ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କ ନାଁ ଘୋଷଣା ପରେ ଏକ ବଡ଼ ବୟାନ ଦେଇଛନ୍ତି। ଦଳ କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ହେବେନି ବୋଲି କହିଛନ୍ତି।
ସେ ଦିଲ୍ଲୀ ଠାରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିଛି। ସମସ୍ତେ କିଭଳି ଏକାଠି ହୋଇ ଦଳକୁ ଆଗକୁ ନେଇ ହେବ ସେ ଦିଗରେ ଉଦ୍ୟମ କରିବି। ଆସନ୍ତା ୧୮ ତାରିଖରେ ଓଡ଼ିଶା ଫେରିବା ପରେ ପ୍ରଥମେ ବରିଷ୍ଠ ନେତାମାନଙ୍କୁ ଭେଟିବି। ଦଳ ଏଭଳି ସ୍ଥିତିରେ କିଭଳି ଆଗକୁ ଯାଇ ପାରିବ ଆଲୋଚନା କରିବି। ଦଳ ଛାଡିଥିବା ନେତା ଓ କର୍ମୀ ଯଦି ଚାହିଁବେ ତେବେ ବିନା ସର୍ତ୍ତରେ ସେମାନଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ଭକ୍ତ।
ସେ ଆହୁରି କହିଛନ୍ତି ଯେ, ଦଳ ଯଦି ଆଗକୁ କ୍ଷମତାକୁ ଆସେ ତେବେ ମୋର ମୁଖ୍ୟମନ୍ତ୍ରୀ ହେବାର ନାହିଁ। ବିଗତ ଦିନରେ ଦଳ ମୋତେ ଯେଉଁ ପଦ ମର୍ଯ୍ୟାଦା ଦେଇଛି ବା ଦଳ ଠାରୁ ମୁଁ ଯାହା ପାଇଛି ସେଥିପାଇଁ ମୋତେ ପ୍ରତିଦାନରେ ନିଷ୍ଠାପର ଭାବେ କାମ କରିବାର ଅଛି ବୋଲି ଭକ୍ତ କହିଛନ୍ତି।
ଓଡ଼ିଶାରେ ଏ ପର୍ଯ୍ୟନ୍ତ ଜନଜାଗରଣ ସୃଷ୍ଟି ହୋଇନାହିଁ।
ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ପଞ୍ଚାୟତ ଓ ବୁଥ ସ୍ତରରେ କାମ କରିବ ଓ ନିଶ୍ଚୟ ଦଳ ଦୁଇ ନମ୍ବରକୁ ଆସିବ ବୋଲି ସେ ଦୃଢତାର ସହ କହିଛନ୍ତି। ୧୩ ପ୍ରତିଶତ ପୁଞ୍ଜିକି ନେଇ ଦଳ ଆଗକୁ ଯିବ ସେ ଦିଗରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ଫେରିବା ପରେ ଭୁବନେଶ୍ବରରୁ ପୁରୀ ଏକ ପଦଯାତ୍ରା କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ଭକ୍ତ।


