TT Ads

ବିଶ୍ୱବିଜୟୀ ନେପୋଲିୟନ୍ ଯେ ଏକଦା ଜଣେ ବିଧବାମହିଳାଙ୍କୁ ପ୍ରେମ କରି ବସିବେ ତାହା ଯେତିକି ଆଶ୍ଚର୍ଯ୍ୟର ପ୍ରସଙ୍ଗ ଥିଲା ତା ଠାରୁ ବିସ୍ମୟ ଜଣକ ଥିଲା ସେ ମହିଳା ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଯେଉଁଥିପାଇଁ ନେପୋଲିୟନ୍ ଏକ ତରଫା ପ୍ରେମରେ ପଡି ଯାଇଥିଲେ।

କିଛି ଦିନ ବିତିଲା । ନେପୋଲିଅନ୍ ଭାବିଥିଲେ କାମରେ ବ୍ୟସ୍ତ ରହିଲେ ତାଙ୍କ ଭିତରୁ ସେହି ମହିଳାଙ୍କର ଛବି ଲିଭିଯିବ । ମାତ୍ର ନା- ସେ ଛବି ଲିଭିବାର ନଥିଲା । ନେପୋଲିଅନ୍ ଯେତେ ଭୁଲିବାକୁ ଚେଷ୍ଟା କରୁଥିଲେ ସେ ଛବି ସେତେ ତାଙ୍କ ଭିତରେ ଗଭୀର ହୋଇ ଆଙ୍କି ହୋଇଯାଉଥିଲା । ଶେଷରେ ନେପୋଲିଅନ୍ ନିଷ୍ପତ୍ତି ନେଲେ ସେ ସେହି ମହିଳାଙ୍କୁ ଖୋଜିବେ ।
ସେ ତାଙ୍କର ବିଶ୍ୱସ୍ତ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଲେ ସେହି ମହିଳାଙ୍କର ପତ୍ତା ଲଗେଇବାକୁ । ଚାରିଆଡ଼େ ଖେଳିଗଲେ ଗୁପ୍ତଚର । ଦିନେ ଦୁଇଦିନ ଭିତରେ ସେମାନେ ଆସି ଖବର ଦେଲେ ଯେ, ସେ ମହିଳା ଜଣକ ହେଉଛନ୍ତି ଫ୍ରାନ୍ସର ଜଣେ ସୈନିକଙ୍କ ପତ୍ନୀ । ତାଙ୍କର ନାମ – ଯୋଶେଫାଇନ୍! ବିଧବା ଯୋଶେଫାଇନଙ୍କର ସଂସାର କହିଲେ ତାଙ୍କର ଏକମାତ୍ର ଝିଅ ୟୁଜିନ୍!
ନେପୋଲିଅନଙ୍କ ଭିତରେ ଆଶାର କିରଣଟିଏ ଦିକଦିକ୍ ହୋଇ ଜଳିଉଠିଲା । ସେ ଭାବିଲେ, ଯଦି କେହି ଫ୍ରାନ୍ସର ସାମ୍ରାଜ୍ଞୀ ହେବ ତା’ହେଲେ ସେ ହେବ ଯୋଶେଫାଇନ୍!
ନେପୋଲିଅନ୍ ଇଚ୍ଛା କରିଥିଲେ ନିମିଷକରେ ଯୋଶେଫାଇନଙ୍କୁ ହାସଲ କରିପାରିଥାନ୍ତେ । ତାଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିଥାନ୍ତେ । କାରଣ ସେତେବେଳେ ଫ୍ରାନ୍ସ କହିଲେ ଇତିହାସ ବୁଝୁଥିଲା ନେପୋଲିଅନ୍ ବୋନାପାର୍ଟଙ୍କୁ । ସେ ଇସାରା କରିଥିଲେ ତାଙ୍କର କର୍ମଚାରୀମାନେ ଯୋଶେଫାଇନଙ୍କୁ ଧରିଆଣି ପହଞ୍ଚେଇ ଦେଇଥାନ୍ତେ ତାଙ୍କର ଶୟନ କକ୍ଷ ଭିତରେ । ମାତ୍ର ନା, ନେପୋଲିଅନ୍ କୌଣସି ବି ଦୃଷ୍ଟିକୋଣରୁ ଜଣେ ନାରୀ ମାଂସଲୋଭୀ ସଇତାନ ନଥିଲେ । ସେ ଥିଲେ ଯୋଶେଫାଇନଙ୍କର ରୂପର ପୂଜାରୀ । ପ୍ରଥମ ଦେଖାରେ ସେ ଯୋଶେଫାଇନଙ୍କୁ ତାଙ୍କର ହୃଦୟ ରାଜ୍ୟର ରାଜେଶ୍ୱରୀ ଆସନରେ ବସେଇ ଦେଇଥିଲେ । ସେଥିଲାଗି ସେ ଯୋଶେଫାଇନଙ୍କ ହୃଦୟ ଜିତିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ ଯୋଶେଫାଇନ୍ ହେବ ତାଙ୍କର ପ୍ରେମିକା । ଯୋଶେଫାଇନଙ୍କ ପ୍ରେମର ତରଙ୍ଗରେ ତାଙ୍କର ଯୁଦ୍ଧଖୋର ଜୀବନ ହୋଇ ଉଠିବ ପ୍ରେମମୟ!

ଯୋଶେଫାଇନଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ନେପୋଲିଅନ୍ । ସେ ତାଙ୍କୁ ତାଙ୍କ ନିଜଠୁ ବି ବଳି ବେଶି ଭଲପାଉଥିଲେ । ସେଥିଲାଗି ଦିନରେ ଯୁଦ୍ଧକ୍ଷେତ୍ରରେ ଶତ୍ରୁସୈନ୍ୟଙ୍କ ରକ୍ତରେ ଭିଜିଯାଇଥିବା ହାତକୁ ରାତିରେ ପ୍ରେମର ଶବ୍ଦରେ ଧୋଉଥିଲେ । ବିଳମ୍ବିତ ରାତିଯାଏ ଶିବିରରେ ବସି ପ୍ରାଣପି୍ରୟା ଯୋଶେଫାଇନଙ୍କ ନିକଟକୁ ପ୍ରେମପତ୍ର ଲେଖୁଥିଲେ । ଆଉ ସକାଳ ହେବା ମାତ୍ରେ ତାହାକୁ ନିଜର ଅଙ୍ଗରକ୍ଷୀଙ୍କ ହାତରେ ପଠେଇ ଦଉଥିଲେ ଯୋଶେଫାଇନଙ୍କ ନିକଟକୁ । ଭାବୁଥିଲେ, ରାଜନଅରରେ ଏକୁଟିଆ ଥିବ ଯୋଶେଫାଇନ୍ । ଝୁରି ହେଉଥିବ ତାଙ୍କୁ । ଏ ପ୍ରେମପତ୍ର ପାଇଲେ ସେ ଖୁସି ହୋଇଯିବ ପରା!

ମାତ୍ର ଯୋଶେଫାଇନ୍ କ’ଣ ଠିକ୍ ଏଇଆ ଭାବୁଥିଲା, ଯୁଦ୍ଧକ୍ଷେତ୍ରରେ ଥାଇ ଯେଉଁ କଥା ଭାବୁଥିଲେ ଫ୍ରାନ୍ସର ସମ୍ରାଟ ନେପୋଲିଅନ୍ ବୋନାପାର୍ଟ!
କେହି ଜଣେ ସତ କହିଥିଲେ: ୱାଫା ନା ରାସ୍ ଆଇ… ଯୋଶେଫାଇନ୍ ବନି ହରଜାଈ । ହରଜାଈ ଅର୍ଥାତ୍, ବିଶ୍ୱାସଘାତିନୀ ପାଲଟି ଯାଇଥିଲେ ଯୋଶେଫାଇନ୍ । ସେଥିଲାଗି ନେପୋଲିଅନଙ୍କ ପାଖରୁ ଯୁଦ୍ଧକ୍ଷେତ୍ରରୁ ତାଙ୍କ ନିକଟକୁ ଆସୁଥିବା ପ୍ରେମପତ୍ର ସବୁର କୌଣସି ମୂଲ୍ୟ ନଥିଲା ତାଙ୍କ ନିକଟରେ । ତାଙ୍କ ଦୃଷ୍ଟିରେ ସେସବୁ ଥିଲା ଭାବୁକ ନେପୋଲିଅନଙ୍କର ବକୱାସ୍ । କାରଣ ନେପୋଲିଅନଙ୍କ ଅଜାଣତରେ ସେ ହୋଇ ସାରିଥିଲେ ହିପୋଲାଇଟ୍ ଚାର୍ଲସଙ୍କ ପ୍ରେମିକା! ନେପୋଲିଅନ୍ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ଲଢ଼େଇ କରୁଥିଲେ ସେତେବେଳେ ଯୋଶେଫାଇନ୍ ପ୍ରେମିକ ଚାର୍ଲସଙ୍କୁ ନିଜ ଅନ୍ତଃପୁରକୁ ଡକେଇଆଣି ଦେହର ଭୋକ ମେଣ୍ଟାଉଥିଲେ । ସତ କହିବାକୁ ଗଲେ ନେପୋଲିଅନଙ୍କ ପ୍ରତି ତାଙ୍କ ଭିତରେ ଆଉ ସାମାନ୍ୟ ବି ପ୍ରେମ ଅଥବା ସମ୍ବେଦନଶୀଳତା ନଥିଲା।

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *