ରାସ୍ତାରେ ଯାଉଥିବା କଲେଜ ଛାତ୍ରୀମାନେ କେତେ ସୁରକ୍ଷିତ
ଭୁବନେଶ୍ୱର, ୧୧/୧ (ଓଡ଼ିଶା ଜାଗରଣ): ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଓଡ଼ିଶା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଦୁଇଦିନ ଧରି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଦୁଇଜଣ ଛାତ୍ରୀ କଲେଜ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ଧମକାଉଥିବା ଭିଡ଼ିଓରେ ଶୁଣିବାକୁ ମିଳୁଛି। ଦୁଇଜଣ ଛାତ୍ରୀଙ୍କ ପାଖକୁ ଜଣେ ଆସି ପ୍ରଥମେ ନାଳୁଆ କ’ଣ କହୁଛୁ ବୋଲି ପଚାରୁଛି। ଛାତ୍ରୀମାନେ ‘କିଛି କହିନାହୁଁ’ ବୋଲି କହିବା ସତ୍ତ୍ବେ ଜଣେ ଯୁବକ ବାମହାତରେ ମୋବାଇଲ୍ ଧରିଆସି ଡାହାଣ ହାତରେ ଛାତ୍ରୀଙ୍କ ଗାଲକୁ ମାରିବା ଆରମ୍ଭ କରିବାରେ ଲାଗିଛି। ଏମିତି କି ଯୁବକଙ୍କ ମାଡ଼ରେ ଜଣେ କଲେଜ ଛାତ୍ରୀଙ୍କ ଚଷମା ଛିଟିକି ଦୂରରେ ପଡୁଛି। ତା ପରେ ଅନ୍ୟଜଣେ ଯୁବକ କହୁଛନ୍ତି କଲେଜ ଯାଉଛ ବାଟେ ବାଟେ ଯିବ। ଛାତ୍ରୀ ଦୁଇଜଣ ଚାଲିଯାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ମାତ୍ର କିଛି ସମୟର ଭିଡ଼ିଓ ଲକ୍ଷ ଲକ୍ଷ ମାତ୍ରାରେ ଭାଇରଲ୍ ହେବାରେ ଲାଗିଛି। ଘଟଣାଟି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି କୁହାଯାଉଛି। ଏ ନେଇ ପୁଲିସ କେଉଁ କାର୍ଯ୍ୟାନୁଷ୍ଠାନ ନେଇଛି ସେ ନେଇ କିଛି ଜଣା ପଡିନି।


