍ଚିଛି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।
୧୦ ବର୍ଷ ମଧ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍‌ ଓ ବଜେଟ୍‌ ୨୦୨୫-୨୬ରେ ଉପସ୍ଥାପାନ କରାଯାଇଛି। ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।

କିଛିଦିନ ତଳେ ବିବାଦରେ ଫସି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଇଥିବା ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣି ପୁଣି ଥରେ ନିଜ ପଦକୁ ଫେରିଛନ୍ତି।
ମମତା କୁଲକର୍ଣ୍ଣି ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେହିଭଳି କିନ୍ନର ଅଖଡ଼ାର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣଙ୍କ ବିରୋଧରେ ଲାଗିଥିବା ଦାଦାବଟି ଆଦାୟ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ମମତା। ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, କିଛି ଲୋକ ତାଙ୍କ ଗୁରୁ ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଏଥିରେ ଦୁଃଖିତ ହୋଇ ସେ କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଥିଲି।
ମମତା ଆହୁରି ମଧ୍ୟ କହିଛନ୍ତି ଯେ ମହାମଣ୍ଡଳେଶ୍ୱର ହେବା ପରେ ସେ ତାଙ୍କ ଗୁରୁଙ୍କୁ ଯେଉଁ ଉପହାର ଦେଇଥିଲେ ତାହା ଛତା, ବାଡ଼ି ଏବଂ ପଙ୍ଖା ପାଇଁ ଥିଲା। ବାକି ଟଙ୍କା ସେ ଭଣ୍ଡାର ପାଇଁ ଦେଇଛନ୍ତି। ତାଙ୍କୁ ପୁଣି ସେହି ପଦରେ ପୁଣି ଥରେ ବସାଇଥିବାରୁ ତାଙ୍କ ଗୁରୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ମମତା। ଆଗକୁ କିନ୍ନର ଅଖାଡ଼ା ଏବଂ ସନାତନ ଧର୍ମ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିବେ ବୋଲି ଘୋଷଣା କରିଛନ୍ତି।
ସୂଚାଇ ଦିଆଯାଇ ପାରେ ଯେ, ଜାନୁଆରୀ ୨୪ ତାରିଖରେ, କିନ୍ନର ଆଖଡ଼ା ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରେ ବସାଇଥିଲା। କିନ୍ତୁ ଗତ ଫେବ୍ରୁଆରି ୧୦ ତାରିଖରେ ସେ ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଥିଲେ।

ଶୀତ ଯିବାର କିଛିଦିନ ପରେ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ହ୍ରାସ ପାଇଛି। ଗୁରୁବାର ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରୀ ରହିଥିଲା।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ବରାତିରେ ଅର୍ଥାତ୍ ବୁଧବାର ରାତିରେ ଭୁବନେଶ୍ୱର ତାପମାତ୍ରା ରହିଥିଲା ୨୧.୬ ଡିଗ୍ରୀ ସେଲସିୟସ। ଯାହା ପୂର୍ବ ରାତି ତୁଳନାରେ ୩.୫ ଡିଗ୍ରୀ କାମ। ସେହିଭଳି ରାଉରକେଲା ତାପମାତ୍ରା ୧୩ ଡ଼ିଗ୍ରୀରୁ ଖସି ୯.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାର ତାପମାତ୍ରା ୧୩.୨ ରୁ ୧୦.୨ ଡିଗ୍ରୀକୁ ହ୍ରାସ ପାଇଛି।

ସୁନ୍ଦରଗଡ଼ର ରାତ୍ରୀକାଳୀନ ସର୍ବନିମ୍ନ ତାପମାତ୍ରା ୧୫.୩ ରୁ ୧୨.୬ କୁ ଖସି ଆସିଛି। ପ୍ରକାଶ ଥାଉ କି ଗୁରୁବାର ଭୁବନେଶ୍ଵରର ଦିନବେଳା ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଥିଲା। ଯାହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ପ୍ରକାଶ ଥାଉ କି ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ହ୍ରାସ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସହିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।