ରାସ୍ତାରେ ଯାଉଥିବା କଲେଜ ଛାତ୍ରୀମାନେ କେତେ ସୁରକ୍ଷିତ
ଭୁବନେଶ୍ୱର, ୧୧/୧ (ଓଡ଼ିଶା ଜାଗରଣ): ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଓଡ଼ିଶା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଦୁଇଦିନ ଧରି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଦୁଇଜଣ ଛାତ୍ରୀ କଲେଜ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ଧମକାଉଥିବା ଭିଡ଼ିଓରେ ଶୁଣିବାକୁ ମିଳୁଛି। ଦୁଇଜଣ ଛାତ୍ରୀଙ୍କ ପାଖକୁ ଜଣେ ଆସି ପ୍ରଥମେ ନାଳୁଆ କ’ଣ କହୁଛୁ ବୋଲି ପଚାରୁଛି। ଛାତ୍ରୀମାନେ ‘କିଛି କହିନାହୁଁ’ ବୋଲି କହିବା ସତ୍ତ୍ବେ ଜଣେ ଯୁବକ ବାମହାତରେ ମୋବାଇଲ୍ ଧରିଆସି ଡାହାଣ ହାତରେ ଛାତ୍ରୀଙ୍କ ଗାଲକୁ ମାରିବା ଆରମ୍ଭ କରିବାରେ ଲାଗିଛି। ଏମିତି କି ଯୁବକଙ୍କ ମାଡ଼ରେ ଜଣେ କଲେଜ ଛାତ୍ରୀଙ୍କ ଚଷମା ଛିଟିକି ଦୂରରେ ପଡୁଛି। ତା ପରେ ଅନ୍ୟଜଣେ ଯୁବକ କହୁଛନ୍ତି କଲେଜ ଯାଉଛ ବାଟେ ବାଟେ ଯିବ। ଛାତ୍ରୀ ଦୁଇଜଣ ଚାଲିଯାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ମାତ୍ର କିଛି ସମୟର ଭିଡ଼ିଓ ଲକ୍ଷ ଲକ୍ଷ ମାତ୍ରାରେ ଭାଇରଲ୍ ହେବାରେ ଲାଗିଛି। ଘଟଣାଟି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି କୁହାଯାଉଛି। ଏ ନେଇ ପୁଲିସ କେଉଁ କାର୍ଯ୍ୟାନୁଷ୍ଠାନ ନେଇଛି ସେ ନେଇ କିଛି ଜଣା ପଡିନି।

ଅପରାଧ ଭିଆଇବା ପାଇଁ ଆସିଥିଲେ ଦୁର୍ବୃତ୍ତ। ସାଙ୍ଗରେ ଆଣିଥିଲେ ବୋମା। କିନ୍ତୁ କିଛି କାଣ୍ଡ ଭିଆଇବା ଆଗରୁ ପୁଲିସ ଆସିଗଲା। ଫଳରେ ରାସ୍ତା କଡ଼ରେ ବୋମା ରଖି ଚାଲିଗଲେ ଦୁର୍ବୃତ୍ତ।

ବ୍ରହ୍ମପୁର, ୨୨/୧(ଓଡ଼ିଶା ଜାଗରଣ): ଜାତୀୟ ରାଜପଥର ଖଜୁରିଆ ରୋଡରେ ଥିବା ଏକ ଫାର୍ମ ହାଉସ ନିକଟରୁ ୭ ଟି ଅଫୁଟା ବୋମା ଜବତ କରିଛି ବ୍ରହ୍ମପୁର ପୁଲିସ। ପୁଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋମା ଗୁଡ଼ିକୁ ନିଷ୍କ୍ରିୟ କରିଦେଇଥିବା ଜଣାପଡ଼ିଛି। ଅପରପକ୍ଷେ କେଉଁଠୁ ଏବଂ କିଭଳି ଏହି ବୋମାଗୁଡ଼ିକ ଆସିଲା ପୁଲିସ ସେ ନେଇ ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦୁର୍ବୃତ୍ତ ବୋମା ଭିଡ଼ି ବିକ୍ରି ପାଇଁ ଆଣିଥିଲେ। ନିର୍ଦ୍ଦିଷ୍ଟ ସ୍ଥାନରେ ମୂଲଚାଲ ହୋଇ ନ ପାରିବାରୁ ବୋମଗୁଡ଼ିକ ଛାଡ଼ି ଚାଲି ଯାଇଥାଇ ପାରନ୍ତି।

ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ମିଳନ

୨୦୨୫ ମସିହା, ଜାନୁଆରୀ ଦ୍ବିତୀୟ ଅର୍ଦ୍ଧର ସବୁଦିନ ସଂଧ୍ୟା ଆକାଶରେ ୪ ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଆସିବ । ଏଥି ସହ ଆକାଶରେ ଖାଲି ଆଖିରେ ଦେଖାଯିବ ଶୁକ୍ର ଓ ଶନି ଗ୍ରହର ଦୌଡ, ମିଳନ ଓ ଶୁକ୍ର କୁ ଟପି ଶନି ଗ୍ରହ ଆଗକୁ ବଢିବାର ଅପୂର୍ବ ଦୃଶ୍ୟ ।
ବର୍ତ୍ତମାନ ଠାରୁ ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ । ଏବେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛ ଉପରକୁ ଇଷତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟରେ ମଙ୍ଗଳ ଗ୍ରହ ଓ କିଛି ଉପରେ ଥିବ ଉଜ୍ବଳ ବୃହଷ୍ପତି ଗ୍ରହ । ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ । ରାତି ୮.୩୦ଟା ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବ । ସବୁଠାରୁ ଆର୍କଷଣୀୟହେବ ଜାନୁଆରୀ ମାସ ୧୮ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ । ଏବେ ଶନି ଗ୍ରହ ଶୁକ୍ରର ବେସ୍ ଉପରେ ଦେଖାଯାଉଛି, ପରବର୍ତି ଦିନ ଗୁଡିକରେ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମି କମି ୧୮ ତାରିଖ ସଂଧ୍ୟାରେ ପ୍ରୟ ୨ ଘଣ୍ଟା ଧରି ଶୁକ୍ର ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହ ଠାରୁ ଦୁରେଇ ଯିବ ।
ସୂର୍ଯ୍ୟ ଚାରିପଟେ ବୁଲୁଥିବା ୮ଟି ଗ୍ରହ ଭିତରୁ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି କୁ ଖାଲି ଆଖିରେ ଦେଖିହୁଏ । ସୂର୍ଯ୍ୟ ଚାରିପଟେ ଅଲଗା ଅଲଗା ବେଗରେ ବୁଲିବା ଫଳରେ କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି । ଏହାକୁ ଗ୍ରହ ସମାବେଶ ବା ଇଂରାଜୀ ରେ ‘ପ୍ଲାନେଟ୍‌ ପରେଡ’ କୁହାଯାଏ । ଆକାଶରେ ଏକ ସମୟରେ ତିନୋଟି ଗ୍ରହ ଦେଖାଯିବା ଏକ ଅତି ସାଧାରଣ ଘଟଣା । ପ୍ରତି ବର୍ଷ ଅନେକ ଥର କିଛି ଦିନ ଧରି ଏହା ଦେଖାଯାଏ | ସେହିଭଳି ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ । ପାଞ୍ଚଟି ଗ୍ରହ – ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ – ପ୍ରାୟ ଶହେ ସତୁରି ବର୍ଷରେ ଥରେ ଏକା ସମୟରେ ଦେଖାଯାଏ ।
ବିଶ୍ବ ସାରା ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ମାନେ ନିଜ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶୀୟ ଉତ୍ସବ ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହେଲେଣି । ଏଭଳି ଏକ ସୁଯୋଗ ବିଶେଷକରି ଛାତ୍ରୀ- ଛାତ୍ର ମାନେ ହାତଛଡା କରନ୍ତୁ ନାହିଁ । ଏହି ସୁନ୍ଦର ମହାଜାଗତିକ ଘଟଣା ମେଘମୁକ୍ତ ଥିବା ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ଓ ଏହାର କୌଣସି ପ୍ରଭାବ କାହା ଉପରେ ପଡିବାର ନାହିଁ ବୋଲି କହିଛନ୍ତି ଜନ ବିଜ୍ଞାନୀ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ନିର୍ଦ୍ଦେଶକ ଡ: ଶୁଭେନ୍ଦୁ ପଟ୍ଟନାୟକ।

ନୂଆଦିଲ୍ଲୀ, ୧୧/୧: ବନ୍ଧୁକ ରଖିଛନ୍ତି କି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଅସାବଧାନତା ଯୋଗୁଁ ତାହା ଫୁଟି ଯାଇପାରେ। ପଞ୍ଜାବରେ ଶୁକ୍ରବାର ରାତି ସାଢ଼େ ୧୨ ଟାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପଞ୍ଜାବର ଲୁଧିଆନା (ପଶ୍ଚିମ) ବିଧାୟକ ଗୁରୁପ୍ରିତ୍ ଗୋଗି ନିଜ ଘରେ ରଖିଥିବା ବନ୍ଧୁକ ସଫା କରୁଥିବା ବେଳେ ଅସାବଧାନତା ଯୋଗୁ ତାହା ଫୁଟି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଦୟାନନ୍ଦ ମେଡ଼ିକାଲ ଓ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ପୁଲିସ ଘଟଣାର ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପଞ୍ଜାବ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଇଚ୍ଛାର ଶେଷ ନାହିଁ । ଏ କଥାଟି ବୁଝିବା ଲାଗି ରାଜା ଯଯାତିଙ୍କୁ ଲକ୍ଷାଧିକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଯଯାତିଙ୍କର ପତ୍ନୀ ଥିଲେ ଦେବଯାନୀ । ଦିନେ ଯଯାତି ଓ ଦେବଯାନୀଙ୍କ ମଧ୍ୟରେ କଳହ ହେଲା । ଏକଥା ଦେଖି ଦେବଯାନୀଙ୍କ ବାପା ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ଅଭିଶାପ ଦେଇ ଅସମୟରେ ବୁଢ଼ା କରିଦେଲେ । ଯଯାତି ନିଜର ଭୁଲ ସ୍ୱୀକାର କରିବା ପରେ ଶୁକ୍ରାଚାର୍ଯ୍ୟ କହିଲେ: ଯଦି ତୁମ ପୁଅମାନଙ୍କ ଭିତରୁ କେହି ଜଣେ ତା’ର ଯୌବନ ତୁମକୁ ଦେଇ ତୁମର ବାର୍ଦ୍ଧକ୍ୟ ସେ ବରଣ କରିନେବାକୁ ରାଜି ହେବ ତା’ହେଲେ ତୁମେ ପୁଣିଥରେ ଯୁବକ ହୋଇ ତୁମର ଇଚ୍ଛା ପୂରଣ କରିପାରିବ । ଯଯାତିଙ୍କର ପାଞ୍ଚପୁଅ ଥିଲେ । କେବଳ ସାନପୁଅ ପୁରୁ ବାପାଙ୍କୁ ନିଜର ଯୌବନ ଦେଇ ତାଙ୍କର ବାର୍ଦ୍ଧକ୍ୟ ବରଣ କଲା । ଯଯାତି ପୁଣିଥରେ ଯୁବକ ହୋଇଗଲେ । ଭୋଗ ବିଳାଶରେ ବୁଡ଼ିଗଲେ । ଅପସରାଙ୍କୁ ଉପଭୋଗ କଲେ । ବର୍ଷ ପରେ ବର୍ଷ ବିତିଗଲା । ଯଯାତିଙ୍କର ଦିନେ ଜ୍ଞାନୋଦୟ ହେଲା । ସେ ଭାବିଲେ, ମୁଁ ଜୀବନକୁ ଯେତେ ଉପଭୋଗ କରୁଛି ମୋ ଭିତରର ଇଚ୍ଛା ସେତେ ବଢୁଛି । ଏହାର ଶେଷ କେଉଁଠି? ପୁଣି, ସେ ନିଜ ଯୌବନ ନୁହେଁ, ନିଜ ପୁଅର ଯୌବନକୁ ଉପଭୋଗ କରୁଛନ୍ତି । ଏସବୁ ବୁଝିବା ପରେ ତାଙ୍କର ନିଜ ପ୍ରତି ଘୃଣା ଆସିଲା । ସେ ପୁରୁଙ୍କୁ ତାଙ୍କର ଯୌବନ ଫେରାଇଦେଲେ ଓ ତା’ ହାତରେ ରାଜ୍ୟଭାର ଦେଇ ଜଙ୍ଗଲକୁ ଚାଲିଗଲେ ।

