TT Ads
ମାଘ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କୁମ୍ଭମେଳା ପରିସରରେ ଭିଡ଼ ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ହୋଇଛି ଯେ, ପ୍ରୟାଗରାଜକୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ପେୟର ଅଭାବ କ୍ରମେ ପରିଲକ୍ଷିତ ହେବା ଆରମ୍ଭ ହେଲା। ଖାଦ୍ୟ ପାଇଁ ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରୟାଗରାଜ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନ ବଜାରୁ ଖାଦ୍ୟ ସାମଗ୍ରୀ ସରି ଯାଇଥିବାରୁ ଲୋକେ ଖାଦ୍ୟାଭାବର ଶିକାର ହେଉଛନ୍ତି। ଭିଡ଼କୁ ଦେଖି ବିଭିନ୍ନ ଅସାଧୁ ବ୍ୟବସାୟୀମାନେ ମଧ୍ୟ କଳାବଜାରୀ ଆରମ୍ଭ କରିଛନ୍ତି। ଅନେକ ଦୋକାନରୁ ଅଟା, ମଇଦା ସୁଜି ସରିଗଲାଣି। ସେହିଭଳି ଅଧିକାଂଶ ଦୋକାନର ଖାଦ୍ୟ ସାମଗ୍ରୀ ର‍୍ୟାକ୍‌ ଖାଲି ହୋଇଯାଇଛି। ଅଟାର ପ୍ୟାକେଟ୍‌ ଏକ ପ୍ରକାର ସ୍ୱପ୍ନ ହୋଇଯାଇଛି। ଖୋଲାରେ ଯେଉଁ ଅଟା ମିଳୁଛି ତା’ର ମୂଲ୍ୟ ଅମୂଲ୍ୟ ହୋଇଯାଇଛି। ଦୋକାନୀ ଚଢ଼ା ଦରରେ ଅଟା ବିକ୍ରି କରୁଛନ୍ତି। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ କିଲୋପ୍ରତି ଅଟାରେ ଅତିକମ୍‌ରେ ୫ ଟଙ୍କା ଅଧିକ ଦେବାକୁ ପଡ଼ୁଥିବା ବେଳେ ଚିନି କିଲୋପ୍ରତି ୨ ଟଙ୍କା ଅଧିକ ଦେବାକୁ ପଡ଼ୁଛି। ସୋରିଷ ତେଲ ଏବଂ ରିଫାଇନ୍‌ ତେଲର ଘୋର ଅଭାବ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଅନେକ ଶ୍ରଦ୍ଧାଳୁ ସାଙ୍ଗରେ ନେଇଥିବା ଚୁଡ଼ା ଓ ଗୁଡ଼ ଖାଇ ଫେରୁଛନ୍ତି।
ଅପରପକ୍ଷେ ବ୍ୟବସାୟୀଙ୍କ କହିବାନୁଯାୟୀ ମାଲ୍‌ ଯେତିକି ଥିଲା ତାହା ସରିଗଲା। ଏବେ ଭିଡ଼ ପାଇଁ ସହର ଭିତରକୁ ମାଲବୋଝଇ ଗାଡ଼ି ପ୍ରବେଶ କରିପାରୁ ନ ଥିବାରୁ ଏଭଳି କୁତ୍ରିମ ଅଭାବ ପରିଲକ୍ଷିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରୟାଗରାଜରେ ଥିବା ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ଯୋଗୁଁ ଲୋକେ ଯାନବାହାନ ନେଇ ହଇରାଣ ହେଉଛନ୍ତି। ଅନେକ ଗାଡ଼ି ଓ ମୋଟବୋଟ୍‌ ବି ତୈଳ ପାଇଁ ଅଟକି ରହିଥିବା ଜଣାପଡ଼ିଛି।
OJ Ads

Leave a Reply

Your email address will not be published. Required fields are marked *