ଦୀର୍ଘଦିନର ବ୍ୟବଧାନ ପରେ ପୂରଣ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ। କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସଙ୍କ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ନେଇ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏଆଇସିସି ପକ୍ଷରୁ ଅବଗତ କରାଯାଇଛି।
ଶ୍ରୀ ଦାସ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିଛନ୍ତି। ଆଇନଜୀବୀ ଭାବେ ପେସା ଆରମ୍ଭ କରିଥିବା ଶ୍ରୀ ଦାସ ରାଜନୀତିରେ ପାଦ ଥାପିଥିଲେ। ସେ ୧୫ ତମ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଭାବେ କାର୍ଯ୍ୟକ କରିଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ମଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରିବେ ଏବଂ ନିରପେକ୍ଷ ଭାବେ ଦଳ ପରିଚାଳନା କରିବେ ବୋଲି କହିଛନ୍ତି। ରାଜ୍ୟରେ କଂଗ୍ରେସକୁ ଆଗେଇ ନେବା ପାଇଁ ନିଷ୍ଠାପର କାମ କରିବେ ବୋଲି କହିଛନ୍ତି ଶ୍ରୀ ଦାସ।