                                       – ରାଜେନ୍ଦ୍ର

ହାଇକୋର୍ଟରେ ଦାଖଲ କରିଥିଲେ ନକଲି ରିପୋର୍ଟ୍
ଭୁବନେଶ୍ୱର, ୧୦/୧(ଓଡ଼ିଶା ଜାଗରଣ): ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ଭାଙ୍ଗିବାକୁ ନେଇ ହାଇକୋର୍ଟରେ ଦିଆଯାଇଥିବା ରିପୋର୍ଟ୍ ନକଲି ବୋଲି ଦର୍ଶାଯାଇ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ଯାହାକୁ ନେଇ ବୈକୁଣ୍ଠ ଆଶ୍ରମ ପାଇଁ ଅଡ଼ୁଆ ବୃଦ୍ଧି ପାଇଛି। ଅପରପକ୍ଷେ ହାଇକୋର୍ଟ ପକ୍ଷରୁ ପୁନଃ ରିପୋର୍ଟ୍ ଫେବୃଆରୀ ୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଥାଉ କି ଖଣ୍ଡଗିରିର ସରକାରୀ ଜମି ଉପରେ ଗଢି ଉଠିଥିବା ବୈକୁଣ୍ଠ ଆଶ୍ରମର ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ଗତ ଡ଼ିସେମ୍ବର ପ୍ରଥମ ସପ୍ତାହରେ ବିଏମସି ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ସୀମାରେ ସତର୍କତା ଜାରି କରାଯାଇଛି। ବିଶେଷକରି ପାକିସ୍ତାନ ସୀମାନ୍ତରେ ଭାରତୀୟ ଜବାନମାନେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଏପରିସ୍ଥଳେ କୁହୁଡ଼ିର ସୁଯୋଗ ନେଇ ଆଜି ଭୋରୁ ଭୋରୁ ଜଣେ ପାକିସ୍ତାନୀ ଅନୁବ୍ରବେଶକାରୀ ଭାରତ ସୀମା ଭିତରକୁ ପ୍ରବେଶ କରିବାୁ ଚେଷ୍ଟା କରୁଥିବା ବେଳେ ଜବାନଙ୍କ ଗୁଳିରେ ନିହତ ହୋଇଛି। ତା ନିକଟର ୪୦୦ ପାକିସ୍ତାନୀ ଟଙ୍କା, ଗୋଟିଏ ଦିଆସିଲି, ଗୁଟ୍‌ଖା ପ୍ୟାକେଟ୍‌ ସମେତ ଛୋଟ ବ୍ୟାଗ୍‌  ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଅମୃତସର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଭାରତୀୟ ବିଏସ୍‌ଏଫ୍‌ ଜବାନମାନେ ତାଙ୍କୁ ପ୍ରଥମେ ସଚେତନ କରାଯାଇଥିଲେ। କିନ୍ତୁ ଏହାକୁ ଖାତିର ନ କରି ସେ ସୀମା ଭିତରକୁ ପ୍ରବେଶ କରିଥିଲେ। ବାରମ୍ବାର ସଚେତନ କରିବା ସତ୍ତେ୍ୱ ସେ ପ୍ରବେଶ କରିପାରିବାକୁ ଚେଷ୍ଟା କରିବାକୁ ଅମୃତସର ଜିଲ୍ଲାର କୋଟରାଜଦା ଗ୍ରାମ ନିକଟରେ ଜବାନମାନେ ଗୁଳି ଚଳାଇଥିଲେ।

ଭୁବନେଶ୍ୱର, ୨୦/୨(ଓଡ଼ିଶା ଜାଗରଣ): ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଆରଆଇ। ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା ଏଆରଆଇବେଳେ ଖୋର୍ଦ୍ଧ ଜିଲ୍ଲା ଚିଲିକା ତହସିଲ ଅଧୀନ ସୋରଣ ରାଜସ୍ବ ଅଧିକାରୀ କାର୍ଯ୍ୟାଳୟର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଆଇ) କୈଳାସ ଚନ୍ଦ୍ର ବେହେରା। ଏକ ଜମିଜମା ମାମଲାରେ କ୍ଲିୟରାନ୍ସ ଦେବା ପାଇଁ କୈଳାସ ୨୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ପୂର୍ବ ଯୋଜନା ମୁତାବକ ଲାଞ୍ଚୁଆ ସହକାରୀ ରାଜସ୍ବ ନିରୀକ୍ଷକଙ୍କୁ ଧରାଯିବା ସହ ତାଙ୍କ ଠାରୁ ୨୦ ହାଜର କେମିକାଲ ବୋଳା ନୋଟ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କୈଳାସଙ୍କ ଘର୍ ସମେତ ଦୁଇଟି ସ୍ଥାନ ଉପରେ ଦୁଇଟି ଟିମ୍ ଚଢ଼ଉ ଜାରି ରଖିଛି।

୩ କୋଟି ଟଙ୍କା ସହ ସୁନା ଅଳଙ୍କାର ଓ ଦାମୀ କାର ଜବତ
ଭୋପାଳ, ୨୦/୧:
ପୁର୍ବତନ ବିଧାୟକଙ୍କ ଘରେ ଚଢ଼ଉ କରିଥିଲା ଆୟକର ବିଭାଗ। ମିଳିଲା କୋଟି କୋଟି ତାଙ୍କର ସମ୍ପତ୍ତି ସମେତ ୩ ଟି କୁମ୍ଭୀର। ପୂର୍ବତନ ବିଧାୟକ ହେଲେ ମଧ୍ୟପ୍ରଦେଶ ବିଜେପିର ଅନ୍ୟତମ ନେତା ହର୍ଷବର୍ଦ୍ଧନ ସିଂ ରାଠୋର। ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ ସମୟରେ ସୁନା, କୋଟି କୋଟି ଟଙ୍କା ଏବଂ ବେନାମୀ ଦାମୀ କାର ଜବତ କରିଛି।
କେବଳ ସେତିକି ନୁହେଁ, ରାଠୋରଙ୍କ ଘର ନିକଟରେ ଥିବା ଏକ ପୋଖରୀରୁ ୩ଟି କୁମ୍ଭୀର ଉଦ୍ଧାର କରାଯାଇଥିଲା।
ସେ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ରବିବାରଠାରୁ ତାଙ୍କ ଘରେ ଚଢଉ କରୁଥିଲା। ଅଧିକାରୀମାନେ କହିଛନ୍ତି ଯେ ଚଢଉ ସମୟରେ ୧୫୫ କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣାପଡ଼ିଛି। ସେମାନେ ସୁନା ଏବଂ ରୂପା ଅଳଙ୍କାର ବ୍ୟତୀତ ୩ କୋଟି ଟଙ୍କା ନଗଦ ଜବତ କରିଛନ୍ତି।
ରାଠୋରଙ୍କ ସହିତ ଅନ୍ୟତମ ବ୍ୟବସାୟୀ ତଥା ପୂର୍ବତନ କାଉନସିଲର କେଶରୱାନି ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣା ପଡିଛି। ଏ ସମ୍ପର୍କିତ କାଗଜପତ୍ର ଜବତ କରିଛି ଆୟକର ବିଭାଗ।

ତେଲେଙ୍ଗାନା ରାଜ୍ୟର ସୂର୍ଯ୍ୟପେଟା-ଖମାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଓଡ଼ିଆ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ବସ୍ ଡ୍ରାଇଭର ସମେତ ୩ ଜଣ ଶ୍ରମିକ ଅଛନ୍ତି। ମୃତ ଶ୍ରମିକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣା ପଡ଼ିଛି। ଏଥିରେ ବସିଥିବା ଅନ୍ୟ ଶ୍ରମିକମାନେ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ାରୁ ୩୨ ଜଣ ଶ୍ରମିକ ବସରେ ହାଇଦ୍ରାବାଦରୁ ଛତିଶଗଡ ଯାଉଥିଲେ। ବାଟରେ ରଖାଯାଇଥିବା ଏକ ଟ୍ରକ୍ କୁ ଦେଖି ନ ପାରି ବସ୍ ଡ୍ରାଇଭର ସେଥିରେ ଗାଡ଼ି ପିଟି ଦେଇଥିଲା। ଘଟଣାସ୍ଥଳରେ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ତେଲେଙ୍ଗାନା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ସେମାନଙ୍କ ପରିବାରକୁ ସୂଚନା ଦେଇଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।